Ad

header ads

କବିତା - କରନାହିଁ ମୋତେ ପର - ନରେନ୍ଦ୍ର ପ୍ରସାଦ ବେହେରା


ଶୁଣଲୋ ଭଉଣୀ     ମୋ ଦୁଃଖ କାହାଣୀ
        କହୁଛି ଆଜି ବଖାଣି
ଶୁଣିଲେ ମୋ ଦୁଃଖ     ହେଵନି ବିମୁଖ
          ସତ ମୁଁ କହୁଛି ପୁଣି  ।୧।

ପିତା ମାତାଙ୍କର     ମଧ୍ଯମ ପୁତ୍ର ମୁଁ
      ମୋନାମ ଅଟେ ନରେନ୍ଦ୍ର
ଯାଇଥିଲି ଦିନେ    ପାଠ ପଢିବାକୁ
      ଗାଆଁ ପାଖ ଶିକ୍ଷାକେନ୍ଦ୍ର  ।୨।

ସବୁଠୁ ଗରିବ     ବିଦ୍ୟାଳୟେ ଥିଲି
       ମିଳିଲା ନାହିଁ ସମ୍ମାନ
ହଳେ ପୋଷାକରେ   ପାଞ୍ଚବର୍ଷ କାଳ
        ପଢାରେ ଦେଲି ମୁଁ ମନ  ।୩।

ପିତାମାତା ମୋର     ଅତିବ ଗରିବ
          ଥିଲେ ଗ୍ରାମ ଆଳଦାର
ଧାନ କରଜରେ     ଦିନକଟୁ ଥିଲା
         ଶୁଣିଲେ ଆସିବ ଜ୍ବର  ।୪।

ସେରକ ଚାଉଳେ    ପାଞ୍ଚ ପ୍ରାଣୀଙ୍କର
           ପ୍ରତିଦିନ ଅନ୍ନଜଳ
ଅଧବେଳେ ପୁଣି      ଜଳେନାହିଁ ଚୁଲି
         ଖାଲିପଡେ ହାଣ୍ଡିଶାଳ  ।୫।

ପରଘରେ ମୂଲ     ଲାଗି ପିତାମାତା
         ପେଟକୁ ଯୋଗାନ୍ତି ଅନ୍ନ
ନମିଳିଲେ କାମ    ବସି ଭାବୁଥାନ୍ତି
         କେମିତି କଟିବ ଦିନ  ।୬।

ବର୍ଷଶେଷେ ହେଲା    ବାର୍ଷିକ ପରୀକ୍ଷା
        ହେଲି ମୁହିଁ କୃତକାର୍ଯ୍ୟ
ପାଠପଢା ଏବେ     ବନ୍ଦ କର ପୁତ୍ର
     ନାହିଁ ଆଉ ଆମ୍ଭ ଧୈର୍ଯ୍ୟ  ।୭।

ଭୋକ ଉପବାସେ      କଟୁଥାଏ ଦିନ
            ପାଖରେ ନଥାଏ ଧନ
କେମିତି ପଢିବି       ପାଠ ମୁଁ ଅଧିକ
           ଭାବୁଥାଏ ରାତିଦିନ  ।୮।

ପଢିବାକୁ ପାଠ      ଅଛି ମୋର ମନ
         କରନାହିଁ ବାଟବଣା
ଆଶୀର୍ବାଦ ତବ      ଥିଲେ ମୋ ମସ୍ତକେ
         ହୋଇବି ସମାଜେ ଗଣା  ।୯।

ପଢାଖର୍ଚ୍ଚ ପାଇଁ       ମୂଲ ଲାଗିବାକୁ
         ହେଲି ମୁହିଁ ଆଗଭର
ରବିବାର ପୁଣି      ଛୁଟିଦିନ ଦେଖି
        ଖଟିଲି ଯାଇ ଜମିର  ।୧୦।

ଷଷ୍ଠରୁ ସପ୍ତମ     ପଢିଲି ମୁଁ ପାଠ
     ଏକହଳ ପୋଷାକରେ
ଭୋକ ବିକଳରେ    ହୁଏନାହିଁ ପାଠ
         ବସିଲି ପଛ ଧାଡିରେ  ।୧୧।

ସପ୍ତମରୁ ଯାଇ      ଅଷ୍ଟମ ଶ୍ରେଣୀରେ
        ଖାତାରେ ଲେଖିଲି ନାମ
ବଢିଗଲା ଦୁଃଖ      ହେଲି ମୁଁ ଅସୁସ୍ଥ
        ମିଳିଲାନି ମୋତେ କାମ  ।୧୨।

କମିଗଲା କାମ      ଅଭାବ ବଢିଲା
      ଚଳିବା କଷ୍ଟ ହୋଇଲା
ପରଘରେ ମାଆ     ଅଇଁଠା ବାସନ
      ମାଜିବାକୁ ମନ ଦେଲା  ।୧୩।

