Ad

header ads

ଦାର୍ଢ୍ୟତାଭକ୍ତି କଥାମୃତ - ରଘୁଅରକ୍ଷିତ ସମ୍ବାଦ - ଘନଶ୍ୟାମ ସାହୁ

ଶୀର୍ଷକ : ଦାର୍ଢ୍ଯତାଭକ୍ତି କଥାମୃତ ୮(କ) ରଘୁଅରକ୍ଷିତ ସମ୍ବାଦ
ବିଷ "କନ୍ଦାଇଲେ ଆଉ କେତେ ଆଦିକନ୍ଦ
ଅନ୍ତ ହେବ ମୋ କାନ୍ଦିବା
କାନ୍ଦି କାନ୍ଦି ମୋର ବିତିଗଲା ଦିନ
କା ଆଗେ ଦୁଃଖ କହିବା
ଆହେ ପରମାନନ୍ଦ
ନୀଳକନ୍ଦରକୁ ନ ଶୁଭେ ମୋ ଡାକ
କଲି କେଉଁ ଦୋଷ ଅବା ।..........
"ବେଶ୍ କୋହଭରା ଭାବବିହ୍ୱଳିତ କଣ୍ଠରେ ନୀଳଚକ୍ର ଆଡ଼କୁ ଚାହିଁ ଗୁଣୁଗୁଣୁ ହୋଇ ବଡ଼ଦାଣ୍ଡରେ ଗୀତଟି ଗାଉଥିଲେ ରଘୁ ମହାପାତ୍ର । ଚକ୍ଷୁ ଯୁଗଳରୁ ଧାର ଧାର ହୋଇ ଝରି ପଡୁଥିଲା ଅଶ୍ରୁଜଳ । ଗୀତ ବନ୍ଦ କରି ଚକାଡୋଳା ଙ୍କ ଉଦ୍ଦେଶ୍ୟରେ ଗୁହାରି କଲେ । ଆଜି ମଧ୍ୟ ସେ ଭୁଲି ପାରିନାହାନ୍ତି ସେଇ ପୁରୁଣା ଦିନ ଗୁଡିକ । ବଙ୍ଗ ଦେଶର ହରିପୁର ନଗରର ରାଜପୁତ୍ର ଆଜି ଜଣେ ସାମାନ୍ୟ ଭିକ୍ଷୁକ । ବଡ଼ଦାଣ୍ଡରେ ଭିକ୍ଷା ମାଗି ମହାପ୍ରଭୁଙ୍କ ଭଜନ କୀର୍ତ୍ତନ କରିବା
ଛଡ଼ା ଆଉ କ\'ଣ କରିଥାନ୍ତେ ? ଆଉ କାହା ଆଗରେ ହାତ ପତେଇବା ଅପେକ୍ଷା ସ୍ୱୟଂ ମହାପ୍ରଭୁଙ୍କ ଶରଣାପନ୍ନ ହେବାକୁ ଉଚିତ ମନେ କଲେ ସେ । ଲୀଳାମୟ ପ୍ରଭୁ ଜଗନ୍ନାଥ । ତାଙ୍କ
ନିର୍ଦ୍ଦେଶରେ ତ ସାରା ଜଗତ ଚାଲିଛି । ତାଙ୍କ ନିକଟରେ ସେ ନିଜକୁ ପୂର୍ଣ୍ଣ ମାତ୍ରାରେ ସମର୍ପଣ କରି ସାରିଛନ୍ତି । ମାରିଲେ ମାରିଲେ ତାରିଲେ ତାରିବେ । ରାଜା କୃଷ୍ଣ ମହାପାତ୍ର ଏବଂ ରାଣୀ କମଳାଙ୍କ ଏକମାତ୍ର ସନ୍ତାନ ରଘୁ ମହାପାତ୍ର । ରୂପ ଯେପରି ଗୁଣ ମଧ୍ୟ ସେହିପରି ।ଯୈ।ବନ ଅବସ୍ଥାରେ ପଦାର୍ପଣ କରିବା ମାତ୍ରେ ସୁନାନାକି ବୋହୁ ସନ୍ଧାନରେ ଆଗେଇ ଆସିଥିଲେ ରାଜା କୃଷ୍ଣ ମହାପାତ୍ର । ଶେଷରେ ସର୍ବଗୁଣାଳଙ୍କୃତା ମଧ୍ୟ-ବଙ୍ଗଳାର କଳାବତୀପୁରର କରଣ ଗଙ୍ଗାଧର ଙ୍କ ଗୃହରେ ସାତ ପୁଅ ପରେ ଜନ୍ମ ହୋଇଥିବା ଅଳିଅଳି ଏକମାତ୍ର କନ୍ୟା ଅନ୍ନପୂର୍ଣ୍ଣା ଙ୍କ ସହିତ
