Ad

header ads

କ୍ଷୁଦ୍ରଗଳ୍ପ - ଅନ୍ତର୍ଦ୍ଦାହ - ହାସ୍ୟମୟୀ ରାଜ୍

ମୁଁ କୋଣାର୍କ, ମୋ ଚାରିପଟ ଆଜି ଚଳ ଚଞ୍ଚଳ, ମେଳା ମଉଛବର ଆସର.. ହେଲେ ମୁଁ... ମୋ ଭିତରର ଅବସୋସ, ଦୁଃଖକୁ କେହି କେବେ ବୁଝିବାକୁ ଚେଷ୍ଟା କରିନି । ଆଉ ଚନ୍ଦ୍ରଭାଗା ତ ଆଜି ଦୂରେଇ ଯାଇଛି ମୋ'ଠୁ ଅଭିମାନରେ କାହିଁକି ନା ମୁଁ କୁଆଡେ ମାରି ଦେଇଛି ମୋ ପ୍ରାଣର ଧରମାକୁ। କଣ ବା କରିପାରିଥାନ୍ତି ମୁଁ, ଏମିତି ରେ ବି ଆଜି ମୋର କଣ ଅଛି, ଭଗ୍ନ ମୁଖଶାଳା ଧରି ଏମିତି ସେବେଠୁ ଗୁମୁରି ଗୁମୁରି କାନ୍ଦୁଛି, କେବେ କ'ଣ ପୁର୍ଣ୍ଣ ହୋଇପାରିବି ! ଧରମା ଯିବାଠୁ ମୁଁ କଣ ଶାନ୍ତିରେ ଅଛି, ମୁଁ କଣ ଦେଖିନି ବିଶୁ ମହାରଣାର ଆକୁଳ କ୍ରନ୍ଦନ । କିଏ ଏମିତି ବାପ ଅଛି ଯିଏ ନିଜ ପୁଅକୁ ମୃତ୍ଯୁ ମୁଖକୁ ଠେଲିଦେଇ ପାରେ, ହେଲେ କେତେ ନିଃସହାୟ ଥିଲେ ସିଏ, କଣ ବା କରିପାରିଥାନ୍ତେ । ଏକ ବିରାଟ ପ୍ରଶ୍ନବାଚୀ ତାଙ୍କ ସାମ୍ନରେ ପାହାଡ଼ ପରି ଛିଡା ହୋଇଥିଲା... ନା ତାକୁ ଭେଦ କରିପାରୁଥିଲେ , ନା ଅତିକ୍ରମ କରିପାରୁଥିଲେ... ଅମାନିଆ ଲୁହ ଗୁଡାକ ଝର ଝର ହୋଇ ବହିଯାଉଥିଲା, ସତେ ଯେମିତି ସ୍ରୁଷ୍ଟି କରିଦେବ ବନ୍ୟା... ଧରମା କିନ୍ତୁ ଅବିଚଳିତ ଥିଲା....... ବୁଝାଉଥିଲା ବାପାଙ୍କୁ ସତେ ଯେମିତି ଅଝଟ ପୁଅକୁ ଆକାଶରୁ ଯାହ୍ନ ତାରା ତୋଳି ଆଣିଦେବାକୁ ସ୍ବପ୍ନ ଦେଖାଉଥିବା ବାପା। ତାଙ୍କ ଆଖିର ଲୁହକୁ ପୋଛି ଦେଇଥିଲା ସେ, ଆଉ କହିଥିଲା ବାପା ତମେ କଣ ଚାହଁ ତମ ଆଦରର ପୁଅ ପାଇଁ ବାରଶହ ବଢେଇଙ୍କ ଜୀବନ ଓ ସଂସାର ଉଜୁଡି ଯାଉ... ଗୋଟିଏ ଧରମାର ମୃତ୍ୟୁ ଭବିଷ୍ୟତରେ ଅନେକ ଧରମା ଯେ ସ୍ରୁଷ୍ଟି ନକରିବ ସେ କଥା କିଏ କହିବ ! ପୁଅର ଅକାଟ୍ଯ ଯୁକ୍ତି ଆଗରେ ହାରିଯାଇଥିଲେ ସେ। ହେଲେ ତାଙ୍କର ଅନ୍ତର କଣ ତାଙ୍କୁ ଧିକ୍କାର କରିନଥିବ, ଅନୁଶୋଚନାର ଲୁହ ଗୁଡାକ କଣ ତାଙ୍କର ହୃଦୟ ତନ୍ତ୍ରୀକୁ ଖିନ୍ ଭିନ୍ କରୁନଥିବ ଯେ ଏଭଳି ଏକ କାର୍ଯ୍ୟର ଦାୟିତ୍ଵ ସେ କାହିଁକି ନେଇଥିଲେ.....


