Ad

header ads

କବିତା - ବସନ୍ତ ଆଗମନେ - ସୁଧାକର ସେଠୀ

ମନରେ ଆଜି ସପନର ସୁଅ
ଦେହ ଉଠେ ଶୀତେଇ
ଋତୁରାକୁ ସ୍ବାଗତ ପାଇଁକି ଦେଖ
ପ୍ରକୃତି ହୋଇଛି ସଜେଇ।

ପାଦପମାନେ ହେଉଛନ୍ତି ଖୁସି
ଫୋପାଡି ଜୀର୍ଣ୍ଣ ବସନ
ନାନାରଂଗେ ପୁଷ୍ପ ସଜାଇ ଗଭାରେ
ନବ ପତ୍ରକରି  ପରିଧାନ।

କୁମ୍ଭାଟୁଆ ଡାକ କୋଇଲିର ଗୀତ
ମନକୁ ଦିଏ ରସେଇ
ରଂଗରେ ରଂଗେଇ ହଳଦୀବସନ୍ତ
ଦେଖ ଯାଉଛି ଲାଜେଇ ।

ଶୀତତ ସରମେ ଢାଙ୍କି ଓଢଣୀ
ରହି ଗଲାଣି ଛପିକି
ଚୋରା ମଳୟ ବହେ ଥିରିଥିରି
ଋତୁରାଜ ବାରତା ଆଣିକି।

ପ୍ରକୃତିରାଣୀର ନବଯୌବନ
ରୂପରେ ଦିଶେ ଅନନ୍ୟା
ବିଗଳିତ ହୁଏ ବିଧୁର ପରାଣ 
ଆସେ ପୀରତି ନଦୀରେ ବନ୍ୟା।

ନଦ ନଦୀ ଜଳ ସ୍ବଚ୍ଛ ନିରିମଳ 
ଗୋରୀ ମୁହଁ ଯାଏ ଦିଶି
ପୁଷ୍କରିଣୀ ହୁଡାରେ ଆସର ବସିଛି
ସଞ୍ଜ ବୁଡି ହେଲା ରାତି ।

ଗାଁ ମାଇପଙ୍କ ଥଟ୍ଟା ତାମସାରେ 
ଗାଁ ଦାଣ୍ଡ ଉଠେ ଦୁଲୁକି
ଓଢଣା ଫାଙ୍କରେ କବାଟ କୋଣରେ
 ନବବଧୁ ମୁଖ ଯାଏ ଝଟକି।

ମନ୍ଦିର ବେଢାରେ ତରାଟ ମହକ
ମନକୁ କରେ ସେ ଚୋରି
ଶୀରିସା ଫୁଲର ଭୁରୁଭୁରୁ ବାସେ
ସାରା ବଦନ ଯାଏ ଶିହରି।

ଫଗୁ ଖେଳିବାକୁ ଉଚ୍ଛନ୍ନ ଏ ମନ
ଆଗକୁ ଅଛି ଅଗ୍ନିଉତ୍ସବ
କୂଆଁରୀ ମନ ସପନର ଖଣି
ରାତିସାରା ଜାଗର ଜାଳିବ ।

ଲୁଚିଥିଲା ପଦ୍ମ ଦିଶିଲାଣି ଦେଖ
ଭ୍ରମର ହୁଏ ବାଇଆ
କୃଷ୍ଣଚୂଡା ପଳାସ ହସେ ଖିଲିଖିଲି
ଦେଖି ବଦଳିଛି ଦୁନିଆ ।

ବସନ୍ତ ଆସିଛି ଶୀତର ଅନ୍ତେ
ପ୍ରକୃତି ଆଜି ଋତୁମତୀ 
ଆଳପ ହସିଣ ସ୍ବାଗତ କରୁଛି
ଦେଖିତାର ରୂପକାନ୍ତି ।

ସୁଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର, ମୋ - ୯୩୩୭୬୮୧୫୨୪

Post a Comment

0 Comments