ବିବାହ ସ୍ଥିର ହେଲା । ଧୂମଧାମରେ ବିବାହ ଉତ୍ସବ ସମ୍ପନ୍ନ ହେଲା । ଅଗ୍ନି କୁ ସାକ୍ଷୀ ରଖି ରଘୁ ଏବଂ ଅନ୍ନପୂର୍ଣ୍ଣା ବିବାହ ବନ୍ଧନରେ ଆବଦ୍ଧ ହେଲେ ‌। ପରସ୍ପର ସୁଖ ଦୁଃଖ ର ସାଥୀ ହୋଇ ରହିବାକୁ ସଙ୍କଳ୍ପ ନେଲେ ।ସୁଖ କିନ୍ତୁ ବେଶୀ ସମୟ ତିଷ୍ଠି ପାରିଲାନି । ଧନ ସମ୍ପତ୍ତି ହରାଇ ନିସ୍ୱ ହୋଇଗଲେ ରଘୁ । ତାଙ୍କ ଦୁର୍ଦ୍ଦିନ ପରିସ୍ଥିତି ଚିନ୍ତା କରି ପିତାମାତା ଦେହତ୍ୟାଗ କଲେ । ଅଗତ୍ୟା ପତ୍ନୀ ଙ୍କୁ ପିତ୍ରାଳୟକୁ ପଠାଇ ଦେଇ ମହାପ୍ରଭୁଙ୍କ ଶରଣାପନ୍ନ ହେବାକୁ ଶ୍ରୀକ୍ଷେତ୍ର ଯିବାକୁ ମନସ୍ଥ କରିଥିଲେ ରଘୁ । ୟା ଭିତରେ କିଛି ଦିନ ଅତିବାହିତ ହୋଇଯାଇଥିଲା । ଭିକ୍ଷା ମାଗି , ମହାପ୍ରସାଦ ସେବନ କରି ଏବଂ ହରିନାମ ଭଜନ ରେ ସମୟ ଗଡ଼ି ଚାଲିଲା । ହଠାତ୍ କାହାରି ଧକ୍କା ବାଜି ତାଙ୍କର ଧ୍ୟାନ ଭଗ୍ନ ହେଲା । ସେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହାତ ଉପରକୁ ଉଠାଇଲେ ।"ଅରକ୍ଷିତ କି ରେ, ଯାଉନୁ, ଦାଣ୍ଡ ମଝିଟାରେ ଏମିତି ଠିଆ ହୋଇ ରହିଲୁ କାହିଁକି ? ଯା ମହାପ୍ରସାଦ ବାହାରିଲାଣି ।" ପଣ୍ଡା ସେବକ କେହି ଜଣେ କହିଲେ ।କିଛି ଦିନ ଭିତରେ ତାଙ୍କର ନାମ ହୋଇଯାଇଥିଲା ଅରକ୍ଷିତ । କେହି କେହି ରଘୁ ଅରକ୍ଷିତ ନାମଧରି ମଧ୍ୟ ତାଙ୍କୁ ଡାକୁଥିଲେ । ବହୁତ ଦିନ ହେଲା ସେ ପତ୍ନୀ ଅନ୍ନପୂର୍ଣ୍ଣା ଙ୍କ କଥା ମନକୁ ଆସିନଥିଲା । ମହାପ୍ରଭୁଙ୍କ ଗୁଣ ଗାନ କରୁ କରୁ ସେ ଘର ପରିବାର କଥା ପ୍ରାୟ ଭୁଲିଯାଇଥିଲେ । ଆନନ୍ଦ ବଜାରରୁ ଫେରିବା ସମୟରେ ଦିନେ କେହି ଜଣେ ଡାକୁଥିବାର ଶୁଣି ପଛକୁ ବୁଲି ଦେଖିଲେ । ବ୍ୟକ୍ତି ଜଣକ ତାଙ୍କୁ
ରଘୁ ମହାପାତ୍ର ନାମରେ ଡାକୁଥିଲେ ।"ଏ ନାମରେ ଏଠି ତ ମୋତେ କେହି ଡାକୁ ନାହାନ୍ତି ।ନିଶ୍ଚୟ ଲୋକ ଜଣକ ମୋତେ ହିଁ ଡାକୁଛନ୍ତି ଏବଂ ପତ୍ନୀ ଅନ୍ନପୂର୍ଣ୍ଣା ଠାରୁ କୈାଣସି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଆଣିଛନ୍ତି ।" ଏହା ଭାବି ରଘୁ ଲୋକଟିର ପାଖକୁ ଗଲେ ।