Ad

header ads

କବିତା - ଅସହାୟତାର ଅନ୍ତରାଳରେ - ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ

ଆଜି ଶବ୍ଦ ମାନେ ବିଦ୍ରୋହୀ
ନିଷିଦ୍ଧ ଇଲାକାରେ ତାଙ୍କର ପରୱାନା
ଭାଗ୍ୟରେଖାର ଦୃଢତ୍ୱ ବି ପରାଜିତ
ବିଚଳିତ ଓ କ୍ଷୁବ୍ଧତାର ଇସାରା
ଅସହାୟତାର ନଈକୁ ଡେଇଁ ଯିବାକୁ
ସାହସ ବା କାହିଁ ??
ଦୋଷୀ କି ନିର୍ଦ୍ଦୋଷ
ଏଯାଏଁ ଏହାର ସଠିକତା ନାହିଁ
ଅର୍ଜିଥିବା ପାପର ଓଜନ
ବେଶୀ ହୋଇଗଲା ବୋଧେ !
ଦଣ୍ଡ ବିଧାନର ବିଳମ୍ବ ହିଁ ବାର ବାର
ସୂଚନା ଦେବାକୁ ଭୁଲୁ ନାହିଁ ।
ମୁଁ କାଳେ ପ୍ରେମ ଦାନେ ଅସମର୍ଥ
ଅଯୋଗ୍ୟା -----
ଅନ୍ଧାରୁଆ ଗଳି ମାନଙ୍କର ଅତିପ୍ରଶ୍ନ ପାଇଁ
ଉତ୍ତର ବା କାହିଁ ??
ମୋ ଅନ୍ଧକାର ଆକାଶେ
ନୂତନ ସୂର୍ଯ୍ୟ ହସେ
ହାତ ଠାରି ଡାକେ
ମୁଁ କାଳିମାର ଏତେ ବଡ ପ୍ରେମିକାଯେ
ଉଜ୍ଜଳତାର ଧାସକୁ ବି ଡରୁଛି ।
କାଳେ ମୁଁ ପାଉଁଶ ହେଲେ
ସୂର୍ଯ୍ୟ ତାର ଅଧେ ଖଣ୍ଡେ ଆଲୋକ ଶିରାକୁ
କାଢି ଫିଙ୍ଗି ଦେବ ଦେହରୁ ।
ଏ ଜୀବନ ବହିର ଅସ୍ତିତ୍ବକୁ
ଅସ୍ମିତାର ବଳୟକୁ
କେତେ ଥର ବା ବୁଝେଇବି !
ଆଉ ନାଇଁ ମ
ବାସ୍ ହେଇଗଲା
କଳା କଳା ଅକ୍ଷରଗୁଡା
ଲାଲ୍ ହେବା ଆଗରୁ
ମଲାଟର ଉତ୍କୃଷ୍ଟତା ଦେଇ
ସଯତ୍ନେ ଥୋଇଦେବାହିଁ
ଚରମ ଆଉ ସାର୍ଥକ ରାସ୍ତା ।। 

ରଚନା : ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ

ଠିକଣା : ଓଡିଆ ଅଧ୍ୟାପିକା, ସରକାରୀ ଏସ୍ ଏସ୍ ଡି,ଏଚ୍ ଏସ୍ ଏସ୍, ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ, ବାଲିଶଙ୍କରା, ସୁନ୍ଦରଗଡ ।

Post a Comment

0 Comments