Ad

header ads

ସାରଳା ମହାଭାରତ - ଶମ୍ଭୁରାଣ ଉପାଖ୍ୟାନ - ସମ୍ଭବ ପର୍ବ - ଆଦିକବି ସାରଳା ଦାସ

ଶମ୍ଭୁରାଣ ଉପାଖ୍ୟାନ (ସମ୍ଭବ ପର୍ବ)

ବିଭୁଋଷର ନନ୍ଦନ ଶମ୍ଭୁରାଣ ଆଧିପତି
ଆଦି ଦିଗପାଳ ମାନନ୍ତ ସେ ବରିଲା ସବୁନ୍ତି ।୧ ।
ବିଶ୍ୱାନଳ କରି ୟେ କଲାକ ଭିଆଣ
ମହାପ୍ରତାପୀ ଯେ ହୋଇଲା ଶମ୍ଭୁରାଣ ।୨ ।
ସୂର୍ଯ୍ୟଙ୍କର ନନ୍ଦନୀ ଯେ ହୋଇଲା ତପତୀ
ଦେବତାୟେ ସହି ନ ପାରିଲେ କନ୍ୟାର ତେଜ ଯେ ମୂରତି ।୩ ।
କେବଳ ମାତ୍ର ତାହାକୁ ସଂଗ୍ୟାଂ ଜନ୍ମ ଦେଲେ
ଅତ୍ୟନ୍ତମତେ କେ କତିକି ଯାଇଂ ନୁଆରିଲେ ।୪ ।
ଆକାଶେ ସୟଂବର କରିଲେ ଦେବ ଆଦି
ଦିଗପାଳମାନନ୍ତ ବରି ସଭାୟେ ସ-ାଦି ।୫ ।
ତ୍ରିଦଶ ଦେବତାୟେ ବସିଲେ ଆସ୍ତାନେ
ତପତୀ ସୟଂବର ଚରିତ ବିଦ୍ୟମାନେ ।୬ ।
ନବସାଗର ଯେ ବ୍ରହ୍ମଋଷିମାନନ୍ତ ଘେନି
ମଳୟ ମଣ୍ଡଳେ ଯାଇଂ ବିଜୟେ ପଦ୍ମଯୋନି ।୭ ।
ଚଉଦ କୋଟି ଯେ ଶିବଗଣନ୍ତ ଘେନି ତୁଲେ
ବୃଷଭ ବାହନେ ଯାଇଂ ରୁଦ୍ରେ ବିଜେ କଲେ ।୮ ।
ଅଳକା ଭୁବନୁଂ ବିଜେ କୁବେର ଦେବତା
ସାତ ପଦ୍ମ ସଇନି ଘେନି ଧନାଧିପ ଉପଗତା ।୯ ।
ଅମର ଭୁବନ ତେଜି ଅଇଲେ ଅମରାଧି
ଅଇରାବ୍ରତ ଆରୋହି ବିଜୟେ ଜମ୍ଭୋଭେଦୀ ।୧୦ ।
ଚଉଷଠି ପୁତ୍ର ଘେନିଣ ଅମରଗଣ ସଂ
ବିଜୟେ ସୁରନାଥ ସୂର୍ଯ୍ୟ ସଭାୟେଣ ।୧୧ ।
ଅଣଚାଶ ପବନ ପକ୍ଷ ଯେ କିନ୍ନର
କାଳଗଣନ୍ତ ଘେନି ବିଜୟେ ନାଶକର ।୧୨ ।
ମଧୁକର ମଳୟ ବସନ୍ତ ଅନନ୍ତ
ବିଜୟେ କରୁଣାକର ଗଗନାଧିନାଥ ।୧୩ ।
ଗର୍ଜନ ନାଦ କରି ନିର୍ଘାତ ନରପତି
ସଅମ୍ୱରେ ବିଜୟେ ଯାଇ ମଣ୍ଡଳ ଚକ୍ରବ୍ରତୀ ।୧୪ ।
ମେଘମାଳ ସହିତେ ନୃପତି ହେମବନ୍ତ
ସେହି ପ୍ରବେଶ ହୋଇଲେ ମଳୟ ପର୍ବତ ।୧୫ ।
