Ad

header ads

ପ୍ରବନ୍ଧ - ପରିବେଶ ସୁରକ୍ଷା - ଶ୍ୟାମ ସୁନ୍ଦର କୁମ୍ଭାର


ପ୍ରକୃତିର ସୁନ୍ଦର ପରିବେଶ ଅତ୍ୟନ୍ତ ମନୋହର ।ଏହାର ଫୁଳ ଫଳ ଭରା ସବୁଜ ବନାନୀ, ବିଭିନ୍ନ କିସମର ପକ୍ଷୀ ଦୃଷ୍ଟି ଆକର୍ଷଣ ର କେନ୍ଦ୍ରବିନ୍ଦୁ ।ସ୍ୱାର୍ଥପର ମଣିଷ ନିଜର ସ୍ୱାର୍ଥସଧାନ ପାଇଁ ସୁନ୍ଦର ପ୍ରକୃତି ଉପରେ ଦାଉ ସାଧୁଛି।ଫଳରେ ପରିବେଶ ଦିନକୁ ଦିନ ଦୂଷିତ ହୋଇ ମଣିଷର ଜୀବନ ଧାରଣ ଦୁସହ ହୋଇ ଉଠୁଛି। କେବଳ ସ୍ୱାଧୀନତା ଦିବସ, ଗାନ୍ଧିଜୟନ୍ତି, ବିଶ୍ୱ ପରିବେଶ ସୁରକ୍ଷା ଦିବସ ଦିନ ପରିବେଶ ସୁରକ୍ଷା କଥା ଆମେ ଚିନ୍ତା କରୁଥିବା ବେଳେ ପରବର୍ତ୍ତୀ ସମୟରେ ନିଜ ସ୍ୱାର୍ଥରେ ବ୍ୟସ୍ତ ରହି ପରିବେଶ ସୁରକ୍ଷା କଥା ସମ୍ପୂର୍ଣ୍ଣ ଭୁଲି ଯାଉଛେ।ଆମେ ଯଦି ପରିବେଶ ସୁରକ୍ଷା ପାଇଁ ସମସ୍ତେ ମିଶି କାମ ନ କରିବା ତେବେ ଆଗକୁ ସୁସ୍ଥ ଜୀବନ ଧାରଣ ଅସମ୍ଭବ ହୋଇପଡ଼ିବ।  

ପରିବେଶ ପ୍ରଦୂଷଣ ର କାରଣ : ଦ୍ରୁତ ଜନସଂଖ୍ୟା ବୃଦ୍ଧି ଯୋଗୁ ମଣିଷର ଖାଦ୍ୟ, ବସ୍ତ୍ର, ବାସଗୃହ,ଗମନାଗମନ ଇତ୍ୟାଦିର ଚାହିଦା ବୃଦ୍ଧି ପାଉଛି । ଏହି ଚାହିଦାକୁ ପୂରଣ କରିବାକୁ ମଣିଷକୁ ଜଙ୍ଗଲ ଉପରେ ନିର୍ଭର କରିବାକୁ ପଡୁଛି ।ଫଳରେ ଜଙ୍ଗଳକୁ କାଟି ମଣିଷ ନିଜର ଚାହିଦା ପୂରଣ କରୁଛି ।ପରିଣାମତଃ ଅନେକ ବନ୍ୟପ୍ରାଣୀ ମୃତ୍ୟୁମୁଖରେ ପଡୁଛନ୍ତି ଏବଂ ଅସ୍ୱାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଇ ବନ୍ୟା ବାତ୍ୟା ଭଲି ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଛି ।