ଖୁଦ ଆମ୍ବିଳାରେ     କଟିଛି ମୋ ଦିନ
          କରିନାହିଁ ଅଭିମାନ
ବାରମିଶା ଶାଗ     ଖାଇଖାଇ ପୁଣି
         ବଞ୍ଚାଇଛି ଏ ଜୀବନ  ।୧୪।
         
ତଥାପି ମନରେ     ଧରିଲି ସାହସ
         କଲମ ଧରି ହାତରେ 
ତିନିବର୍ଷ କାଳ      ପଢିଲି ମୁଁ ପାଠ
       ଏକହଳ ପୋଷାକରେ  ।୧୫।

ସବୁଠୁ ବାଧିଲା       କଲେଜର ପଢା
       ଘରେ ନାହିଁ ଗଣ୍ଡେ ଦାନା
ହଳକଲି ଯାଇ      ଲୋକଙ୍କ ଜମିରେ
        ଆଗୁଆ ନେଇ ବଇନା  ।୧୬।

ଟିଉସନ କେବେ      ଦେଖିନି ଜୀବନେ
        ଯେତେଦିନ ପଢୁଥିଲି
ବାଣିଜ୍ୟ ପଢାରେ      ଦେଇଥିଲି ମନ
       ସର୍ବଶେଷେ ଫେଲ୍ ହେଲି  ।୧୭।

କଲିକତା ଯାଇ     କିଛି ଦିନ ପାଇଁ
        ହୋଟେଲରେ କାମ କଲି 
ବୁଝିଲାନି ମନ     ସେଥିରେ ମୋହର
       ଗାଡି କାମେ ମନ ଦେଲି  ।୧୮।

ଖଲାସି ଭାବରେ     କରି ଗାଡି କାମ
         ବନିଗଲି ଡ୍ରାଇଭର
ରୋଜଗାର କରି      ପଠାଇଲି ଟଙ୍କା
        ଚଳିଲା ମୋ ପରିବାର  ।୧୯।

ଫେରି ମୁଁ ଓଡିଶା     ଦେଖିଲି ପଡିଶା
          ନେଇଛନ୍ତି ଜମିବାଡି
ଅମିନ୍ ହୋଇଲି     ଜମି ମାପକଲି
         କାଢିଲି ମୋ ଘରବାଡି  ।୨୦।

ଅମିନ୍ କାର୍ଯ୍ୟରେ     ଧୁରନ୍ଧର ଏବେ
         ଦେଉଛି ଲୋକଙ୍କୁ ନ୍ଯାୟ
ଅଞ୍ଚଳ ବାସୀଙ୍କ     ଅତି ପରିଚିତ
        କରିନି କେବେ ଅନ୍ଯାୟ  ।୨୧।

ମୋହରୀର ହୋଇ   ତହସିଲ କାର୍ଯ୍ୟ
           ତୁଲାଇଲି ସୁରୁଖୁରେ
ନିଜ ଜମିବାଡ଼ି   କାଗଜ ପତର
         ସଜାଡି ରଖିଲି ଘରେ  ।୨୨।

ଘଡି ମରାମତି     କାର୍ଯ୍ୟ ଶିଖି ପୁଣି
     ଲୋକଙ୍କୁ ଦେଇଛି ସେବା
ସାଙ୍ଗ ବ୍ରହ୍ମାନନ୍ଦ     କହିଲେ ବୁଝାଇ
       ସାମ୍ବାଦିକ ଆମ୍ଭେ ହେବା  ।୨୩।

ସାମ୍ବାଦିକ ଭାବେ    କାର୍ଯ୍ୟ ମୁଁ କରିଲି
        କ୍ରାନ୍ତିଧାରା ପେପରରେ
ଦିନସାରା କଲି     ଖବର ସଂଗ୍ରହ
          ପ୍ରେରଣ କଲି ସନ୍ଧ୍ୟାରେ  ।୨୪।

ମୋ ଖବର ପଢି     ସାରା ରାଜ୍ୟବାସୀ 
           କରିଲେ କେତେ ଆଦର
ସାମ୍ବାଦିକ ଭାବେ     ହେଲି ସମ୍ବର୍ଦ୍ଧିତ
       ଜାଣିଲେ ଓଡିଶା ନର  ।୨୫।

ଯାଇଥିଲି ଦିନେ     ସାହିତ୍ୟ ମଞ୍ଚକୁ
          ସ୍ଥାନଟି ଥିଲା କଟକ
କହିଲେ କବିତା     ପଢିବ ନରେନ୍ଦ୍ର
       ବାର୍ତ୍ତାରେ ଥିବ ମହକ  ।୨୬।