ଏବେ ବି ମୁଁ ମନେ ରଖିଛି ଧରମାର ପିତାଙ୍କ ପାଖରୁ ବିଦାୟ ନେବାର ସେ କରୁଣ ଦ୍ରୁଶ୍ୟ... ମୋର ପ୍ରତିଟି ରେଣୁକଣା ହୁଏତ ଝୁରି ହେଉଥିବେ ସେଇ ବୁକୁଫଟା ଦ୍ରୁଶ୍ୟକୁ ଆଉ ମୋ ଅସ୍ତିତ୍ବର ଶେଷ ବିନ୍ଦୁଯାଏ ମନେ ରଖିଥିବି ଗଭୀର ନିଶିଥକୁ ଭେଦକରି ଛୁଇଁ ଯାଉଥିବା ଦୁଇଟି ଆତ୍ମାର ସେଇ ଅପୂର୍ବ ମିଳନ ଓ ବିଛେଦର କଥା।



ଚନ୍ଦଭାଗାର ସେଇ ଶାନ୍ତ ଜଳରାଶି ମଧ୍ୟରେ ଚୀରଦିନ ପାଇଁ ଶୋଇଯାଇଥିଲା ଏ ଜାତିର ମହାନ ବୀର । ପାହି ଯାଇଥିଲା ସେଇ କାଳ ରାତ୍ରି । ଯିଏ ହଜେଇ ଦେଇଥିଲା ବାଳକ ଧରମାର ଶେଷ ସ୍ଵର । ନିରବ ନିସ୍ତବ୍ଧ ଥିଲେ ଗଛଲଟା। ଶୁଭୁନଥିଲା ସତେ ପକ୍ଷୀର କାକଳି.. ଗଭୀର ଦୁଃଖ ଯେମିତି ଚତୁଃପାର୍ଶ୍ଵକୁ ଆଛନ୍ନ କରି ରଖିଥିଲା।କିନ୍ତୁ ମୁଁ ବା କାହାକୁ କହିଥାନ୍ତି ମୋର ଦୁଃଖ, ସବୁକିଛି ଦେଖୁଥିଲି ଅନ୍ଧ ଭାବରେ। କଣ ବା କରିପାରିଥାନ୍ତି ମୁଁ, ମୋ ପାଇଁ ବାର ବର୍ଷର ବାଳକ ଧରମାର ଜୀବନ ଦାନ ଆଜି ବି ମୋତେ ତିଳ ତିଳ କରି ଦଗ୍ଧ କରେ। ଯେଉଁଦିନ କଳାପାହାଡର ସୈନ୍ଯ ବାହିନୀ ମୋର ଚୂଡାକୁ ଧ୍ବଂସ କରି ମୋତେ ଧ୍ବସ୍ତ ବିଧ୍ବସ୍ତ କରିଦେଲେ ସେଦିନ ବି ମୋ ନିଜପାଇଁ ମୋତେ ଏତେ କଷ୍ଟ ହୋଇ ନଥିଲା। ଆଉ ଆଜି ମନେ ପଡୁଛି ମୋର ଦଧିନଉତି ବସି ଯାଇଚି ବୋଲି ରାଜ୍ୟ ସାରା ଖୁସିର ଫୁଆରା ଖେଳି ଯାଇଥିଲା.. ଆଉ ମୁଁ ଦେଖୁଥିଲି ବିଶୁମହାରଣା ଙ୍କୁ। ଚନ୍ଦ୍ରଭାଗା ର ସ୍ଥିର ଜଳ ରାଶିକୁ ଚାହିଁ ରହିଥିଲେ ସେ ଏକ ଲୟରେ ଆଖିରୁ ତାଙ୍କର ବହି ଯାଉଥିଲା ଧାର