Ad

header ads

ଗଳ୍ପ - ଅଣ୍ଟାସୂତା - ଅମିୟ ବେଜ

ଚମକି ପଡିବନି ତ ଆଉ କଣ କରନ୍ତା ସୁମିତ୍ରା ? ସ୍ତ୍ରୀ ଲୋକ ଦେହର ସାମାନ୍ୟ ଆଞ୍ଚୁଡା ଦାଗଟିଏ ବି ସମାଜ ପାଇଁ ତିଆରି ଦିଏ ଅସାମାନ୍ୟ ପ୍ରହେଳିକା । ଆଉ ଏଇ ଦାଗ ତ ଯେମିତି କେଉଁ ଅତୀତରୁ ଘୁଣ ଖାଇ ମାଡିଚରି ଯାଇଛି ସୁମିତ୍ରାର ଦେହ ମାନଚିତ୍ରକୁ !

ଇଷତ୍ ପାଉଁଶିଆ ପଚା ଦାଗ ।

ସେ ଧ୍ୟାନ ଦେଇନି କେବେ ।

କିନ୍ତୁ ସବ୍ୟସାଚୀ ? ପ୍ରତିଟି ଅନ୍ତରଙ୍ଗ ବେଳେ ଏଇ ମସୃଣ ଥାନଟି ଉପରେ ମୁହଁଗୁଂଜି ଦେଇ ଯିଏ ସ୍ୱପ୍ନ ବୁଣନ୍ତି । ସ୍ୱପ୍ନ ଫସଲଙ୍କୁ ପାଣି ସାର ଦେଇ ବଢ଼ାଉଥାନ୍ତି । ସ୍ୱପ୍ନ ଅମଳରେ ଉତ୍ସାହିତ ହୁଅନ୍ତି । ସ୍ୱପ୍ନ ଉଜୁଡି ଗଲେ , ବିଫଳପଣରେ ଲୁହ ଝରାନ୍ତି ।

ନିମ୍ନଗାମୀ ହୋଇ ଲୁହଧାର ଭରିଯାଉଥାଏ ସୁମିତ୍ରାର ନାଭିଗର୍ତ୍ତ । ସବ୍ୟଙ୍କ ଅଲକ୍ଷ୍ୟରେ , ସନ୍ତର୍ପଣରେ ସୁମିତ୍ରା ପୋଛିଦିଏ ସେଇ କୋହତକୁ ।

ପୁଣିଥରେ ପ୍ରବର୍ତ୍ତାଏ ନୂଆ ସ୍ୱପ୍ନଚାରା ବୁଣିବାକୁ । ସେ କେମିତି ଏ ଗମ୍ଭିର ଦାଗଟିକୁ ଲକ୍ଷ୍ୟ ଦେଇପାରି ନାହାନ୍ତି ? ନା ସାଧାରଣ ମନେକରି ଗୁରୁତ୍ୱ ଦେଇନାହାନ୍ତି ?

ସ୍ତ୍ରୀ ଜାତିଟି କେବେ ଆଉ ମହତ୍ତ୍ୱପୂର୍ଣ୍ଣ ହୋଇପାରିଛି କି ?

ଶାଶୁ ଥିଲାବେଳେ ଶୁକପକ୍ଷୀ ପରି ଘୋଷି ହେଉଥିବେ " ବୋହୁନୁହେଁ ଝିଅ ତୁ ଆମର ।"

