Ad

header ads

କ୍ଷୁଦ୍ରଗଳ୍ପ - ଅବଶୋଷ - ହାସ୍ୟମୟୀ ରାଜ୍

ସମୁଦ୍ରର ନୀଳ ଜଳରାଶି ଛୁଇଁ ଯାଉଥିଲା ଅନିମେଶ ବାବୁଙ୍କର ସମଗ୍ର ସତ୍ତାରେ। ତା'ର ଘୁ ଘୁ ଗର୍ଜନ ଭିତରେ ସତେ ଯେମିତି ବିଲୀନ ହେଇଯାଉଥିଲା ତାଙ୍କର ଚିନ୍ତା ଚେତନା ଦୁଃଖ ସବୁକିଛି। ସେ ଆଗକୁ ଆଉ ଭାବି ପାରୁ ନଥିଲେ.... ମୁଣ୍ଡରେ ହାତ ଦେଇ ତାଙ୍କର ଅତି ଆଦରର ସେଇ ବେଳାଭୂମି ଉପରେ ଲଥ୍ କିନା ବସିପଡିଲେ ସେ। ମୁଠାଏ ବାଲିକୁ ଛାତିରେ ଚାପି ପିଲାଙ୍କ ପରି କଇଁ କଇଁ କାନ୍ଦିବାକୁ ଲାଗିଲେ। ଆଖିରୁ ତାଙ୍କର ବହିଯାଉଥିଲା ଧାର ଧାର ଲୁହ। ଆଉ ସେ ଲୁହ ଭିତରେ ସେ ଦେଖୁଥିଲେ ତାଙ୍କ ଅତୀତର ପୁର୍ଣ୍ଣ ପ୍ରତିଛବି....


ତାଙ୍କ ହଷ୍ଟେଲ୍ ଜୀବନରେ ଏଇ ବେଳାଭୂମି ହିଁ ଥିଲା ତାଙ୍କର ଅତି ପ୍ରିୟ ସାଥୀ। ସବୁଦିନ କିଛି ସମୟ ଏଇଠିକୁ ଧାଇଁ ଆସୁଥିଲେ ସେ ତାଙ୍କର ସୁଖ ଦୁଃଖ ବାଣ୍ଟିବାକୁ। ଏଇ ବେଳାଭୂମିରେ କେତେ ଯେ ଜ୍ଯାମିତିକ ଚିତ୍ର ଆଙ୍କି ନାହାନ୍ତି ! କେତେ ଯେ ଗଣିତର ସମାଧାନ କରିନାହାନ୍ତି ସେ। ଯେହେତୁ ସେ ଥିଲେ ଗଣିତର ଛାତ୍ର। ତାର ସ୍ବର୍ଣ୍ଣିମ ସୈକତ ଉପରେ ବସି ଗଣିତର ବ୍ଯାଖ୍ଯା କଲାବେଳେ ଭୂଲିଯାଉଥିଲେ ସୂର୍ଯ୍ୟାସ୍ତ। ହଷ୍ଟେଲ୍ ରୁ ଡକା ପଡୁଥିଲା ତାଙ୍କୁ। ତାଙ୍କର ଛାତ୍ର ଜୀବନରେ ଏଇ ବେଳାଭୂମି ସହ ଏକ ନିରୁତା ସଂପର୍କ ଗଢି ଉଠିଥିଲା। ମନ କେତେବେଳେ ଆନ୍ଦୋଳିତ ହେଲେ ସେ ଚାଲି ଆସୁଥିଲେ ଏଇଠିକୁ। ତାକୁ ଦେଖିଦେଲେ କେମିତି ଏକ ଶାନ୍ତିର ଶୀତଳ ପରଶ ଛୁଇଁ ଯାଉଥିଲା ତାଙ୍କ ହୃଦୟରେ। ସେ ନିରବରେ ନିଶ୍ଚେ କିଛି କହୁଥିଲା ତାଙ୍କୁ। ସେ ବି ଖୁବ୍ ଖୁସି ହେଉଥିଲା ବୋଧେ ଅତୀତର ପ୍ରିୟ ସାଥୀକୁ ପାଖରେ ପାଇ ।



