Ad

header ads

କବିତା - ନିଜକୁ ପଚାରେ - ହାସ୍ୟମୟୀ ରାଜ୍

ନିଜକୁ ପଚାରିଛି ଅନେକ୍ ଥର
କାହିଁକି ମୁଁ ସାଲିସ୍ କରିପାରିଲିନି
ଏ ବସ୍ତୁବାଦୀ ଦୁନିଆର
ଯେତେସବୁ ଅର୍ଥହୀନ ଅଙ୍ଗୀକାର ସହ
କାହିଁକି ମୁଁ ହଁ ମାରିପାରିଲିନି ତୁମ ହଁ ସହ
ବାଛିନେଲି ଆଗରେ ପଡିଥିବା
କଣ୍ଟା ଝଣ୍ଟା ପଥ
ଅଥଚ ଥିଲା ମୋ ସାମ୍ନାରେ
ଏକ ସ୍ବପ୍ନିଳ ସୁନାରଙ୍ଗ ରଥ ।
କାହିଁକି ମୁଁ ବିକିବାକୁ ଚାହିଁଲିନି
ମୋ ନିଃଶ୍ବାସର ମୁକ୍ତ ଅମ୍ଳଜାନ
ହଁ ଆଜି ମୁଁ ପଚାରେ ନିଜକୁ
କାହିଁକି ମୁଁ ପାଲଟିଗଲି ସାତପର
ଯଦିଓ ଲକ୍ଷହୀନ ନଥିଲା ମୋ ଜୀବନ
ସଭିଙ୍କୁ ତ କରିବାକୁ ଚାହିଁଥିଲି
ନିଜଠୁ ନିଜର
କିଏ ଦେବ ମୋତେ
ଏ ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର।।
କାହିଁକି ମୁଁ ଆଜିଯାଏ
ତୁମ ପାଇଁ ଏକ ପ୍ରଶ୍ନବାଚୀ
ଯଦିଓ ପ୍ରଶ୍ନ ପଚାରିବା ପୂର୍ବରୁ
ଉତ୍ତର ରଖିଛି ବାରମ୍ବାର
ମୁଁ ଜାଣେ
ସବୁ କାହିଁକିର ଦେଇହୁଏନି ଉତ୍ତର ।।
ଏ ପଚାରିବା ବି ନିରର୍ଥକ
ହେଲେ ଦିନ ସିନା ଚାଲିଯାଏ
ରଖିଦେଇଯାଏ ଅସୁମାରୀ ଚିହ୍ନ
ସିଏ ଦେବ ନିଶ୍ଚେ ତାର ଉତ୍ତର
ମୁଁ ଥାଏ କି ନଥାଏ
ସେ ତାର କଥା କହିବ
ମୁଁ ନଥିବି ହେଲେ
ଏ ଦୁନିଆ ବୁଝିବ ।।

ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର

Post a Comment

0 Comments