ଆହୋ ଗନ୍ଧର୍ବ ଯକ୍ଷ କିନ୍ନର ସୁରସିଦ୍ଧ ମୁନି
ସୟମ୍ୱର କଲେ ସେ ଦେବତା ମାନନ୍ତ ଘେନି ।୧୬ ।
ୟେସନେକ ସୟମ୍ୱର ଦେଖିଣ ବିବୁଧଆଦି
ଦେବତାନ୍ତ ସମାର୍ଜନା କଲେ ଦେବ ଯେ ଅନାଦି ।୧୭ ।
ତ୍ରିଦଶ ଦେବତାମାନେ ବସିଲେ ଆସ୍ତାନେ
ବିନୟ ଭାବେ ପଚାରନ୍ତି ଗଗନାଧି ଶୂନ୍ୟେ ।୧୮ ।
ୟେ ମୋହୋର ଦୁହିତା ଯେ ଅଟଇ ତପତୀ
ସୟଂବର ନିମନ୍ତେ ମୁଂ ବରିଲି ସବୁନ୍ତି ।୧୯ ।
ୟେ ଯାହାର କଣ୍ଠେ ନେଇ ଦେବ ପୁଷ୍ପମାଳି
ସେ ତାହାର ବଲ୍ଲଭ ହୋଇବ ସତ୍ୟ ପ୍ରତିପାଳି ।୨୦ ।
ତ୍ରିଦଶ ଦେବତାୟେ ଅନେକ ବେଶ ବେଶନେ
ବିଜୟେ ବୃନ୍ଦାଅର୍କେ ପଦ୍ମ ଯେ ଆସନେ ।୨୧ ।
ବଦୟନ୍ତି କରତା ଶୁଣ ଗୋ ତପତୀ
ତୋହୋର ନିମନ୍ତେ ମୁଂ ବରିଲି ସବୁନ୍ତି ।୨୨ ।
ଯାହାକୁ ଇଛା ଗୋ ବର ତୋହୋର ଚିତ୍ତେ
ପାରିଜାତକ ପୁଷ୍ପମାଳ ଗୋ ଦିଅ ତୋହାର ହୃଦଗତେ ।୨୩ ।
ପିତାର ବଚନ ଯେ ଶୁଣିଣ ତପତୀ
ମାଳା ଘେନି ମିଳିଲା ସେ ସୁରନାଥର କତି ।୨୪ ।
ତପତୀର ତେଜ ଜାଳା ଅନଳ ପରାୟେ
ଭୟେଣ ଅନ୍ତର ତହୁଂ ଯେ ହୋଇଲେ ସୁରରାୟେ ।୨୫ ।
ଇନ୍ଦ୍ର ଦେବତା ଯହୁଂ ଅନ୍ତର ହୋଇଲା
ମାଳା ଘେନି ତପତୀ କୁବେର ସନ୍ନିଧ୍ୟେ ମିଳିଲା ।୨୬ ।
ପାଶକୁ ଆସନ୍ତେ ସେ ସାଂଗ୍ୟାର ଦୁଲଳା
ତପତୀର ତେଜ ଯେ ଲାଗିଲା ମହାଜାଳା ।୨୭ ।
କୁବେର ଦେବତା ଯେ ସଭାରେ ନ ରହିଲେ
ଉଠିଣ ଆପଣା ଭୁବନେ ଚଳି ଗଲେ ।୨୮ ।
ତହୁଂ ମାଳା ଘେନି ଚଳିଲା ସୂର୍ଯ୍ୟର ନନ୍ଦନୀ
ସନ୍ନିଧ୍ୟେଣ ଦେଖିଲା ସେ ଦେବ ପଦ୍ମଯୋନି ।୨୯ ।
ଆହୋ ତପତୀର ତେଜ ଯେ ମହାଅନଳ ପରାୟେ
ମରୁଳ ଆରୋହି ପିତା ହୋଇଲେ ଅନ୍ତର୍ଦ୍ଧାୟେ ।୩୦ ।
ପିତାମହଙ୍କୁ ନ ଦେଖି ସେ ଦିନକର କୁମାରୀ
ମାଳା ଘେନି ମିଳିଲା ଯହିଂ ବିଜୟେ ତ୍ରିପୁରାରି ।୩୧ ।
