Ad

header ads

ମୋ ଅନୁଭୂତି କିଛି - ସୁଚେତା ନନ୍ଦ

ସେଦିନ ଅଟକି ଯାଉଥିଲା ପାଦ । ଆଖି ହଳକ ପଛକୁ ଫେରି ଚାହୁଁଥିଲେ ବାରମ୍ବାର । ଏ କି ଅପୂର୍ବ ଆକର୍ଷଣ ସତରେ ! ଦିନେ ଯିଏ ଅଜଣା, ଅଚିହ୍ନା ଥିଲା ଆଜି ଏତେ ଆତ୍ମୀୟ ଲାଗୁଛି କେମିତି ? ଭିଡ଼ି ଧରୁଛି ପଛରୁ । ତୁଷାରାଚ୍ଛନ୍ନ ରାସ୍ତାଘାଟ, ଧାଡ଼ିଧାଡ଼ି ବାବୁଘୋଷା ଗଛ, ଚିନ୍ନାର ପତ୍ର ମାନଙ୍କର ଗହଳିଚହଳି, ପୁଣି ଲୋଚାକୋଚା ଚମ, ଛୋଟ ଛୋଟ ଅନେକ୍ ଅନୁଭୂତିର ରେଖା (lines of experiences) ଭର୍ତ୍ତି ମୁହଁ-ସଲିମ୍ ଚାଚା । ସମସ୍ତେ ଯେମିତି ମୋତେ ମନା କରୁଥିଲେ ତାଙ୍କୁ ଛାଡ଼ି ନଯିବା ପାଇଁ । ସେମାନଙ୍କ କଥା ରଖିବାକୁ ମନ ତ ଖୁବ୍ ଚାହୁଁଥିଲା କିନ୍ତୁ ସମୟର ଅନୁମତି ନଥିଲା । ଆତଙ୍କବାଦର ଅନ୍ଧାରରେ ସଢୁଥିଲା ଆଉ ଅନ୍ଧାର ସହ ଲଢ଼ୁଥିଲା ଅହରହ ସେଇ ଜାଗା । ଆଲୁଅର ମୁହଁ ଦେଖିବା ଥିଲା ସ୍ବପ୍ନ । କେବେ ଘନ କୁହୁଡ଼ି ତଳେ 0 ଡିଗ୍ରୀ,-2,-3 ତାପମାତ୍ରାରେ ଜମି ଯାଉଥିଲା ରକ୍ତ ଆଉ କେବେ ଆତଙ୍କ ବାଦର କ୍ରୁରତା,ଭୟାବହତା, ଶୋକାକୁଳ ବାତାବରଣରେ ଦବି ଯାଉଥିଲା ଖୁସି ଟିକକ ।

ଏଇଠି,ଏଇମାଟିରେ ଲିଭିଯାଇଛି କେତେ କାହା ମଥାରୁ ସିନ୍ଦୂର, ଭାଙ୍ଗି ଯାଇଛି ନବ ବିବାହିତାର ନାଲି ଶଙ୍ଖା,ନାଲି ଚୁଡି ସବୁଦିନ ପାଇଁ ।ବିଧବା ମା' ଟି ଭୁଲିଯାଇଛି ମା' ଡାକ ସବୁଦିନ ପାଇଁ ତା' ପୁଅକୁ ହରାଇ।କେତେ କେତେ ଭାରତୀୟ ସେନାଙ୍କ ଉଷୁମ ରକ୍ତରେ ଲେଖା କାହାଣୀ ଓ କିମ୍ବଦନ୍ତୀଙ୍କୁ ଛାତିରେ ଜାବୁଡି ଧରି ଆଜି ବି ବଞ୍ଚିଛି ସେ।ଭୂସ୍ବର୍ଗ କାଶ୍ମୀର କୋଳରେ ଛୋଟ ଜାଗାଟିଏ AirForce Station, Awantipora (ଅବନ୍ତୀପୋରା) । ଶ୍ରୀନଗରଠାରୁ ୩୦କି.ମି. ଦୂର, ପୁଲଓ୍ବାମା ନିକଟରେ ଅବସ୍ଥିତ।ତା' ଥଣ୍ଡା ଥଣ୍ଡା ପାଣିପବନ, ସର୍ପିଳ ରାସ୍ତାଘାଟ,ପାହାଡି ଇଲାକା ସହ ବିତେଇଥିଲି ୨ବର୍ଷ । ସଲିମ୍ ଚାଚା ଦେଇ ଯାଉଥିବା କ୍ଷୀର ପିଇ ଝିଅ ମୋର ବଡ଼ ହୋଇଛି।ସବୁବେଳେ କହନ୍ତି," ବିଟିଆ କୋ ଖୁବ୍ ଦୁଧ୍ ପିଲାଓ।ତନ୍ଦୁରୁସ୍ତ୍ ବନାଓ।" ସେ ଏବେ ଜୀବିତ ଥିବେ କି ନା ଜାଣେନା । "ପର୍ ଚାଚା,ମେରେ ମନ୍ ମେ ଆପ୍ ହମେଷା ଜିନ୍ଦା ରହୋଗେ ।"

