Ad

header ads

କ୍ଷୁଦ୍ରଗଳ୍ପ - ବୋଧହୁଏ କମି ରହି ଯାଇଛି - ପ୍ରଣତି ମହାପାତ୍ର

ଅବସରପ୍ରାପ୍ତ ଶିକ୍ଷୟତ୍ରୀ ମଞ୍ଜୁଳା ଦେବୀ।ଆଜିକୁ ୬ ବର୍ଷ ହେଲା ସ୍ଵାମୀ ପରକରି ଦେଇ ଆଉ କେଉଁଠି ନୂତନ ପିଣ୍ଡରେ ଅଛନ୍ତି। ଆଜି ପୁତ୍ରଦା ଏକାଦଶୀ।ସକାଳୁ ସକାଳୁ ସ୍ନାନ ସାରି ଜଗନ୍ନାଥ ମନ୍ଦିରରେ ପହଞ୍ଚିଛନ୍ତି କାଳିଆସାଆନ୍ତକୁ ଦର୍ଶନ କରିବା ପାଇଁ।ମହାପ୍ରଭୁଙ୍କ ଆଳତୀ ସହ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ କରି ପବିତ୍ର ମନରେ ଛଡ଼ା ତୁଳସୀ ପାଇ ପୁତ୍ରକନ୍ୟାଙ୍କର ମଙ୍ଗଳ ମନାସି ଘରେ ପହଞ୍ଚିଲେ ମଞ୍ଜୁଳା ଦେବୀ। ଘର ଆଗରେ ଗୋଟିଏ କାର୍ ଓ ଦୁଇଟି ମଟରସାଇକେଲ ଦେଖି କେତେ କଣ ଭାବିଗଲେ।ଘରେ ପାଦ ଦେଇ ଜାଣିଲେ ଯେ ଦୁଇ ପୁଅଙ୍କର ଶ୍ଵଶୁର ଘର ଲୋକେ ଆସିଛନ୍ତି।ରୋଷେଇ ଘର ଭିତରୁ ଅଣ୍ଡା ଆମଲେଟ୍ ର ବାସ୍ନା ଭାସି ଆସୁଛି। କାଳିଆସାଆନ୍ତଙ୍କ ଭୋଗ ନଡ଼ିଆ କଦଳୀ ତସଲାଟିକୁ ଠାକୁର ଘରେ ଥୋଇ ଦେଇ ବାହାର ମେଲାରେ ବସିଲେ ମଞ୍ଜୁଳା ଦେବୀ।ଘରେ ତ ଲୋକବାକ ଭର୍ତ୍ତି।ଆଉ ଚା' ପିଇବାକୁ ବା କରିବାକୁ କାହାକୁ କହିବେ ସେ ; ମନକଥା ମନରେ ରଖି ଖରାରେ ଆସି ବସିଲେ । ଏହି ସମୟରେ ବନ୍ଧୁ ବାନ୍ଧବମାନେ ଆସି ହାଲୋ ହାଏ ରେ ନିଜର ଉପସ୍ଥିତି ଜଣାଇଲେ।ଖୁସିରେ ସେମାନଙ୍କ ସହ କଥା ହୋଇ ସେମିତି ବସି ରହିଲେ ମଞ୍ଜୁଳା ଦେବୀ।ଆଖିରୁ ଧାରଧାର ଲୁହ ବହି ଯାଉଥାଏ।କିଏ କାଳେ ଦେଖି ଦେବ ବୋଲି ଆଖିରୁ ଚଷମା କାଢ଼ି ପୋଛି ପକାଉଥାନ୍ତି।

ଶୀତଦିନଟାରେ ମୁଣ୍ଡ ଧୋଇ ଥିବାରୁ ମୁଣ୍ଡ ବି ବିନ୍ଧୁ ଥାଏ।ମନେ ପଡିଯାଏ ସେଦିନର କଥା ତାଙ୍କର।ପ୍ରତି ସୋମବାର ଉପବାସ କରନ୍ତି ମଞ୍ଜୁଳା ଦେବୀ। ରବିବାର ଠାରୁ ସ୍ଵାମୀ ସନ୍ତୋଷ ଦୁଇ ବୋହୁଙ୍କୁ ପାଖକୁ ଡାକନ୍ତି। ଆରେ କୁସୁମ, ଶାନ୍ତି ଦୁହେଁ ଶୁଣ ।କାଲି ତୁମ ଶାଶୁଙ୍କର ଉପବାସ।ସେ ଉଷୁନା ତ ଖାଇବନି ।କାଲି ସକାଳେ ସେ ମନ୍ଦିରରୁ ଆସିବା ପରେ ଚୁଲିରେ ବସିଥିବା ବଢା କ୍ଷୀରରେ ଅଦା ଗୁଜୁରାତି ପକେଇ ଭଲ ଭାବରେ ଦୁଇ କପ୍ ଚା'ଆଉ ଦୁଇଟା ଖାଣ୍ଟି ଗୁଆ ଘିଅର ପରଟା କରି ଦେବ । ଦ୍ଵିପ୍ରହରରେ ସମସ୍ତଙ୍କ ପାଇଁ ଅରୁଆନ୍ନ, କଞ୍ଚା କଦଳୀ ଦେଇ ଡାଲମା, ଓଉ ଖଟା ,କୋଶଳା ଶାଗ,ପାମ୍ପଡ,ଦହି ବାଇଗଣ ଛୁଙ୍କ କରିଦେବ ।ଆଉ ପାଞ୍ଚଟା ବେଳକୁ ନଡିଆ କୋରା ,ଛେନା, କଦଳୀ ପକେଇ ଭଲ ପଣା ଗ୍ଲାସେ କରି ଦେବ।ତା'ର ଯେମିତି ଟିକେ ବି ଖାଇବା ପିଇବାର ଅସୁବିଧା ନ ହୁଏ।ସେ ପରା ଏ ଘରର ଲକ୍ଷ୍ମୀ ବୋହୁମାନେ କଣ ,ପୁଅମାନେ ବି ଭାରି ତତ୍ପର ମାଆ ସେବା ପାଇଁ।