ସଦାଶିବ କତିକୁ ଯାଆନ୍ତେଣ ଅବଳା
ରୁଦ୍ର ଶରୀରେ ସେ ଲାଗିଲା ମହାଜାଳା ।୩୨ ।
ଭୟେଣ ଘୁଞ୍ଚିଲେ ସେ ଦେବ ପଞ୍ଚୁମଉଳି
ଶିବଗଣ ମାନନ୍ତ ଘେନି ସେ କପିଳାସେ ଗଲେ ଚଳି ।୩୩ ।
ପୁଣି ମାଳାୟେକ ଯେ ଘେନିଣ ତପତୀ
ବିଜୟେ ସୁନ୍ଦରୀ ଯାଇଁ ହେମବନ୍ତର କତି ।୩୪ ।
ଦେଖିଣ ଭୟେ ସେ କଲା ହେମବନ୍ତ
ଆସ୍ତାନୁଂ ଉଠି ସେ ଚଳିଗଲା ଶୂନ୍ୟପଥ ।୩୫ ।
ଆହୋ ତପତୀର ତେଜେ ପଳାଇଲେ ବୃନ୍ଦାଅର୍କେ
ଯେ ଯାହାର ଭୁବନେ ଯେ ମିଳିଲେ ଦେବଲୋକେ ।୩୬ ।
ଆଦିତ୍ୟ ବୋଇଲେ ୟେ ସୟଂବର ସରିଲା
କେହି ତ କନ୍ୟାକୁ ମୋ ବରଣ ନୋହିଲା ।୩୭ ।
ଦୋହିତା ହୋଇଂ ଯେବେ ପିତା ଘରେଣ ରଜବତୀ
ପିତୃ ଲୋକମାନେ ଯେ ପାବନ୍ତି ନର୍କ ଗତି ।୩୮ ।
ୟେସନେକେ ବିଚାର କରନ୍ତେଣ ଦେବ ସୂର୍ଯ୍ୟ
ଅଶ୍ୱେକ ଚଢିଣ ବିଜେ କଲେ ଶମ୍ଭୁରାଣ ମହାରାଜ ।୩୯ ।
ବଦୟନ୍ତି କରତାର ଶୁଣ ଗୋ ତପତୀ
ୟେ ମହାରାଜା ଗୋ ସୋମବଂଶର ଆଧିପତି ।୪୦ ।
ୟେହାର ବଂଶେ ଗୋ ଅମରେ ହୁଅନ୍ତି ପାଟ
ମାଳା ଘେନି ୟାଇଂ ଗୋ ୟେହାର ସନ୍ନିଧ୍ୟେଣ ଭେଟ ।୪୧ ।
ପିତାଙ୍କର ବଚନେଣ ସେ ମୃଗନୟନୀ
ମିଳିଲାକ ସୁନ୍ଦରୀ କରେ ମାଳ ଅର୍ଘ୍ୟ ଘେନି ।୪୨ ।
ଅଶ୍ୱ ଉପରେଂ ବିଜେ କରିଛନ୍ତି ଶମ୍ଭୁରାଣ
ମାଳା ଘେନିଣ ତପତୀ ମିଳିଲା ସନ୍ନିଧ୍ୟେଣ ।୪୩ ।
ନୃପତି ହୃଦରେ ନେଇ ଦିଲାକ ପୁଷ୍ପମାଳେ
ଶ୍ରୀଭୁଜେ ଧରିନେଇ ଶମ୍ଭୁରାଣ ବସାଇଲେ କୋଳେ ।୪୪ ।
ଦେଖିଣ ପରମ ସାନନ୍ଦ ଦେବ ଅଂଶୁମାଳୀ
ସାଧୁ ସାଧୁ ଶମ୍ଭୁରାଣ ବୋଲି ଜୟେ ଧୁନି ତୋଳି ।୪୫ ।
ଅନେକ ସମ୍ଭର୍ବେ ସେ ରାଜାଧିରାଜପତି
ତପତୀ ପ୍ରଦାନ ଯେ କଲାକ ଯଥାରୀତି ।୪୬ ।

ପୂର୍ବବର୍ତ୍ତୀ   ॥   ପରବର୍ତ୍ତୀ

Post a Comment

0 Comments