ଲୋକଟି ପ୍ରଥମେ ମହାପ୍ରଭୁଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିବା ପରେ ଏତେ ଦିନ ଖୋଜିବା ପରେ ଯାହା ହେଉ ଆପଣଙ୍କ ସହିତ ଦେଖା ହୋଇପାରିଲା ବୋଲି ଶୁଣିବା ପରେ ଅଜଣା ଆଶଙ୍କା ରେ ସେ ଆତଙ୍କିତ ହୋଇପଡିଲେ । ତାଙ୍କର କୈ।ତୁହଳ ବହୁ ଗୁଣିତ ହେବାକୁ ଲାଗିଲା । ସେ ପତ୍ନୀ ଙ୍କ ସବୁକଥା ସୁବିସ୍ତୃତ ଜାଣିବାକୁ ଚାହିଁଲେ । ଆଗନ୍ତୁକ ବ୍ୟକ୍ତି ଜଣକ ଯାହା ବର୍ଣ୍ଣନା କଲେ ତାର
ସାରକଥା ଏହିପରି ଥିଲା ।

ରଘୁ ମହାପାତ୍ରଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ପିତା ଗୃହରେ କିଛି ଦିନ ଅବସ୍ଥାନ କଲାପରେ ଦିନେ ତାଙ୍କ ପରିବାରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ଏଥିରେ ରଘୁ ଏବଂ ଅନ୍ନପୂର୍ଣ୍ଣା ଙ୍କ ବିଷୟରେ ଆଲୋଚନା କରାଯାଇଥିଲା । ଯେହେତୁ ରଘୁ ମହାପାତ୍ର ଏବେ ଭିକ୍ଷା ମାଗି ଦିନ ବିତାଉଛନ୍ତି ତାଙ୍କ ହାତରେ ଆଉ ଅନ୍ନପୂର୍ଣ୍ଣା ଙ୍କୁ ଦେଇ ହେବନାହିଁ । ବରଂ ଅନ୍ନପୂର୍ଣ୍ଣା ଙ୍କ ପାଇଁ ଅନ୍ୟତ୍ର ବିବାହ ର ବନ୍ଦୋବସ୍ତ କରାଯାଇପାରେ ଏହା ନିଷ୍ପତ୍ତି ନିଆଯାଇଥିଲା । କିଛି ଦିନ ଭିତରେ ଅନ୍ନପୂର୍ଣ୍ଣା ଙ୍କ ବିବାହ ରାଜା ବାସୁ ମହାପାତ୍ର ଙ୍କ
ପୁତ୍ର ସହ ଆସନ୍ତା ଫାଲଗୁନ କୃଷ୍ଣ ପଞ୍ଚମୀ ତିଥିରେ ସ୍ଥିର କରାଯାଇଥିଲା । ଅନ୍ନପୂର୍ଣ୍ଣା ଏହି କଥା ଶୁଣି ମୁଣ୍ଡରେ ବଜ୍ର ପଡ଼ିଲା ପରି ବୋଧ ହେଲା । ଚତୁର୍ଦ୍ଦଶ ଅନ୍ଧକାର ହିଁ ଦେଖାଗଲା । ଯେଉଁ
ପ୍ରଭୁ ଙ୍କୁ ସାକ୍ଷୀ ରଖି ସେ ରଘୁ ମହାପାତ୍ର ଙ୍କୁ ବିବାହ କରିଥିଲେ ସେ ହିଁ ତାଙ୍କୁ ରକ୍ଷା କରିବେ ।