ଧାର ଅଶ୍ରୁ.... ଆଜି କାହିଁକି ଲାଗେ ବାରଶହ ବଢେଇ ନିଜର ସ୍ଵାର୍ଥ ପାଇଁ ଏଭଳି ଜଣେ ବୀର ପୁତ୍ରକୁ ସଲିଳ ସମାଧି ଦେବାକୁ ବି କୁଣ୍ଠାବୋଧ କଲେନି। ଏତେ ନିର୍ଦ୍ଦୟ ହେଇପାରିଲେ କେମିତି ସେମାନେ। ହଁ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କୁ କଣ ଏକଥା କହିପାରି ନଥାନ୍ତେ ! ମୁଣ୍ଡକାଟ ହେଇଥିଲେ ହେଇଥାନ୍ତା ପଛେ। ଏତିକି ସତ୍ ସାହାସ କଣ ସେମାନଙ୍କର ନଥିଲା ! ଆଉ ରାଜା କଣ ଏତେ ହୃଦୟହୀନ ଥିଲେ ଯେ ଏକଥାଟିକୁ ଉଦାର ହୃଦୟରେ ଚିନ୍ତାକରି ନଥାନ୍ତେ.... କ୍ଷୋଭ ଜାତହୁଏ ଯେତେବେଳ ଏ କଥା ମୁଁ ଭାବେ। ଆଜି ମୁଁ ଦେଖେ ଦେଶ ବିଦେଶରୁ ଅନେକ ଲୋକ ପ୍ରତିଦିନ ଧାଇଁ ଆସନ୍ତି ମୋର କଳା ନୈପୁଣ୍ୟକୁ ଉପଭୋଗ କରିବା ପାଇଁ, ଉତ୍ସବର ମାହୋଲ୍ ଭିତରେ ଅଣନିଃଶ୍ୱାସୀ ହୋଇପଡେ ମୁଁ ହେଲେ କେହି କଣ ମୋର ଅନ୍ତର୍ବେଦନାକୁ ବୁଝେ... ବିଶୁ ମହାରଣାର ଦୁଃଖ କଥା ମନେ ପକାଏ, ଆଉ ଧରମା ତ ମହାନ୍ ହେଇଯାଇଛି କାଳ କାଳ ପାଇଁ.. କେବଳ ଏତିକି ସାନ୍ତ୍ଵନା ଛଡା ଆଉ କଣ ଅଛି ! ଆଜି ଶହଶହ ଲୋକଙ୍କୁ ଦେଖିବା ଭିତରେ ମୋ ଆତ୍ମା କିନ୍ତୁ ଖୋଜୁଥାଏ ବୀର ପୁତ୍ର ଧରମାକୁ, ମନ କହୁଥାଏ ଧାଇଁ ଆସନ୍ତା କି ମୋ ଧରମା.. ପରିତୃପ୍ତିର ହସଟିଏ ମୁଁ ହସି ପାରନ୍ତି। ଯାହା ଆଜିଯାଏ ସମ୍ଭବ ହେଇନି କି ଯୁଗ ଯୁଗ ପାଇଁ ସମ୍ଭବ ହେବନାହିଁ।



ରଚନା : ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ :

Post a Comment

0 Comments