ସୁମିତ୍ରା ବୁଝାଇ ପାରେନା ,

" ବୋଉ , ଝିଅ ହେଲା ଏକ ଅଧିକାର ଆଉ ବୋହୁ ଗୋଟେ କର୍ତ୍ତବ୍ୟ ର ଅନ୍ୟନାମ । କର୍ତ୍ତବ୍ୟ ଆଗରେ ଅଧିକାର ର କୌଣସି ଅସ୍ତିତ୍ବ ନାହିଁ । ତୁମ ଅଣ୍ଟାରେ ଝୁଲୁଥିବା ଚାବିନେନ୍ଥା ଉପରେ ନିଜ ଝିଅ ପରି ଅଧିକାର ଟିକେ ଦେଇପାରିଛ କି ଏଯାଏଁ ବଡ଼ବୋହୁକୁ ? ମୁଁ ମୋର ସକଳ କର୍ତ୍ତବ୍ୟକୁ ନେଇ ଏ ଘରର ବୋହୁ ହୋଇ ବଞ୍ଚିବାକୁ ନିର୍ଦ୍ଦେଶିତ । ଏଥିରୁ ନିସ୍ତାର କାହିଁ ବୋଉ ?"

ଚାଲି ଯାଉଥିବା ବେଳେ ଶାଶୁ ହାତକୁ ବଢ଼େଇ ଦେଇଥିଲେ ଏ ଚାବିନେନ୍ଥା । ଚକାଡୋଳାଙ୍କ କାଚ ଲକେଟ୍ ରିଂ ରେ ଗୁନ୍ଥା ତିନୋଟି ଛୋଟ ଛୋଟ ପିତ୍ତଳ ଚାବିକାଠି । ଗୋଟେ ଶାଶୁଙ୍କ ହାତବାକ୍ସର ,ଗୋଟେ ଠାକୁର ଘରର , ଆଉ ଗୋଟେ କାହାର କହିଯାଇନଥିଲେ ।

ଅନିଚ୍ଛାରେ ହେଉ କି ଅଭିମାନରେ ସୁମିତ୍ରା ଠାକୁର ଘର ଛାଡି ଅନ୍ୟ କୌଣସି ଚାବିଙ୍କ ପ୍ରତି ଆଗ୍ରହ ଦେଖାଇ ନଥିଲା ବେଶ୍ କିଛିଦିନ ।

ଅଥଚ ଦିନେ ଖୋଲୁ ଖୋଲୁ ଖୋଲିଦେଲା ଶାଶୁଙ୍କ ହାତବାକ୍ସ ।

ଆଶ୍ଚର୍ଯ୍ୟ ! ପୁରା ବାକ୍ସଟି ଖାଲି ! ୟାକୁ ପୁଣି ଗଣ୍ଠିଲି ସାଇତି କରି କାଟିଦେଲେ ବୁଢ଼ୀ ଏତେବଡ଼ ଜୀବନ କୋଲପ ଦେଇ ଦେଇ ? ଥାଉ ସେମିତି ଅମୁହାଁ ଅଦେଖା ହୋଇ ଭାବି ସୁମିତ୍ରା ବନ୍ଦ କରିଦେଇଥିଲା ବାକ୍ସ କୋଲପକୁ ପୁଣିଥରେ ।

ଏ ଘରକୁ ବୋହୁ ହୋଇ ଆସିଲାବେଳେ ଆଶିଷ ହାଇସ୍କୁଲ ପଢୁଆ ଲାଜୁଆ କିଶୋର । ସବ୍ୟଙ୍କ ଠାରୁ ଢେର୍ ପରେ ଜନ୍ମ ତାଙ୍କର । ସୁମିତ୍ରାଙ୍କୁ ଲାଗିଲା ଦିଅର ନୁହେଁ ଘରେ ଛାଡ଼ି ଆସିଥିବା ଅଲିଅଳି ସାନଭାଇଟି ।

ଭୂମିଷ୍ଠ ହେଲାବେଳୁ ହିଁ କାୟମନବାକ୍ୟରେ ନାରୀଟିଏ ମା\' ଗୋଟିଏର ସତ୍ତାଟିକୁ ଦେହମନରେ ଅବସ୍ଥାପିତ କରିଦେଇଥାଏ । ନହେଲେ ଏ ବିଶାଳ ସୃଷ୍ଟିର ସନ୍ତୁଳନ ହୁଅନ୍ତା ବା କିପରି ? ପୁରୁଷର ଯାବତୀୟ ଅତ୍ୟାଚାର , ଅନ୍ୟାଚାର କେଉଁ ଏକ କୋମଳ ନାରୀ ପ୍ରତି ବାସ୍ତବରେ ନଥାଏ । ଥାଏତ ଗୋଟେ ମା\' ପ୍ରତି । ଏଇତକ କଥାକୁ ଯାହା ବୁଝିବୁଝାଇ ପାରିନି ଏଯାବତ୍ ଏଇ ସମୃଦ୍ଧ ସମାଜ ।

