Ad

header ads

ପ୍ରବନ୍ଧ - ସୃଜନ ସ୍ୱପ୍ନର କବି - ଡକ୍ଟର ଲକ୍ଷ୍ମଣ ସାହୁ


ମୁଗ୍ଧ ଅନୁଭବର ଉଚ୍ଚାରଣ ହେଉଛି କବିତା । ଏ ଅନୁଭବ ହୋଇପାରେ ବ୍ୟକ୍ତିକ ବା ସାର୍ବଜନୀନ, ଶବ୍ଦ ସହ ଶବ୍ଦର ଅନ୍ତରଙ୍ଗ ମିଳନରେ, ମନୋରମ କାଳୁକଳାରେ ଏହା ରୂପାନ୍ତରିତ ହୁଏ । କିଛି ମିଠା ମିଠା ଶବ୍ଦ,  କିଛି ଭାବ, କିଛି ଭାବନା, କିଛି କଳ୍ପନା ଓ କିଛି ଆବେଗ ଅନୁଭୂତି ମିଶି ମଣିଷର ଆତ୍ମାକୁ ପ୍ରକାଶ କଲେ ତାହା ପାଲଟି ଯାଏ କବିତା । ଯାହା ଚିରନ୍ତନ ସତ୍ୟକୁ ଚିହ୍ନଟ କରେ ଓ ଶାଶ୍ଵତ ପଣକୁ ବାଢିବସେ ତାହା କବିତା । କବିତା ହେଉଛି କବି କଳ୍ପନାର ଫସଲ । କବିର କଳ୍ପନା ଭିତରେ ଥାଏ ଚିରନ୍ତନ ଶାଶ୍ଵତ ବୋଧର ସାମଗ୍ରିକ ବାସ୍ତବତା ଯାହା ଜଗତ ଓ ଜୀବନ ସଂପର୍କୀୟ ଗଭୀର ଓ ଦୀର୍ଘସ୍ଥାୟୀ ମାନବୀୟ ମୂଲ୍ୟବୋଧକୁ ଦର୍ଶାଇ ଦିଏ ।  କବି ସଚ୍ଚିଦାନନ୍ଦ ଗୁରୁଙ୍କ ସଂକଳିତ 'ଅନାଵନା କବିତା ଗୁଚ୍ଛ' ଏହି ପର୍ଯ୍ୟାୟରେ ଅନ୍ତର୍ଭୂକ୍ତ ହୋଇଥାଏ । କବି ସଚ୍ଚିଦାନନ୍ଦ ଗୁରୁ ହେଉଛନ୍ତି ସେହି ସାରସ୍ଵତ ସାଧନର ଜଣେ ନିରବ ସମର୍ଥ ସାଧକ । ରାଜ୍ୟ ପୁରସ୍କୃତ ଖ୍ୟାତି ସଂପନ୍ନ ପ୍ରଧାନ ଶିକ୍ଷକ, ଅବସରପ୍ରାପ୍ତ ମଣ୍ତଳ ଶିକ୍ଷା ଅଧିକାରୀ ତଥା ବିଶ୍ୱ ମାନବାଧିକାର ପରିଷଦର (ଯାଜପୁର) ସଦସ୍ୟ ସମାଜ ସେବାରେ କାର୍ଯ୍ୟରତ ଥାଇ ମଧ୍ୟ  ସାହିତ୍ୟ ଠାରୁ ଦୂରେଇ ଯାଇନାହାନ୍ତି । 