ଦ୍ରୁତ ଶିଳ୍ପାୟନ ଯୋଗୁଁ କଳ କାରଖାନା ଗୁଡିକରୁ ନିର୍ଗତ ବିଷାକ୍ତ ଗ୍ୟାସ ବାୟୁମଣ୍ଡଳକୁ ଦୂଷିତ କରୁଥିବା ବେଳେ ଏଗୁଡିକରୁ ନିର୍ଗତ ବିଷାକ୍ତ ତରଳ ରାସାୟନିକ ପଦାର୍ଥ ଜଳ ଭଣ୍ଡାର ଗୁଡିକୁ ଦୂଷିତ କରୁଛି । ଗାଡି ମଟର ର ବହୁଳ ବ୍ୟବହାର ଯୋଗୁଁ ଏଥିରୁ ଧୂଳି ଉଡ଼ି ଏବଂ ବିଷାକ୍ତ ଗ୍ୟାସ  ନିର୍ଗତ ହୋଇ ବାୟୁମଣ୍ଡଳକୁ ଦୂଷିତ କରି ଦେଉଛି । କୃଷି କ୍ଷେତ୍ରରେ ରାସାୟନିକ ସାର ଓ କୀଟନାଶକ ର ବହୁଳ ବ୍ୟବହାର ମଧ୍ୟ ଅନ୍ୟ ଏକ କାରଣ । ଆଜିକାଲି କୃଷକ ମାନେ ଅଧିକ ଫସଲ ଉତ୍ପାଦନ କରିବାକୁ କୃଷି କ୍ଷେତ୍ରରେ ବହୁଳ ମାତ୍ରାରେ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରୁଛନ୍ତି ।ଫଳରେ ମାଟିରେ ଥିବା ଉପକାରୀଅଣୁ ଜୀବ ଗୁଡ଼ିକ ମରିଯାଉଛନ୍ତି ଏବଂ ମାଟିର ଉର୍ବରତା ନଷ୍ଟ ହେଉଛି । ଅନ୍ୟ ପକ୍ଷରେ କୀଟନାଶକ ର ବ୍ୟବହାର ଯୋଗୁଁ କୃଷି କ୍ଷେତ୍ରରେ ଉପଲବ୍ଧ ମାଛ, କଙ୍କଡା ପରି ଅନ୍ୟାନ୍ୟ ଜଳଚର ପ୍ରାଣୀ ମୃତ୍ୟୁ ମୁଖରେ ପଡୁଛନ୍ତି ।ଏହି ଚାଷ ଜମିର ପାଣି ଅନେକ ନଦୀ ନାଳରେ ମିଶି ଜଳକୁ ଦୂଷିତ କରୁଛି । ପ୍ଲାଷ୍ଟିକ ଓ ପଲିଥିନ କୁ ବ୍ୟବହାର କରି ଆମେ ଏଣେତେଣେ ଫୋପାଡ଼ି ଦେଇଥାଉ ଏହା ମଧ୍ୟ ମୃତ୍ତିକା ପ୍ରଦୂଷଣ କରିଥାଏ ।

ଶବ୍ଦ ପ୍ରଦୂଷଣ : ଯାତ୍ରାପାର୍ଟି, ମେଳା ମହୋତ୍ସବ, ପର୍ବପର୍ବାଣି ଇତ୍ୟାଦିରେ ଆମେ ଅତି ଉଚ୍ଚ ଶବ୍ଦରେ ଡ଼ାକବାଜି ଯନ୍ତ୍ର ବ୍ୟବହାର କରୁ ।ଏହାର ପ୍ରଭାବରେ ମଣିଷର ମାନସିକ ସ୍ଥିତି ପ୍ରଭାବିତ ହୋଇଥାଏ । ଅନ୍ୟ ପକ୍ଷରେ ମନ୍ଦିର, ମସଜିଦ, ଗୀର୍ଜା ଘର ଭଳି ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକରେ ପ୍ରତିଦିନ ପ୍ରଭାତ ଓ ସନ୍ଧ୍ୟା ସମୟରେ ଉଚ୍ଚସ୍ୱରରେ ଡ଼ାକବାଜି ଯନ୍ତ୍ର ବାଜିବା ଯୋଗୁ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ଏଣେତେଣେ ମଳତ୍ୟାଗ କରିବା ଦ୍ୱାରା ବିଭିନ୍ନ ରୋଗ ସଂକ୍ରମଣ ହୋଇ ଥାଏ ।

