Ad

header ads

ପ୍ରବନ୍ଧ - ସାହିତ୍ୟ ପୂଜନ ଭାବନୀୟତା ଓ ଦରବାର - ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ


               ଗତ  ସେପ୍ଟେମ୍ବର  ମାସ  ପଚିଶ  ତାରିଖରେ ସୂର୍ଯ୍ୟପ୍ରଭାରେ  "  ସାହିତ୍ୟ ନାମରେରେ  ଚଞ୍ଚକତା "  ପ୍ରକାଶ  ପାଇବା  ପରେ  ଲେଖାଟି  କିଛି  (ଅ)ସାହିତ୍ୟିକ  ବୋଲାଉଥିବା  ବନ୍ଧୁମାନଙ୍କର  ଚକ୍ଷୁଶୀଳ   ଆକ୍ରୋଶର  ଶରବ୍ୟ  ହୋଇଥିଲି  ।  କିନ୍ତୁ  ଅପରପକ୍ଷରେ  ଅଧିକ  ଖୁସି  ହୋଇଥିଲି  ଏଯାବତ  ଯେତେ  ସବୁ  ଲେଖା  ପ୍ରକାଶ  ପାଇଛି ,  ବେଶୀ  ଜନସମର୍ଥନ   ' ସାହିତ୍ୟ ନାମରେ  ଚଞ୍ଚକତା ' ଲେଖାଟି  ଉପରେ  ମିଳିଛି  ।  କେବଳ  ସେତିକି    ନୁହେଁ  ,  ' ଚିରସଂଧାନ 'ର  ସଂପାଦକ  ପ୍ରଫେସର  ପାର୍ଥ  ସାରଥି  ଅଜୟ  ବାରିକ  ଓ  କୋଣାର୍କ  ଗୋପର    ସଂପାଦକ  ତଥା  ଯୁବ  ସାମ୍ବାଦିକ ,  ' ଅନ୍ୱେଷଣ ' ସଂପାଦକ ,  ' ପ୍ରେମ ' ପତ୍ରିକାର  ସଂପାଦକ  ପ୍ରମୁଖ  ସମର୍ଥନ  ଦେବା  ସହ  ପୁନଃ  ପ୍ରକାଶ  କରି  ସାହିତ୍ୟ  କ୍ଷେତ୍ରରେ  ସଚେତନତା  ସୃଷ୍ଟି  କରିବାର  ପ୍ରୟାସ  ଜାରି  ରଖିଥିବାରୁ  କୃତଜ୍ଞତା  ଜଣାଉଛି  ।  ସୂଚନାଯୋଗ୍ୟ  ସାହିତ୍ୟ  ସର୍ଜନାର  ସାହିତ୍ୟିକ  ସମାଜ  ବ୍ରତୀ  ହେଉ ,  ମାନପତ୍ର  ପ୍ରୟାସୀ  ନହେଉ  ।  କିଛି  ଅନାମଧ୍ୟେୟ  ଅନୁଷ୍ଠାନ  ସାହିତ୍ୟ  ସେବା  ନାମରେ  ଯେଭଳି  ବେପାର  କରିଚାଲିଛନ୍ତି ,  ମନେହୁଏ  ସାହିତ୍ୟ  ସବୁଠାରୁ  ଶସ୍ତା  ବାଣିଜ୍ୟିକ  ପଣ୍ୟ  ଦ୍ରବ୍ୟ  ପାଲଟି  ଯାଇଛି  ।  ଏଥିରେ  ବିକ୍ରେତାକୁ  ମାନେ  ଅ(ସଂପାଦକ)  କିଛି  ଅର୍ଥ  ବ୍ୟୟ  କରନ୍ତି  ନାହିଁ  , ମାଛ  ତେଲରେ  ମାଛ  ଭାଜିବା  ନ୍ୟାୟରେ  ରାତା  ରାତି   (ଅ)ସୁପ୍ରତିଷ୍ଠିତ  ସଂପାଦକ  ଓ  (ଅ) ସାହିତ୍ୟିକ  ପାଲଟିଯାନ୍ତି   ।   ପୂର୍ବସୂରୀମାନଙ୍କ  ନାମରେ    ମାନପତ୍ର  କ୍ରୟକରି  ବ୍ୟାସ ,  କବିବର , କବିସୌରଭ ,  ପ୍ରଜ୍ଞା ଶିରୋମଣି,  ଭୂମିପୁତ୍ର ,  ଭୂମିକନ୍ୟା , ଉତ୍କଳ ଗୌରବ,  ଉତ୍କଳ  କେଶରୀ  ଆଦି  ମୁକୁଟ  ପରିଧାନ  କରିଥିବା  (ଅ)ସାହିତ୍ୟିକମାନେ  ମାନପତ୍ର  ଖଣ୍ତିକରମାନ  ରକ୍ଷା  କରନ୍ତି  କି  ନାହିଁ  ବୁଝି  ହୁଏନି  ।  ଗୋଟିଏ  ମଂଚରେ  ଗୋଟିଏ  ଦିନରେ  ଅର୍ଦ୍ଧ  ଶତକରୁ  ସେଞ୍ଚୁରୀ  ଟପିବା  ପର୍ଯ୍ୟନ୍ତ  ଓ  ବର୍ଷକୁ  ଶାଗ  ପଟାଳିରୁ  ଲେଉଟିଆ  ଶାଗ  କାଟିବା  ଭଳି  (ଅ) ସଂପାଦକ  ମାନେ  ତିନି/ଚାରି/ଛଅ   ଥର  ଥର  କରି  ଏଭଳି  ବାଣିଜ୍ୟ  କରନ୍ତି ,  ପ୍ରଶ୍ନବାଚୀ  ଏଭଳି  ଆୟୋଜନ  ପାଇଁ  ଅର୍ଥ  ଆସେ  କୁଆଡୁ  ।  ଭଲ  କଥା  ଏତେ  ପରିମାଣରେ  ବ୍ୟାସ , କବିବର ,  କବିଚୂଡାମଣି ..  ଉତୁରି  ଆସିଲେଣି  ସେମାନଙ୍କୁ  ସ୍ୱାଗତ  କରି  ବନ୍ଦାପନା  କରିବା  ନା   ଓଡିଆ  ସାହିତ୍ୟ   କ୍ଷେତ୍ରରେ  ଏଭଳି  ଅଶୋଭନୀୟ  ପରିସ୍ଥିତି  ସୃଷ୍ଟି  କରୁଥିବା  (ଅ)ସାହିତ୍ୟିକଙ୍କୁ  ଦାୟୀ  କରିବା ,  ପାଠକ ମାନେ  ଏକଥା  କେତେ  ଦୂର  ଗ୍ରହଣ  କରିବେ  ଜାଣେନି  ,   ବିଚାର  ସେମାନଙ୍କ  ଉପରେ  ???

