Ad

header ads

କବିତା - ମାଟି ମା କାନ୍ଦୁଛି - ନାରାୟଣ ଚନ୍ଦ୍ର ସେନାପତି


ସେଦିନ ସିନା ମାଟିର ମଣିଷଟା
ଗୋବର ଖତ ଦେଇ ଫଳାଉଥିଲା ସୁବର୍ଣ୍ଣ ଶସ୍ୟ
ତାକୁ ଖାଇ ମଣିଷ ହେଉଥିଲା ସୁସ୍ଥ ସବଳ
ହେଲେ ଆଜି ଲୋଭାସକ୍ତ କୃଷକଟା
ରାସାୟନିକ ସାର ଦେଇ ଅମଳ କରୁଛି ଅନେକ ଶସ୍ୟ
ନିଜକୁ ମଣୁଛି ବିଜ୍ଞାନୀ କୁଶଳୀ 
ହେଲେ ବିଷାକ୍ତ ବିଷର ପ୍ରଭାବରେ
ଜଳି ଯାଉଛି ମା' ମାଟି ଦେହ
କାନ୍ଦୁଛି ଆଖିରୁ ଗଡାଇ ଅଶ୍ରୁ
ହରାଇ ଆଶା ଭରସା ଓ ବିଶ୍ୱାସ।

ସେଦିନ ମା ମାଟିରେ ସୃଷ୍ଟି ହୋଇଥିଲା ରାମରାଜ୍ୟ
ସ୍ନେହ ଶ୍ରଦ୍ଧା କରୁଥିଲେ ଓଡିଶୀ ନୃତ୍ୟ
ଏକତା ମୈତ୍ରୀ ମାନେ ବସୁଥିଲେ ମକର କି ବଉଳ
ଆତ୍ମୀୟତା ସହଭାଗୀତା ସଂସ୍କାର ଶୃଙ୍ଖଳାରେ
ହସୁଥିଲା ସମାଜ ରାଷ୍ଟ୍ର ମା ମାଟି ହୋଇ ବ୍ୟାକୁଳ
ହେଲେ ଆଜିର ଦଙ୍ଗା ହେଙ୍ଗାମା ବ୍ୟଭିଚାର
କ୍ଷତ ବିକ୍ଷତ କରୁଛି ମା ମାଟି ବକ୍ଷ
ହିଂସା ଦ୍ଵେଷ ଛଳ କପଟ 
ପ୍ରତି ମୁହୂର୍ତ୍ତରେ କାଟୁଛି ତା'ର ପ୍ରଗତିର ପକ୍ଷ
ବନ୍ୟା ମରୁଡି ଦୁର୍ଭିକ୍ଷ ମହାମାରୀ 
ସଜାଇ ଦେଇଛି ପଙ୍ଗୁ
ଦିବ୍ୟାଙ୍ଗ ସାଜି ମା ମାଟି କାନ୍ଦୁଛି 
ଝରୁଛି ଲୁହ ଲହୁ ତାର ପ୍ରତିଟି ଅଙ୍ଗୁ।

ସେଦିନ ସାଧବ ପୁଅଟା ସୂଚାଉଥିଲା ଶ୍ରମର ମୂଲ୍ୟ
ଗୁରୁ ଶିଷ୍ୟ ପରମ୍ପରା ଶିଖାଉଥିଲା
ପାଦ ଧୂଳି କେତେ ଅମୁଲ୍ୟ
ଗାନ୍ଧୀ ନେତାଜୀ ବାଜିଆ ଶିଖାଇଥିଲେ 
ମା ମାଟିର ମୂଲ୍ୟବୋଧ
ସୈନିକ ସୁଚାଉଥିଲା ଏ ମାଟି ଚନ୍ଦନ ଆଉ ସରଗର ତତ୍ତ୍ୱ
ହେଲେ ଆଜିର ସନ୍ତାନ ସାଜିଛି ବିଦେଶୀ ଆଉ ଗୋଲାମ
ଚୋରି ଠକେଇ କଳାବଜାରୀର  ସ୍ବପ୍ନରେ ଭୁଲିଯାଇଛି ଶ୍ରମ 
ପ୍ରତିଦ୍ବନ୍ଦିତାର ସୁଅରେ ହଜାଇ ମାନବିକତା
ସତ୍ୟ ଧର୍ମ ନ୍ୟାୟକୁ କରିଛି ବନ୍ଦୀ
ଗର୍ବ ଅହଙ୍କାର ସ୍ବେଚ୍ଛାଚାରୀତାକୁ ମନରେ ପୁରାଇ
ମଣିଷ କରୁଛି କେତେ ଫିକର ଫନ୍ଦୀ
ସ୍ୱାଧୀନ ମାଟିରେ ସାଜିଛି ମଣିଷ ପରାଧୀନ
ଦେଖି ମା ମାଟି କାନ୍ଦୁଛି
ଭାବୁଛି ସେ ସାଜିଛି ଅନାଥିନୀ
ତା ତନୁ ହୋଇଛି ଶ୍ରୀହୀନ।

ଜମ୍ଭରା, କେନ୍ଦୁଝର

Post a Comment

0 Comments