Ad

header ads

ପ୍ରବନ୍ଧ - ମାନବ ଜୀବନରେ ସାହିତ୍ୟର ମହତ୍ତ୍ୱ - ସରସ୍ୱତୀ ନାୟକ

ମାଆର ଔରସରୁ ମଣିଷ ଯେତେବେଳେ ଭୂମି ସ୍ପର୍ଶକରେ, ସାହିତ୍ୟ ହିଁ ତାର ଜୀବନର ସମସ୍ତ ଜିନିଷର ମାଧ୍ୟମ ସାଜେ । ସାହିତ୍ୟ ମଣିଷ ପ୍ରାଣରେ ଶାନ୍ତିର ପ୍ରଲେପ ଦେଇଥାଏ। ସୁ ଓ କୁ ମଧ୍ୟରେ ପାର୍ଥକ୍ୟ ନିର୍ଦ୍ଦେଶ କରି 'ସୁ'କୁ ଗ୍ରହଣ କରିବା ପାଇଁ ପ୍ରେରଣା ଦେଇଥାଏ।ଜୀବନର ବାସ୍ତବ ଦିଗ ସମ୍ବନ୍ଧରେ ସୂଚନା ଦିଏ। ବଞ୍ଚିରହିବାର ମୌଳିକ ଉପାଦାନ ଯୋଗାଇ ଦେଇଥାଏ। ଏହି ଦୃଷ୍ଟିରୁ ସାହିତ୍ୟ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାହିତ୍ୟ ବ୍ୟକ୍ତିର ମୂଲ୍ୟବୋଧ ଅବର୍ଣ୍ଣନୀୟ ଓ ଅକଳନୀୟ । ମଣିଷ ଅମୃତର ସନ୍ତାନ। ଅମରତ୍ୱ ଲାଭକରିବା ପାଇଁ ତାର ଆଜୀବନସାଧନା ଅମୃତ ପରି ଏକ ଦିବ୍ୟ ଓ ମହାନ ଚେତନାର ଅଧିକାରୀ ହେବା କ୍ଷେତ୍ରରେ ସାହିତ୍ୟର ଅବଦାନ ଅତୁଳନୀୟ। ସମାଜର ହିତସାଧନ ମଧ୍ୟ ସାହିତ୍ୟର ଅନ୍ୟତମ ଲକ୍ଷ୍ୟ। ମଣିଷ ଜୀବନର ସମସ୍ତ ଅବ୍ୟକ୍ତ ବେଦନା ଏହା ମାଧ୍ୟମରେ ପ୍ରକାଶ ଲାଭ କରେ। ଆମର ପ୍ରାଚୀନ ଆଚାର୍ଯ୍ୟଗଣ ସାହିତ୍ୟ ଦ୍ୱାରା ଚତୁର୍ବର୍ଗ ଫଳପ୍ରାପ୍ତି ହୁଏ ବୋଲି ସ୍ଵୀକାର କରିଛନ୍ତି। ଜୀବନର କଲ୍ୟାଣ ସାଧନା ଦିଗରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହା ମଣିଷକୁ ବଂଚିରହିବା ପାଇଁ ପ୍ରେରଣା ଯୋଗାଏ। ମାନବ ମାନବ ମଧ୍ୟରେ, ଦେଶ ଦେଶ ମଧ୍ୟରେ ଓ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସାହିତ୍ୟ ହିଁ ମାନବିକ ସଂପ୍ରୀତିର ସେତୁ ସୃଷ୍ଟି କରିଥାଏ। ଏହା କେବଳ ମଣିଷ ମନରେ ସୌନ୍ଦର୍ଯ୍ୟବୋଧ ସୃଷ୍ଟି କରେନାହିଁ, ବ୍ୟକ୍ତିର ଅନ୍ତର୍ନିହିତ ଭାବଧାରାକୁ ମଧ୍ୟ ପ୍ରକାଶ କରେ। ଜୀବନ ସହିତ ଏହା ସମ୍ପର୍କ ସ୍ଥାପନ କରୁଥିବାରୁ ଏବଂ ଜୀବନର ମୌଳିକ ଲକ୍ଷ୍ୟ ସାହିତ୍ୟ ହୋଇଥିବାରୁ ଜୀବନରେ ଏହାର ସ୍ଥାନ ଉଚ୍ଚାଗ୍ରେ ଶୋଭାପାଏ।