କୋଳରେ ବସାଇ ଆଶିଷକୁ ବଡ଼ କରିଛି ସୁମିତ୍ରା । ତା\'ର ଅଳିଅର୍ଦ୍ଦଳିକୁ ସହି-ବୁଝାଇ ସନ୍ତୁଷ୍ଟ କରିଛି ଜୀବନ ତମାମ । ଶାଶୁଙ୍କ ଆବର୍ତ୍ତରେ ମା\' ସାଜି , ମା\'ଟିଏର କର୍ତ୍ତବ୍ୟ ପୂରଣ କରି ବିଭାଘର କରାଇ , ଯାଆଟିଏ ନୁହେଁ ବରଂ ସାନବୋହୁଟିଏ ଆଣିଛି ଏ ଘରର ଵଂଶ ମର୍ଯ୍ୟାଦା ପାଇଁ ।

― ବଡ଼ବୋଲି କଣ ସବୁଥିରେ ବଡ଼ଭାଗ ? ସବୁଥିରେ ପ୍ରଥମ ଅଧିକାର ? କିଏ ଜାଣେ ଏ ଘରର ଵଂଶ ଅତୀତର ପୋତା ସମ୍ପତ୍ତିର ଠିକଣା ଥାନକୁ ? ତୁମେ ଭାବ ଆଦରରେ ବିକ୍ରି ହୋଇ ସାରିଛ । ଅଭାଗିନୀ ତ ମୁଁ । ଅଭାଗା ମୋ ପିଲାଏ ।

ଦୈବାତ୍ ସୁମିତ୍ରାର କାନରେ ପଡିଲା , ନା ତା କାନଯାଏଁ କଥାଟିକୁ କୌଶଳ କରି ପହଞ୍ଚାଇ ଦିଆଗଲା , ଏକଥା ଚିନ୍ତା କରିବାକୁ ସୁମିତ୍ରା ପାଖରେ ଛାତିଟିଏ ନଥିଲା ।

ସବ୍ୟଙ୍କୁ କୁହନ୍ତା କି ? ବରଂ କହିପାରନ୍ତା କି ? ନାଃ ! ଏ ଲୋକଟାର ମନଦେହ ରକ୍ତ-ହାଡ଼ ରେ ନୁହେଁ , ମହମରେ ତିଆରି । ତରଳି ଯିବାକୁ ନିମିଷକେ ଲାଗିବ । ଥାଉ କଷ୍ଟ ସବୁ ଗୋପନୀୟ ହୋଇ ।

ସାୟାର ଡୋର ଖୋଲିଦେଲା ସୁମିତ୍ରା । ସବ୍ୟଙ୍କ ଆଗରେ ଏପରି କର୍ମଟିକେ କରିବାକୁ ସେ କେବେ ସାହାସ ନୁହେଁ ବରଂ ଇଚ୍ଛା କରିନଥିଲା ଏଯାବତ୍ । ଏମିତିକି ସେ ଧରିନେଇଥିଲା ଅନ୍ଧାରର ଆନନ୍ଦ ଆଲୁଅରେ ନିଷ୍ପ୍ରଭ ହୋଇଯିବାର ଆଶଙ୍କା ମାନଙ୍କୁ । ଅଥଚ ଆଜି ପ୍ରଥମଥର ସେ ଉଲଗ୍ନ ହୋଇ ପଡ଼ିଲା ସବ୍ୟଙ୍କ ସମ୍ମୁଖରେ ପୁଣି ଏ ଉତ୍ତର ବୟସରେ ।

ଚିତ୍କାର କରୁଥିଲେ ସବ୍ୟସାଚୀ,

― ଇସ୍ ! କି ଦାଗ ଇୟେ ? ଏତେ ଗଭୀର ! ଏତେ ଭୟଙ୍କର !

