Ad

header ads

ପ୍ରବନ୍ଧ - ଜାତି ବିହୀନ ରାଷ୍ଟ୍ର ଗଠନ - ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ


ଶୀର୍ଷକ : ଜାତି ବିହୀନ ରାଷ୍ଟ୍ର ଗଠନ
ବିଷୟ : କିଛି ମାସ ତଳେ କେରଳର ଶିବଗିରି ମଠର ଏକ ସମାରୋହରେ ମାନ୍ୟବର ଉପରାଷ୍ଟ୍ରପତି ଭେକିୟା ନାଇଡୁ ଭାରତୀୟ ଜାତି ବ୍ୟବସ୍ଥାକୁ ଲୋପ କରି ଜାତି / ବର୍ଣ୍ଣ / ବର୍ଗ ବିହୀନ ବ୍ୟବସ୍ଥା ରାଷ୍ଟ୍ରରେ ରହିବା ନିହାତି ଅପରିହାର୍ଯ୍ୟ ବୋଲି ଦର୍ଶାଇଥିଲେ । ବିଶେଷକରି ସେ ମନ୍ଦିର , ଗୀର୍ଜା , ମସଜିଦ୍ ର ମୁଖ୍ୟ ନାୟକ ଭୂମିକା ଗ୍ରହଣ କରୁଥିବା ପ୍ରମୁଖ ଜାତିକୁ ଅଙ୍ଗୁଳି ଦର୍ଶାଇ ଜାତିର ଆଧାର ଉପରେ ଥିବା ଭେଦଭାବକୁ ବିଲୋପ କରିବା ଦିଗରେ ସମସ୍ତଙ୍କ ନିଷ୍ଠାପର , ନିସର୍ତ୍ତ ଆଗ୍ରହ ରହିବା ନିହାତି ଅପରିହାର୍ଯ୍ୟ ବୋଲି ସ୍ପଷ୍ଟ ଭାବରେ ଜଣାଇଥିଲେ । ମାନ୍ୟବର ଉପ-ରାଷ୍ଟ୍ରପତି ଏକଥା ମଧ୍ୟ କହିଛନ୍ତି " ଯେଉଁ ଭାରତ ବସୁଧୈବଂ କୁଟୁମ୍ବକମ୍ "କୁ ଧାରଣରେ ମନକୁ ନିୟୋଜିତ କରିବା ଉଚିତ । କିନ୍ତୁ କେତେକ ଏହା ପ୍ରତି ବିମୁଖ ହୋଇ ଅସ୍ତିତ୍ବବାଦ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହି ଅସ୍ତିତ୍ବବାଦ ଉପରେ ଆମେରିକା ଓ ବ୍ରିଟେନକୁ ନେଇ ଭାରତ ଆଗରେ ଠିଆ କରାଇବା କୌଣସି ପ୍ରକାର ଅଯୁକ୍ତି କର ବୋଲି କହିଛନ୍ତି , ଯାହା କେବଳ ରାଷ୍ଟ୍ରବାଦ ରୂପେ ସାମନାକୁ ଆସିଥାଏ । ଯଦିଓ ରାଷ୍ଟ୍ରର ଆର୍ଥିକ ଉଦାରବାଦ ପରିପ୍ରେକ୍ଷୀରେ ଏସବୁ ଧାରଣା ଥିଲା ଯେ ଏହି ବ୍ୟାପାର ମାଧ୍ୟମରେ " ବିଶ୍ୱ ଗ୍ରାମ " ର ସ୍ଥାପନ କରାଯାଇ ପାରିବ । ଯାହାଦ୍ୱାରା ଭାରତୀୟ ସାଂସ୍କୃତିକ ପରଂପରାରେ " ବସୁଧୈବଂ କୁଟୁମ୍ବକମ୍ " ର ପର୍ଯ୍ୟାୟରେ ବୃଦ୍ଧି ପାଇବା ନିହାତି ଅପରିହାର୍ଯ୍ୟ ।
ଭାରତ କେତେକ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗଙ୍କ ନିମନ୍ତେ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସାଂବିଧାନିକ ନିୟମ ଅନୁସାରେ ନିଯୁକ୍ତି ଦିଆଗଲେ ସମୟ କ୍ରମେ ବା କ୍ରମଶଃ ଭାରତରୁ ନିକଟ ଭବିଷ୍ୟତରେ ଜାତୀୟ କୁଚକ୍ର ପଣ୍ତ ହୋଇଯିବ ସଂଦେହ ନାହିଁ । ବୃହତ୍ତର ହିନ୍ଦୁ ସମାଜ ବା ହିନ୍ଦୁ ରାଷ୍ଟ୍ର ଗଠନର ସ୍ୱପ୍ନ ଦେଖିବା କେତେ ଯୁକ୍ତିସଂଗତ ତାହା ବିଚାର୍ଯ୍ୟ । ବୃହତ୍ତର ହିନ୍ଦୁ ସମାଜ ଅନ୍ୟ ଅର୍ଥରେ ହିନ୍ଦୁ , , ଜୈନ , ବୌଦ୍ଧ, ଶିଖ୍ ଆଦି ଧାର୍ମିକ ଗୋଷ୍ଠୀଙ୍କ ସମ୍ମଳିତ କାର୍ଯ୍ୟ ପ୍ରକ୍ରିୟାକୁ ଧରିନିଆ ଯାଇପାରେ । ଯେଉଁ ଜାତି ସଂରଚନାକୁ ବ୍ରାହ୍ମଣ ବାଦୀ ବ୍ୟବସ୍ଥାର ଦୁଃଚକ୍ର ମାନିଥିବେ , ସେପର୍ଯ୍ୟନ୍ତ ଏଜାତିର ଜାତୀୟ ବ୍ୟବସ୍ଥା ଅବବ୍ୟବସ୍ଥା ଭିତରେ କୂପ ମଣ୍ତୃକ ହୋଇ ପଡିଥିବ । ଏଜାତିର ବ୍ୟବସ୍ଥା ଏତେ ବ୍ୟାପକ ଓ ଗଭୀର ତାକୁ ଜାଣିବା ସବୁଠାରୁ ବଡ ମୁସ୍କିଲ ହୋଇପଡେ । ସେଭଳି ମୁସଲିମ ସମାଜରେ ମଧ୍ୟ ଜାତି ପ୍ରଥା ଉପରେ ପର୍ଦା ଟଣାଯାଇଛି । ଆଭିଜାତ୍ୟ ମୁସଲିମ ସମାଜରେ ଏଭଳି ବିଚିତ୍ର ସ୍ଥିତି ବଂଚାଇ ରଖିବାର ଜୋର ଜବରଦସ୍ତ ପ୍ରୟାସ ଚାହାନ୍ତି । ଫଳତଃ ଏହାର ଜନଗଣନାରେ ଚିହ୍ନଟ କରିବାରେ ଆଧାରିତ ଧର୍ମ ଓ ଲିଂଗ ଉପରେ କେବଳ ଗୁରୁତ୍ୱ ଦିଆଯାଇଛି ।
ବିଚାରକୁ ନିଆଗଲେ ଆଚାର୍ଯ୍ୟ ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ ଭାଷାରେ - ଜାତି ହେଉଛି ବ୍ରାହ୍ମଣବାଦୀ ବ୍ୟବସ୍ଥାର ଏଭଳି ଦୁଃଚକ୍ର ବା ଦୁଃସ୍ୱପ୍ନ ଯାହା ଜାତି ଜାତି ସହ ବା ନିଜଜାତି ସହ ଛୋଟ ଜାତି ମିଶିବା ସମ୍ଭବ ହୋଇପାରେ ନାହିଁ । ତାଙ୍କ ମତରେ ଜାତି ବ୍ରାହ୍ମଣ ବାଦୀ ବ୍ୟବସ୍ଥାର ଏଭଳି ଏକ କଦର୍ଥ ହୀନ ଚକ୍ରାନ୍ତ ବା ଦୁଃଚକ୍ର ଅସ୍ପୃଶ୍ୟ କହି ବାରଣ କରିବା ଏକ ହୀନ ପ୍ରକ୍ରିୟା । ଯଦିଓ ଆଜିର ଜାତି ଚକ୍ର ଏକ ସିଧାସଳଖ ସରଳରେଖାରେ ଗତି ମୁଖର ହୋଇପାରେ । ଯଦିଶ୍ଚ ବାସ୍ତବରେ ଏହା ବର୍ତ୍ତୁଳକାର , ଏହାର କୌଣସି ଆରମ୍ଭ ଓ ଶେଷ ଅନ୍ତ ନାହିଁ । ଯେପର୍ଯ୍ୟନ୍ତ ଏଥିରୁ ମୁକ୍ତି ମିଳିପାରି ନାହିଁ , ସେପର୍ଯ୍ୟନ୍ତ ଆମେ ଆମର ଅବଚେତନ ଜନ୍ମ ଜାତ ସଂସ୍କାର ଭିତରେ ବାନ୍ଧି ହୋଇ ରହିଛେ । ସଂସ୍କାର ମଧ୍ୟ ଏହା ଉପରେ ଗୋଟିଏ ପରେ ଗୋଟାଏ ବୟସ ଓଜାଡି ଦେଇ ଚାଲିଛି ।
ଏଭଳି ତଥ୍ୟାନୁସାରେ ବିଚାର ବିମର୍ଷ ଯଦି କରାଯାଏ \' ଜାତି ଏକ ବୃହତର ଚକ୍ର \' ! ଯଦି ଜାତି ଚକ୍ର ନଥାନ୍ତା , ତେବେ ଆଜି ପର୍ଯ୍ୟନ୍ତ ବଞ୍ଚି ରହିଥିବା ସଂସ୍କାର ଭାଙ୍ଗି ପଡି ଧୂଳିସାତ୍ ହୋଇ ପଡନ୍ତା । ଯଦିଓ ଏହି ଜାତି ଜବରଦସ୍ତ କୁଠାରାଘାତ ମହାଭାରତ କାଳରେ ଭୌତିକବାଦୀ ଋଷି ଚାର୍ବାକ୍ କରିଥିଲେ । ଗୌତମ ବୁଦ୍ଧ ମଧ୍ୟ ଭଗବାନଙ୍କ ନାମରେ ଯାଇ ରାଜସତ୍ତ୍ୱ ଧର୍ମରୁ ପୃଥକ କରିଥିଲେ । ଧର୍ମ , ଜାତି ଓ ବର୍ଣ୍ଣାଶ୍ରିତ ରାଜ ବ୍ୟବସ୍ଥାକୁ ଛାଡ଼ି ବୁଦ୍ଧ ସମଗ୍ର ଭାରତୀୟ ନାଗରିକ ସମାଜ ନିମନ୍ତେ ସମାନ ଆଚାର ସଂହିତା ପ୍ରସ୍ତୁତ ଓ ପ୍ରୟୋଗ କରିଥିଲେ । ଚାର୍ଣ୍ୟକ୍ୟ ଜନ୍ମ ଓ ଜାତି ଗତ ଶ୍ରେଷ୍ଠତାକୁ ଜଳାଞ୍ଜଳି ଦେଇ ବ୍ୟକ୍ତିଗତ ଯୋଗ୍ୟତା ଉପରେ ଅଧିକ ଗୁରୁତ୍ଵ ଦେଇଥିଲେ । ଗୁରୁନାନକ ଦେବ ଜାତୀୟ ଅବଧାରାକୁ ଅମାନ୍ୟ କରି ରାଜସତ୍ତ୍ୱରେ ଧର୍ମ ଉପଯୋଗକୁ ମାନବାଧିକାର ହତ୍ୟା ବୋଲି ମାନି ନେଇଥିଲେ ।