ସତୀ ନାରୀ ସିଏ । କିଛି ସମୟ ବିଚଳିତ ହେଲେ ମଧ୍ୟ ନିଜର କିଛି ଲୋକଙ୍କ ଦ୍ୱାରା ସ୍ୱାମୀ ରଘୁ ଙ୍କ ନିକଟକୁ ବାର୍ତ୍ତା ପ୍ରେରଣ କଲେ । ବିବାହ ତିଥି ପୂର୍ବରୁ ପହଞ୍ଚି ନ ପାରିଲେ ସେ ନିଜ ପ୍ରାଣ ବିସର୍ଜନ କରିବେ ହେଲେ ଦ୍ୱିତୀୟ ବିବାହ କରି ପାରିବେ ନାହିଁ ବୋଲି କହିଥିଲେ । ଏହି ବାର୍ତ୍ତା ପାଇ ରଘୁ ମହାପାତ୍ର କିଂ କର୍ତ୍ତବ୍ୟଂ ବିମୁଢମ୍ ଅବସ୍ଥାରେ ରହିଲେ । କାରଣ ହାତରେ ସମୟ ଯେତିକି ଅଛି ପତ୍ନୀ ପାଖରେ ସେ କେବେ ବି ପହଞ୍ଚି ପାରିବେ ନାହିଁ । ଏହା ଭାବି ସେ ମହାପ୍ରଭୁଙ୍କ ନିକଟରେ ଶରଣାପନ୍ନ ହେଲେ । ସେ ରାତିରେ ଆଦୈ। ଶୋଇ ପାରିଲେ ନାହିଁ । ପତ୍ନୀ ଅନ୍ନପୂର୍ଣ୍ଣା ଙ୍କ ମୁହଁ ତାଙ୍କ ସମ୍ମୁଖରେ ଭାସି ଉଠିଲା । ଶେଷରେ ଯାହା ମହାପ୍ରଭୁଙ୍କ ଇଚ୍ଛା କହି ଠାକୁରଙ୍କୁ ନାନା ପ୍ରକାରେ ସ୍ତୁତି କରି କେତେ ବେଳେ ଗାଢ଼ ନିଦରେ ଶୋଇ ପଡିଲେ ।
ଭକ୍ତ ବତ୍ସଳ ଭାବଗ୍ରାହୀ ନିଜ ଭକ୍ତର ବେଦନା ସହି ପାରିବେ ବା କିପରି ? ପ୍ରଭୁ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ଅଷ୍ଟ- -ବେତାଳ ଗଣ ଶଯ୍ୟା ସହିତ ରଘୁ ମହାପାତ୍ର ଙ୍କୁ ଉଠାଇ ନେଇ ଶ୍ୱଶୁର ଘର ବାରଣ୍ଡାରେ ରଖି ଦେଇଗଲେ । ପ୍ରଭୁଙ୍କ ମାୟାରେ ଏସବୁ ଘଟଣା ସମ୍ପର୍କରେ କେହି କିଛି ହେଲେ ଜାଣି ପାରିଲେ ନାହିଁ । ସ୍ୱାଭାବିକ ଶଯ୍ୟା ତ୍ୟାଗ କରି ଚମକି ପଡ଼ିଲେ ରଘୁ । ଏ କ\'ଣ ଦେଖୁଛନ୍ତି ସେ ? ଏହା କିପରି ସମ୍ଭବ ? ଏହି ଜାଗା କେଉଁଠି ? ପୁଣି ସେ ତ ଶ୍ରୀ କ୍ଷେତ୍ର ରେ ଥିଲେ , ଏଠାକୁ ସେ ଆସିଲେ କିପରି ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିଲା ତାଙ୍କ ମନରେ । ତାଙ୍କୁ ଲକ୍ଷ୍ୟ କରି ଯିବା ଆସିବା କରୁଥିବା ଲୋକମାନେ ପରସ୍ପର କଥା ହେଉଥିବାର ଜାଣି ପାରିଲେ । ଜଣକୁ ପାଖକୁ ଡାକି ଜାଗା ନାମ ପଚାରି ଯାହା ଉତ୍ତର ପାଇଲେ ସେଥିରେ ସେ ଅତି ମାତ୍ରାରେ ଆଶ୍ଚର୍ଯ୍ୟ ହୋଇଗଲେ ।ହାତ ଦୁଇଟି ସ୍ୱତଃ ଉପରକୁ ଉଠିଗଲା ଏବଂ ତୁଣ୍ଡରୁ ଫିଟିଆସିଲା "ଜୟ ଜଗନ୍ନାଥ" ଧ୍ୱନି । କେବଳ ମହାପ୍ରଭୁଙ୍କ ବ୍ୟତୀତ ଏହି ଅସମ୍ଭବ ହିଁ ସମ୍ଭବ ହୋଇ ପାରିଲା । ସବୁ ମହାପ୍ରଭୁଙ୍କ ଇଚ୍ଛା ରେ ହିଁ ହେଉଛି ଜାଣି ସେ ଖୁବ ଶୀଘ୍ର ଶଯ୍ୟା ତ୍ୟାଗ କଲେ । ତାଙ୍କ ଜଣେ ଶାଳକ ଦେଖି ଚିହ୍ନିଲେ ଓ ଶୀଘ୍ର ଗୃହ ଭିତରକୁ ଯାଇ ପିତା ଙ୍କୁ ଜଣାଇଲେ ।