ଅଶାନ୍ତ, ଅସୁରକ୍ଷିତ, ଆତଙ୍କିତ ପରିବେଶ,ଗୁଳିଗୋଳା ଶବ୍ଦ, ଧାଡ଼ିଧାଡ଼ି Missile, Aircraft, ଚବିଶ ଘଣ୍ଟା ଉଡାଣ (flying) ର ଶବ୍ଦ ଭିତରେ ବି ପ୍ରକୃତି ଦିଶୁଥାଏ ଶାନ୍ତ, ସ୍ନିଗ୍ଧ,ସୌମ୍ୟ ଓ କମନୀୟ।ନ ଦେଖିଲେ,ନ ଅନୁଭବିଲେ ବିଶ୍ୱାସ ହେବନି । ସମୟର ଅବଧି ସରିଆସିଲା । ଛାଡି ଆସିଲି ସମସ୍ତଙ୍କୁ ।

କିନ୍ତୁ ସେ ମୋ ସାଥିରେ ସେବେଠୁ ଅଛି । ତା' ସହ ତ ଆପଣମାନଙ୍କୁ ଅଳ୍ପ ଚିହ୍ନା କରେଇଲିଣି । ତାରି କଥା କହୁଛି।ସେ ଆସେ ସେତେବେଳେ, ମୋ ମନରେ ସଂଜଦୀପ ଜଳେ ଯେତେବେଳେ । ମୋ ଚୁଡିର ରୁଢଣୁଝୁଣୁ ତା'ଭଳି ଶୁଭେ । ଦିକ୍ ଦିକ୍ ଜଳୁଥାଏ ମୋ ମନରେ ପ୍ରେମର ସଳିତା ତାକୁ ପାଇବାକୁ ମୋ ହାତପାଆନ୍ତାରେ । ସେ ଅନ୍ଧାରରେ ଆସେ।ସେ ନୀରବତାରେ ଆସେ । ସେ ଶୂନ୍ଯତାରେ ଆସେ । ସେ ରଂଗହୀନତାରେ ଆସେ । ସେ ଅଂକୁରିଉଠୁଥିବା ଇଚ୍ଛାଟିଏ ହୋଇ ଆସେ।ଅମନ୍ଦଗାମିନୀ ନଦୀ ମନ୍ଦାକିନୀର ସ୍ବଚ୍ଛ, ସୁଶୀତଳ ଜଳଧାର ଭଳି ଆସେ । ମୋ ଉନ୍ମୁକ୍ତ ମନର ଏରୁଣ୍ଡି ବନ୍ଧ ଡେଇଁ ମୋ ଭିତରକୁ ଆସେ । କେତେ କ'ଣ କହିଯାଏ ମୋତେ । ହେଲେ ସବୁ କ'ଣ ମନେରହେ ମୋର ?

ତା' ସହ ମୁଁ କଥାହୁଏ ପ୍ରେମ ଓ କୃତଜ୍ଞତାର ଭାଷାରେ । କୃତଜ୍ଞତା ଅର୍ଥାତ୍ ପ୍ରେମ ପୂର୍ବକ ଗ୍ରହଣଶୀଳତା । କୃତଜ୍ଞତା ଜୀବନର ଏକ ଅନୁଶୀଳନ ଯାହା ଅନ୍ତର୍ନିହିତ ଆନନ୍ଦମୟ ଅନୁଭୂତିର ସୃଜନ କରିଥାଏ । ମୋ ହୃଦୟରେ କୃତଜ୍ଞତାର ନିରନ୍ତର ଅଭିବ୍ଯକ୍ତି ମୋ ପାଇଁ ଜୀବନରୂପୀ ପୁସ୍ତକର ପୂର୍ଣ୍ଣତା । ନିଜ ଜୀବନରେ ଅନ୍ଯମାନଙ୍କ (ପ୍ରକୃତି,ମନୁଷ୍ୟ, ପଶୁପକ୍ଷୀ, ଜୀବଜନ୍ତୁ) ଉପସ୍ଥିତ, ଭୂମିକା, ଛୋଟବଡ଼ ସାହାଯ୍ୟ, ସେବା ପ୍ରଭୃତିକୁ ଅନ୍ତରରୁ ସ୍ବୀକାରିବା ହିଁ କୃତଜ୍ଞତା । ଯଦି ଆମେ ଏକ ସଫଳ ଜୀବନ,ଆନ୍ତରିକ ପ୍ରଶାନ୍ତି, ପ୍ରେମ ଓ ସନ୍ତୋଷ ସହ ବଞ୍ଚିବାକୁ ଚାହୁଁ ତେବେ ଆମ ମନକୁ ଟିକେ ଠିକ୍ ବାଟ ବତେଇଲେ କ୍ଷତି କ'ଣ ? ସେଇ ଟିକି ମନଟି ,ଯେ ସକଳ ଶକ୍ତିର ଆଧାର ଆମ ଜୀବନର କଷ୍ଟଦାୟୀ ଶୀତ ଋତୁକୁ ହସିହସି ସହେ ପୁଣି ବସନ୍ତର ନବ ପଲ୍ଲବିତ ସୌନ୍ଦର୍ଯ୍ୟକୁ ଉଦ୍.ଜୀବିତ କରିଥାଏ । ସମୟର ପ୍ରବାହ ସହ ଜୀବନ ସତତ ପରିବର୍ତ୍ତିତ ହେଉଛି । ମୁଁ ଟିକେଟିକେ କେବେ କେମିତି ବଦଳିଯାଏ ସିନା ସେ କିନ୍ତୁ କେବେ ବଦଳିନି ।

©ସୁଚେତା ନନ୍ଦ, ତୁଳସୀପୁର, କଟକ

Post a Comment

0 Comments