ସେଦିନ ଓ ଆଜି ଅନେକ୍ ତଫାତ୍, ଚାକିରିରୁ ଅବସର ନେଲେଣି ସେ 2 ବର୍ଷ ହେବ। କେତେ ସ୍ବପ୍ନ ଦେଖିଥିଲେ, ଅବସର ପରେ ପୁଅକୁ ବିବାହ କରି ଟିକେ ଶାନ୍ତିରେ ନିଶ୍ବାସ ମାରିବେ... ହେଲେ ଭାଗ୍ୟ ବୋଧେ ତାଙ୍କୁ ଉପହାସ କରୁଥିଲା। ତାଙ୍କର ସୁନାର ସଂସାର ଉପରେ ବୋଧେ କାହାର ନଜର ଲାଗିଗଲା, ଅବସରର ଗୋଟିଏ ବର୍ଷ ବି ଗଲାନି ହଠାତ୍ ସ୍ତ୍ରୀଙ୍କର ଅସୁସ୍ଥତା...... ଅନେକ୍ ଚେଷ୍ଟା ସତ୍ତ୍ୱେ ବି ସବୁକିଛି ନିଷ୍ଫଳ ହେଇଗଲା। ଆଖିବୁଜିଲେ ସ୍ତ୍ରୀ ସବୁଦିନ ପାଇଁ.. ସେଇଦିନ ସେ ଭାବିଲେ ଜୀବନର ସବୁ ସୁଖ ତାଙ୍କର ସରିଗଲା.... ପୁଅ ବୋଲି ଗୋଟିଏ। ସୁଦୂର ବାଙ୍ଗାଲୋର ରେ ତା'ର ଚାକିରି । ଭାବିଥିଲେ ମା'ର ବର୍ଷ ପୁରିଗଲେ ତାର ବାହାଘର କରି ନିଶ୍ଚିନ୍ତ ହେଇଯିବେ ।ପରିବାର ଟା ଟିକେ ହସିଉଠିବ। ବହାଘର ବି ହେଲା ହେଲେ ଅଷ୍ଟ ମଙ୍ଗଳା ଯାଇଛି କି ନାହିଁ, ପୁଅ ସାଙ୍ଗରେ ବାହାରେ ରହିବାକୁ ସମୁଦୁଣୀଙ୍କର ଫରମାଇସ୍.. ପୁଅ ବି ଆଦୌ ଇଚ୍ଛା କରୁ ନଥିଲା ହେଲେ ଛାତିରେ ଅନେକ୍ ଦୁଃଖକୁ ଚାପି ସେ ବୁଝେଇ ଦେଇ ଥିଲେ ତାକୁ, ସେମାନଙ୍କ ଖୁସି ପାଇଁ ତ ଆଜିଯାଏ ଯାହାକିଛି କରି ଆସିଛନ୍ତି, ଆଜିବି ସେଥିରୁ ବିରତ ହେବେ କେମିତି।ତାଙ୍କ ସୁଖତ ସେଇଦିନୁ ସରିଯାଇଛି ତା ବୋଉ ଯେଉଦିନୁ ଆଖିବୁଜିଲା ମନକୁ ବୁଝେଇ ଦେଲେ ସେ । ଜଣେ ସଚୋଟ କର୍ମଚାରୀ ଭାବରେ ଚାକିରିର ସଞ୍ଚିତ ସମସ୍ତ ଅର୍ଥକୁ ବିନିଯୋଗ କରି ଘର ଖଣ୍ଡିଏ ତୋଳିଥିଲେ ,ହେଲେ ଆଜି ଶୂନ୍ୟ କୋଠରୀରେ ଅନୁଭବ କରୁଛନ୍ତି ଏ ଘର ସେ କାହିଁକି ତୋଳିଥିଲେ ଏତେ ଶ୍ରମ ବିନିମୟରେ.... ଇଏ କଣ ସେଇ ସ୍ନେହ ପ୍ରେମ ମମତରେ ଫେଣ୍ଟାଫେଣ୍ଟି ବୈକୁଣ୍ଠ ସମାନ ଘର ଯାହାକୁ ଜୀବନସାରା ସ୍ବପ୍ନ ଦେଖି ଆସିଥିଲେ .......ଆଜି ବୁଝିପାରୁଛନ୍ତି ଘର ତୋଳିଦେବା ହୁଏତ ସହଜ ହେଇପାରେ ହେଲେ ଘର କରିବା ଏତେ ସହଜ ନୁହେଁ..... ଇଏ ତାଙ୍କର ଦୁର୍ଭାଗ୍ୟ ନୁହେଁ ତ କ'ଣ ହେଇପାରେ....... ସେଇଥିପାଇଁ ଏଇ ସମୁଦ୍ର ନିକଟକୁ ଚାଲି ଆସନ୍ତି ସେ । ସେଦିନ ବି ସେ ଥିଲା ସାଥି ଆଉ ଆଜି ବି.... ନୀଳ ସମୁଦ୍ରର ଘୁ ଘୁ ଗର୍ଜନ ଭିତରେ ସତେ ଯେମିତି ତାଙ୍କର ଭାବନା ଗୁଡିକ ବିଲୀନ ହୋଇ ଯାଉଥିଲା ଆଉ ସତେ ଯେମିତି ତାର ବେଳାଭୂମି ତାକୁ ଆଲିଂଗନ କରିବାକୁ ହାତଠାରି ଡାକୁଥିଲା ଆଉ କହୁଥିଲା ମୁଁ ପରା ତୋର ସାଥି.....ଚାଲ୍ ପୁଣି ଫେରିଯିବା ସେଇ ତୋର୍ କଲେଜ୍ ଦିନକୁ.....



ରଚନା : ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ :

Post a Comment

0 Comments