ଲୋକଲଜ୍ଯା ଭୟରେ ବାଧ୍ୟ ହୋଇ ରଘୁ ଙ୍କୁ ଗୃହ ଭିତରକୁ ନିଆଯାଇ ଯଥାସାଧ୍ୟ ସତ୍କାର କରାଗଲା । ପତ୍ନୀ ଅନ୍ନପୂର୍ଣ୍ଣା ଙ୍କ ଆନନ୍ଦ ର ସୀମା ରହିଲା ନାହିଁ । ଅତିଥି କକ୍ଷରେ ରଘୁଙ୍କ ସହିତ ସାକ୍ଷାତ କରି ତାଙ୍କ ମନ ପ୍ରାଣ ତୃପ୍ତ ହେଲା ।ପିଣ୍ଡରେ ପ୍ରାଣର ସଞ୍ଚାର ହେଲା ଯେପରି । କିନ୍ତୁ ତାଙ୍କ ଆନନ୍ଦ କିଛି ସମୟ ମଧ୍ୟରେ ପାଣି ଫୋଟକା ପରି କେଉଁ ଆଡେ ମିଳେଇ ଗଲା । କିଛି ସମୟ ମଧ୍ୟରେ ବିଶ୍ୱସ୍ତା ପରିଚାରିକା ଠାରୁ ସେ ତାଙ୍କ ବିରୁଦ୍ଧରେ ତଥା ସ୍ବାମୀଙ୍କ ବିରୁଦ୍ଧରେ ଏକ କଠୋର ଷଡ଼ଯନ୍ତ୍ର ବିଷୟରେ ଅବଗତ ହେଲେ । ଅନ୍ନପୂର୍ଣ୍ଣା ଏବଂ ରଘୁଙ୍କ ବ୍ୟତୀତ ଗୃହର ଅନ୍ୟ ସମସ୍ତ ବ୍ୟକ୍ତି ଏକାଠି ମିଶି ପରବର୍ତ୍ତୀ କାର୍ଯ୍ୟ ପନ୍ଥା ସ୍ଥିର କଲେ । ରଘୁଙ୍କ ଉପସ୍ଥିତି ଯୋଗୁଁ ତାଙ୍କର କଳ୍ପିତ ଯୋଜନା ଫସର ଫାଟିଗଲା । କ\'ଣ କଲେ ରଘୁ କିମ୍ବା ଅନ୍ନପୂର୍ଣ୍ଣା କିଛି ଜାଣି ପାରିବେ ନାହିଁ ଓ ତାଙ୍କ ଯୋଜନା ବଳବତ୍ତର ରହିବ ତାହା ଚିନ୍ତା କଲା ପରେ ସ୍ଥିର କରାଗଲା ଯେ ଉତ୍ତମ ଖାଦ୍ୟ ରେ ବିଷ ପ୍ରୟୋଗ କରି ରଘୁଙ୍କ ଅନ୍ତ କରିବାକୁ ହେବ ଯେପରି ଏକଥା କେହି ଜାଣି ପାରିବେ ନାହିଁ ।"ମୂଳୁ ମାରିଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି ।"ଏହା ହିଁ ରାତିରେ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ରହିଲେ ତାଙ୍କ ପରିବାର ର ସମସ୍ତେ ।