ସନ୍ଥ କବୀର ଦାସ ଜାତିବାଦ ଉପରେ ନିନ୍ଦା କରି ଅଙ୍ଗୁଳି ନିର୍ଦ୍ଦେଶ କହିଥିଲେ - " ଜାତି ନ ପୁଛ ସାଧୁକୌ , ପୁଚ୍ଛୋ ଲିଜିଓ ଜ୍ଞାନ / ମୌଳ କରୋ ତଳବାର କୋ , ପଡିରହେନ ମାନ ! " ଜାତୀୟ ପିତା ମହାତ୍ମାଗାନ୍ଧୀ ଜାତି ପ୍ରଥା ଉଠେଇ ଦେବାକୁ କରିଥିବା ପ୍ରୟାସ ଅତୁଳନୀୟ । ସେ ଅହରହ ଏହା ବିପକ୍ଷରେ ଆନ୍ଦୋଳନ ଚଳାଇ ସ୍ୱଚ୍ଛତା ଆଣିବାକୁ ଅସ୍ପୃଶ୍ୟ ଜାତିକୁ ହରିଜନ କହି, ସଫାସୁତୁରା କରିଆସୁଥବା କର୍ମୀଙ୍କୁ ଦିନ ଚର୍ଯ୍ୟାରେ ସାମିଲ କରି ଏହାର ଆଚରଣରେ ଓ ଉଂଚାରଣରେ ଆତ୍ମସନ୍ତୋଷ ଭରି ଦେଇଥିଲେ । ଭଗବାନ ମହାବୀର , ଗୌତମ ବୁଦ୍ଧ , ରାଜାରାମମୋହନ ରାୟ , ସ୍ୱାମୀ ଦୟାନନ୍ଦ ସରସ୍ଵତୀ , ସ୍ୱାମୀ ବିବେକାନନ୍ଦ , ବହୁ ସାଧୁ ସନ୍ଥ ଗଣ , ଡକ୍ଟର ଆମ୍ବେଦକର ଆଦି ଜାତି ପ୍ରଥା ବିରୋଧୀଥିଲେ ଓ ଏହାର ବିଲୋପ ନିମନ୍ତେ ବହୁ ପ୍ରଚେଷ୍ଟା ପ୍ରଯତ୍ନ କରିଥିଲେ ମଧ୍ୟ ଜାତି ବଡ କଠିନ ହିମାଳୟ ସଦୃଶ୍ୟ ସାଧାରଣ ନାଗରିକ ମାନଙ୍କ ସମ୍ମୁଖରେ ଅବିଚଳିତ ଭାବେ ଦଣ୍ଡାୟମାନ ହୋଇରହିଛି ।
ପ୍ରକୃତରେ ଭାରତୀୟ ସମାଜ ବ୍ୟବସ୍ଥାରେ \' ଜାତି \' ଏକ ବିଶିଷ୍ଟ ଓ ବିଚିତ୍ର ଅନୁଷ୍ଠାନ ଯାହାର ପ୍ରତିପକ୍ଷ ପୃଥିବୀର ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳେ ନାହିଁ । ଯଦିଓ ଏହା ଉଭୟ ଏକ ପକ୍ଷରେ ସଂହତି କାରକ ଓ ଅନ୍ୟ ପକ୍ଷରେ ବିଭାଜନକାରୀ ଶକ୍ତିରୂପେ ନିଜର ସାମର୍ଥ୍ୟ ଜାହିର କରି ଆସିଛି । ଇଂରାଜୀ ଶଦ୍ଦ କାଷ୍ଟ ସହିତ ଜାତି ଶଦ୍ଦର ବହୁ ବ୍ୟତିକ୍ରମ ରହିଛି । କାଷ୍ଟ ଏକ ପର୍ତ୍ତୁଗୀଜ ଶଦ୍ଦ କାଷ୍ଟା ରୁ ସୃଷ୍ଟି ଯାହାର ଅର୍ଥ ଅଭିଜାତି ବା ମୂଳବଂଶ କୁ ବୁଝାଇଥାଏ । ଆଧୁନିକ ମାସାଇ , ପୋଲିନେସିୟ , ବର୍ମୀୟ ଓ ଆମେରିକୀୟମାନଙ୍କ ମଧ୍ୟରେ କାଷ୍ଟ ଥିବାର କିଛି ଆଭାସ ମିଳୁଥିଲେ ମଧ୍ୟ ଭାରତୀୟ ଜାତି ବିଭାଜନ ଭଳି ପରିପୂର୍ଣ୍ଣ ବା ନିଖୁଣ ନୁହେଁ । ହିନ୍ଦୁ ପରଂପରା ଅନୁଯାୟୀ ଜାତିପ୍ରଥା ଚାରି ବର୍ଣ୍ଣ ବ୍ରାହ୍ମଣ , କ୍ଷତ୍ରିୟ , ବୈଶ୍ୟ ଓ ଶୁଦ୍ରରୁ ନେଇ ସୃଷ୍ଟି ବୋଲି ଧରାଯାଇଛି । ବିଶ୍ୱ ସ୍ରଷ୍ଟା ବ୍ରହ୍ମାଙ୍କ ଅଙ୍ଗରୁ ମୁଖରୁ ବ୍ରାହ୍ମଣ , ବାହୁରୁ କ୍ଷତ୍ରିୟ , ଜାନୁ/ଉଦରରୁ ବୈଶ୍ୟ ଓ ପାଦରୁ ଶୁଦ୍ର ସୃଷ୍ଟି ବୋଲି ବିଶ୍ବାସ ରହିଆସିଛି । ଆର୍ଯ୍ୟମାନେ ବ୍ୟବହାର କରୁଥିବା ବର୍ଣ୍ଣର ଆକ୍ଷରିକ ଅର୍ଥ ରଙ୍ଗ । ସାଧାରଣ ଦୃଷ୍ଟିରେ ଚାରିବର୍ଣ୍ଣର ଲୋକମାନଙ୍କ ଶରୀର ରଙ୍ଗ ଭିନ୍ନ ଭିନ୍ନ ହୋଇଥିବାରୁ ବ୍ୟକ୍ତିର ରଙ୍ଗାନୁସାରେ ବ୍ରାହ୍ମଣମାନେ ସ୍ୱର୍ଣ୍ଣ , କ୍ଷତ୍ରିୟମାନେ ତାମ୍ର , ବୈଶ୍ୟମାନେ ଲୌହ ଓ ଶୂଦ୍ରମାନେ କଳା ବୋଲି ଧରାଯାଏ । ଋଗ୍ ବେଦାନୁଯାୟୀ ବ୍ରାହ୍ମଣମାନେ ବ୍ରାହ୍ମଣମାନେ ଜ୍ଞାନ ଲାଭ ଓ ପୂଜାର୍ଚ୍ଚନା କର୍ମ କରୁଥିବା ବେଳେ , କ୍ଷତିୟମାନେ ବାହୁ ଦ୍ବାରା ରାଜ୍ୟ ସୁରକ୍ଷା, ବୈଶ୍ୟମାନେ ବାଣିଜ୍ୟ ଓ ଶୂଦ୍ରମାନେ ଉକ୍ତ ତିନି ବର୍ଣ୍ଣର ସେବା ପାଇଁ ନିୟୋଜିତ ହେବା ଉଲ୍ଲେଖ ରହିଛି ।
ଜାତି ଗୋଟିଏ କୌଳିକ ବୃତ୍ତି । ନିଜର କୌଳିକ ବୃତ୍ତି ବ୍ୟତୀତ ଅନ୍ୟ କାହାର ବୃତ୍ତି ଆଚରଣ କରିବା ନୀତି ବିରୁଦ୍ଧ । ହେଲେ ଆଧୁନିକ ରାଷ୍ଟ୍ରରେ ତାହାର ବ୍ୟତିକ୍ରମ ଘଟିଛି । ପ୍ରତ୍ୟେକ ଜାତି ନିଜର ରୀତି ନୀତି ପରଂପରା , ପ୍ରଥା , ପୋଷାକ , ଛୁଆଁ ଅଛୁଆଁ , ପ୍ରଦୂଷଣ , କଥୋପକଥନ ଓ ବ୍ୟବହାର ଆଦିରେ ଅନ୍ୟ ଜାତି ଠାରୁ ପୃଥକ ଅଟେ । ପ୍ରତ୍ୟେକ ଜାତି ଭିତରେ ଲୁଚି ରହିଛି ଜାତିଆଣ ମନୋଭାବ । ସ୍ୱାଭାବିକ ଭାବରେ ନିଜ ଜାତିକୁ ଭଲ ପାଇବାର ଗୋପନ ଅଜଗର ସାପଟି ସମସ୍ତଙ୍କ ଅସ୍ଥି ମଜ୍ଜାରେ ଏଭଳି ଲୁକ୍କାୟିତ ଅବସ୍ଥାରେ ଗତିଶୀଳ ତାହା ବେଳେ ବେଳେ ସଂଘର୍ଷ ଆଡକୁ ଟାଣିନିଏ , ବିବାଦ ଘେରରେ ଅଣନିଶ୍ୱାସୀ କରିପକାଏ । ଜାତିଆଣ ଭିତ୍ତିରେ ରାଜନୀତି ଚାଲେ । ନିଜ ଜାତିକୁ ଭଲ ପାଇବା , ତାହାର ଏକତା , ସଂସ୍କୃତି , ପରଂପରା ଓ ସଂହତି ରକ୍ଷା ପାଇଁ ସଂଗଠିତ ହେବା ଓ ତାହାର ବିକାଶ ଓ ବିସ୍ତାର ପାଇଁ ଜାତି ତାର ଚେଷ୍ଟା ଅହରହ ଜାରି ରଖେ । ଏପରିକି ନିର୍ବାଚନରେ ଜାତି ଭିତ୍ତିକ ପ୍ରାର୍ଥୀ ଚୟନ କରି ନିର୍ବାଚନ ଲଢେଇରେ ସାମିଲ ହୁଏ । ସରକାର ଗଠନ ବେଳେ ଦେଖାଯାଉଛି ହରିଜନ , ଆଦିବାସୀ , ଶିଖ୍ , ରାଜପୁତ , ଯାଦବ , ଜାଠ , କ୍ଷତ୍ରିୟ , ବ୍ରାହ୍ମଣ ଆଦି ବିଭିନ୍ନ ସଂପ୍ରଦାୟମାନଙ୍କୁ ସନ୍ତୁଷ୍ଟ କରିବା ମନ୍ତ୍ରୀମଣ୍ଡଳରେ ନିଆଯାଏ । ପ୍ରଭାବଶାଳୀ ଜାତି ସରକାରଙ୍କ ଉପରେ ଚାପ ପକାଇ ସ୍ୱଜାତିର ସଦସ୍ୟଙ୍କୁ ମନ୍ତ୍ରୀ ପଦ ପାଇବାରେ ସଫଳ ହୁଏ ।
ଏପରିକି ନିଜର ସ୍ଥିତି , ସୁରକ୍ଷା ଓ ପ୍ରଗତି ଦୃଢିଭୂତ କରିବା ପାଇଁ ସମଭାବାପନ୍ନ ଜାତି ସଂଗଠନ ପ୍ରତିଷ୍ଠା କରେ । ନିଜ ସଂଗଠନର ଲୋକଙ୍କ ପାଇଁ ଅନୁକମ୍ପା ମୂଳକ ସାହାଯ୍ୟ ଦେବା ସହ ଜାତି ଏକତା ରକ୍ଷା କରି ସରକାରଙ୍କ ବିପକ୍ଷରେ ନିଜ ଲୋକଙ୍କ ଅସନ୍ତୋଷ ପ୍ରକାଶ କରିଥାଏ । ସବୁଠାରୁ ବିଚାର ସାପେକ୍ଷ ଭାରତୀୟ ରାଜନୈତିକ ବିଧି-ବ୍ୟବସ୍ଥାରେ ଜାତି କୁ ତଥାକଥିତ ଧର୍ମନିରପେକ୍ଷ ସମ୍ବିଧାନ ସ୍ୱୀକାର କରି ନେଇଛି । ଫଳତଃ ଭାରତୀୟ ବର୍ଣ୍ଣ ଓ ଜାତିଗୁଡିକ ମାନ୍ୟତା କ୍ରମରେ ଉଚ୍ଚ - ନୀଚ ଭାବରେ ମର୍ଯ୍ୟାଦା ପାଇବା ହେତୁ ସମାଜରେ ଛୁଆଁ ଅଛୁଆଁ , ଘୃଣା ବୃଦ୍ଧି ପାଇବା ସ୍ୱାଭାବିକ । ଯଦିଓ ସମ୍ବିଧାନରେ ମୌଳିକ ଅଧିକାର ଅନୁସାରେ ଅସ୍ପୃଶ୍ୟ ବିଲୋପ କରାଯାଇ ତାହାକୁ ଏକ ଦଣ୍ତନୀୟ ଅପରାଧ ଭାବେ ଧରାଯାଇଛି । ସେଭଳି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି , ପଛୁଆ ଜାତି ମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଜାତି ଭିତ୍ତିରେ କରାଯିବା , ଯାହା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।
