Ad

header ads

କବିତା - ଅପରାଜେୟ ଯୋଦ୍ଧା - ସରସ୍ୱତୀ ନାୟକ

ଶୀର୍ଷକ : ଅପରାଜେୟ ଯୋଦ୍ଧା
ବିଷୟ : ସହିଛି ନିଦାଘ,ବରଷା,କାକର
ତୁଟିନି ସାହସ ଧୈର୍ଯ୍ୟ
କେତେ ଅଳି,ଗାଳି,କଷଣ,ବିପତ୍ତି
ସଂସାରେ କରିଛି ସଯ୍ୟ ।।

ପଡ଼ିନାହିଁ ଭାଙ୍ଗି କେବେ ତା ହୃଦୟ
ବୋହିଛି ସଂସାର ରଥ
ଭାବୁଛ କି ତୁମେ ହୋଇଛି ଦୁର୍ବଳ
ଅବା ଅଛି ମଥାନତ ।।

କୁନିକୁନି ପାଦ କାନ୍ଧେ ଭରାଦେଇ
ଚାଲୁଥିଲୁ ଅଗଣାରେ
ଆଜି ଏ ଆୟୁଷେ କାନ୍ଧ ମିଳେନାହିଁ
ସତେ ଅଲୋଡ଼ା ସବୁରେ ।।

ସମୁଦ୍ର ମନ୍ଥନୁ ନିର୍ଗତ ଗରଳ
ତାର ପ୍ରେମ ଆଗେ ଫିକା
ତେଲଲୁଣଭରା ସଂସାର ନାବକୁ
ବୋହିପାରେ ସେ ଯେ ଏକା ।।

ଜନନୀ,ଭଗିନୀ,ଜାୟାରୂପ ଧରି
ବାଣ୍ଟୁଥାଏ ସ୍ନେହ ଚିର
ତଥାପି ଅବୁଝା ରକତ ତାହାର
କରେ କ୍ଷଣେ ସାତପର ।।

ତା ହାତଧରି ଦିନେ ଠୁକୁଠୁକୁ
ଚାଲିରେ ମୂଢ ଅପାର
ଆଜି ପରିଣତି ବୟସେ ଲଉଡ଼ି
ହାତେ ମଧୁ ଉପହାର ।।

ତାର ଲାଗି ଧରା ଅବତାରିଥାନ୍ତି
ଦେବତା ବି ଅନାୟାସେ
କେମିତି ନିଷ୍ଠୁର ଜନମି ଜଠରୁ
ଭରୁଛୁ ହୃଦୟ ପ୍ରାସେ ।।

ଜୀବନ ଜଞ୍ଜାଳ ତା ପାଇଁ ନିଅଂଟ
ଭିକ୍ଷା ଖାଲି ଟିକେ ସ୍ନେହ
ତାହାକୁ ପାଥେୟ କରି ଜୀଇଁଯିବ
ନଦେଇ କାହାରେ କୋହ ।।

ଜୀବନ୍ତମରଣ ଦେଖେ ସେ ଆଖିରେ
ବଂଚିବାଟା ଦୁର୍ବିସହ
ଏନ୍ତୁଡ଼ିଶାଳରୁ ଜୁଇନିଆଁ ଯାଏଁ
କର୍ମ ଏକା ତାର ସାହା ।।

ହାରିନାହିଁ ସିଏ କାଳର ପ୍ରହାରେ
ଚାଲୁଥିବ ଏଇମିତି
ଭିନ୍ନଭିନ୍ନ ରୂପେ ପରଶି ଚାଲିବ
ସ୍ନେହ,ପ୍ରେମ ଆଉ ପ୍ରୀତି ।।

ଜୀବନଯୁଦ୍ଧର ଲମ୍ବା ରାସ୍ତାଟିକୁ
ପାରିହେଲେ ତାରେ ମିଶି
ଦୁଃଖର ଲାଘବ ନିଶ୍ଚେ ହେବ ତାର
ପାରିବ ଅଧେ ସେ ହସି ।।
ବିଭାଗ : କବିତା
ଲେଖକ : ସରସ୍ୱତୀ ନାୟକ
ଠିକଣା : ବ୍ରହ୍ମଗିରି, ପୁରୀ, ଓଡିଶା, India
ଫୋନ :
ଇମେଲ :


Post a Comment

0 Comments