କିନ୍ତୁ ଏହି ଷଡ଼ଯନ୍ତ୍ର ବିଷୟରେ ପରିଚାରିକା ଠାରୁ ଜାଣିବା ପରେ ଅନ୍ନପୂର୍ଣ୍ଣା ଏକ ଛୋଟ ଚିଠି ରେ ସବୁ ବିଷୟ ଜଣାଇ ଖାଦ୍ୟ ଗ୍ରହଣ ନକରିବା ପାଇଁ ଅନୁରୋଧ କରି ରଖିଲେ ଏବଂ ସୁଯୋଗ ଦେଖି ରଘୁ ଙ୍କୁ ପରଶା ଯାଉଥିବା ଖାଦ୍ୟ ଉପରେ ଏକ ମଣ୍ଡା ପିଠା ମଧ୍ୟ ରେ ରଖିଦେଲେ ଯେପରି ମଣ୍ଡା କୁ ଭାଙ୍ଗି ଖାଇଲାବେଳେ ପ୍ରଥମେ ଚିଠି ଉପରେ ନଜର ପଡ଼ିବ । ରାତ୍ରୀଭୋଜନ ଏକ ସୁସଜ୍ଜିତ ଥାଳିରେ ଧରି ପରିଚାରିକା ଉପସ୍ଥିତ ହୋଇ ଆସନ ପ୍ରଦାନ ପୂର୍ବକ ଭୋଜନ ଗ୍ରହଣ କରିବା ପାଇଁ ଅନୁରୋଧ କରି ଚାଲିଗଲା । ସୁସ୍ୱାଦୁ ସୁବାସିତ ଖାଦ୍ୟ ଦେଖି ରଘୁ ଙ୍କ କ୍ଷୁଧା ବଢ଼ିଗଲା ପରି ବୋଧ ହେଲା । ଭୋଜନ ପୂର୍ବରୁ ସବୁ ଦିନ ପରି ପାପୁଲିରେ କିଛି ଜଳଖାଦ୍ୟ ଚତୁଃ- ପାର୍ଶ୍ଵରେ ବୁଲାଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କଲେ । ପ୍ରଥମେ ଠାକୁରଙ୍କୁ ସ୍ମରଣ କଲାପରେ ମଣ୍ଡା ପିଠା କୁ ଭାଙ୍ଗି ଖାଇବାକୁ ଉଦ୍ଯତ ହେବା ସମୟରେ ଏକ କ୍ଷୁଦ୍ର ଚିଠି ପାଇ ପଢିଲେ । ଖାଦ୍ୟ ବିଷ ଯୁକ୍ତ ଜାଣି ପାରିଲେ ସେ । "କିନ୍ତୁ ଖାଦ୍ୟ ସେ ପରିତ୍ୟାଗ କରି ପାରିବେ କିପରି ? ତାହା ତ ସେ ଠାକୁରଙ୍କୁ ସମର୍ପଣ କରି ସାରିଛନ୍ତି ! ସେ ଖାଦ୍ୟ ବର୍ତ୍ତମାନ ନୈବେଦ୍ୟ ହୋଇ ସାରିଛି । ପତ୍ନୀ ଙ୍କ ଚିଠି ରେ ଅନୁରୋଧ ସେ ଆଦୈ। ରକ୍ଷା କରି ପାରିବେ ନାହିଁ ।ସେଇ ସର୍ବ ନିୟନ୍ତା ସର୍ବ ଶକ୍ତିମାନ ଶ୍ରୀ ହରି ହିଁ ତାଙ୍କ ରକ୍ଷାକର୍ତ୍ତା ।" ଏହା ଭାବି ଖାଦ୍ୟ ବିଷ ଯୁକ୍ତ
ଜାଣି ମଧ୍ୟ ଦ୍ୱିଧା ନରଖି ତାକୁ ସେ ନୈବେଦ୍ୟ ରୂପେ ଗ୍ରହଣ କରିନେଲେ । କିଛି ସମୟ ମଧ୍ୟରେ ବିଷ କ୍ରିୟାର ପ୍ରଭାବ ସେ ଅନୁଭବ କଲେ । ଠାକୁରଙ୍କୁ ସ୍ମରଣ କରୁ କରୁ ତାଙ୍କ ହୃତ୍ ସ୍ପନ୍ଦନ
ବନ୍ଦ ହୋଇଗଲା ‌। ମଧ୍ୟ ରାତ୍ରରେ ଅନ୍ନପୂର୍ଣ୍ଣା ଙ୍କ ପିତା ଏବଂ ଭାଇମାନେ ଆସି ଦେଖିଲେ ଯେ ଯୋଜନା ମୁତାବକ ରଘୁ ବିଷ କ୍ରିୟା ରେ ପ୍ରାଣ ତ୍ୟାଗ କରିସାରିଛନ୍ତି । ବଡ଼ି ଭୋରରୁ ତାଙ୍କ
ଶବକୁ ନେଇ କେହି ଜାଣିବା ପୃର୍ବରୁ ଶ୍ମଶାନରେ ପୋତି ଦେବାକୁ ସ୍ଥିର କଲେ ଏବଂ ନିଜ ନିଜର କକ୍ଷକୁ ଚାଲିଗଲେ । ଅନ୍ନପୂର୍ଣ୍ଣା ସ୍ୱାମୀ ଙ୍କ ମୃତ୍ୟୁ ଖବର ପାଇ ଅତିଶୟ ମର୍ମାହତ ହୋଇ ସେଇ