ଅପମାନ ପାଇ      ଫେରିଣ ଘରକୁ
        ବସିଲି ମନ ଦୁଃଖରେ
କବିତାର ମାନେ     ବୁଝି ମୁଁ ନଥିଲି
        ହୃଦ ଅପମାନେ ଝୁରେ  ।୨୭।

ଅଚାନକ ମନେ    ଜୁଟିଗଲା ବୁଦ୍ଧି
      ହ୍ଵାଟ୍ସଆପ୍ ଖୋଲି ଦେଲି
ସବୁ କବିତାକୁ    ମୂଳଠାରୁ ଶେଷ
       ଗୋଟି ଗୋଟି ପଢିଗଲି  ।୨୮।

ମମତାମୟୀ  ସେହି  ବିଶ୍ବକଲ୍ଯାଣୀ 
        ରାଉତ ଯେ କେନ୍ଦୁଝର
ମୁଗୁପୁର ଗ୍ରାମ    ବାପଘର ପୁଣି
        ଷଡ଼ଙ୍ଗରେ ଶାଶୁଘର  ।୨୯।

ଶିକ୍ଷୟିତ୍ରୀ ଭାବେ     କରନ୍ତି ଚାକିରୀ
         କବିତାରେ ଧୁରନ୍ଧର
ହ୍ଵାଟ୍ସଆପ୍ ଦ୍ବାରା    ହେଲା ପରିଚିତ
         କହିଲେ କଲମ ଧର  ।୩୦।

ଧରିଲି କଲମ    ଲେଖିଲି ସାହିତ୍ୟ
        ମିଳିଗଲା ଆଇଡିଆ
ବିଭିନ୍ନ ସଭାରେ     ପଢିଲି କବିତା
        ଦେଖି ହୋଇଲେ ଛାନିଆ  ।୩୧।

କବିତା ଲେଖିଲି    ନିର୍ଦ୍ଦେଶେ ତାଙ୍କର
          ସାଜିଲେ ଗୁରୁ ପ୍ରଥମ 
ଦ୍ବିତୀୟରେ ଗୁରୁ     କଳ୍ପନା ବିଶ୍ବାଳ
        ଚଷାପଡା ତାଙ୍କ ଗ୍ରାମ  ।୩୧।

ତୃତୀୟ ଆସନେ    ନାରାୟଣ ଚନ୍ଦ୍ର
      ସେନାପତି ଜମ୍ଭୀରାର
ଗୁରୁର ସମ୍ମାନ    ପାଉଛନ୍ତି ଏଵେ
       ସାଜି ମୁଖ୍ୟ କର୍ଣ୍ଣଧାର  ।୩୨।

ସାହିତ୍ୟରେ ମୋତେ     କଲେ ପରିଚିତ
        ଗୁରୁ ତ୍ରୟ ମୁଖ୍ୟ ହୋଇ
କି ବର୍ଣ୍ଣିବି ତାଙ୍କ     ଗୁଣର ମହିମା
       ମୁଣ୍ଡେ କିଛି ନ ପଶଇ  ।୩୩।

ଇଚ୍ଛା ଥିଲା ଦିନେ   ହେବାପାଇଁ ବଡ଼
        ସାହିତ୍ୟ କଲି ନିଜର
ସବୁ ଇଚ୍ଛା ଆଜି    ହୋଇଛି ପୂରଣ
        ଗୁରୁଙ୍କୁ ପାଇ ସତ୍ବର  ।୩୪।

ସାରା ଜୀବନ ମୁଁ    ଗୁରୁ ଆଜ୍ଞା ମାନି
        ସମାଜେ ରଖିବି ନାମ
ଜାଣତରେ କେବେ   କରିବିନି ଟାଣ
          ଗୁରୁଙ୍କୁ ଦୂରୁ ପ୍ରଣାମ  ।୩୫।

ଗୁରୁରୁ ଭଉଣୀ    ସାଜିଲେ ମମତା
        ଏକଥା ବିଶ୍ବ ବିଖ୍ଯାତ
ଦେବିନାହିଁ କେବେ   ମନରେ ଆଘାତ
       କରୁଛି ତ୍ରିବାର ସତ  ।୩୬।

ଗଢିଅଛି ଏକ      ଅନୁଷ୍ଠାନ ପୁଣି
     ନାମ ତା' ମୋ ଅନୁଷ୍ଠାନ
ଚଳାଉ ଅଛନ୍ତି   ନାରାୟଣ ଚନ୍ଦ୍ର
      ସେନାପତି ଦେଇ ମନ  ।୩୭।

ତାଙ୍କରି ନିର୍ଦ୍ଦେଶେ   ଚାଲେ ଅନୁଷ୍ଠାନ
        ମାନେନାହିଁ ବାଧାବିଘ୍ନ
ସାହିତ୍ୟ ଆକାଶେ   ଧ୍ରୁବ ତାରା ପରି
          ଦିଶୁଛନ୍ତି ବିଦ୍ଯମାନ  ।୩୮।

ପାରିହେବା ପାଇଁ    ବୈତରଣୀ ନଦୀ
        ମନରେ କରିଛି ଆଶା
ପଞ୍ଜିକୃତ ଏହି   ଅନୁଷ୍ଠାନ ମୋର
        କେନ୍ଦ୍ରରେ କରିବ ବସା  ।୩୯।
 
ତଥାପି ରହିଛି    ଦୁଃଖ ମୋ ଅନେକ
         କହିବାକୁ ନାହିଁ ବେଳ
ଶୁଣିଲେ ସମ୍ପୂର୍ଣ୍ଣ     ଆଖୁରୁ ବୋହିବ
      ଦିନରାତି ଖାଲି ଜଳ  ।୪୦।

ଗରିବ କୋଳରେ     ଜନମ ମୋହର
          ଜାଣିଛି ଦୁଃଖର ସଂଜ୍ଞା
ଜାଣିଶୁଣି ଦୁଃଖ     ଦେବିନି କାହାକୁ
         କରିଛି ମନେ ପ୍ରତିଜ୍ଞା  ।୪୧।

ବାପ ଛେଉଣ୍ଡ ମୁଁ      ଅତ୍ୟନ୍ତ ଗରିବ
          ପାଇନାହିଁ ଭଗ୍ନୀ ସ୍ନେହ
କହଲୋ ଭଉଣୀ     ଶୁଣିଣ କାହାଣୀ
        ଆଣିବୁନି ମନେ କୋହ  ।୪୨।

କରିଛି ନିଜର       ଅତି ଆପଣାର
        ଭୁଲଥିଲେ କ୍ଷମା ଦେବ
ଥିବ ଯେତେଦିନ     ଧର୍ମ ଏ ମହୀରେ
           ସମ୍ପର୍କ ଅତୁଟ ଥିବ ।୪୩।

ଅବସ୍ଥା ଏବେବି     ସୁଧୁରିଲା ନାହିଁ
         ଗରିବ ହୋଇ ରହିଲି
କେଉଁ ଜନମରେ     କି ପାପ କରିଲି
       ସୁଖ ଟିକେ ନ ପାଇଲି  ।୪୪।

ସାହିତ୍ୟ ଜୀବନେ     ସଭିଙ୍କୁ ନିଜର
        କରିଥିଲି ଆପଣାର
ଠେଲିଦେଇ ପାଦେ   ଚାଲିଗଲେ ଦୂରେ
       ଆଖିରୁ ବୁହାଇ ନୀର  ।୪୫।

କରନାହିଁ ଅବ    ହେଳାରେ ଭଉଣୀ
       ଜାତିରେ ଅଟେ କୁମ୍ଭାର
ସାହିତ୍ୟ ଜଗତେ      ପଡିଛି ଚହଳ
         ବାଲେଶ୍ବର ଜିଲ୍ଲା ଘର  ।୪୬।

ଦୁଃଖ ଦରିଆରେ    ସୁଖ ନାବ ମୋର
           ହଜିଗଲା କରି ପର
କରେ ନିବେଦନ    ଏସମୟେ କେବେ
       କରନାହିଁ ମୋତେ ପର  ।୪୭।

ଗଦ୍ଯ ସାହିତ୍ୟର    ବିକାଶ ନିମନ୍ତେ
         ଦେଇଛି ଆଜି ମୁଁ ମନ
ପ୍ରତି ଯୋଗିତାରେ    ଭରପୁର ହୁଏ
       ଗଢା ଏ ମୋ ଅନୁଷ୍ଠାନ  ।୪୮।

କବି କବୟିତ୍ରୀ    ନେଉଛନ୍ତି ଭାଗ
       ରାଜ୍ୟ ସ୍ତରୀୟ ପ୍ରତିଭା
ସମ୍ବର୍ଦ୍ଧିତ ହୋଇ    ହୋଇଥାନ୍ତି ଖୁସି
      ବର୍ଷ ଶେଷେ ହୁଏ ସଭା  ।୪୯।

ବାର୍ଷିକ ତୈମାସିକ   ପତ୍ରିକା ଛାପି
           ସ୍ଥାନଦିଏ ପ୍ରତିଭାଙ୍କୁ
ଆଗକୁ ଆହୁରି    ଯିବାକୁ ରହିଛି
         ନିବେଦନ ସମସ୍ତଙ୍କୁ  ।୫୦। 

ସମ୍ପାଦକ-ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦

Post a Comment

0 Comments