Ad

header ads

କବିତା - ସ୍ଵର୍ଗ ରଚୁଥାଉ ଭବେ - ହାସ୍ୟମୟୀ ରାଜ୍

ତୁମରି ଦୟାରେ ଲଭିଛି ଜନମ
ବଞ୍ଚିଛି ବଢିଛି ମୁହିଁ
କେଉଁଠି ଥିଲି ମୁଁ କେମିତି ଆସିଲି
ଆଜିଯାଏ ଜାଣିନାହିଁ ।।

ଯାହା କରିଅଛି କରୁଛି ପ୍ରଭୂ ହେ
ସବୁ ତୁମ ଇଂଗିତରେ
ନିଜ ଇଚ୍ଛାରେ କରୁଥାଏ ସିନା
ତୁମେ ଥାଅ ନେପଥ୍ୟରେ ।।

ହେତୁ ହେଲା ଦିନୁ ତୁମକୁ ଦେଖିଛି
ଭାବିଛି ଜୀବନ ନାଥ
ପାଦ ମୋ ଚାଲୁଛି ଆଜିଯାଏ ସିନା
ତୁମେ ଚଳାଇଛ ପଥ ।।

ଏ ସଂସାରେ ଯାହା ରହିଛି ଦେଖୁଛି
ସବୁ ଅଟେ ତୁମ ଦାନ
ସବୁ ସୁନ୍ଦରତା ତୁମରି ଭିତରେ
ବୁଝିଛି ଏ ମୋର ମନ.।।

ହୀନ ବୋଲି କେବେ ଭାବିନି ନିଜକୁ
ଯେହେତୁ ତୁମ ସନ୍ତାନ
ମୁହିଁ ଦୀନ ହୀନ କେମିତି କହିଲ
ତୁମେ ତ ଅଟ ମହାନ ।।

ନିଜ ଦୁଃଖରେ ହସିଦିଅ ସଦା
ପର ଦୁଃଖରେ କାନ୍ଦ
କହୁଥିଲ କେବେ ମର୍ କୁହନାହିଁ
ନିଜ ମୃତ୍ୟୁ ଯଦି ଅପସନ୍ଦ ।।

କେହି ଯଦି ସତେ ଦୁଃଖରେ ରହେ
ମୋର ହବ କିବା ଲାଭ
ସଭିଙ୍କ ସୁଖରେ ସୁଖୀ ସିନା ହେବି
ଜୀବନ ଅଟେ ଦୁର୍ଲଭ ।।

ଏଇ ଦୁନିଆତ ତୁମ ହାତେ ଗଢା
ପର ଏଠି ସତେ କିଏ
ମୁଢ ମନ ସିନା ଭେଦା ଭେଦ ଭାବେ
ପର ଆପଣାର କହେ ।।

ତୁମେ ସବୁ ଦେଖ ପାଖେ ପାଖେ ଅଛ
ଏକଥା ଭୂଲିନି କେବେ
ଜାଣୁ ଜାଣୁ ତେଣୁ ଭୂଲ୍ କରେନାହଁ
କରିବିନି ବୋଲି ଭାବେ ।।

ଦୁଃଖ ସୁଖ ଭରା ଏଇ ସଂସାରରେ
ଶୁଭରେ ଥାଆନ୍ତୁ ସର୍ବେ
ନର୍କରେ ନପଡୁ ଜୀବନ କାହାର
ସ୍ବର୍ଗ ରଚୁଥାଉ ଭବେ ।।


ଓରାଳି, ହାଟଡିହି, କେନ୍ଦୁଝର

Post a Comment

0 Comments