ବଳିଆର ଭୁଜଙ୍କୁ ନାନା ପ୍ରକାରେ କାନ୍ଦି କାନ୍ଦି ସ୍ତୁତି କରିବାକୁ ଲାଗିଲେ । ଭକ୍ତ ବତ୍ସଳ ଭଗବାନ ଆଉ ସ୍ଥିର ରହିପାରିଲେ ନାହିଁ । କଥାରେ ଅଛି, " ରଖେ ହରି ତ ମାରିବ କିଏ ?"ତାଙ୍କର ପ୍ରାର୍ଥନା ଶୁଣି ସେ ତତ୍ କ୍ଷଣାତ ଭକ୍ତ ରଘୁ ଙ୍କ ନିକଟରେ ଉପସ୍ଥିତ ହେଲେ । ଭକ୍ତ କୁ କ୍ଷୁଦ୍ର ଶିଶୁ ଟିଏ ପରି ନିଜ କୋଳ ଉପରକୁ ନେଇ ମଥାରେ କରସ୍ପର୍ଶ କଲେ ଏବଂ ଭକ୍ତର ନାମ ଧରି ଉଠିବାକୁ ନିର୍ଦ୍ଦେଶ ଦେଇ ଅନ୍ତର୍ଦ୍ଧାନ ହୋଇ ଗଲେ । କୋଠରୀ କିନ୍ତୁ ଏକ ଦିବ୍ୟ ସୁଗନ୍ଧ ରେ ମହକି ଉଠୁଥିଲା ।ନିଦରୁ ଉଠିଲା ପରି ରଘୁ ଶଯ୍ୟା ରୁ ଉଠି ପଡିଲେ ଏବଂ ସେଇ ଦିବ୍ୟ ସୁଗନ୍ଧ କୁ ବାରମ୍ବାର ଆଘ୍ରାଣ କରିବାକୁ ଲାଗିଲେ । ତାଙ୍କ ଜାଣିବାକୁ ଆଉ ବାକି ରହିଲା ନାହିଁ ଯେ ସ୍ୱୟଂ ପରମେଶ୍ୱର ତାଙ୍କ ନିକଟକୁ ଆସି ତାଙ୍କୁ ଜୀବନଦାନ କରି ଚାଲିଯାଇଛନ୍ତି । ସେଇ ମହାପ୍ରଭୁଙ୍କୁ ସେ ବାରମ୍ବାର ସ୍ତୁତି କରିବାକୁ ଲାଗିଲେ । ଭୋରରୁ ଆସି ଆଶ୍ଚର୍ଯ୍ୟ ହୋଇଗଲେ ଅନ୍ନପୂର୍ଣ୍ଣା ଙ୍କ ବାପା ଏବଂ ଭାଇମାନେ । ଏହା ତ ଅତି ଅଲୈ।କିକ ଘଟଣା । ରଘୁ ତ ବିଛଣା ଉପରେ ବସି ସ୍ତୁତି କରିବାରେ ଲାଗିଛନ୍ତି । ତାଙ୍କ ଯୋଜନା ପଣ୍ଡ ହେଲା ଜାଣି ରଘୁ ଙ୍କ ନିକଟରେ ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କଲେ ଏବଂ ସବୁ କିଛି ଭୁଲି ଯିବାକୁ ଅନୁରୋଧ କଲେ ।"ପ୍ରଭୁ ମୋର ରକ୍ଷାକର୍ତ୍ତା । ମୁଁ
ତାଙ୍କର ଶରଣାପନ୍ନ । ମୁଁ କିଏ କ୍ଷମା କରିବାକୁ ? ପୂର୍ବ ଜନ୍ମରେ ମୋ ଦ୍ୱାରା ନିଶ୍ଚୟ କାହାକୁ ବିଷ ଦେଇ ମାରିବା ର ଅପରାଧ କରିଥିବି । ସବୁ ମୋର କର୍ମର ଦୋଷ । ମୁଁ ଆପଣ ମାନଙ୍କୁ ଦୋଷ ଦେଇ ପାରିବି ନାହିଁ । ଆପଣମାନେ ମୋ ପରି ଜଣେ ଦୀନହୀନକୁ କନ୍ୟା ଦାନ କରିବା ଅପେକ୍ଷା ଉତ୍ତମ ପାତ୍ର ରେ ଦେବାକୁ ଯଦି ସ୍ଥିର କରିଛନ୍ତି ତେବେ ମୋର ଏଥିରେ ପ୍ରତିବାଦ କରିବାର କୈାଣସି କାରଣ ନାହିଁ । ମୁଁ ଏବେ ଏଠାରୁ ଚାଲିଯିବି । ଯଦି ଦେବା ଉଚିତ୍ ମନେ କରୁଛନ୍ତି ତେବେ ମୋର ପତ୍ନୀ ଙ୍କୁ ମୋତେ ଦେଇ ଧର୍ମରକ୍ଷା କରନ୍ତୁ ନଚେତ୍ ମୁଁ ଚାଲି ଯାଉଛି ।"
