Ad

header ads

କବିତା - ହେ ଜଗତପତି - ନରେନ୍ଦ୍ର ପ୍ରସାଦ ବେହେରା

କାହିଁକି ନିଷ୍ଠୁର      ହୋଇଲ ପ୍ରଭୁ ହେ
        ଏ ବିଶ୍ବ ଜନତା ପାଇଁ
ନେତ୍ରଖୋଲି ଥରେ   ଦେଖ ମହାବାହୁ
         କାନ୍ଦେ ଭକ୍ତ କଇଁ  କଇଁ   ।୧।

ଘୋର ବନସ୍ତରେ     ମୃଗଣୀ ଡାକିଲା
        ରକ୍ଷାକର ବାରେ ମୋତେ
ଜୀବନ ମୋହର       ଯିବାକୁ ବସିଛି
       କେମିତି ଡାକିବି ତୋତେ  ।୨।

କେତେ ତପୋବଳେ    ମଣିଷ ଜନମ
          ପାଇଣ ଥିଲି ମହୀରେ
ଦାନ ଧ୍ଯାନ ପୂଣ୍ୟ     କଲି ଆନନ୍ଦରେ
        ବଞ୍ଚିବି ବୋଲି ସୁଖରେ  ।୩।

ସୁଖନେଇ ଦୁଃଖ    ଭରିଲୁ କପାଳେ
      କହ କାହିଁ ପାଇଁ ଆଜି 
ଦୁଃଖ ଦୂର ପାଇଁ     ଡାକୁଛି ଆକୁଳେ
       କାହିଁକି ହେଉନୁ ରାଜି  ।୪।

ମଣିଷ ଜନମ       ଦେଲସିନା ପ୍ରଭୁ
       ବୁଝୁ ନାହଁ ଆଜି ଦୁଃଖ 
କପରି ତରିବେ    ଏ ସଂସାର ଲୋକ
       ନେତ୍ରଖୋଲି ଥରେ ଦେଖ  ।୫।

ମାନବ ସମାଜ       ବଞ୍ଚିଛି କେବଳ 
         ତୁମରି ମୁଖକୁ ଚାହିଁ
ଟେକିଦିଅ ହାତ     ଯାଉ ମହାମାରୀ
      ଡେରି ଆଉ କର ନାହିଁ  ।୬।

ଜଗତର ନାଥ      ଆହେ ଜଗନ୍ନାଥ
        ଜଗତ ଜନର ପତି
ତୁମ ଦୟାବଳେ     ଏ ମୂଢ଼ ମାନବ
        ପାଇଣ ଯାଉ ମୁକତି  ।୭।

କର୍ମଫଳ ଯାହା     ଭୋଗିବାର ଥିଲା
     ସର୍ବେ ଭୋଗି ତ ଗଲେଣି 
ଆଉ ବେଶିଦିନ     ଦିଅନାହିଁ ଦୁଃଖ 
       ତୁମ ଯଶ ରହିବନି  ।୮।

ବୁଝିବନି ଯେବେ   ଦୁଃଖ ମହାବାହୁ
      କାହିଁକି ପ୍ରଭୁ ହୋଇବ
ମାନବ ସମାଜ     ଧ୍ବଂସ ହୋଇଗଲେ
       ତୁମକୁ କିଏ ଡାକିବ  ।୯।

କରୁଛି ପ୍ରାର୍ଥନା     ହେ ଜଗତ ପତି
        ଦିଅବାରେ ଦରଶନ
ମାନବ ସମାଜେ     ନରନାରୀ ଗଣ
       ଆନନ୍ଦେ କାଟନ୍ତୁ ଦିନ  ।୧୦।

ସମ୍ପାଦକ-ମୋ ଅନୁଷ୍ଠାନ, ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦

Post a Comment

0 Comments