― ଅଣ୍ଟାସୁତା ଅବା ବର୍ଷ ବର୍ଷ ଧରି ସାୟାଡୋରର ଦାଗ ହୋଇପାରେ ! ମା\'ଙ୍କ ଅଣ୍ଟାରେ ବି ତ ଏମିତି ଦାଗ ରହିଥିଲା ।

― କିନ୍ତୁ ?

―ହଁ ! ଶୁଣ ଏ ଦାଗ କଥା ଛାଡ଼ , ପେଟକଷ୍ଟ ଖୁବ୍ ହେଲାଣି କେଉଁଦିନୁ ମୋତେ । ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିବ।

.......

ସବୁ ଆୟୋଜନ ସରିଥିଲା । ପରେ ଯାହା ବାଧକ ହେଲା ଏ ଆକାଶଛୁଆଁ ଖର୍ଚ୍ଚ ।

ସୁମିତ୍ରା ମନାକଲା ।

― ପିଲାଏ ପାଠ ପଢିବେ । ମଣିଷ ହେବେ । ସଂସାର ଗଢିବେ। ଏସବୁ ପାଇଁ ସମୟ ସହ ଅର୍ଥ ବି ଅନେକ ଦରକାର । ସାରିଦେଇ ହେବନି ସବୁକିଛି। କଷ୍ଟ ତ ସହି ହେଉଛି ଢେରଦିନୁ ।

― ଚୁପ୍ କର । ଗର୍ଭାଶୟ କ୍ୟାନ୍ସର ଇୟେ । କାଢ଼ିଦେବାକୁ ହେବ ନୋଇଲେ ଜୀବନ ରହିବ କେମିତି ?

― ନରହୁ ! ତୁମେ ତ ଅଛ । ଏକୁଟିଆ ସମ୍ଭାଳିନେବ ସବୁକିଛି ।

― ସୁମିତ୍ରା ! ମୋ ଅସହାୟ ପଣର ମଜା ଉଡାଅନି । ଘରଡ଼ିହ ବନ୍ଧା ପକେଇ ଦେବି ।

― ନାଃ ! ଘରଡିହ ତୁମର ନୁହେଁ । ତୁମ ଦୁଇ ଭାଇଙ୍କର । ସମସ୍ତିଙ୍କ ପିଲାମାନଙ୍କର । ମୁଁ ପରଝିଅ । ମୋର ଏ ଘର ସଜାଡିବାର କର୍ତ୍ତବ୍ୟ । ଘର ଭାଙ୍ଗି ବିକିବାର ଅଧିକାର ଆଦୌ ନାହିଁ ।

― ତେବେ ?

― ଶୁଣ କଥାଟିଏ ମାନିବ ?

― ହଁ ,କୁହ ସୁମିତ୍ରା ?

― ଅଣ୍ଟାସୂତାଟିକୁ କାଢିବାକୁ ପଡିବ ଏବେ । ପେଟପାଇଁ କାଟୁଛି ଭାରି । ଚାବିନେନ୍ଥାଟିକୁ ଏବେ ସାନର ଦାୟିତ୍ୱରେ ଦେଇଦେବାକୁ ହେବ ।

― ଦେଇଦିଅ ! ସାମାନ୍ୟ କଥାଟିଏ ତ ଇୟେ ।

―ହଁ ! ଜାଣ ମୋର ସକଳ ଭଲପାଇବା ତୁମପ୍ରତି । ତାଛଡା ଜୀବନରେ ପ୍ରାପ୍ୟ ବୋଲି ନାହିଁ କିଛି ଆଉ ....

ଘଟଗାଁ, କେନ୍ଦୁଝର

Post a Comment

0 Comments