ଆଦର୍ଶବାଦର ପ୍ରଚାର ସାହିତ୍ୟର ଅନ୍ୟତମ ଲକ୍ଷ୍ୟ । ପ୍ରତ୍ୟେକ ମଣିଷକୁ ଜାତି,ଧର୍ମ,ବର୍ଣ୍ଣ ଓ ଆର୍ଥିକ ସ୍ୱଚ୍ଛଳତା ନିର୍ବିଶେଷରେ ଏକ ପ୍ରକାର ସୁଯୋଗ ପ୍ରଦାନ କରିବା ଓ ସମସ୍ତଙ୍କ ନିମିତ୍ତ ସମାନ ସୁବିଧା ସୃଷ୍ଟିକରିବା ସାହିତ୍ୟର ଉଦ୍ଦେଶ୍ୟ। ସାହିତ୍ୟ ରାଜ୍ୟରେ କେହି ଅଚ୍ଛବ ନୁହଁନ୍ତି। ସମସ୍ତଙ୍କ ପାଇଁ ଏହାର ଦ୍ୱାର ଉନ୍ମୁକ୍ତ ।ମଣିଷ ମନରେ ସାହିତ୍ୟ ସୃଷ୍ଟିକରେ ରସର ଝରଣା। ଜୀବନର ସତ୍ୟ ଓ ବାସ୍ତବ ଦିଗ ସମ୍ବନ୍ଧରେ ଏହା ସୂଚନା ପ୍ରଦାନ କରିବା ସଙ୍ଗେସଙ୍ଗେ ମାନବର ଆଶା,ଆକାଂକ୍ଷା, ଆନନ୍ଦ ଓ ବିଷାଦ ସହିତ ପରିଚିତ କରାଇ ଥାଏ । ଅତୀତ ସହିତ ବର୍ତ୍ତମାନର ସମ୍ପର୍କ ସ୍ଥାପନ କରି ଭବିଷ୍ୟତ ନିମିତ୍ତ ସାରଣୀ ପ୍ରସ୍ତୁତ କରେ। ସମାଜର ବାସ୍ତବ ସ୍ୱରୂପକୁ ଉପଲବ୍ଧି କରାଏ । ସାହିତ୍ୟର ଲକ୍ଷ୍ୟ ସ୍ୱୟଂପୂର୍ଣ୍ଣ ମଣିଷ ମାନବିକ ମୂଲ୍ୟବୋଧର ଜାଗରଣ,ଆତ୍ମ-ବିକାଶ ନିମନ୍ତେ ପଥପ୍ରସ୍ତୁତି; ସାଂସ୍କୃତିକ ଚେତନାର ବିକାଶର; ସତ୍ୟ,ନ୍ୟାୟ ଓ ପାପ ମଧ୍ୟରେ ସୀମାରେଖା ସ୍ପଷ୍ଟ କରିବା ସାହିତ୍ୟର ଉଦ୍ଦେଶ୍ୟ। ପ୍ରକୃତଜ୍ଞାନର ବିକାଶ ମଧ୍ୟ ସାହିତ୍ୟର ଅନ୍ୟ ଏକ ମହତ୍ତର ଉଦ୍ଦେଶ୍ୟ। କିଛି କଳ୍ପନା ଆଉ ରୋମାଂଚକର ପରିବେଶ ସୃଷ୍ଟିକରି ଏହା ମଣିଷର ତପ୍ତ ପ୍ରାଣରେ ମନ୍ଦାକିନୀର ଧାରା ପ୍ରବାହିତ କରେ । ମଣିଷର ଅଶାନ୍ତ ପ୍ରାଣକୁ କଳ୍ପନାର ଅନୁରଞ୍ଜନରେ ଶାନ୍ତି ଦେଇପାରେ ସାହିତ୍ୟ। ବିଶ୍ବରେ ସ୍ନେହ, ପ୍ରେମ,ଦୟା,ମୈତ୍ରୀଭାଵ ଆଦି ଉତ୍ତମଗୁଣ ପ୍ରତିଷ୍ଠା ସାହିତ୍ୟ ହିଁ କରିଥାଏ । ମଣିଷ ପ୍ରତି ମଣିଷ ହୃଦୟରେ ବିଶ୍ବାସର ଉତ୍ତେଜନା , ଜନ୍ମ ଓ ଧ୍ବଂସାତ୍ମକ କାର୍ଯ୍ୟକଳାପର ବିନାଶ କ୍ଷେତ୍ରରେ ସାହିତ୍ୟର ଭୂମିକା ସ୍ୱତନ୍ତ୍ର ଓ ନିଆରା। ସାହିତ୍ୟ ସୃଷ୍ଟିକରେ ବିଶ୍ୱସନୀୟ ବାତାବରଣ, ମଣିଷ ପ୍ରାଣରେ ଜଗାଏ ସ୍ନେହ,ପ୍ରେମ,ଦୟା ଓ ମୈତ୍ରୀର ଭାବ, ଜୀବନକୁ ପରିପୂର୍ଣ୍ଣ କରିବାକୁ ଯୋଗାଇ- ଦିଏ ମାନସିକ ଆହାର । ଆତ୍ମୋପଲବଧି ଓ ଆତ୍ମବିକାଶ ନିମିତ୍ତ ସାହିତ୍ୟ ଯେପରି ପ୍ରେରଣା ଯୋଗାଏ, ତାହା ତାର ସେହି ମହନୀୟ ଆଦର୍ଶକୁ ପ୍ରତିପାଦନ କରିଥାଏ, ଜାତୀୟ ଜୀବନକୁ ସଂଗଠିତ କରିବା କ୍ଷେତ୍ରରେ ଏହାର ଅବଦାନ ମହାନ ଓ ଚିରସ୍ମରଣୀୟ । ମାତ୍ର ଆଜିର ଅତ୍ୟାଧୁନିକ ଚଳଣିରେ ମଣିଷ ବ୍ୟକ୍ତିଗତ ଉଦ୍ଦେଶ୍ୟ ସାଧନରେ ଏହାର ଅପପ୍ରୟୋଗ କରୁଛି। ଏହି କାରଣରୁ ସାହିତ୍ୟର ଲକ୍ଷ୍ୟ ସାମୟିକ ଭାବେ ସଂଶୟଚ୍ଛନ୍ନ ହୋଇପଡ଼େ। ମାତ୍ର ଏହାର ଚିରନ୍ତନ ମୂଲ୍ୟବୋଧକୁ ଅସ୍ଵୀକାର ନକରି, ସୁରକ୍ଷା ଦିଗରେ ଉଦ୍ୟମକୁ ଅବ୍ୟାହତ ରଖିବା ଉଚିତ। ଏଥିରେ ହିଁ ସମାଜର ଓ ମଣିଷର ମଙ୍ଗଳ ସନ୍ନିବେଶିତ ।

ବ୍ରହ୍ମଗିରି, ପୁରୀ

Post a Comment

0 Comments