ଏହା କହି ସେଠାରୁ ସେ ଯିବାକୁ ଉଦ୍ଯତ ହେଲେ । ତାଙ୍କର ଶ୍ୱଶୁର ଏବଂ ଶାଳକ ମାନେ ବିନୟ ସହକାରେ ଆଜି ଦିନଟା ରହି ଯିବାକୁ ଅନୁରୋଧ କଲେ ମଧ୍ୟ ସେ ରହିବାକୁ ଇଚ୍ଛା କଲେ ନାହିଁ । ଅଗତ୍ୟା ଅନ୍ନପୂର୍ଣ୍ଣା ଙ୍କ ମତାମତ ଜାଣିବାକୁ ଚାହିଁବାରୁ ସେ ସ୍ୱାମୀ ରଘୁ ଙ୍କ ସହିତ ଯିବାକୁ ଇଚ୍ଛା ପ୍ରକାଶ କଲେ । ସ୍ୱାମୀ ଥାଉ ଥାଉ ଦ୍ୱିତୀୟ ବିବାହ କରି ନିଜକୁ ପାପରେ ଭାଗି ହେବାକୁ
ଚାହାନ୍ତି ନାହିଁ ବରଂ ସ୍ୱାମୀ ଙ୍କ ଦୁଃଖ ସୁଖ ର ସାଥୀ ହୋଇ ରହିବାକୁ ଚାହେଁ ବୋଲି କହିଲେ । ତେଣୁ ବାଧ୍ୟହୋଇ ଯାନି ଯଉତୁକ, ଉପହାର ଆଦି ଦେଇ ରଘୁ ଙ୍କ ସହିତ ଅନ୍ନପୂର୍ଣ୍ଣା ଙ୍କୁ
ବିଦାୟ ଦେଲେ । ସବୁ ସେଇ ଲୀଳାମୟ ଙ୍କ ଇଚ୍ଛା ବୋଲି କହି ପତ୍ନୀ ଙ୍କ ସହିତ ସେ ଆଗକୁ ଆଗକୁ ଆଗେଇ ଚାଲିଲେ । କଣ୍ଠରୂ ତାଙ୍କର ଝରି ପଡୁଥିଲା,

"ହେ ପ୍ରଭୁ କଳା ନାଉରୀ
ସଂସାର ନାବକୁ ଚଳାଇ ନିଅ ହେ
ଭବ ସାଗର ରୁ କର ପାରି ।
ଏ ମାୟା ସଂସାରେ ତୁମେ ଏକା ସାହା
ତୁମେ ଚିରନ୍ତନ ସତ୍ୟ
ତୁମ ଛଡ଼ା ସବୁ ମିଛ ଦୁନିଆରେ
ସବୁ ତୁମରି କୃତିତ୍ୱ
ସକଳ କର୍ମର କାରଣ ହେ ତୁମେ
ସବୁରି ମୂଳରେ ହରି .............."

ଧନ୍ୟ ଭକ୍ତ । ଧନ୍ୟ ତୁମର ସମର୍ପଣ ଭାବ । ସେଇ ଭାବବିନୋଦିଆ ଭକ୍ତ ପ୍ରାଣ ହରି ଭକ୍ତ ପାଇଁ ସବୁ କିଛି ଯେ କରି ପାରନ୍ତି ରଘୁ ଅରକ୍ଷିତ ଙ୍କ ଠାରୁ ଶ୍ରେଷ୍ଠ ଉଦାହରଣ ଆଉ କ\'ଣ ହୋଇପାରେ ?
ବିଭାଗ : ଅନ୍ୟାନ୍ୟ
ଲେଖକଙ୍କ ନାମ : ଘନଶ୍ୟାମ ସାହୁ
ଠିକଣା : ଆଠମଲ୍ଲିକ ରୋଡ଼ , ବଇଣ୍ଡା, ଜିଲ୍ଲା---ଅନୁଗୋଳ ବଇଣ୍ଡା ଓଡ଼ିଶା India
ଫୋନ : 797-805-7695
ଇମେଲ : ghanashyamsahoo600@gmail.com

Post a Comment

0 Comments