କୁଆଡେ ଗଲା ସେ ଦିନ।ଆଜି ଚା' ଟୋପାଏ ବି ଦେବାକୁ କେହି ନାହାଁନ୍ତି।ଏଇ କାଲି ରାତିର କଥା ପା,ବଡ଼ବୋହୁ ତମତମ ହୋଇ ଆସି କହିଲା, ହେ ବୁଢ଼ୀ, ତୋ ସେବା କରିବାକୁ କଣ ଆମେ ଠିକା ନେଇଛୁ।ଆଜି ବୁଧବାର, ଆମେ ସବୁ ମଟନ କଷା ମୁଢି ଖାଇବୁ ।ତୁ ମୁଢି ପିଆଜ ଖାଇଦେବୁ।କେହି ଆଉ ରୁଟି ତରକାରି କରି ପାରିବେ ନାହିଁ।ସମସ୍ତେ ଖାଇ ପିଇ ଶୋଇଲେ ।ମଞ୍ଜୁଳା ଦେବୀ ଭୋକ ବିକଳରେ ମୁଢି ଗଣ୍ଡେ ତାଟିଆରେ ଆଣି ଚୋବାଉ ଥିଲେ।ଏହି ସମୟରେ ସାନପୁଅ ଦେଖି କହିଲା ତୁ କିଛି ଖାଇନୁ କି ।ଏ ଶୁଖିଲା ମୁଢି ଖାଉଛୁ।ସମସ୍ତଙ୍କୁ ଡାକି ଏକଥା ପଚାରିବାରୁ ଘରେ ଗୋଟିଏ ଛୋଟ ମୋଟ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।ସର୍ବ ଶେଷରେ ବଡ଼ବୋହୁ ଧମକ ଦେଇ କହିଗଲା ତୋର ଆମେ ତ କିଛି କରୁନୁ ,ତୋତେ ହଇରାଣ କରୁଛୁ ।ତେଣୁ ସବୁଥିରୁ ମୁକ୍ତିର ବାଟ ହେଉଛି ଏହି ଫଙ୍ଖା।ରାତିରେ ତୋ ଲୁଗା ବେକରେ ଲଗାଇ ଏଇ ପଙ୍ଖାରେ ଝୁଲି ପଡିବୁ।ତୁ ଶାନ୍ତି ଆଉ ଆମେ ବି।ହେଲେ ମଞ୍ଜୁଳା ଦେବୀ କିଛି କହୁ ନ ଥାନ୍ତି।


ଆଉ ଆଜି ଏକାଦଶୀ।ଚା' ପିଇବା କଥା କାହାକୁ କହିଲେ ପୁଣି ଘରେ ଝଗଡା।ବନ୍ଧୁ ବାନ୍ଧବ ଭର୍ତ୍ତି।ଲୋକେ ନାକରେ କାଠି ପୁରେଇ ଛିଙ୍କିବେ ।ଖରାରେ ସେମିତି ବସିଥାନ୍ତି।ଭାବିଲେ ବାଡିପଟ ଚୁଲିରେ ଟିକେ ଚା' କରି ପିଇବେ ।ଉଠି ଗଲେ, ରୋଷେଇ ଘରୁ ଚା କରିବା ପାଇଁ ବାସନଟିଏ ଆଣିବାକୁ ।ହେଲେ କିଛି ପାଇଲେ ନାହିଁ।ଅଣ୍ଡା, ମଟନ ଇତ୍ୟାଦି ଆମିଷରେ ରୋଷେଇ ଘର ମହମହ ବାସୁଛି। ପୁଣି ଫେରି ଆସିଲେ ଖରାକୁ।ଏହି ସମୟରେ ରାମାବୋହୁ କନକ ଆସି ଡାକିଲା। ମା ଟିକେ ଆସିଲ ଦେଖିବ ,ମୋ ପୁଅ କେଡ଼େ ଅମାନିଆ ହେଉଛି, ପାଠ ନ ପଢି ମୋ ସହ କଳି କରୁଛି। କହି ଟାଣି ଟାଣି ନେଇ ଗଲା ତା ଘରକୁ।ମଞ୍ଜୁଳା ଦେବୀ କିଛି କହିବା ଆଗରୁ ସେ ଟାଣି ଟାଣି ନେଇଗଲା।ଆଉ ଘରକୁ ନେଇ କବାଟ ବନ୍ଦ କରିଦେଲା।ଖଟ ଉପରେ ବସେଇ ଦେଇ ପ୍ରଥମେ ମଞ୍ଜୁଳା ଦେବୀଙ୍କ ପାଦ ଧରି ଢେର୍ କାନ୍ଦିଲା। ମାଆ ,ବାବା ଆଉ ତୁମ ପାଇଁ ମୋର ଏ ଜୀବନ।ତୁମ ପୁଅଝିଅଙ୍କୁ ଲୁଚେଇ ଲୁଚେଇ ଯାହା ଦେଇ ମୋତେ ମୋ ପରିବାରକୁ ବଞ୍ଚାଇ ରଖିଥିଲେ ,ଆଜି ସେଥି ପାଇଁ ଆମେ ବଞ୍ଚିଛୁ ତୁମ ଆଗରେ।ତୁମ ଭଳି ଦେବୀ ଆଜି ଏତେ ଦୁଃଖ କଷ୍ଟରେ ଅଛି ଦେଖି ପାରୁ ନାହିଁ ମାଆ।ମୋ ଘରକୁ ଆସନ୍ତୁ ସବୁବେଳେ।ମୁଁ ମୋ ଘରେ ଦେବୀ ଭଳି ସବୁବେଳେ ପୂଜା କରିବି। ଓଃ,ସତେ ଯେମିତି ଭକ୍ତ ଆଉ ଭଗବାନଙ୍କ ମିଳନର ଦୃଶ୍ୟ।ଆଜି ଭକ୍ତ ଆଉ ଭଗବାନଙ୍କ ଆଖିରେ ଭକ୍ତିର ଅଶୃ ପ୍ଲାବିତ ।କାହା ପାଟିରେ ଭାଷା ନାହିଁ।ମଞ୍ଜୁଳା ଦେବୀ କନକ ଆଖିର ଲୁହ ପୋଛି ପକେଇ କହିଲେ ନାହିଁ ଲୋ ମାଆ।ସେମିତି କିଛି ନୁହେଁ।ତୋ ପୁଅ କୁଆଡେ ଗଲା।ଦୁଷ୍ଟ ହେଉଥିଲା ପରା ।କାହିଁ ସେ .... ମୋ ପୁଅ କଥା ମିଛ ମାଆ।କେବଳ ଆପଣଙ୍କୁ ଟିକେ ଚା ଜଳଖିଆ ଖୋଇବାର ଆସ୍ପର୍ଦ୍ଧା ପାଇଁ ମିଛ କହି ନେଇ ଆସିଲି। କନକ ଉଠି ଗଲା, ମାଆଙ୍କ ପାଇଁ ଚା',ପରଟା ଧରି ପହଞ୍ଚିଲା ।ମାଆଙ୍କ ପାଖରେ ସେତକ ଥୋଇ ଦେଇ ପାଦ ପାଖରେ ବସି ରହିଲା।ମଞ୍ଜୁଳା ଦେବୀ ବଡ଼ ଆଗ୍ରହର ସହ ଚା' ପରଟା ଖାଇଲେ।ଆଉ ମନେ ମନେ କହୁଥାନ୍ତି ,ଏତେ ପିଲାଙ୍କୁ ମଣିଷ କଲି ସିନା ମୋ ପିଲାମାନେ କିନ୍ତୁ ଅମଣିଷ ହୋଇ ଗଲେ କେମିତି ?
ସାମାନ୍ୟ ଦାନର ପ୍ରତିଦାନ ଯଦି ପର ମଣିଷ ଟିଏ ଦେଇ ପାରୁଛି, ଯମ ଯନ୍ତ୍ରଣା ସହି ଅନ୍ତଫାଡି ସାରା ଜୀବନ ଜଳି ଜଳି ଯେଉଁ ମାନଙ୍କୁ ଦୁନିଆଁ ର ଆଲୋକ ଦେଖେଇ ଥିଲି ,ଲହୁଲୁହ ଏକାଠି କରି ଯେଉଁ ମାନଙ୍କୁ ଅମୃତପାନ କରେଇ ଥିଲି ,ଆଜି ମୋ ତୁଣ୍ଡରେ ଟିକେ ଚା' ଦେବାକୁ ଅକ୍ଷମ କେମିତି ହୋଇ ପାରିଲେ ସେମାନେ।ବୋଧହୁଏ ମୋ ପାଳନ ପୋଷଣର,ମୋ ମମତାର କେଉଁଠି କମି ରହି ଯାଇଛି ବୋଧହୁଏ।

ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର

Post a Comment

0 Comments