Ad

header ads

କବିତା - ଭଦ୍ର ଠକ - ନାରାୟଣ ଚନ୍ଦ୍ର ସେନାପତି

ପାଞ୍ଚ ହାତ ଦୁରୁ ଲମ୍ବା ଜୁହାର ତା
ଫଟାଏ ଅଂଚଳ ସାରା
ଦୁଇ ହାତ ମଧ୍ୟେ ଫାଙ୍କା ଚାହାଣି ତା
କୌତୁକରେ ରଙ୍ଗ ଭରା
ଚିକ୍କଣ କଥା ତା ଲାଗେ ଲହୁଣିଆ
ପାଣିରେ ପକାଏ ସର
ନରମ ଗଳା ତା ଅଦଭୁତ କଳା
ପବନରେ ଟାଣେ ଗାର
     ସେହି ପରା ଭଦ୍ର ଠକ
ଉପରେ ଲାଗଇ ବିରାଟ ଗଜଟେ
     ସେ ତ ବୁଦାମୂଳ ଭେକ।

ପକେଟୁ ଖୋଲେନା ଫଟା ପଇସାଟେ
ଜିଭର ଫୁଟାଣି ବଡ଼
କଥାରେ କଥାରେ ବାରବାଟୀ ଚାଷ
ଯେହ୍ନେ ଦଣ୍ଡେ ଗଢ଼େ ଗଡ଼
ତୋଷାମଦିଆ ସେ ତେଲିଆ କଥାରେ
ଶୋଷିନିଏ ଅର୍ଥ ଚିଜ
ଦେହରୁ ମଳିଟେ ଦିଏ ନା କାହାକୁ
ସତେ ବା ଶାଗୁଣା ଗିଧ
  ସେହି ପରା ଭଦ୍ର ଠକ
ତା ଫଣାରେ ଯଦି କିଏ ପଶିଯାଏ
ଭାଗ୍ୟ ତା ସାଜେ ବାଧକ।

ବଡ଼ ସ୍ୱାର୍ଥପର ହୀନ ନୀଚ୍ଚ ମନା
କାମ ଥିଲେ ଚାଟେ ପାଦ
କାମ ସରିଗଲେ ମାରେ ଦୁଇ ନାତ
ସାଜେ ସେ କୃତଘ୍ନ ଓଧ
କେବେ ସେ ନାରଦ କେବେ କାନକୁହା/ହି
ସପତ ବର୍ଣ୍ଣୀ ଏଣ୍ଡୁଅ
କେବେ ନୀଳ ବର୍ଣ୍ଣି ଶୃଗାଳ ସାଜେ ବା
ମିଛ ବୈତରଣୀ ସୁଅ
    ସେହି ପରା ଭଦ୍ର ଠକ
କେବେ ସାଜେ ଶକ୍ତ ଲଙ୍ଗଳା କଟୁରୀ
   କେବେ କାର୍ତ୍ତିକର ବକ।

କାହାକୁ କହେ ସେ ଦେବି ହାତୀ ଘୋଡା
କରେଇ ଦେବି ଚାକିରୀ
ଟଙ୍କେ କି ଆଠଣା ପାଇବା ପାଇଁ କି
ସାଜେ ମେଣ୍ଢା କି ବକରୀ
ଧାର କରଜ ଋଣ ଦିଅ କହି
ନେଇ ଶୁଝେନା ପଇସା
ଗାଳି ମାଡ଼ ଲାଜ ଯେତେ ଇଚ୍ଛା ଦେଲେ
ତା ଠାରେ ଶୁଷ୍କ ବରଷା
    ସେହି ପରା ଭଦ୍ର ଠକ
ମଲାଙ୍ଗ, ଓଡଶ,ଛାରପୋକ ସାଜି
     ପୁରା କରେ ପେଟ ଭୋକ।

କେବେ ସାଜେ ନେତା କେବେ କାହା କୁତା
ଅବା ତିଙ୍କ, କାହା ଲାଞ୍ଜ
କଥାରେ ପ୍ରଚାରେ ଗର୍ଭଣି ଗାଈ ସେ
ସତରେ ଅସଲ ବାଞ୍ଝ
କେବେ ସେ ଶୁନ୍ୟରେ ଶୂନ ବୈଜ୍ଞାନିକ
କେବେ ସ୍ଥଳର ଜାହାଜ
ଭୋଜି ଭାତରେ ସେ ବିଶ୍ୱସ୍ତ ଶ୍ବାନଟେ
ମଢ ପାଇଁ ମହା ବାଜ
   ସେହି ପରା ଭଦ୍ର ଠକ
ନିନ୍ଦା ଘୃଣା ଯେତେ ଶେଷରେ ଗୋଟାଏ
   ହଜାଇ ମାନ ବିବେକ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments