Ad

header ads

ସାରଳା ମହାଭାରତ - ଶାନ୍ତନୁ ଉପାଖ୍ୟାନ - ସମ୍ଭବ ପର୍ବ - ଆଦିକବି ସାରଳା ଦାସ

ଶାନ୍ତନୁ ଉପାଖ୍ୟାନ (ସମ୍ଭବ ପର୍ବ)

ତହୁଂ ସେ କୁରୁ ବଂଶ ଜଗତେ ବିଖ୍ୟାତି
କୁରୁର ଭାରିଯା ଯେ ଅଟଇ ଭାନୁବତୀ ।୧ ।
ୟେହାର ତହୁଂ ଉପୁଜିଲା ପାର୍ଥିବ ନରପତି
ୟେମନ୍ତେଣ ସୋମବଂଶ ହୋଇଲା ଉତପତ୍ତି ।୨ ।
ପାର୍ଥିବର ଭାରିଯା ଚିତ୍ର ଯେ ଉତ୍‍ପଲା
ଶାୟେଂତନୁ ରାଜଋଷି ୟେହାଙ୍କର ବଳା ।୩ ।
ଶାୟେଂତନୁ ମହାରାୟେ ରୁଦ୍ରଙ୍କୁ ସେବାକଲେ
ସପତ ଦ୍ୱୀପେ ସେ ୟେକାଙ୍ଗ ଚକ୍ରବ୍ରତୀ ହେଲେ ।୪ ।
ଅତିଅନ୍ତ ଭଗତି ସେ କାଶୀ ସେବା କରି
କଷା କଉପୁନି ହୋଇଲେ ମାଥେ ଜଟାଧାରୀ ।୫ ।
ସୋମେକ ରୂପେ ହର ଗୋହତ୍ୟା ଦୋଷ କଲେ
ହଟକେଶ୍ୱର ବୋଲି ପାତାଳେ କପିଳାସେ ରଞ୍ଚିଲେ ।୬ ।
ଶିବ ସେବା କରି ତହୁଂ ରହିଲେ ଶାୟେଂତନୁ
ମଞ୍ଚକୁ ନ ଆସନ୍ତି ସେ ପାତାଳ ଭୁବନୁଂ ।୭ ।
ପାତାଳେ ଥାଇଂ ସେ ମଞ୍ଚକୁ ଦ୍ୟନ୍ତି ଦୃଷ୍ଟି
ଦିବ୍ୟ ଚକ୍ଷୁରେ ଦେଖନ୍ତି ରାଜ୍ୟକୁ ପଡିଲେ ଅରଷ୍ଟି ।୮ ।
ଦଇତ ଦାନବେ ଯେବେ କରନ୍ତି ଅନୀତି
ପାତାଳେ ଥାଇଂ ସେ ନାରାଜ ବିନ୍ଧିଲେ ମଞ୍ଚେ ହୋନ୍ତି ବିନଶ୍ୟତି ।୯ ।
ୟେସନେକ ସେବା କରିଥାନ୍ତି ବିଶ୍ୱନାଥ
ସପତ ଦ୍ୱୀପା ନିଛତ୍ରୀ କରି ରାଜ୍ୟ କରନ୍ତି ୟେକଛତ୍ର ।୧୦ ।
ସପତ ଦ୍ୱୀପକୁ ମନ୍ତ୍ରବଳେ ସେ ସପତ ନାରାଜ ପେଷି
ସୁଦରଶନ ଚକ୍ର ପ୍ରାୟେ ବୁଲଇ ଦିବା ନିଶି ।୧୧ ।
ବଳ ଦୁର୍ବଳ କଲେ ସେ ପକାବନ୍ତି ଶିରଛେଦି
ୟେମନ୍ତେ ସପତ ଦ୍ୱୀପ ସତ୍ୟରେ ଚଳାନ୍ତି ସ-ାଦି ।୧୨ ।
ଆହୋ ସୋମବଂଶ ରାଜ୍ୟେ ପରଜା ଉପୁଜାଇ ଯେବଣ କୃଷି
ବାଟିକେ ଚିନାୟେ ସଂଜା ଦେଇ ନିଅଇ ବେନିରାଶି ।୧୩ ।
ଇନ୍ଦ୍ର ଦେବତାର ତୁଲେ ତାର ଅନେକ ଭାବେ ପୀରତି
କୃଷି ଭୂମିରେ ମେଘେ ବରଷନ୍ତି ରାତି ।୧୪ ।
ସନ୍ତାନ ଶୋଚନା ନାସ୍ତି ବ୍ରତନ୍ତି ଜନପ୍ରଜା
ୟେସନେକ ସାର୍ଥୁକ ସେ ସୋମବଂଶ ରାଜା ।୧୫ ।
ଗଙ୍ଗା ଜାତ ହୋଇଲେ ଯେ ନିର୍ଘାତର ଘରେ
ଧବଳ ରୁଚିର ବପୁ ଶୁକ୍ଲାମ୍ୱର ଶରୀରେ ।୧୬ ।
ନିର୍ଘାତ ପାଳଇ ସେ ଅନାଦି ନିରଞ୍ଜନୀ
ତ୍ରୟୋଦଶ ବରଷ ଯେ ହୋଇଲା ନନ୍ଦନୀ ।୧୭ ।
ନିର୍ଘାତ ବୋଇଲା ମାଗୋ ମୁଂ କେମନ୍ତ କରିବି
କୁମାରୀ ରୂପ ହୋଇଲୁ ତୋତେ କାହାକୁ ମୁହିଂ ଦେବି ।୧୮ ।
ବଡାଇ ନିରାକୁଳୀ ତୁ ଅଟୁ ଦେବୀ ତୋୟା
ତୋତେ ଦେଖିଣ ମୁଂ କରଇ ବଡ ଭୟା ।୧୯ ।
ଗଙ୍ଗା ବୋଇଲେ ତୁ ଶୁଣସି ମୋହୋର ପିତା
ମୋହୋର ବଲ୍ଲଭ ସେ ଅଟଇ ରୁଦ୍ର ଯେ ଦେବତା ।୨୦ ।
ସେ ମୋହୋର ପ୍ରାଣନାଥ ଅଟନ୍ତି ଦେବ ଯେ ତ୍ରିଶୂଳୀ
ସେହି ସେ ସହି ପାରନ୍ତି ନା ମୋହୋର ଆର୍ଦୋଳି ।୨୧ ।
ନିର୍ଘାତ ବୋଇଲା ମାଗୋ ଶୁଣ ଧବଳାଙ୍ଗି
ବ୍ରହ୍ମହତ୍ୟା କଲା ସେ ରୁଦ୍ର ପରମ ଯୋଗୀ ।୨୨ ।
ଅନେକ ତୀର୍ଥ ସେ କଲେ ବିଶ୍ୱକାଶୀ
ପାତାଳେ ବସିଲେ ସେ ହୋଇଣ ବଡ ଦୋଷୀ ।୨୩ ।
ଗଙ୍ଗା ବୋଇଲେ ପିତା ମୁଂ ଥିବି ତୋହୋର ଘରେ
ଯେତେ କାଳେ ଆସିବେ କରିବି ବିଶ୍ୱେଶ୍ୱରେ ।୨୪ ।

ଶାନ୍ତନୁ ବିବାହ (ଚିତ୍ରବୀର୍ଯ୍ୟ, ବିଚିତ୍ରବୀର୍ଯ୍ୟ ଓ ଭୀଷ୍ମଙ୍କର ଜନ୍ମ)

ୟେମନ୍ତେ ପିତାର ଘରେ ଯେ ଅଛଇ ଗଙ୍ଗାବାଳୀ
କୁମାରୀମାନଙ୍କ ସଂଗେ ସେ ଖେଳଇ କୁତୁହୋଳୀ ।୧ ।
ପିତାର ଘରେ ଯହୁଂ ସହସ୍ରେ ବରଷ ବହିଗଲା
ଦୋହିତାକୁ ଦେଖିଣ ନିର୍ଘାତ ଅନେକ କ୍ରୋଧକଲା ।୨ ।
ସ୍ତିରୀ ଜନ୍ମ ନିଷ୍ଫଳ ଗୋ ହୋଇଲା ମାତା ତୁକୁ
ଲାଞ୍ଛିଲା ହୋଇଲା ମୁକୁ ସୟଂବର କରି ବରିକି ଆଣିମି ଦେବତାଙ୍କୁ ।୩ ।
ଯାହାକୁ ଭାବଇ ମାଗୋ ତୋହୋର ମନ ଇଛା
ମାଳା ଦେଇଂ ବର ଗୋ ଯେ ତୋହୋର ମନବାଞ୍ଛା ।୪ ।
ଗଙ୍ଗା ବୋଇଲେ ତୁ ବିମୁଖ ନୋହ ତାତ
ରୁଦ୍ର ଦେବତାହୁଂ ଆନରେ ମୋର ନାହିଁ ପ୍ରିୟମତ ।୫ ।
ସେ ମୋହୋର ବଲ୍ଲଭ ମୁଂ ତାହାର ନାରୀ
ଅନେକ ଜନ୍ମରେ ମୁହିଂ ସଦାଶିବଙ୍କ ମନୋହାରୀ ।୬ ।
ନିର୍ଘାତ ବୋଇଲା ମାଗୋ କହଇ ମୁହିଂ ତୋତେ
ତୋହୋର ଅବସ୍ଥାୟେଣ ଅନେକ ଦୋଷ ମୋତେ ।୭ ।
ଅବିଭାୟୀ ଦୋହିତା ପିତା ଘରେ ହୋଇଲେ ରଜବତୀ
ୟେକୋଇଶ ପୁରୁଷ ପରିଯନ୍ତେ ପିତୃ ଲୋକଙ୍କୁ ଅଗତି ।୮ ।
ଗଙ୍ଗା ବୋଇଲେ ଯେବେ ଅନେକ ଯୁଗ ବହି ଯିବ
ୟେହିମତେ ଥିବି ତାତ ହୋଇଣ ବାଳ ଭାବ ।୯ ।
ନିର୍ଘାତ ପରମ ସାନନ୍ଦ ସେ ଦୋହିତାର ବଚନେ
ରହିଲେ ଜାହ୍ନବୀ ଯେ ପିତାର ଭୁବନେ ।୧୦ ।
ଗଙ୍ଗାର ଜନମେଣ ଯେ ସତ୍ୟ ଯୁଗ ବହିଗଲା
ରୁଦ୍ର ଦେବତାଙ୍କୁ ସେ ଭେଟ ନ ପାଇଲା ।୧୧ ।
ସତ୍ୟ ଯୁଗ ସତର ଲକ୍ଷ ଅଠାଅଶୀ ସହସ୍ର ବରଷ
ଖେଳଇ ନିର୍ଘାତ ଘରେ ଦେବୀ ବାଳୁତ ବୟସ ।୧୨ ।
ତ୍ରେତୟା ଯୁଗ ବାରଲକ୍ଷ ଛୟାଣୋଇ ସହସ୍ର ବରଷ ହାଦେଗଲା
ତଦ୍ୟାପି ଗଙ୍ଗାର ତୁଲେଶ୍ୱର ଭେଟ ନ ପଡିଲା ।୧୩ ।
ତ୍ରେତୟା ଯୁଗ ଅନ୍ତରେ ଯେ ରୁଦ୍ର ପଞ୍ଚୁମନୁ
ଦିବାରାତ୍ରେଣ ଖଟିଥାନ୍ତି ସେ ଋଷି ଶାୟେଂତନୁ ।୧୪ ।
ସଦାନନ୍ଦ ପୁରୁଷ ଆସି ପ୍ରସନ୍ନ ହୋଇଲେ
ଦୁତୀଶ୍ୱର ପଦ ସେ ଶାୟେଂତନୁକୁ ଯେ ଦିଲେ ।୧୫ ।
ବୋଲନ୍ତି କପାଳୀ ତୁ ଯାଅସି ସ୍ୱର୍ଗ ମଞ୍ଚ
ଭ୍ରମଣ କରି ଦେଖ ତୁହି ଭୁବନ ସୁସଞ୍ଚ ।୧୬ ।
କେବଣ ପୁରେ ଯେ କେବଣ ହୋଇଛନ୍ତି ଦେବେ
ୟେହା ବୁଝସି ତୁ ଚଳ ସ୍ୱର୍ଗ ମଞ୍ଚ ୟେବେ ।୧୭ ।
ସଦାଶିବର ବଚନେ ସେ ଚଳନ୍ତି ସୋମବଂଶୀ
ରୁଦ୍ର ଅବତାର ସେ ଶାୟେଂତନୁ ମହଋଷି ।୧୮ ।
ବଇଲେକ ଆରୋହି ସେ ମଥାରେ ଜଟାଧାରୀ
ଧବଳ ବର୍ଣ୍ଣ ଶରୀର ସେ ଦିଶଇ ଯେହ୍ନେ ତ୍ରିପୁରାରି ।୧୯ ।
ଗମଇ ଆକାଶେ ସେ ସୋମବଂଶୀ ଚକ୍ରବ୍ରତୀ
ଲକ୍ଷେକ ଡମ୍ୱରୁ ସେ ଶୂନ୍ୟେଣ ବାଜନ୍ତି ।୨୦ ।
କରେଣ ପିନାକୀ ସମାନେଣ ୟେକ ଧନୁୟେ
ଆରେକ ଭୁଜେଣ ଶୋହଇ ତ୍ରିଶୂଳ ଗୋଟାୟେ ।୨୧ ।
ଭସ୍ମ ବିଲେପନ ରୁଦ୍ରାକ୍ଷ ମାଳା ହୃଦେ
ଧବଳ ଶରୀର କି ପ୍ରତକ୍ଷେ ସଦାନନ୍ଦେ ।୨୨ ।
ୟେସନେକେ କରଇ ସେ ଆକାଶେ ଦିଗ ବିଜେ
ଇଶ୍ଵର ପ୍ରାୟେ ଦେଖି ପୂଜା କଲେ ଦେବରାଜେ ।୨୩ ।
ଅୟେଂଳା ବୃକ୍ଷ ତଳେ ଗଙ୍ଗା ତପ କରୁଥିଲା
ଭୋଳମତି ବେଳେଣ ତାର ଚିତ୍ତ ଯେ ବଳିଲା ।୨୪ ।
ଦେଖିଣ ବଚନ ଯେ ବୋଲଇ ନିରିଘାତ
ଶାୟେଂତନୁର ଭାରିଯା ହୁଅସି ଗୋ ମାତ ।୨୫ ।
ପିତାର ବଚନେ ସେ ତୁଷ୍ଟ ଧବଳାଙ୍ଗୀ
ନିର୍ଘାତ ହାତରୁ ମାଳାୟେକ ନେଇ ଗଳାରେ ତାହାକଇଂ ଲାଗି ।୨୬ ।
ଜଳ ତିଳ ଘେନିଣ ସଂକଳ୍ପ ରାୟେ କଲା
ଦୋହିତା ତୋତେ ଦେବି ବୋଲି ସତ୍ୟ ମନାସିଲା ।୨୭ ।
ୟେ ମୋହୋର ସତ୍ୟ ସତ୍ୟ ବୋଲଇ ତିନିବାରେ
ବରିଣ ନିର୍ଘାତ ଯେ ବସାଇଲା କୋଳରେ ।୨୮ ।
ଅନେକ ବାଗେଣ ସେ ଯେ ପୂଜା ବିଧି କଲା
ଦୋହିତାର ନିମନ୍ତେ ସେ ସତ୍ୟ ଯେ ପାଳିଲା ।୨୯ ।
ବର ବେଶ ହୋଇଣ ବସିଲେ ଶାୟେଂତନୁ ମହଋଷି
ଦୃଭାସା ମହଋଷି ତହିଂ ମିଳିଲେ ବେଗେ ଆସି ।୩୦ ।
ମେଷ କୃଷ୍ଣ ଚତୁର୍ଥୀ ଯେ ତିଥି ଚନ୍ଦ୍ରବାରେଶଚ୍ଛତ୍ତଚ୍ଛଜ୍ଞମଚ୍ଛଟ୍ଟର
ହସ୍ତା ନକ୍ଷତ୍ର ଯେ ବେଳ ତୃତୀୟ ପ୍ରହରେ ।୩୧ ।
କନ୍ୟା ଲଗ୍ନ ତାରଚନ୍ଦ୍ର ଶୁଦ୍ଧି ଶୁଭବେଳ
ବୃଦ୍ଧି ନାମେ ଯୋଗ ପୁଣି କରଣ ତୈତିଳ ।୩୨ ।
ୟେସନେକ ସମୟେ ଯେ ସୀଉକାର ସାରି
ଓହୋକୁଳର ସେ ଗୋତ୍ରନ୍ତ ଉଚ୍ଚାରି ।୩୩ ।
ବୋଲନ୍ତି ପୁରୋହିତେ ଯେ ଗୋତ୍ର କହ ବର
ପିତା ମାତାଙ୍କର ନାମ ଯେ ତୋହୋର ଧର ।୩୪ ।
ଶାୟେଂତନୁ ବୋଇଲେ ଆମ୍ଭେ ଅଟୁ ସୋମଗୋତ୍ରୀ
ଆମ୍ଭ ପଣ ବାପା ଯେ ଶମ୍ଭୁରାଣ ନୃପତି ।୩୫ ।
ଶମ୍ଭୁରାଣର ପୁତ୍ର ଯେ ଅଟଇ କୁରୁ ନରନାଥ
ତାହାର ନନ୍ଦନ ପାର୍ଥିବ ନୃପତି ସାମରଥ ।୩୬ ।
ପାର୍ଥିବର ନନ୍ଦନ ଯେ ଆମ୍ଭେ ଅଟୁ ପୁତ୍ର ।୩୭ ।
ଶାୟେଂତନୁର ମୁଖୁଂ ୟେସନକ ବାକ୍ୟ ଶୁଣି
ବିସ୍ମୟ ହୋଇଲେ ସେ ଗଙ୍ଗା ଗୋସାମଣୀ ।୩୮ ।
ଗଙ୍ଗା ବୋଇଲେ ତୁ ମନ୍ଦ କୃତ୍ୟ କଲୁ ତାତ
ନୋହଇ ଇଶ୍ଵର ୟେ ନୋହୋଇ ବିଶ୍ୱନାଥ ।୩୯ ।
ଇଶ୍ଵର ଦେବତାର ଯେ କୁଳ ଗୋତ୍ର ନାହିଁ
ପିତା ଅଜା ପଣ ଅଜା ତାହାର ପୁଣ ଅଛି କାହିଂ ।୪୦ ।
ଯେ ସେ ସ୍ୱାମୀ ଅଟଇ ଇଶ୍ଵର ଦଇବତ
ଅକୁଳ ଅମାର୍ଗ ନିଶ୍ଚଳ ନାହିଂ ତାର ଗୋତ୍ର ।୪୧ ।
ୟେତେ କହି ଗଙ୍ଗା ଉଠିଣ ଗଲେ ପିତାର କୋଳରୁ
ନିର୍ଘାତ ବୋଇଲା ମାଗୋ କିପାଇଂ ନାସ୍ତିକରୁ ।୪୨ ।
ଇଶ୍ଵର ବରିବି ବୋଲି ମୁଁ ମନେ କଲି ଇଛା
ଦୁଇ ଯୁଗ ପରିଯନ୍ତେ ଦୁଖ ପଡି ନ ପାଇଲି ମନବାଞ୍ଛା ।୪୩ ।
ନିର୍ଘାତ ବୋଇଲେ ମାଗୋ ମୁଂ ଯେ ସତ୍ୟ କଲି
ସଂକଳ୍ପ କରନ୍ତେ ମୁଂ ଯେ ତୋତେ ପଚାରିଲି ।୪୪ ।
ତୋହୋର ବଚନେ ମୁଂ ଯେ ସତ୍ୟ କଲି ୟେହାଙ୍କୁ
ସତ୍ୟ ଭଗ୍ନ ଦୋଷ ମାଗୋ ହୋଉଛିଟି ମୁକୁ ।୪୫ ।
ପିତାର ବଚନ ଯେ ଶୁଣିଣ ଧବଳାଙ୍ଗୀ
ବାହୁଡିଣ ଆସି ଦେବୀ ବସିଲାକ ବେଗି ।୪୬ ।
ଗଙ୍ଗା ବୋଇଲେ ତୁମ୍ଭେ ଶୁଣ ଶାୟେଂତନୁ
ମୋହୋର ବଲ୍ଲଭ ଯେ ଅଟନ୍ତି ପଞ୍ଚୁନନୁ ।୪୭ ।
ଇଶ୍ଵର ବୋଲି ମୁଂ ତୋତେ କଲି ସନମତ
ନ ଜାଣି ସତ୍ୟ ତୋତେ କଲା ମୋର ତାତ ।୪୮ ।
ତୋହୋର ମନରେ ଯେ ବିଚାର କର ଭାଳି
ତୁ ସହି ପାରିବୁଟିକି ମୋହୋର ଆର୍ଦୋଳି ।୪୯ ।
ଆହୋ ଇଶ୍ଵର ଦେବତା ଯେ ସହି ନୁଆରିଲା
ବ୍ରହ୍ମାର କମଣ୍ଡଳେ ସେ ଦେଇଣ ମୋତେ ଗଲା ।୫୦ ।
ପିତାମହ ସହି ନପାରିଲା ମୋହୋର ଆରଦୋଳି
ବାମନ ନାରାୟଣ ପାଦେ ମୋତେ ନେଇ ଢାଳି ।୫୧ ।
ଆହୋ ବାମନ ଦେବତା ମୋତେ ନ ପାରିଲା ସହି
ମେରୁର କ୍ରୋଟରେ ଛାଡିଗଲା ମୋତେ ନେଇ ।୫୨ ।
ସେ ନ୍ୟାୟରୁ ଥାଇ ମୁହିଂ ହୋଇଲି ଅମୋକ୍ଷ ଗତି
ଗୃହବାସ ନିମନ୍ତେ ମୁଂ ବଳାଇଲି ମତି ।୫୩ ।
ନିର୍ଘାତର ଘରେ ଜାତ ହୋଇ ଲୁଚାଇଲି ବର୍ଣ୍ଣଚିହ୍ନ
ଆରତ ହୋଇଲି ମୁଂ ନ ଦେଖି ତ୍ରୋଲୋଚନ ।୫୪ ।
ମୁହିଂ ଯେବେ ତୋହୋର ହୋଇବଟି ମନୋହାରୀ
ପାରିବୁଟିକି ମୋତେ ସଂଭରଣ କରି ।୫୫ ।
ଶାୟେଂତନୁ ବୋଇଲେ ତୁ ବଡଇ ଜଞ୍ଜାଳୀ
ଭ୍ରଥାହିଂ ସେ ସହିବନା ଭାର୍ଯ୍ୟାର ଆର୍ଦୋଳି ।୫୬ ।
ଭ୍ରଥାର ଆର୍ଦୋଳି ଯେବେ ଭାରିଯା ନ ସହିବ
ପତି ପତ୍ନୀର କେମନ୍ତେ ଗୃହବାସ ହୋଇବ ।୫୭ ।
ଆଜହୁଂ ନୃପତି ତୋତେ ମୁହିଂ କହଇ ନିରାଧାରି
ବାଇ ବାତୁଳୀ ମୁଂ ଯେ ଅଟଇ ଦ୍ରୋହକାରୀ ।୫୮ ।
ଅନେକ ଦୋଷ କଲେ କୋପ ନ କରିବୁ
ଦଶଦୋଷ କଲେ ଅପ୍ରାଧ ନ ଧରିବୁ ।୫୯ ।
ଭର୍ଷନା ନ ବୋଲିବୁ ନ ଦେବୁ ମୋତେ ଗାଳି
ଅନୁବ୍ରତେ ଖଟିଣ ଥିବୁ ମୋ ମନର ହିଆଳି ।୬୦ ।
ଗଙ୍ଗା ବୋଲିଣ ତୁ ବୋଲୁଥିବୁ ଅନୁବ୍ରତେ
ଗାଙ୍ଗୀ ବୋଇଲେ ନ ଥାଇଟି ପୂରୋଇ ମୋର ବ୍ରତେ ।୬୧ ।
ଶାୟେଂତନୁ ବୋଇଲେ ୟେ ମୋହୋର ସତ୍ୟକଥା
ଅନେକ ଦୋଷ କଲେ ସହିବି ତୋତେ ହୋଇବି ଭଗତା ।୬୨ ।
ୟେହେନେକ ସତ୍ୟବ୍ରତ କଲେଟି ସତ୍ୟ ବାକି
ପ୍ରଦାନ ହୋଇଲେ ସେ ଧବଳାଙ୍ଗୀ ସାଧବୀକି ।୬୩ ।
ସତ୍ୟେଣ ପ୍ରଦାନ ଯେ କଲେକ ନିର୍ଘାତ
ଅନେକ ସମ୍ଭରେଣ ସେ ଦେଲେକ ଦୁହିତ ।୬୪ ।
ହୋମ ଘୃତ ପାରଣା କରନ୍ତି ବର କନ୍ୟା
ୟେସନେକ ପ୍ରଦାନ ସେ ବିଭାର ବିଧାନା ।୬୫ ।
ୟେସନେକ ସମୟେ ଯେ ନିଶାର ଆଗତେ
ଶଯ୍ୟାୟେଣ ମଧୁଶଯ୍ୟା ବାକ୍ୟ ଅନୁମତେ ।୬୬ ।
ଦିନା ପାଞ୍ଚ ସାତ ସାରି ଗଲେ ନିଜ ଦେଶେ
ପ୍ରବେଶ ହୋଇଲେ ଗିରି ବାରୁଣାବନ୍ତ ପାଶେ ।୬୭ ।
ଯମୁନାର କୂଳେ ସେ ରହିଲେ ନିଜ ରାଜ୍ୟେ
ଗଙ୍ଗା ସନ୍ନିଧ୍ୟେଣ ଖଟିଥାନ୍ତି ଶାୟେଂତନୁ ମହାରାଜେ ।୬୮ ।
ୟେମନ୍ତେଣ ଅନେକ ବଢିଲା ପୀରତି
ଗଙ୍ଗାର ତୁଲେ ସେ ଅନେକ ମେଳମତି ।୬୯ ।
ସହସ୍ରେ ବରଷ ପରିଯନ୍ତେ ବହିଗଲା
ମହା ଚଞ୍ଚଳା ସେ ଋଷିଙ୍କି କଟାଳିଲା ।୭୦ ।
ନିୟମର ଦିନ ଜାଣି ସେ ବଢାଇଲା ରତି
ବାରବ୍ରତ କାଳେଣ କଟାଳି ମାଗଇ ସୁରତି ।୭୧ ।
ବାଆସ୍ତରି ଉପବାସ ଯେ ଋଷିଙ୍କର ଥିଲା
ପ୍ରୀତି ଲଗାଇଣ ସେ ସମସ୍ତ ଛଡାଇଲା ।୭୨ ।
ଶ୍ରୀୟେକାଦଶୀ ବ୍ରତ ମାତ୍ର ୟେ ଅଛଇ ଋଷିଙ୍କର
ତହିଁକି କଟାଳ ଯେ କରୁଅଛଇ ଅପାର ।୭୩ ।
ମକର ମାସ ଶୁକଳ ପକ୍ଷ ଶ୍ରୀୟେକାଦଶୀ
ଅନେକ ସ-ାଦେ ୟେ ଖଟନ୍ତି ମହଋଷି ।୭୪ ।
ଶାୟେଂତନୁଙ୍କ ୟେ କଠୋର ବ୍ରତଭାବ ଦେଖି
ଋଷିଙ୍କି ପ୍ରିୟଭାବ ବଢାଇଲା ସେ ଧବଳମୁଖୀ ।୭୫ ।
ବୋଲଇ ଧବଳାଙ୍ଗୀ ଶୁଣ ହୋ ସୋମବଂଶି
ବଡ ନିଷ୍ଠାପରା ତ ଖଟୁ ୟେକାଦଶୀ ଦିବାନିଶି ।୭୬ ।
ଶାୟେଂତନୁ ବୋଲନ୍ତି ଶୁଣସି ସଂଘାତ
ମୁକତିକି କାରଣ ଯେ ଶ୍ରୀୟେକାଦଶୀ ବ୍ରତ ।୭୭ ।
ନାରାୟଣ ଆତ୍ମା ୟେ ଅଟଇ ମହାବ୍ରହ୍ମ
ସଂସାର ଅଗାଦକୁ ନାଉକା ଅଟଇ ଧର୍ମ ।୭୮ ।
ରାଗ ମୋହ ଅହଂଙ୍କାର ୟେ ସଂସାର ରଞ୍ଚନା
ଅଦଉଡି ବନ୍ଧନ ୟେ ସଂସାର ଧାରଣା ।୭୯ ।
ୟେମାନ ଯେତେକ ରାଗ ମୋହ ହିଂସା
ସଂସାର ସାଗର ୟେ ଅଣାକାର ଜଳଧ୍ୱଂସା ।୮୦ ।
ବଦୟନ୍ତି ଶାୟେଂତନୁ ଶୁଣସିରେ ପ୍ରିୟା
ତୋହୋର ମୋହୋର ୟେକଇ ଭାବରେ ସତଶ୍ରିୟା ।୮୧ ।
ତୁହି କରୁକିନା ୟେବେ ୟେକାଦଶୀ ବ୍ରତ
ତୋହୋର ମୋହୋର ବଇକୁଣ୍ଠେ ବସିବାରେ ସଂଘାତ ।୮୨ ।
ୟେସନେକ ମହିମା ଗୋ ୟେ ବ୍ରତ ୟେକାଦଶୀ
ପାଳିଲେ ଅବଶ୍ୟ ହୁଅଇ ବଇକୁଣ୍ଠବାସୀ ।୮୩ ।
ଶୁଣିଣ ବଚନ ସେ ବୋଲଇ ଧବଳାଙ୍ଗୀ
ୟେକା ମାତ୍ରକ ତୁମ୍ଭେ ନୋହିଲ ପରମ ଯୋଗୀ ।୮୪ ।
ରାଜ୍ୟଭାର ଆବୋରିଲ ପୁଣ ସଂସାର ନିମନ୍ତେ
କ୍ଷତ୍ରିବୃତ୍ତି ନ ଛାଡିଲ ଯେ ବଂଶ କୃତ ଅର୍ଥେ ।୮୫ ।
ରାଜପଦ ସେ ଯେ ଅତି ଉତକର୍ମ
କ୍ଷତ୍ରିବୃତ୍ତି ଆଚରିଲ ସେ ତପିଙ୍କର କିସ ଧର୍ମ ।୮୬ ।
ରାଜ୍ୟକୁ ଉପକାର ଯହିଂ ରାଜନୀତି
ତୁମ୍ଭର ଉପବାସ କାହିଁକି ଋଷିଯତି ।୮୭ ।
ରାଜାର ତହୁଂ ଉପବାସ ନୋହୋଇ ରାଜ୍ୟଚିନ୍ତି
ଦଣ୍ଡସାଜି ଦିଗ ବିଜେ କରିବ ନା ନରପତି ।୮୮ ।
ପର ଭୂମି ଜିଣିଣ ଘେନିମ ପରରାଷ୍ଟ୍ର
ସମ୍ଭର କରିଣ ମୁରାଟେ ସାଜୁଥିବ ନିଜଥାଟ ।୮୯ ।
ଦଣ୍ଡ ପଲାଣି ଯେ ଦୁଷ୍ଟନ୍ତ ନିବାରିବ
ସନ୍ଥଜନ ପାଳି ତପୋଧନ ଉଦ୍ଧରିବ ।୯୦ ।
ତୁ ମହାଭିଗଂ୍ୟ ଯେବେ ଅଟୁ ମହଋଷି
ରାଜପଦେ ବସି କି-ା ଭଜୁ ୟେକାଦଶୀ । ୯୧ ।
ଦୁର୍ଭାର ବଚନ ଯେ ବୋଇଲା ଜାହ୍ନବୀ
ୟେ ମହାରାଜ୍ୟେ ପଶିଣ କି-ା ବ୍ରତରାଜସେବି । ୯୨ ।
ଧର୍ମ ଦୂଷିତ ଯେ ଲୋଡଇ ଦେବି ତୋୟା
ଋଷିମଣି ତ ନୁଆରନ୍ତି ତାହାର ଚରିତ ମାୟା । ୯୩ ।
ଅନେକ ଅଭାବ ବୋଲି ବୋଇଲା ମହାସତୀ
ଋଷିଙ୍କର ତୁଲେ ସେ ବଢାଇଲା ପୀରତି । ୯୪ ।
ଦିବା ରାତ୍ରେ ରମଣେଣ ହୋଅନ୍ତି ଅଶାନ୍ତି
ନିରନ୍ତରେ ରତି କ୍ରୀଡାରେ ବଞ୍ଚନ୍ତି । ୯୫ ।
କହି ଅନେକ ମତେ ଚାଟୁ ପଟଳେ
ଆବୋରି ବସିଲା ଯାଇଂ ଋଷିଙ୍କର କୋଳେ । ୯୬ ।
ବେଗେଣ ବିବସନ କଲାକ ଋଷିଙ୍କି
ଭୋଳେଣ ପଡିଲେ ଋଷି ଜାହ୍ନବୀ ରୂପ ଦେଖି । ୯୭ ।
ଛାଡିଲେ ବ୍ରତରାଜ ସେ ଜଞ୍ଜାଳୀର ଭାବେ
ଇଚ୍ଛିଲେ ଶୃଙ୍ଗାର ଯେ ଶାୟେଂତନୁ ରାଜଦେବେ । ୯୮ ।
ୟେମନ୍ତେ ଅନେକ ଯେ ବଢିଲା ପୀରତି
ଦିବାରାତ୍ର ରମନ୍ତି ସେ ହୋଇଣ ଅଶାନ୍ତି । ୯୯ ।
ୟେମନ୍ତେ ସମୟେ ପ୍ରୀତି ଯେ ଅନେକ ବଢିଗଲା
ପୁଣି ହାଦେ ବେନି ସହସ୍ର ବରଷ ହୋଇଲା । ୧୦୦ ।
ୟେସନେ ଚଞ୍ଚଳା ଜାହ୍ନବୀ ଦୁଷ୍ଟଯେ ପ୍ରକୃତି
ଆହୋ ନିଶ୍ଚଳ ହୋଇଣ ଥାଇକି ନୋହଇ ତାର ଶାନ୍ତି । ୧୦୧ ।
ବାହାର ହୋଇବାକୁ ଭାବ ସେ ଛାଡିଲା
ଶାୟେଂତନୁ ଋଷିଙ୍କି ସେ ଅନେକ ଦୁଃଖ ଦିଲା । ୧୦୨ ।
ବେଳକାଳ ଜାଣି ନ ଦିଅଇ ଅନ୍ନ ପାଣି
ଋଷିଙ୍କି ଭାବ ନଦିଅଇ ଦିବା ଯେ ରୟେଣୀ । ୧୦୩ ।
ଧର୍ମ ଛାଡି ଶାୟେଂତନୁ ପଶିଲେ ଶୃଙ୍ଗାରେ
କାଳେ ନ ଦିଲାକ ଦେହ ଡେଲାଇଲା ଦୂରେ । ୧୦୪ ।
ରମଣୀ ମନ୍ଦିରେଣ ଲେଖନ ପିତୁଳୀ
ରତିବନ୍ଧ ଲିହାଇଲେ କ୍ରୀଡା ରସେ କେଳି । ୧୦୫ ।
ଅନେକ ଚାଟୁ ପଟଳ କରନ୍ତି ଗଙ୍ଗାକୁ ବାଉନି
ଋଷିଙ୍କି କଥା ସେ ନ କହଇ ମାନେନୀ । ୧୦୬ ।
ରତି ଶାହାସ୍ର ପୁରାଣ ସେ ଶିଖାନ୍ତି ବ୍ରହ୍ମଚାରୀ
ଶାୟେଂତନୁଙ୍କର ଥିଲେ ଗଙ୍ଗା ନ ପଶଇ ଅନ୍ତେଶ୍ୱର ପୁରୀ । ୧୦୭ ।
ଦଣ୍ଡ କୋମଣ୍ଡଳୁ ଶ୍ରୁବ ଶ୍ରୁଚ ଯେ ପ୍ରୋକ୍ଷଣୀ
ଚୁଲିରେ ଲାଇଣ ଯେ ଜାଳଇ ଅବଳା ତରୁଣୀ । ୧୦୮ ।
କୁଶ ବିଡି ଆଦିକରି କଷାବାସ ଯେ କପଟୀ
ଜଳନ୍ତ ଅନଳେ ଭରି ସବୁ କରଇ ଭସ୍ମଘଟି । ୧୦୯ ।
ୟେମନ୍ତେ ଅନେକ ମତେ କରାଇଲା ବିମୁଖ
ଗୃହବାସ ନିମନ୍ତେ ଋଷି ସହିଲେ ଅନେକ ଦୁଖ । ୧୧୦ ।
ଭୋଖର ବେଳେ ସେ ଅନ୍ନ ନ ଦିଅଇ ସଞ୍ଚି
ଅଭୋଖ ବେଳେ ସେ ଅନେକ ମତେ ଯାଚି । ୧୧୧ ।
ଅନେକ ବେଶ ବେଶନ ହୋଇ ମହାଋଷି
ଶୃଙ୍ଗାର ନିମନ୍ତେ ସେ ସନ୍ନିଧ୍ୟେ ଥାନ୍ତି ବସି । ୧୧୨ ।
ପଛୁଂ ଆସି କୋଳକରି ଧରନ୍ତେ ଶାୟେଂତନୁଂ
ମହାବଳା ବାଳୀ ସେ ବାହାର ହୁଅଇ ଭୁବନୁଂ । ୧୧୩ ।
ପଳାଇ ପଶଇ ସେ ବହୁତ ସ୍ତିରୀଙ୍କର ମେଳେ
କାମର ଚେଷ୍ଟାରେ ମହାତମା ଅନେକ ବିକଳେ । ୧୧୪ ।
ଚିତ୍ର ବନ୍ଧ ପିତୁଳୀ ମାନେ ଅଛନ୍ତି ଯେ କାନ୍ଥେ
ତାହାଙ୍କୁ ଚୁମ୍ୱନ ଦିଅଇ ମୁନି ମଦନ ଆରତେ । ୧୧୫ ।
ହୃଦରେ ଲଗାଇଣ ସେ କରନ୍ତି ଆଲିଙ୍ଗନ
ସେ ଚିତ୍ର ପିତୁଳୀକି କରନ୍ତି ରମଣ । ୧୧୬ ।
ଆହୋ କାମ ବୋଲି କରି ସେ ଯେବଣ ପୁରୁଷ
ପୟାଣ କରନ୍ତେ ସେ ଅବସ୍ଥା ଦିଅଇ ଅବଶ୍ୟ । ୧୧୭ ।
ପୁରୁଷ ହୋଉ ବା ସ୍ତିରୀ ଜନ୍ମ ହୋଉ
ଅନଙ୍ଗ ଶର ଘାତ କାହାର ବେଳେ ସହୁ । ୧୧୮ ।
ଆରତରେ ମହାତମା ସେ ପିତୁଳୀକୁ କଲେ କେଳି
ଧାତିକାରେ କାମ ସେ ଯେ ପଡିଲାକ ଢଳି । ୧୧୯ ।
ପିତୁଳୀ ରମଣେ ମୁନି ଛାଡିଲେକ ବୀର୍ଯ୍ୟ
ସଇନ୍ଦୁ ଅମୋହ ରେତୁଂ ମୁନିଙ୍କର ଉପୁଜିଲା ଆତ୍ମଜ । ୧୨୦ ।
ପୁତ୍ରେକ ଉପୁଜିଲା ଯେ ସୁନ୍ଦର ବଳବନ୍ତା
ଦେଖିଣ କୋଳେ ତାକୁ ଧଇଲେ ତପୋବନ୍ତା । ୧୨୧ ।
ଚିତ୍ର ପିତୁଳୀରୁ ଯେ ଉପୁଜିଲା ଆତ୍ମଜ
ଚିତ୍ରବୀର୍ଯ୍ୟ ନାମ ଦେଲେ ସୋମବଂଶ ମହାରାଜ । ୧୨୨ ।
ପୁତ୍ରକୁ ଘେନିଣ ମହାତମା ହୋଇଲେ ବାହାର
ଗଙ୍ଗାକୁ ଲୁଚାଇ ଦିଲେ ନେଇ ସତ୍ୟବତୀ କୋଳର । ୧୨୩ ।
ଗଙ୍ଗା ନ ଜାଣୁଂ ୟେହାକୁ ପ୍ରତିପାଳ ଅତି ଯତ୍ନେ
ପୁତ୍ରକୁ କୋଳେ ଧଇଲେ ପାରେଶ୍ୱର ମହାମୁନ୍ୟେ । ୧୨୪ ।
ପୁତ୍ର ଗୋଟିକି ଯତନେ ପାଳିଲେ ସତ୍ୟବତୀ
ବଢଇ ଚିତ୍ରବୀର୍ଯ୍ୟ ଅଯୋନି ଜାତ ମୂର୍ତ୍ତି । ୧୨୫ ।
ଗଙ୍ଗାର ମେଳ ପୁଣି ଯେ ଭାବନ୍ତି ତପୋଧନି
ଭୟେଣ ତାହାକୁ କିଛି ନ ବୋଲନ୍ତି ମହାମୁନି । ୧୨୬ ।
ପାରେଶ୍ୱର ଶାୟେଂତନୁ ଦୁହିନ୍ତି ବସାଇ
ପୁଛନ୍ତି ମଧୁବତୀ ମାତା ଆଶ୍ୱାସ କରାଇ । ୧୨୭ ।
ବାବୁ ଶାୟେଂତନୁ ମୋହୋର ବୋଲ କର
ଧର୍ମେଣ ବ୍ରତଇ ନା ବାବୁ ୟେହୁ ଯେ ସଂସାର । ୧୨୮ ।
ଆମ୍ଭେ ତୋହୋର ମାତା ପିତା ଆମ୍ଭନ୍ତ ନ ଭାଳି
ବାବୁ କାହୁଂ ତୁ ପ୍ରଦାନ ହୋଇଲୁ ଗଙ୍ଗା ଯେ ଜଞ୍ଜାଳି । ୧୨୯ ।
ତାହାକୁ ଉପେକ୍ଷା କରସିରେ ବାବୁ
ଅନେକ ଦୁଖ ପାଇବୁ ପ୍ରାଣେ ନାଶ ଯିବୁ । ୧୩୦ ।
ବାବୁ ଗୁରୁଜନଙ୍କର ବଚନ ନକରଇ ଯେବଣ ବଳା
ବଂଶ ନାଶ ଯାଇଟି ଅଗାଦେଂ ବୁଡ଼ଇ ଭେଳା । ୧୩୧ ।
ରୁଦ୍ର ଦେବତାର ସେ ଅଟଇ ଜାହ୍ନବୀ
ଇଶ୍ଵର ଦେବତାଙ୍କୁ ସେ ଅନେକ ପ୍ରାଭବୀ । ୧୩୨ ।
ଶାୟେଂତନୁ ବୋଇଲେ ମାଗୋ ତୁମ୍ଭେ ଗୁରୁଜନ
ଦ୍ରୋହ ଲଗାଇ ବଞ୍ଚିଲେ ତୁମ୍ଭର ବଚନ । ୧୩୩ ।
ମାତାର ବଚନ ମେଣ୍ଟିଲେ ଆୟୁଷ ହୋଇ କ୍ଷୟେ
ପିତାର ବଚନ ଭାଙ୍ଗିଲେ ଧର୍ମ ନାଶ ଯାୟେ । ୧୩୪ ।
ମାତାଙ୍କର ବଚନେ ଶାୟେଂତନୁ ବୋଇଲେ
ମାଗୋ ଦିବସ ନ ସରଇ ମୋହୋର ଗଙ୍ଗାକୁ ନ ଦେଖିଲେ । ୧୩୫ ।
ତୁମ୍ଭେ ଆମ୍ଭର ଗୁରୁଜନ ପିଅର ଯେ ମାତେ
ତୁମ୍ଭଙ୍କୁ ଉପେକ୍ଷା କରଇ ମୁଂ ଗଙ୍ଗାର ନିମନ୍ତେ । ୧୩୬ ।
ଗୁରୁଜନଙ୍କର ବଚନ ମେଣ୍ଟିଲେ ପ୍ରିୟ ଭାବେ
ଗଙ୍ଗାୟେ ବିନୋପନ୍ତି ଶାୟେଂତନୁ ରାଜଦେବେ । ୧୩୭ ।
ୟେକ ଦିନେ ଗଙ୍ଗା ପଚାରିଲେ ଶାୟେଂତନୁ ମହାଗ୍ୟାଂତା
ତୁମ୍ଭେ ଯେ ହୋଇଥାଅ ରୁଦ୍ରରେ ଭଗତା । ୧୩୮ ।
ସେ ବିଶ୍ୱନାଥ କାହିଂ ଅଛନ୍ତି ମୁନି ହେ
ୟେହା ତଦନ୍ତ କରି ମୋତେ କହିବା ସନ୍ଦେହେ । ୧୩୯ ।
ଶାୟେଂତନୁ ବୋଇଲେ ପାତାଳ ଭୁବନେ
ହଟକେଶ୍ୱର କପିଳାସେ ବିଜୟେ ତ୍ରିଲୋଚନେ । ୧୪୦ ।
ପୁଣି ପରମ ସାନନ୍ଦ ଯେ ହୋଇଲେ ଜାହ୍ମବୀ
ପୋଡୁ ୟେହାର ଘର ବାହାର ହୋଇଯିବି । ୧୪୧ ।
ଅନୁବ୍ରତେ ପେଟ ମାଡି ଶୋଇଥାଇ କାନ୍ଦି
ତିନିଦିନେ ଅନ୍ନ ବେଳେକ ନ ଦିଅଇ ରାନ୍ଧି । ୧୪୨ ।
ସନ୍ନିଧ୍ୟେ ବସି ସେ ଶାୟେଂତନୁ ମୁନିବର
ଆଶ୍ୱାସନା କରନ୍ତି ଯେ ଗଙ୍ଗାର ଶରୀର । ୧୪୩ ।
କପାଳ ଆଉଂଶି କ୍ଷଣେ ଚରଣ ମଞ୍ଚାଳି
ଗାଢେଣ ଧରି ମୁନି କରନ୍ତି ହାଦେ କେଳି । ୧୪୪ ।
ଗାଢେଣ ଯେତେବେଳେ ଧରନ୍ତି ତପୋବନ୍ତ
କେଶଧରି ମୁନିଙ୍କିସେ ମାଡ ମାରଇ ବହୁତ । ୧୪୫ ।
ମାଥେଣ ମୁଥ ମାରି ପାଦେଣ ପ୍ରହାରଇ
ନଖ ଦନ୍ତ ଘାଟେ ଶରୀର ବିଦାରଇ । ୧୪୬ ।
ଋଷିଙ୍କର ବସନମାନ ଖଣ୍ଡି ଖଣ୍ଡିକରି ପକାଇ ଚିରି
ମାଳି ପୋଥି ବେଦ କରାଣ୍ଡି ବାମ୍ଫିରେ ପକାଇଲା ଲୋଚିକରି । ୧୪୭ ।
ୟେମନ୍ତେ ଅନେକ ଅବସ୍ଥା ମୁନିଙ୍କି ଦେଲେ ଦେବୀ ଗଙ୍ଗା
ଦୁର୍ଧ୍ୱଂସ ବୃଦ୍ଧକରି ଗାଳି ଦିଅଇ ଉରଭଙ୍ଗା । ୧୪୮ ।
ଅନେକ ମନ୍ଦ ବୋଲଇ ବହୁତ ଦିଅଇ ଗାଳି
ଶାୟେଂତନୁ ବୋଇଲେ ଗଙ୍ଗାତୁ ୟେଡେ ବଡ ଜଞ୍ଜାଳୀ । ୧୪୯ ।
ସଦଘର ଅସଦ ତୁ କରୁ ଅନମିତେ
ସଂସାର ଯାକରେ ଲୋକେ ଅନୀତି ବୋଲନ୍ତି ତୋତେ । ୧୫୦ ।
ପୁରୁଷଙ୍କ ଆଶା ଭଗ୍ନ କରନ୍ତି ଯେବଣ ନାରୀ
ଜନ୍ମେ ଜନ୍ମେ ହୁଅନ୍ତି ସେ ଅତ୍ୟନ୍ତ ପାପାଚାରୀ । ୧୫୧ ।
ପତିକି ପଢାଉ ତୁ ଆନକୁ ସର୍ବ କହୁ
ସୁପଥ ଛାଡିଣ ତୁ ଅମଡା ପଥ ବହୁ । ୧୫୨ ।
ସୂପକାର କରିଣ ରନ୍ଧନ କରାବନ୍ତି ନିତି
ଆବର ରାନ୍ଧଣା ନ ଯୋଗାଇ ୟେସନେକ ପ୍ରକୃତି । ୧୫୩ ।
ଅନୀତି ପ୍ରକାରେଣ ଲଗାବନ୍ତି କଳି
ରାନ୍ଧଣା ପାଗ ଭାଙ୍ଗଇ ଅନମିତେ ପାଡଇ ବୋବାଳି । ୧୫୪ ।
ସଂସାରେ ତାହାର ନିନ୍ଦା କରନ୍ତି ସକଳେ
ୟେ ବଚନ ଶୁଣି ଗଙ୍ଗା କାନ୍ଦନ୍ତି ବିକଳେ । ୧୫୫ ।
ଋଷିୟେ ବୋଲନ୍ତି ଯେ ରହ ରହ ସଂଘାତ
କିସ ଅର୍ଥେ ରୋଳ କରୁ ଅନମିତ । ୧୫୬ ।
ୟେହିମତେ ନବ ସହସ୍ର ବରଷ ଗଲା
ସହନ୍ତି ଶାୟେଂତନୁ ତୁକାର ନ ବୋଇଲା । ୧୫୭ ।
ୟେସନେକ ଅନେକ କାଳ ସହିଲେ ଶାୟେଂତନୁ ମହାଋଷି
ସମୟେକେ ଗଙ୍ଗା ଯେ ହୋଇଲେ ଗର୍ଭବାସୀ । ୧୫୮ ।
ଅନେକ ସାନନ୍ଦ ଯେ ହୋଇଲେ ଶାୟେଂତନୁ
ୟେଘାନ୍ତି ସହିବ ଯେ ଆଶାବତୀର ତନୁ । ୧୫୯ ।
ବନ୍ଦାପନା ଉଷବ ସୁମନ୍ତଙ୍କୁ ପଚାରି
ଦଶମାସ ସଂପୂର୍ଣ୍ଣରେ ହେଲା ଗର୍ଭଭାରି । ୧୬୦ ।
କନ୍ୟା ମାସ ଶୁକ୍ଲପକ୍ଷ ନବମୀର ତିଥି
ଶ୍ରବଣା ନକ୍ଷତ୍ର ଯେ ବାର ବୃହସ୍ପତି । ୧୬୧ ।
ରାତ୍ର ହୋଇଅଛି ୟେ ପଞ୍ଚଦଶ ଘଡି
ଗଙ୍ଗାର ଗର୍ଭୁଂ ହାଦେ ପୁତ୍ରେକ ଅବତିର । ୧୬୨ ।
ଗଣ୍ଡ ମୂଳ ନକ୍ଷତ୍ର ନାସ୍ତି ଯେ ଶ୍ରବଣା ମକରେ
ପୁତ୍ର ମୁଖ ଚାହିଂବାକୁ ଶାୟେଂତନୁ ପଶିଲେ ଭିତରେ । ୧୬୩ ।
ସୁବର୍ଣ୍ଣର ପାତ୍ରେଣ ଅର୍ଘ୍ୟେକ ଯେ ଘେନି
ଭିତର ପୁରକୁ ଯେ ଗମନ୍ତି ମହାମୁନି । ୧୬୪ ।
ଶାୟେଂତନୁ ପଶନ୍ତେ ଦେଖିଲା ମାହେଶ୍ୱରୀ
ପୁତ୍ରକୁ ହାଣି ପକାଇଲା ସେ ବେନି ଖଣ୍ଡ କରି । ୧୬୫ ।
ନାରାୟଣ ନାରାୟଣ ସୁମରି ଶାୟେଂତନୁ
ବିମୁଖେ ବାହାର ହୋଇଲେ ଜାତକ ଭୁବନୁଂ । ୧୬୬ ।
କୋପେଣ ମହାତ୍ମା ଯେ ବିମୁଖ ହୋଇଲେ
ପଣ୍ଡିତ ଭାବେ ପୁଣ କୋପ ସଂଘରିଲେ । ୧୬୭ ।
ଦଶମାସ ଗର୍ଭରେ ଧଇଲାକ ମାତା
ସେ ଏବେ ମୁର୍ଚ୍ଛି ପାରଇ ତା ଗର୍ଭର ବ୍ୟଥା । ୧୬୮ ।
ଆମ୍ଭର କିସ ହୋଇଲା ବୋଲି ବିଚାରିଲେ
ଏତେକ ବିଚାରି ସେ କିଛିହିଂ ନ ବୋଇଲେ । ୧୬୯ ।
ଆମ୍ଭର କୋପ କଲେ ସେ ବାହାର ହୋଇଯିବ
ଘର ଖଣ୍ଡି ଯେ କରିଅଛୁଂ ସେ ୟେହିକ୍ଷଣି ଭାଞ୍ଜିବ । ୧୭୦ ।
ୟେତେ ବୋଲି ମହାତମା କୋପ ଯେ ସଂଘରି
ଗଙ୍ଗାର ସନ୍ନିଧ୍ୟେଣ ପ୍ରବେଶ ହୋଇଲେ ବାହୁଡି । ୧୭୧ ।
ଅନେକ ମତେଣ ଖଟନ୍ତି ମନର ହିଆଳି
ଋଷିଙ୍କର ସଂଗତେ ସେ ଲଗାଇଲା କଳି । ୧୭୨ ।
ପୁଣି ଶାୟେଂତନୁଙ୍କୁ ଯାଇତେ ନ ଦିଲା ତାର କତି
କାମ ସଂଘରଣ କରି ମୂର୍ଛିଲେ ବ୍ରହ୍ମପତି । ୧୭୩ ।
ଅନେକ ମତେଣ ସେ ଚାଟୁ ପଟଳ ବୋଲି
ଶୃଙ୍ଗାର ନ ଦେଇ ସେ ଋଷିଙ୍କି ପକାଇଲା ପେଲି । ୧୭୪ ।
ଅସମ୍ଭାଳ ହୋଇଣ ସେ ଚିତ୍ର ଲେଖନ ପିତୁଳୀ
ବିବସନ ହୋଇଣ ତାର ତୁଲେ କଲେ କେଳି । ୧୭୫ ।
ମୁଖରେ ଚୁମ୍ୱନ ଦେଇ ସେ ରତି କରାଇଲେ ବିଚିତ୍ର ଗତି
ଢଳିଲା ଅମୋହ ରେତ ପଡିଲା ଯାଇଂ କ୍ଷିତି । ୧୭୬ ।
ଋଷିଙ୍କ ଅମୋହ ରେତ ନାଶ ଯେ ନୋହିଲା
ସଇନ୍ଦୁ ଜାତ ହୋଇ ପୁତ୍ରେକ ଉପୁଜିଲା । ୧୭୭ ।
କୋଳ କରି ଶାୟେଂତନୁ ଧଇଲେ ଆତ୍ମଜ
ସେ ପୁତ୍ର ନାମ ହାଦେ ଦେଲେଟି ବିଚିତ୍ରବୀର୍ଯ୍ୟ । ୧୭୮ ।
ଗଙ୍ଗାକୁ ଲୁଚାଇଣ ନେଲେ ନିଶାରାତି
ଗଙ୍ଗାର ଡରେ ପୁତ୍ରକୁ ସମର୍ପିଲେ ସତ୍ୟବତୀ । ୧୭୯ ।
ବଦୟନ୍ତି ଅଗସ୍ତି ଶୁଣ ଆହୋ ଯୋଗେଶ୍ୱର
ଚିତ୍ରବୀର୍ଯ୍ୟ ବିଚିତ୍ରବୀର୍ଯ୍ୟ ହାଦେ ଅଯୋନି ଅବତାର । ୧୮୦ ।
ପୁଣି ହିଂ ସତସଙ୍ଗ ହୋଇଲେ ସେ ଗଙ୍ଗାର ତୁଲେ
ଆରବେଳେ ଗଙ୍ଗା ଗର୍ଭବତୀ ହୋଇଲେ । ୧୮୧ ।
ଆହୋ ମିଥୁନ ଶୁକ୍ଲପକ୍ଷ ପୂର୍ଣ୍ଣମୀର ରାତି
ଉତ୍ତରାଷାଢା ନକ୍ଷତ୍ରେ ପୁତ୍ରେକ ହୋଇଲେ ଉତପତ୍ତି । ୧୮୨ ।
ଅର୍କବାର ଉତ୍ତରାଷାଢା ମକର ଯେ ରାଶି
ୟେମନ୍ତ ଯୋଗେଣ ଯେ ପୁତ୍ରେକ ପରକାଶି । ୧୮୩ ।
ପୁତ୍ର ଦେଖିବାକୁ ହରଷ ତପୋନିଷ୍ଠି
ପୁଣି ଗଙ୍ଗା କାଟିଲା ସେ ପୁତ୍ରର ମୁଣ୍ଡଗୋଟି । ୧୮୪ ।
ଦେଖିଣ ଆଶିର୍ଯ୍ୟ ହୋଇଲେ ତପୋଧନୀ
ନାରାୟଣ ନାରାୟଣ ସୁମରି ବାହାର ହୋଇଲେ ମୁନି । ୧୮୫ ।
ଆତ୍ମଜ ନିଧନେ ସେ ବହୁତ ବ୍ୟଥା ପାଇଲେ
କ୍ରୋଧ କରି ଭର୍ଷନା କରିବାକୁ ବିଚାରିଲେ । ୧୮୬ ।
ପୁଣିହିଂ ବିଚାରଲେ ଋଷି ସେ ମାତା ଗର୍ଭଧାରୀ
ଦଶମାସ ଗର୍ଭରେ ଧଇଲା ସେ ଅନକ ଦୁଖେ ପଡି । ୧୮୭ ।
ସେ ଯେବେ ସଂହାଥେ ପୁତ୍ରନ୍ତ ନାଶ କରି
ଆମ୍ଭର କି-ା କୋପ ବୋଲନ୍ତି ତପଚାରୀ । ୧୮୮ ।
ୟେତେ ବୋଲି ମହାତମା ଯେ କୋପ ସଂଘରିଲେ
ପୁଣି ଗଙ୍ଗାକୁ ବହୁତ ସମାର୍ଜନା କରିଣ ବୋଇଲେ । ୧୮୯ ।
ମକର ମାସ କୃଷ୍ଣ ପକ୍ଷ ତିଥି ପ୍ରତିପଦା
ସୋମବାର ଅଶ୍ଳେଷା ନକ୍ଷତ୍ର ଯୁଗତା । ୧୯୦ ।
ସେ ଦିନ ଋଷିଗଲେ ସମୋଦ୍ର ସ୍ନାହାନେ
ଗଙ୍ଗାକଇଂ ସଙ୍ଗେ ଘନି ଗଲେ ତପୋଧନେ । ୧୯୧ ।
ପାରେଶ୍ୱର ସତ୍ୟବତୀ ଗଲେ ସିନ୍ଧୁ ସ୍ନାହାନକୁ
ସଙ୍ଗେ ଘେନିଗଲେ ଚିତ୍ର ବିଚିତ୍ରବୀର୍ଯ୍ୟକୁ । ୧୯୨ ।
ସମୋଦ୍ରେ ସ୍ନାହାନ ସାରି ଚନ୍ଦ୍ରଭାଗାୟେଣ ପଶି
ବାଳ କୁମରନ୍ତ ଘେନି ସ୍ନାହାନ କରନ୍ତି ପାରେଶ୍ୱର ମହାଋଷି । ୧୯୩ ।
ୟେମନ୍ତର ସମୟେ ଯାଇ ହୋଇଲେ ଶାୟେଂତନୁ
ଦୁଇ କୁମାର ବାହାର ହୋଇଲେ ଜଳର ଉଦ୍ୟାନୁଂ । ୧୯୪ ।
ବାଭିୟେ ବାଭିୟେ ବୋଲି ଧଇଲେ ଶାୟେଂତନୁଙ୍କ ବେନିପାଦ
ଦେଖିଣ ଧବଳାଙ୍ଗୀ ଯେ ହୋଇଲେ ବିଷାଦ । ୧୯୫ ।
ଗଙ୍ଗା ପଚାରିଲେ ୟେ କାହାର ତନୟେ
ତୁମ୍ଭର ନିଜତନୁ ପ୍ରାୟେକ ଦିଶନ୍ତି ମୁନି ହେ । ୧୯୬ ।
ଡରେଣ ଶାୟେଂତନୁ ବୋଇଲେ ନୋହଇ ଆମ୍ଭର ହିଂ
ନ ପୁଣ ପୁତ୍ର ବୋଲନ୍ତେ ୟେହାନ୍ତ ମାରଇ । ୧୯୭ ।
ୟେତେକ ବିଚାରି ସେ ଚିତ୍ତେଣ ତପୋନିଷ୍ଠି
ରାଗେଣ ଗଙ୍ଗା ବୋଇଲେ ୟେ ତୁମ୍ଭର ପୁତ୍ର ଦୁଇ ଗୋଟି । ୧୯୮ ।
ଶାୟେଂତନୁ ବୋଇଲେ ପାଇବୁ ଆମ୍ଭେ କାହିଂ
ତୋହୋର ତହୁଂ ଆମ୍ଭର ଗୋ ଆନ ଭାରିଯା ତ ନାହିଂ । ୧୯୯ ।
ଶୁଣିଣ କୋପ ଯେ କଲାକ ଧବଳୀ
ଭୂତ ଭବିଷ୍ୟ ଜାଣଇ ସେ ପରମ ନିରାକୁଳୀ । ୨୦୦ ।
ରାଗେଣ ବୋଇଲେ ଶାୟେଂତନୁ ଲୁଚାଇଲୁ ଯେବେ ମୋତେ
ଅପୁତ୍ରିକ ହୋଇ ୟେବେ ମରନ୍ତୁ ତୋହୋର ବେନି ପୁତ୍ରେ । ୨୦୧ ।
ୟେତେକ ଶାପ ଯହୁଂ ଦେଲେ ଧବଳାଙ୍ଗୀ
ପୁତ୍ରନ୍ତ ଘେନି ପାରେଶ୍ୱର ଚଳିଲେ ତହୁଂ ବେଗି । ୨୦୨ ।
ପ୍ରବେଶ ହୋଇଲେ ଯାଇଂ ଯମପ୍ରଶସ୍ଥ ସ୍ଥାନରେ
ସ୍ନାହାନ ସାରି ଶାୟେଂତନୁ ଅଇଲେ ରାଜ୍ୟରେ । ୨୦୩ ।
ଗଙ୍ଗାର ତୁଲେ ଶାୟେଂତନୁ କଲେ ଯେ ଅନେକ ପୀରତି
ସମୟେକେ ଗଙ୍ଗା ଯେ ହୋଇଲେ ଗର୍ଭବତୀ । ୨୦୪ ।
ପ୍ରିୟା ମେଳ ବେଳେ ତାଙ୍କୁ ପଚାରନ୍ତି ତପୋଧନି
ପୁତ୍ରନ୍ତ କିଂପା ନାଶ କରୁରେ ଧବଳବଦନି । ୨୦୫ ।
ଗଙ୍ଗା ବୋଇଲେ ମୋର ଦୁଷ୍ଟ ଯେ ପ୍ରକୃତି
ପୁତ୍ର ବୋଲି ନାହିଂ ମୋର ସଦୟ ଭାବ ମତି । ୨୦୬ ।
ତୁଳମାସ କୃଷ୍ଣପକ୍ଷ ତୃତୀୟା ଭୋଗ ଚନ୍ଦ୍ରବାର
ରୋହେଣୀ ନକ୍ଷତ୍ର ବେଳ ଦେଢ ଯେ ପ୍ରହର । ୨୦୭ ।
ପତ୍ରେକ ଉପୁଜିଲା ଗଙ୍ଗାର ଗର୍ଭଗତେ
ଦେଖିବାକୁ ଶାୟେଂତନୁ ପଶିଲେ ପୁତ୍ରର ନିମନ୍ତେ । ୨୦୮ ।
ଋଷିଙ୍କର ଦେଖନ୍ତେ ଗଙ୍ଗା ଘେନିଲେ କରାଞ୍ଚଳୀ
ରହ ରହ ଗଙ୍ଗା ଗୋ ଶାୟେଂତନୁ ବୋଲି । ୨୦୯ ।
ମହା ବଇରାଗେ କରାଞ୍ଚଳୀ ଘେନିଲେ ଗୋସାମଣୀ
କରେ ତୋଳି ଘେନି କୁମରକୁ ପକାଇଲେ ହାଣି । ୨୧୦ ।
ଶିବ ଶିବ ବୋଲି ବାହୁଡିଲେ ତପଚାରୀ
ସତ୍ୟ ଭଗ୍ନ ନିମନ୍ତେଣ କିଛି ବୋଲି ତ ନ ପାରି । ୨୧୧ ।
ପୁଣି ସମୟେକେ ଗଙ୍ଗା ଯେ ହୋଇଲେ ଗର୍ଭବତୀ
ପୁତ୍ରେକ ଉପୁଜିଲା ମଦନ ମୂରତି । ୨୧୨ ।
ଋଷିଙ୍କର ଦେଖନ୍ତେ ସେ କଲାକ ଶିରଛେଦ
ଶାୟେଂତନୁ ବୋଇଲେ ୟେ ତ ବଡ ପରମାଦ । ୨୧୩ ।
ୟେହିମତି ଗଙ୍ଗାର ଛଡ ପୁତ୍ର ଉପୁଜିଲା
ଋଷିଙ୍କର ଦେଖନ୍ତେ ତାହା ସମସ୍ତ ନାଶକଲା । ୨୧୪ ।
ପୁଣି ସମୟେକେ ହୋଇଲା ଗର୍ଭବତୀ
କିଛି ହିଂ ନ ବୋଲନ୍ତି ଶାୟେଂତନୁ ମହାଯତି । ୨୧୫ ।
ଦଶମାସ ଗର୍ଭଭାରା ସହି ନ ପାରି କାତ୍ୟାୟନୀ
କୋଳ କରି ସମ୍ୱୋଧନା କରନ୍ତି ମହାମୁନି । ୨୧୬ ।
ଗଙ୍ଗା ବିଚାରନ୍ତି ମୁଁ ଅନେକ କଷ୍ଟ ଦେଲି
ଆତ୍ମାରୁ ଜାତ କରି ପୁତ୍ରନ୍ତ ନାଶ କଲି । ୨୧୭ ।
ୟେତେକ ଦୋଷେଣ ମୋତେ କୋପ ତ ନ କଲା
ଭ୍ରଛନା ନ କରିଣ ଯେ ଗାଙ୍ଗୀ ନ ବୋଇଲା । ୨୧୮ ।
ଛାଡି ଯାଇ ନ ପାରଇଂ ଯେ ମୁହିଂ ସତ୍ୟବ୍ରତେ
ସତ୍ୟକୁ ଲଘିଂଣ ୟେଥୁଂ ଯିବଇଂ କେମନ୍ତେ । ୨୧୯ ।
ୟେ ଘାନ୍ତି ୟେ ପୁତ୍ର ଗୋଟିକି ଅବଶ୍ୟ ମାରିବି
ଭର୍ଷନା ନ ବୋଇଲେ ଆପଣା ତୋଟି ମେଲାଇବି । ୨୨୦ ।
ୟେସନେକ ବିଚାରନ୍ତେ ହୋଇଲା ଗର୍ଭଭାରି
ମହାବଳବନ୍ତ ପୁତ୍ର ଭାରା ସହିତ ନୁଆରି । ୨୨୧ ।
ବୋଲଇ ମାହେଶ୍ୱରୀ ଶୁଣିମା ମୁନି ହେ
ବଡ ବଳବନ୍ତା ପୁତ୍ର ୟେ ଘାନ୍ତି ଗୋଟିୟେ ଗର୍ଭେ ରହେ । ୨୨୨ ।
ଋଷି ବୋଇଲେ ବଳବନ୍ତା ହୋଉ କି ସୁନ୍ଦର ହିଂ ହୋଉ
ପ୍ରାପତ ଯେବେ ନୋହଇ ସେ ଜନ୍ମ ହୋଉ କିନା ନୋହୁ । ୨୨୩ ।
ୟେତେ ବୋଲି ବିଚାର କରନ୍ତି ଶାୟେଂତନୁ
ଅଳସ ସୁନ୍ଦରୀ ଦଶମାସ ଯେ ସ-ୂର୍ଣ୍ଣୁଂ । ୨୨୪ ।
ବିଛାମାସ କୃଷ୍ଣପକ୍ଷ ପ୍ରତିପଦା ଦିନେ
ରୋହିଣୀ ନକ୍ଷତ୍ର ଭୃଗୁବାର ବିଦ୍ୟମାନେ । ୨୨୫ ।
ସିଦ୍ଧି ନାମେ ଯୋଗ ପୁଣି କରଣ ବାଣିଜ୍ୟ
ରାତ୍ର ପାଞ୍ଚ ଦଣ୍ଡରେ ଜନମ ହୋଇଲା ତନୁଜ । ୨୨୬ ।
ପୁତ୍ରର ପ୍ରସବ ଶୁଣି ଗଣନ୍ତି ମହାଋଷି
ଅମୃତ ଯୋଗେ ପୁତ୍ର ଉପୁଜିଲା ରୋହିଣୀ ବୃକ୍ଷରାଶି । ୨୨୭ ।
ଶୁକ୍ରଙ୍କର ବେଳେ ଉତପତ୍ତି ହୋଇଲାକ ବଳା
ପୃଥୁଳ ସୁସଞ୍ଚ ବତିଶ ଗୁଣେ କଳା । ୨୨୮ ।
ପଞ୍ଚମରେ ଶନିଶ୍ଚର ଚତୁର୍ଥେ ବୃହସ୍ପତି
ରବି ସପତମେ ଚନ୍ଦ୍ର ଲଗ୍ନରେ ଅଛନ୍ତି । ୨୨୯ ।
ତୃତୀୟେ ରାହୁ ଯେ କେତୁ ଅଛଇ ନବମେ
ମଙ୍ଗଳ ଯେ ୟେକାଦଶେ ଶୁକ୍ର ହିଂ ନବମେ । ୨୩୦ ।
ଅଷ୍ଟମେ ବୁଧ ଶୁଭ ଯୋଗେଣ ବସେ
ବାମେଣ ଯୋଗ୍ନୀ ଇଶାନ୍ୟ କୋଣେ ବସେ । ୨୩୧ ।
ବତିଶ ପାଦରେ ଅଛଇ ମାହେନ୍ଦ୍ର ଯୋଗ
ୟେକତ୍ରିଂଶ ପାଦେ ଜନ୍ମ ନାହିଂ ଆରେକ ପାଦେ ଭୋଗ । ୨୩୨ ।
ପାଦେଣ ଯେ ଜାତ ହୋଇଲାକ ବାଳ
ଦେଖିଣ ଜାହ୍ନବୀ ଧଇଲେକ କୋଳ । ୨୩୩ ।
ଶାୟେଂତନୁ ଦେଖି ବୋଇଲେ ୟେ ବଡ ବିଚକ୍ଷଣ ବଳା
ଜଗଜ୍ଜିତା ଯୋଗେଶ୍ୱର ଚଉଷଠି ଗୁଣେ କଳା । ୨୩୪ ।
ବୋଲନ୍ତି ଜାହ୍ନବୀ ଆସ କି ନା ରାୟେ
ଦେଖ କିନା ମୁନି ହେ ତୁମ୍ଭର ତନୟେ । ୨୩୫ ।
ଶାୟେଂତନୁ ବୋଇଲେ ସେ ଅପ୍ରାପତ ଆମ୍ଭଙ୍କୁ
ଆମ୍ଭର ନ ଦେଖିଲେ ଶୁଝଇ ଆମ୍ଭର ପୁତ୍ରକୁ । ୨୩୬ ।
ଆସ ହୋ ଭଗବନ୍ତ ଦେଖ କି ନା ବଳା
ଦେଖନ୍ତେ ମୁକତ ଅଟଇ ପୁଣ୍ୟଶୀଳା । ୨୩୭ ।
ପୁତ୍ର ଗୋଟି ଉତପତ୍ତି ଗର୍ଭୁଂ ଯେତେବେଳେ
ମୁଖ ଚାହାନ୍ତେଣ ମାତା ପିତାର ଜୀବନ ସୁଫଳେ । ୨୩୮ ।
ଦୁତୀୟେଣ ପିତା ତାର ଚାହିଂବ ବଦନ
ଜନ୍ମକୁ ଫିଟଇ ତାର ଅପୁତ୍ରିକ ଲକ୍ଷଣ । ୨୩୯ ।
ଜୀଉ ଅବା ମରୁ ଅବା ମନ୍ଦର କରମେ
ପିତା ମୁକତ ହୋଅଇ ଅନେକ ହାଦେ ଧର୍ମେ । ୨୪୦ ।
ୟେତେ ବିଚାରି ସେ ପଣ୍ଡିତ ଭାଗ୍ୟବନ୍ତ
ସୁବର୍ଣ୍ଣ ପାତ୍ରେ ଅର୍ଘ୍ୟେକ ଘେନିଲେ ମୁନି ହସ୍ତ । ୨୪୧ ।
ସୁବର୍ଣ୍ଣ ଦୀପେଣ ଗୁଆ ଘୃତ ଯେ ପୂରୋଇ
ନେତର ବଳିତାୟେ ଶ୍ରୀଫଳେକ ଲାଇ । ୨୪୨ ।
ଚଳନ୍ତି ମହାତ୍ମା ଯେ ପୁତ୍ର ଦେଖିବାକୁ
ପୁତ୍ର ନ ନିରେଖି ଚଳନ୍ତି ଭିତର ପୁରକୁ । ୨୪୩ ।
ଅନ୍ତୁଡି ଘରେ ଯାଇଂ ବିଜୟେ ସୋମବଂଶୀ
ପୁତ୍ରକୁ ଘେନିଣ ଗଙ୍ଗା ସାଷ୍ଟାମେ ଅଛି ବସି । ୨୪୪ ।
ଦେଖ ଦେଖ ମହାତ୍ମା ୟେ ତୋହୋର ପୁତ୍ର ଗୋଟି
ଅର୍ଘ୍ୟ ଦେଇ ନିରେଖି ଚାହାନ୍ତି ତପନିଷ୍ଠି । ୨୪୫ ।
କରେଣ ଘେନିଲା ଗଙ୍ଗା ବିଜେ କର୍ଣ୍ଣକଟାରି
ଋଷିଙ୍କର ଦେଖନ୍ତେ ସେ ପୁତ୍ରକୁ ଲୋଡଇ ମାରି । ୨୪୬ ।
ଗଙ୍ଗାର ହାଥ ଯେ ଧଇଲେ ଶାୟେଂତନୁ
ଆଲୋ ଗାଙ୍ଗି କେତେ ପୁତ୍ର ନାଶ କଲୁ କିନୁ । ୨୪୭ ।
ଆଲୋ ଛଡ ପୁତ୍ର ମାଇଲୁ ନ ପୂରିଲା ତୋର ଅଭୀଷ୍ଟି
ଆଲୋ ଆଲୋ ଗାଙ୍ଗି ତୁ ଅଟୁ ବଡ ମନ୍ଦ ନଷ୍ଟି । ୨୪୮ ।
ଯେତେକ ଅଛନ୍ତି ସେ ସଂସାରେ ପୋଖତୀ
ସବୁରି ଅପାଦ ପଡୁ ମୁଣ୍ଡେ ତୋର ନିତି । ୨୪୯ ।
କଟାରି ଘେନି ସେ ଚାପୋଡେକ ମାରି
ପେଲି ପକାଇ ପୁଅକୁ ଘେନିଲେ ଉଛୁଡି । ୨୫୦ ।
ଗଙ୍ଗା ଉଷତ ହୋଇଲେ ଶାୟେଂତନୁଙ୍କର ବଚନେ
ଆହୋ ସତ୍ୟ ପରିଲା ମୋର ଯାଉଅଛି ମହାମୁନ୍ୟେ । ୨୫୧ ।
ୟେତେକ ବୋଲିବାକୁ ମୁଂ ବାଟ ଚାହିଂଥିଲି
?ଗାଙ୍ଗି ବୋଲିବା ପାଇଁ ଛଡ ପୁତ୍ର ମାଇଲି । ୨୫୨ ।
ୟେତେ ବୋଲି ଦେବୀ ଯେ ଉଠିଲେ ବହନ
ପୁତ୍ରକୁ ଛାଡି ଗଙ୍ଗା ହୋଇଲେ ତୋଷମନ । ୨୫୩ ।
ଶାୟେଂତନୁ ଉଠି ଧଇଲେ କୋଳ କରି
ସଞ୍ଚୟେ ୟେ ବ୍ରତ ଯେ ପୂରିଲା ତୋହୋରି? ୨୫୪ ।
ୟେବେ ଯେ ଜାତ କଲୁ ବାଳୁତ ପୁତ୍ର ଗୋଟି
କେମନ୍ତେ ବ୍ରତିବ ୟେ ନ ପାଇଲେ କ୍ଷୀର ଫୁଟି । ୨୫୫ ।
ଲେଉଟିଣ ଚାହିଁ ସେ ଜାହ୍ନବୀ ବୋଇଲା
ଜୀଁଇଲେ ଜୀଉଂ ମଲେ ମରୁ ମୋହୋର କିସ ଗଲା । ୨୫୬ ।
ଗାଢେଣ କୋଳ କରି ଧଇଲେ ମହାମୁନି
ରାଗେଣ ପେଲି ପକାଇଲା କାନ୍ତାନୀ । ୨୫୭ ।
ତୁ କିଂପା ମୋତେ ଆବୋରିଣ ଧରୁ
ବ୍ରତ ପୂରିଲା ବାହାର ହୋଇଲି ମୁଂ ତୋର ଘରୁ । ୨୫୮ ।
ସତ୍ୟ ମାନିଥିଲି ୟେତେ ଦିନ ପରିଯନ୍ତେ
ଭୃତ୍ୟ ପଣେ ସେବା ମୁଂ କରିଥିଲି ତୋତେ । ୨୫୯ ।
ଗଙ୍ଗା ବୋଇଲେ ମୁଂ ଥାଇ ଗାଙ୍ଗି ବୋଇଲେ ନ ଥାଇ
ଗାଙ୍ଗି ବୋଇଲୁ ତୁ ଯାଉଛି ମୁଂ ବ୍ରତ ପୂରୋଇ । ୨୬୦ ।
ୟେବେ ମୁଂ ତୋହୋର ଗୁରୁ ତୁ ମୋହୋର ଶିଷି
ଗୁରୁ ପତ୍ନୀ କି କିଂପାଇ ଛୁଇଂଲୁ ମହଋଷି । ୨୬୧ ।
କୋପେଣ ବଚନ ବୋଇଲେ ଗଙ୍ଗାଦେବୀ
ମତେ ଯେ ଛୁଇଂଲୁ ତୋତେ ମୁହିଂ ଶାପ ଦେବି । ୨୬୨ ।
ୟେ ପୁତ୍ର ତହୁଂ ଜାତ ହୋଇବ ଯେବଣ ସୁତ
ତୁ ଶାୟେଂତନୁ ଶିରଚ୍ଛେଦ ହୁଅ ତାର ହସ୍ତ । ୨୬୩ ।
ଡରେଣ ଛାଡିଲେ ସେ ଶାୟେଂତନୁ ମହାମୁନି
ଧାତିକାରେ ଜଳେ ସମ୍ଭାଇଲେ ଅନାଦି କାତ୍ୟାୟନୀ । ୨୬୪ ।
ପୁତ୍ର ଗୋଟି ଘେନି ମୁନି ବିସ୍ମୟ ମନ ହୋଇ
ବିଚାରି ବିଚାରି ମୁନି ଯେ ଭୀଷ୍ମ ନାମ ଦେଇ । ୨୬୫ ।
ଜୀଇଲେ ଜୀଉଁ ମଲେ ଅବା ମରୁ ଗଙ୍ଗା ଯେ ବୋଇଲା
ଇଛା ମୃତ୍ୟୁ ବର ସେ ଭୀଷ୍ମଙ୍କର ଯେ ହୋଇଲା । ୨୬୬ ।
ପାରେଶ୍ୱର ଶାୟେଂତନୁ ଭୂରିଶ୍ରବା ତିନି ଭ୍ରାଥେ
ପାରେଶ୍ୱରହୁଂ ବ୍ୟାସେ ହୋଇଲେ ସମ୍ଭୁତେ । ୨୬୭ ।
ଶାୟେଂତନୁର ତହୁଂ ଉପୁଜିଲେ ଚିତ୍ର ବିଚିତ୍ରବୀର୍ଯ୍ୟ
ଭୀଷ୍ମ ହିଂ ଉପୁଜିଲେ ତୃତୀୟ ଆତ୍ମଜ । ୨୬୮ ।
ଶାୟେଂତନୁ ମହାଋଷିଙ୍କର ତିନି ଯେ ସନ୍ତତି
ଆଦିହୁଂ କୁରୁବଂଶ ହୋଇଲେ ୟେଥୁଁ ଉତପତ୍ତି । ୨୬୯ ।

ପୂର୍ବବର୍ତ୍ତୀ   ॥   ପରବର୍ତ୍ତୀ

Post a Comment

0 Comments