ସୃଜନର ସ୍ୱପ୍ନଚାରୀ କବି ସେ । ସମାଜ ଓ ମଣିଷର ଦୁଃଖ, ଦୈନ୍ୟ, ରୂପ ଓ ସୈାରଭ, ସମ୍ଭୋଗ ଓ ପ୍ରାଚୁର୍ଯ୍ୟ, ବୈଚିତ୍ର୍ୟ ଓ ବୈଶିଷ୍ଟ୍ୟକୁ ନେଇ କବିଙ୍କ ସୃଜନଶୀଳ ଗତିମୁଖର ହୋଇଛି । କବିଙ୍କ କବିତାରେ- " ମଣିଷର ଜନ୍ମ ଆଦିମ କାଳରୁ ନଥିଲା ବାସ ଠିକଣା/ପଶୁ ତୁଲ୍ୟ ବଣ ଜଙ୍ଗଲେ ଥିଲା/ ଭାଷା ସଂସ୍କୃତି ଅଜଣା" ( ଆମ ସମ୍ବିଧାନ ଓ ଅଧିକାର ) । ଏଇ ବିକ୍ଷୁବ୍ଧତା, ଏଇ ଆନ୍ଦୋଳିତ ଅବସ୍ଥାହିଁ ସୃଷ୍ଟି କରାଏ କବିତା । କବିର ସୃଜନ ସ୍ୱପ୍ନକୁ ଖୋରାକ ଯୋଗାଏ । କବି ରବୀନ୍ଦ୍ରନାଥ ଠାକୁରଙ୍କ ଭାଷାରେ- " ଆଶା ଦିୟେ, ଭାଷା ଦିୟେ, ତାହେ ଭଲ ବାସାଦିୟେ, ଗଢେ ତୂଳି ମାନସୀ ପ୍ରତିମା । କବି ତା'ର  ଦୃଶ୍ୟ ଓ ଅଦୃଶ୍ୟ ଜଗତକୁ ଭଲ ପାଏ । ମଣିଷକୁ ଭଲ ପାଏ । ଏଭଲ ପାଇବା ଯେତେ ଯେତେ ବଢେ ଓ ଉଛୁଳି ପଡେ ସେତେବେଳେ କବିତା ଚାଲିଆସେ । ସେସବୁ କବିତା ଭାବାତ୍ମକ ହେଉ ଅବା ଆଧ୍ୟାତ୍ମିକ ହେଉ,  ପୁଣି କେବେ ଦେଶପ୍ରେମ କି ପ୍ରକୃତି ପ୍ରେମ ବା ପ୍ରେମ ମୂଳକ କବିତାରେ ରୂପାୟିତ ହୋଇଯାଏ । କବି ସଚ୍ଚିଦାନନ୍ଦ ଗୁରୁଙ୍କ 'ଅନାବନା କବିତା ଗୁଚ୍ଛ' ସଂକଳନରେ ତାହାହିଁ ଅନୁମେୟ । ଗାନ୍ଧୀ ଦର୍ଶନରେ କବିଙ୍କ ପଂକ୍ତି -  "ନିର୍ଭୀକ ହୋଇବା ସାହସ ସଂଚାରି ସବୁବାଧା ବିଘ୍ନସହି/ ସତ୍ୟ ଅନୁସରି ସତ୍ୟର ପଥରେ ବିବେକକୁ ଆଗକରି " (ଗାନ୍ଧୀ ମନ୍ତ୍ର ଓ ନିର୍ଭୀକତା)  । କବିତା ଖାଲି ଋତୁଚକ୍ରର ଅବର୍ତ୍ତମାନରେ ଗଢାଯାଏ ନାହିଁ କି ଚଉଦ ବ୍ରହ୍ମାଣ୍ଡର ଐଶ୍ୱର୍ଯ୍ୟ ବିଭୂତି ନେଇ ନୁହେଁ । କବିଟିଏ ସମାଜର ସଂଗ୍ରହ କରେ ଲହୁ ଓ ଲୁହ । ହୃଦୟ ଭିତରେ ଥାପିଦିଏ ତାକୁ । ତା' ଭିତରେ ସଂଚରୁଥାଏ ଭ୍ରୂଣ ହୋଇ, ସତରେ କବିଟିଏ ମା'ଟିଏ ପାଲଟି ଯାଏ । ସତ୍ୟ ଶିବ ସୁନ୍ଦରର ଉପାସକ କବି ସ୍ୱାଧିକାର ପାଇଁ ବିପ୍ଳବ କରେ , ସନାତନ ଧର୍ମର ଜୟଗାନ କରେ- " ଆସିଛେ ଧରାକୁ କେଇ ଦିନପାଇଁ କିଆଁ ମନେ ଏତେ ଆଣ୍ଟ/ ପଦ ପଦବୀଯେ ଅଢେ଼ଇ ଦିନିଆଁ ଆଚର ମାନବ ଧର୍ମ " ( ଅଧିକାର ଓ କର୍ତ୍ତବ୍ୟ) । ସମାଜକୁ, ପ୍ରତିଟି ମଣିଷକୁ ଭଲ ପାଉଥିବା କବି କେବେ ସୁପ୍ତ ନୁହେଁ , ସଦା ଜାଗ୍ରତ ରହେ । ବାହାର ଜଗତର ଦାହ, ସମସ୍ୟା, ଦୁଃଖ, ଯନ୍ତ୍ରଣା ଯେତେବେଳେ କବିର ହୋଇଯାଏ ସେତେବେଳେ ସେ ଉଦ୍ବୋଧନ ଦେଇ କହେ, କବି ଗୁରୁଙ୍କ ଭାଷାରେ -" ପ୍ରେରିତ କରିବା  ସନ୍ତାନମାନଙ୍କୁ ଭବିଷ୍ୟତ ଗଢିବାରେ / ସାକାର କରିବେ ଭବିଷ୍ୟତ ସ୍ୱପ୍ନ ବଡ ହେବେ ଦୁନିଆରେ " ( ଯାଦବ ଭାଇଙ୍କୁ ପଦେ) । 

 କବି ସଚ୍ଚିଦାନନ୍ଦ ଗୁରୁଙ୍କ 'ଅନାବନା କବିତା ଗୁଚ୍ଛ' ସଂକଳିତ କବିତା ଗୁଡ଼ିକ ବେଶ୍ ହୃଦୟସ୍ପର୍ଶୀ । ବିଭିନ୍ନ ଶୈଳୀରେ ଛନ୍ଦବୋଧ କବିତା ଲେଖିବା ସହ କବିଙ୍କ ଭାଷା ବିନ୍ୟାସ ଚମତ୍କାର ଓ ସାବଲୀଳ । କବି ଚିତ୍ତରେ ଯେଉଁ ଭାବ, ଅନୁଭୂତି ଓ ଅଭିଜ୍ଞତାର ସମ୍ମିଶ୍ରଣ ଘଟିଛି ତାହାହିଁ ତାଙ୍କ କବିତା ସର୍ଜନାକର୍ମ । ବେଦରେ ସିନା ଉଲ୍ଲେଖ ଅଛି ଈଶ୍ୱର ହେଉଛନ୍ତି କବି । ତାଙ୍କର ସୃଷ୍ଟି ହେଉଛି କବିତା ଅର୍ଥାତ୍ ଦୃଶ୍ୟମାନ ଜଗତ । କିନ୍ତୁ ସେହି ଦୃଶ୍ୟମାନ ଜଗତର ନାନା ପ୍ରକାର ଛବି, ମଣିଷ ଜୀବନର ଘଟଣା-ବୈଚିତ୍ର୍ୟ, ସମସ୍ୟା ଜଡ଼ିତ ହସ କାନ୍ଦ, ସୁଖ ଦୁଃଖକୁ, ନିଜ ଜୀବନର ତିକ୍ତ ମଧୁର ଅନୁଭୂତିକୁ ସୂକ୍ଷ୍ମ ଦୃଷ୍ଟିରେ ଦେଖି ବିଶ୍ଳେଷଣ କରେ, ବଞ୍ଚିରହିବାର ସ୍ୱପ୍ନ ଖୋଜେ ଭାବମୂର୍ତ୍ତି ଗଢିତୋଳେ ତାହା ପାଲଟେ କବିତା । ଅନ୍ୟଥା କହିଲେ ସେଇ ଭାବମୂର୍ତ୍ତି କବିର ଇଙ୍ଗିତଧର୍ମୀ ବଙ୍କିମ୍ ଭାଷା ଯେତେବେଳେ ରୂପନିଏ ସେତେବେଳେ ତାହା ରୂପ ନିଏ କବିତା । କବି ଶ୍ରୀଯୁକ୍ତ ଗୁରୁଙ୍କ ପ୍ରତ୍ୟେକଟି କବିତାର ସେଇ ଇଙ୍ଗିତଧର୍ମୀ ଶବ୍ଦ, ଛନ୍ଦ, ରୂପ, ରସରେ ରସାଣିତ କାବ୍ୟ ରୂପ ସଂକଳନ ' ଅନାବନା କବିତା ଗୁଚ୍ଛ', ସୃଜନ ସ୍ୱପ୍ନ କବିଙ୍କ ଅବଦାନ, ଯାହା ପାଠକଙ୍କ ହୃଦୟରେ ଆସନ ଲାଭ କରିବ ନିଃସନ୍ଦେହ..!! 

   ଡକ୍ଟର ଲକ୍ଷ୍ମଣ ସାହୁ 
   ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
   ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
   ଦୂରଭାଷ : ୯୦୪୦  ୧୫୧୪ ୭୫

Post a Comment

0 Comments