ସ୍ୱାଧିନତା ପରେ ପରେ ଯଦି ଜାତି / ସଂପ୍ରଦାୟ / ଧର୍ମକୁ ଆଳକରି ବିଭିନ୍ନ ରାଜନୈତିକ ଦଳମାନେ ଯେଭଳି ଆନୁଗତ୍ୟ ପ୍ରକାଶ କରିଛନ୍ତି ତାହା ଭାରତ ପାଇଁ କେବେ ଶୁଭଙ୍କର ହୋଇନପାରେ । ଆଇନର ବ୍ୟବସ୍ଥା ସତ୍ତ୍ୱେ ଅସ୍ପୃଶ୍ୟ ଜାତି , ଦଳିତ , ଅବହେଳିତମାନେ ପ୍ରତ୍ୟେକଟି ମୁହୂର୍ତ୍ତରେ ବିଭିନ୍ନ ଅତ୍ୟାଚାର ସହୁଛନ୍ତି , ଏପରିକି ହତ୍ଯାର ଶିକାର ହେଉଛନ୍ତି । ବିଶେଷତଃ ଗାଁ ଗଣ୍ତାରେ ଏଭଳି ଜାତିଆଣ ରାଜନୀତି ଅଧିକ ଭାବରେ ପ୍ରଭାବିତ। ହେଉଛି । ରାଜ୍ୟାନୁସାରେ ଦେଖିବାକୁ ଗଲେ ବିହାରରେ ବ୍ରାହ୍ମଣ , କ୍ଷତ୍ରିୟ ଓ ଆଦିବାସୀ - ଏହି ଚାରୋଟି ଜାତିର ସଂଘର୍ଷ । ବିହାର-ଓଡିଶା ସୀମାନ୍ତରେ ଅନୁନ୍ନତ ଆଦିବାସୀଙ୍କ ସଂଘର୍ଷ । ଜାତିର ଉତଥାନ ନିମନ୍ତେ ସେମାନଙ୍କ ପାଇଁ ସରକାରୀ ଚାକିରୀରେ ସଂରକ୍ଷଣ ବ୍ୟବସ୍ଥା ଦାବି । କେରଳର ଜନସଂଖ୍ୟାର ପ୍ରାୟ। ତିନି - ପଞ୍ଚମାଂଶ ହିନ୍ଦୁ ଥିବାବେଳେ ଖ୍ରୀଷ୍ଟ ଆନ ଓ ମୁସଲମାନ ଅଟନ୍ତି । ମୁସଲମାନମାନେ ମୁସ୍ ଲିମ ଲିଗ ପ୍ରତି ଆନୁଗତ୍ୟ ପ୍ରକାଶ କରୁଥିବା ବେଳେ ଇଝାଭା ଓ ଅସ୍ପୃଶ୍ୟ ଜାତି କମ୍ୟୁନିଷ୍ଟକୁ ସମର୍ଥନ ଦିଅନ୍ତି । ଆନ୍ଧ୍ର ପ୍ରଦେଶର ମୁଖ୍ୟ ଜାତି ମଧ୍ୟରେ ବ୍ରାହ୍ମଣ , ରେଡ୍ଡୀ, କାମ୍ମା , ହରିଜନ , ଭେଲାମା , ରାଜୁ ଓ କାପୁ ଜାତି ରହିଛି । ସେଠାକାର ଜାତିଆଣ ଭିତ୍ତିକ ରାଜନୀତି କାମ୍ମା ଓ ରେଡ୍ଡୀ ମଧ୍ୟରେ ଲଢ଼େଇ ହୁଏ । ସେଭଳି କର୍ଣ୍ଣାଟକରେ ପ୍ରଭାବଶାଳୀ ଜାତି ଲିଙ୍ଗୟତ ଓ ଓକ୍କାଳିଗ ମଧ୍ୟରେ ଲଢେଇ । ମହାରାଷ୍ଟ୍ରରେ ବ୍ରାହ୍ମଣ ଓ ଅସ୍ପୃଶ୍ୟ , ମାହାର ଏହି ତିନି ଜାତି ରାଜନୀତି ରେ ସାମିଲ ଅଟନ୍ତି । ପଞାବରେ ହିନ୍ଦୁ ଓ ଶିଖ୍ ଭିତରେ ଲଢେଇ ଚାଲିଥିବା ବେଳେ ଗୁଜୁରାଟରେ ବଣିଆ , ପଟିଦାର ଓ କୋଲିମାନକୁ ନେଇ ଗଠିତ ହୋଇଛି । ରାଜସ୍ଥାନରେ ଜାଠ ଓ ରାଜପୁତ। ମଧୁ ବିବାଦ , ତାମିଲ ନାଡୁରେ ବ୍ରାହ୍ମଣ ଓ ଅବ୍ରାହ୍ମଣ କୁ ନେଇ ବିବାଦ , ସେଭଳି ଓଡ଼ିଶାରରେ ବ୍ରାହ୍ମଣ ଓ କରଣ କ୍ଷମତାରେ ବିଦ୍ୟମାନ ।
ତେଣୁ ରାଜନୈତିକ ସମୀକରଣରୁ ସ୍ପଷ୍ଟ ଭାରତୀୟ ରାଜନୀତିରେ ଜାତି ଭିତ୍ତିକ ରାଜନୀତି ପ୍ରବେଶ କେବଳ ରାଜନୈତିକ ଦଳ ଯୋଗୁଁ ହିଁ ଘଟିଛି । ଭାରତରେ ସଂଖ୍ୟା ଗରିଷ୍ଠ ଦୃଷ୍ଟିରୁ ହିନ୍ଦୁମାନଙ୍କ ମଧ୍ୟରେ ଜାତି ପ୍ରଥା ଅଧିକ , ଯାହା ଉଚ୍ଚ-ନୀଚ କ୍ରମେ ଏଭଳି ପ୍ରବାହମାନ ଯାହାର କେବେ ଅନ୍ତ ନାହିଁ । ଭାରତର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଉପରାଷ୍ଟ୍ରପତି ଦେଖିଥିବା ଜାତି ବିହୀନ ଭାରତ ସ୍ୱପ୍ନ ଅମୂଳକ ନୁହେଁ , ତାହାର ସାକାର ନିମନ୍ତେ ଜାତିକୁ ଛାଡ , କେବଳ ଥରେ ଜାତିକୁ ଛାଡି ଭାବି ଦେଖ , ମୁଁ ଜାତିର ନୁହେଁ , ମୁଁ ମୋ ଭାରତର , ଭାରତ ମାଟିର ସନ୍ତାନ , ଏଠି କୌଣସି ଜାତି , ଧର୍ମ , ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ସମାନ । ଏଠି ଉଚ୍ଚ -ନୀଚ , ଭେଦ ଭାବ କିଛି ନାହିଁ , ସମସ୍ତେ ସମାନ..!!!!
ବିଭାଗ : ପ୍ରବନ୍ଧ
ଲେଖକଙ୍କ ନାମ : ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ
ଠିକଣା : ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ ଓଡ଼ିଶା India
ଫୋନ : 904-015-1475
ଇମେଲ : Laxmansahoo9040@gmail.com

Post a Comment

0 Comments