ପରିବେଶ ସୁରକ୍ଷା ର ଉପାୟ : ଜନସଂଖ୍ୟା ନିୟନ୍ତ୍ରଣ କରିବା ସହିତ ବୃକ୍ଷରୋପଣ ଓ ବନୀକରଣ । କଳ କାରଖାନା ଗୁଡିକର ନିର୍ଗତ ଗ୍ୟାସ ଯେପରି ବାୟୁମଣ୍ଡଳରେ ନ ମିଶିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଅତ୍ୟଧିକ ଗ୍ୟାସ ନିର୍ଗତ ହେଉଥିବା କାରଖାନା ଗୁଡିକୁ ବନ୍ଦ କରିବା । ଏହି କାରଖାନା ଗୁଡିକରୁ ନିର୍ଗତ ତରଳ ରାସାୟନିକ ପଦାର୍ଥ ଯେପରି କୌଣସି ଜଳଭଣ୍ଡାର ନ ମିଶିବ ଏବଂ ପରିବେଶକୁ ପ୍ରଦୂଷଣ ନ କରିବ ତାର ବ୍ୟବସ୍ଥା କରିବା । ଗାଡ଼ି ମଟର ର ବହୁଳ ବ୍ୟବହାରକୁ ନିୟନ୍ତ୍ରଣ କରିବା । କୃଷି କ୍ଷେତ୍ରରେ ରାସାୟନିକ ସାର ଓ କୀଟନାଶକ ବ୍ୟବହାରକୁ ନିଷେଧ କରି ଜୈବିକ ଖତ ଓ ଜୈବିକ ଔଷଧ ବ୍ୟବହାର ପାଇଁ ଚାଷୀ ମାନଙ୍କୁ ପ୍ରୋତ୍ସାହନଯୋଗାଇଦେବା । ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉଚିତ । ଅତ୍ୟନ୍ତ ଆବଶ୍ୟକ ସ୍ଥଳେ ନିର୍ଦ୍ଧିଷ୍ଟ ସୀମିତ ଶବ୍ଦରେ ଡାକ ବାଜି ଯନ୍ତ୍ର ବଜାଇବା ବେଳେ ଅନାବଶ୍ୟକ ଡାକବାଜି ଯନ୍ତ୍ର ବଜାଇବାକୁ କଟକଣା କରିବା ଉଚିତ । ଏଣେତେଣେ  ଖୋଲାପଡ଼ିଆରେ ମଳତ୍ୟାଗ ନ କରି ସମସ୍ତେ ପାଇଖାନା ବ୍ୟବହାର କରିବା ଉଚିତ । ପରିବେଶ ପ୍ରଦୂଷଣର ଭୟାବହତା ଉପରେ ଜନ ସଚେତନତା ସୃଷ୍ଟିକରିବା ଉଚିତ । ମଣିଷର ଜୀବନ ଧାରଣ ପାଇଁ ମଣିଷକୁ ଯାହାକିଛି ଅବଶ୍ୟକ ପ୍ରକୃତିର କୋଳରେ ସମସ୍ତ ଦ୍ରବ୍ୟ ଉପଲବ୍ଧ । ତାକୁ ଆମେ ଖୁଣ୍ଟି ଖୁଣ୍ଟି ଖାଇଲେ ସରିବ ନାହିଁ । ତାକୁ ଯଦି ମୂଳରୁ ଉପାଡି ଦେବା ତେବେ ତାର ପରିଣାମ ଆମେ ହିଁ ଭୋଗ କରିବା । ପରିବେଶ ଯେତେ ସ୍ୱଚ୍ଛ ରହିବ ଆମେ ସେତେ ନିରୋଗ ହୋଇ ଦୀର୍ଘାୟୁ ହୋଇ ପରିବା । ଅନ୍ୟଥା ପରିବେଶ ଦୂଷିତ ହେଲେ ଆମେ ବିଭିନ୍ନ ରୋଗର ସମ୍ମୁଖୀନ ହୋଇ ବଂଚିବା କଷ୍ଟକର ହୋଇ ପଡ଼ିବ ।ତେଣୁ ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ।

Shyamsundar kumbhar

Post a Comment

0 Comments