Ad

header ads

କ୍ଷୁଦ୍ରଗଳ୍ପ - ଯୋଡହସ୍ତ - ଅମିୟ ବେଜ


ସେ ଦେଖୁଦେଖୁ ଚିହ୍ନି ଦେଲା । ଆଉ କହିଲା 

'ପାପା ଆମ ସ୍କୁଲ୍ ଅଟୋ'

ବଜାଜ୍ ର କଳାରଂଗ ଅଟୋ । ଶହଶହ ମାଳମାଳ ଘୁରୁଥିବେ ରାସ୍ତା ଗଳି ଘାଟ ଯାକ । ପିଲାଟା' ପଛପଟୁ ଚିହ୍ନିନେଲା ବଡ଼କଥା ।

– ତୁ' ନମ୍ବର ଘୋଷି ଦେଇଛୁ କି ? ପାଠ ମନେ କାଇଁ ରହେନି ତ ...

ଟିକେ କଟାକ୍ଷ କଲାପରି ପଚାରିଲି  ଫଟିକ୍ କୁ ମୁଁ ।

– ନାଇଁ ଘୋଷିନି । ତା' ପଛପଟେ ସେ' ଚିତ୍ର ଟା'...

ମୁହଁ ଉଷୁମାଇ କହିଲା ଏତକ ।

ଏକ ଯୋଡ଼ହସ୍ତ ମୁଦ୍ରାର ଚିତ୍ର । ବୋଧେ ଏଇ ଚିତ୍ରଟି ଆଉ କାହା ଅଟୋ ପଛରେ ନଥିବ । ସେଥିପାଇଁ ଚିହ୍ନିନେଲା ଫଟିକ୍ ।

ସେଇଟି ଗୋଟେ ମୋପେଡ୍ ଗ୍ୟାରେଜ୍ ଥିଲା । ଅଟୋଟିର ଗୋଟାଏ ପଛଚକା ଖୋଲା ରହିଥିଲା ଓ ଇଞ୍ଜିନ୍ ଟି ଲଂଗଳା । 

  ବୋଧେ ମେଣ୍ଟେନାନ୍ସ୍ ରେ ଥିବ । 

....ହଁ ପାଖାପାଖି ନ' ମାସ ହେଲାଣି । ଫେବୃଆରୀ ରୁ ନଭେମ୍ବର ।

ମେଣ୍ଟେନାନ୍ସ୍ ରେ ଚାଲିଯାଇଛି ପୃଥିବୀ । କେହିକେହି ସଜଡା ହୋଇ ଲେଉଟିଲେଣି ତ ଆଉ କାହାର ସଜଡା ହେବା ଜରୁରୀ ପଡୁନି ।

ଦେହରୁ ବାହାରୁଥିବା ନିଃଶ୍ବାସ ଆଉ ଭିତରକୁ ପ୍ରଶ୍ବାସ ମାନଙ୍କ ଯା'ଆସରେ ବ୍ୟତିକ୍ରମ ନାହିଁ କିନ୍ତୁ । ବିଡମ୍ବନା ଯେ' ,  ସେସବୁରେ ବ୍ୟତିକ୍ରମ ନହେବାକୁ ଭୋକଟିଏ ଅଛି । ସେଇ ଭୋକ ପାଇଁ ଖାଦ୍ୟର ଜରୁରୀ । ଆଉ ଖାଦ୍ୟ ଯୋଗାଡିବା ପାଇଁ ମରାମତି ହୋଇଯିବାର ଖୁବ୍ ଆବଶ୍ୟକତା ଟିଏ ଅଛି ପୃଥିବୀକୁ ମଧ୍ୟ ।

– ପାପା !

– ଟିକେ ସେ' ଅଟୋ ପାଖକୁ ଚାଲ ।

– କାହିଁକି ରେ ?

– ଅଟୋ ଅଙ୍କଲ୍ କୁ ଦେଖା କରିବା ।

ପିଲାଟିଏ ର ମନ । କଅଁଳ , ସରଳ । 

ମୁଁ ଗାଡି ରଖିଲି । ଗ୍ୟାରେଜ୍ ସାମ୍ନାରେ ଗୋଟେପଟକୁ ଦେହ ଢ଼ଳାଈ ଥୁଆ ହୋଇଛି ଯୋଡ଼ହସ୍ତ ମୁଦ୍ରାରେ ତିନି ଚକିଆ ଗାଡିଟି ।

ସତେକି ଭିନ୍ନକ୍ଷମ ଜଣେ ହାତଯୋଡି ବିନୟ ହୋଇ ମୁଣ୍ଡପାତିଦେଇଛି ଖାଉନ୍ଦ ମାନଙ୍କ ଆଗରେ ।

ଏଠି ଅଟୋଟିର କିଏ ଖାଉନ୍ଦ ?

