Ad

header ads

କବିତା - ଶାନ୍ତି - ଡକ୍ଟର ନୀଳମାଧବ କର


କେବେ ଆଉ ଆସିବ ତମେ
ଅଙ୍ଗନରେ
କାଉଁରୀ ପରଶ ନେଇ
ସ୍ଵପ୍ନକୁ ସଜେଇ।

ଆବାହନୀ ଝଡ଼ କେଉଁ କାଳୁ
ଗଲେଣି ବାହୁଡ଼ି
ଅଣୁ ପରମାଣୁ ଭେଦି
ତନ୍ତ୍ରୀ ଦୋହଲାଇ।

ଆଗକୁ ଆଉ କିଛି ଋତୁ ନାହିଁ
ଦୃଶ୍ୟ ନାହିଁ
ରଙ୍ଗମଞ୍ଚରେ
ଧୂସର ଜୋଛନା
ଭୟଙ୍କର ବୃକ୍ଷର ପଞ୍ଜରା
ଅଟକି ଯାଇଥିବା
ନିରୀହ ଜଳର ଆଇନାରେ
ଅଶରୀରୀ ଛାଇ ଏଠି ସେଠି।

ଆଗକୁ ଆଉ କିଛି ଋତୁ ନାହିଁ
ଦୃଶ୍ୟ ନାହିଁ
ତମ ଆସିବା ପାଇଁ
ସେ ସବୁଜ ପୃଥିବୀ ନାହିଁ
ନୀଳ ସମୁଦ୍ର ନାହିଁ
ଆକାଶ ନାହିଁ, ବର୍ଷା ନାହିଁ।
ତମକୁ ଭଲ ପାଇବାକୁ
ହୃଦୟଟେ ବି ନାହିଁ।
ତମ ଆଗମନୀର ଆଶାରେ
ଅପେକ୍ଷାରେ, ସମୟ (ବି) ସରି ଯାଇଛି
ତିଳ ତିଳ ହେଇ।

ଆଗକୁ ଆଉ କିଛି ଋତୁ ନାହିଁ
ଦୃଶ୍ୟ ନାହିଁ
ଆମେ କ୍ଲାନ୍ତ – ଆମ କବରରେ
ଜୀବନ୍ତ ଆଶାଟେ ସହ –
ସତେ କି ଆସିବ ତମେ
ସିଞ୍ଚିଦେଇ ସଞ୍ଜୀବନୀ ମନ୍ତ୍ର !

ଡା. ନୀଳମାଧବ କର, ମନରୋଗ ଚିକିତ୍ସକ, ଓଲଭର ହାମ୍ପଟନ, ଇଂଲଣ୍ଡ

Post a Comment

0 Comments