ଅଟୋବାଲା , ଫଟିକ୍ ନା ମୁଁ ନିଜେ ?

ସ୍କୁଲ୍ ଚାଲିଛି ଫଟିକ୍ ର ଅନଲାଇନ୍ ରେ । ଘଣ୍ଟାଏ ଦିଘଣ୍ଟା ମୋବାଇଲ ପରଦାରେ ପାଠପଢା । ଶିକ୍ଷକ ଛାତ୍ର ଙ୍କ ଭାବ ବିନିମୟ । ସେଇ ବିନିମୟର ମୂଲ୍ୟ ପଇଠ କରିବାକୁ ମୁହଁରେ ମାସ୍କ ବାନ୍ଧି ବାହାରିଛୁ ଆମେ ବାପପୁଅ ସ୍କୁଲ୍ କାଉଣ୍ଟର୍ କୁ ।

କିଛି ସୂର୍ଯ୍ୟୋଦୟ ପୃଥିବୀ ରେ ପଡିଲାଣି । ଟିକେ ହଲଚଲ୍ ଟିକେ ଚଳଚଞ୍ଚଳ ସଜୀବ ନିର୍ଜୀବ ହେଲେଣି ମଧ୍ୟ । 

– ଆଜ୍ଞା ଏ ଅଟୋ କ'ଣ ଖରାପ....?

– ନାଇଁ ମେଣ୍ଟେନାନ୍ସ୍ ରେ ଅଛି ସାର୍ । ବିକ୍ରି ହେବ ...

– ବିକ୍ରି ?

ଆମେ ଦୁହେଁ ପରସ୍ପରକୁ ଚାହିଁଲୁ । ଫଟିକ୍ ମୋତେ , ମୁଁ ତା' ମୁହଁକୁ ... ! ପୁଣି ପଚାରିଲି -

– ଏ ଅଟୋର ମାଲିକ ଏବେ କେଉଠି ?

– କରୋନା ଯୋଗୁଁ ସ୍କୁଲ୍ ଗୁଡା ତ ବନ୍ଦ ହେଇଗଲା ସାର୍ । କିସ୍ତି ଶୁଝିବାରେ ତା'କୁ ଅଡୁଆ । ଏଇକୁ ବିକି ଲୋନ୍ ବୋଧେ ...

– ଓହ୍ ... 

ଲୋନ୍ କିସ୍ତି ଇତ୍ୟାଦି ମାନଙ୍କୁ ,ଫଟିକ୍ ବୁଝିବାର ଵୟସରେ ପହଞ୍ଚି ନାହିଁ । ସେ ବୋଧେ ବୁଝିଥିବ ନିତି ସ୍କୁଲ୍ ଯାଉଥିବା ବାହାନଟି ବିକ୍ରି ହୋଇଯିଵାରୁ , ଆଉ ଆସିବନି । 

ବାପା ଅବଶ୍ୟ ସ୍କୁଲ୍ ଖୋଲିଲେ ଆଉ କିଛି ବ୍ୟବସ୍ଥା କରିପାରିବେ ପରି ଆଶ୍ବାସନା ଟିଏ ତା ସରଳ , କଅଁଳ ମନରେ ଆସିସାରିଥିବ ।

ଅଟୋତ ନିଜକୁ ବିକ୍ରି କରି ଋଣମୁକ୍ତ ହୋଇଯିବ ।

କିନ୍ତୁ ଗୋଡ଼ ଭାଙ୍ଗି ବିନୟ ହୋଇ ଯେଉଁ ଯୋଡ଼ହସ୍ତ ମୁଦ୍ରାରେ ଛିଡାହୋଇଛି ସେ' ଅଟୋବାଲା ....?

ଫଟିକ୍ ମନରେ ଏପରି ଏକ ଅବୋଧ୍ୟ ନିରୀହ ବିନମ୍ର ପ୍ରଶ୍ନଟିଏ   ଥିବକି ? 

ଯଦି ଥା'ନ୍ତା , ତେବେ ମୋ'ଠାରେ କି ଯେ' ଉତ୍ତର ରହିବ ?

ତେରେ ମାସୁମ୍ ସଓ୍ବାଲୌଁ ସେ ......


ଘଟଗାଁ, କେନ୍ଦୁଝର

Post a Comment

0 Comments