             ମାନପତ୍ରରେ  ସାହିତ୍ୟ  ସର୍ଜନା  ସୃଷ୍ଟି  ହୁଏନାହିଁ  ।  ପ୍ରକୃତ  ଅଧ୍ୟୟନ ,  ନିଷ୍ଠାପର  ସାଧନା  ଦ୍ବାରା  ସାହିତ୍ୟ  ସର୍ଜନ ବଳିଷ୍ଠ  ପାଲଟେ  ।  ମାନପତ୍ର  ଧାରଣ  କରୁଥିବା (ଅ) ସାହିତ୍ୟିକ  ମାନେ  ଥରେ  ଚିନ୍ତା  କରନ୍ତୁ ,  ଯେଉଁ  ପୂର୍ବଜମାନଙ୍କ  ନାମରେ  ମାନପତ୍ର  ଦିଆଯାଉଛି  ବା  ନିଆଯାଉଛି ,  ସେମାନଙ୍କ  ସଂପର୍କରେ,  କୃତିତ୍ୱ  ଉପରେ  ତମମାନଙ୍କ  ଅବଦାନ  କେତେ ,  ଧାରଣା  କେତେ ,  ସେମାନଙ୍କ  କୃତିତ୍ବ  ନିକଟରେ  ତମେ  ତୁଳନୀୟ  କି ..??  ମାନପତ୍ର  ଧାରଣ  କରୁଥିବା  ଏହି  (ଅ)ସାହିତ୍ୟିକଙ୍କ   ପାଣ୍ତୁଲିପି  ଗ୍ରନ୍ଥ/ପୁସ୍ତକ  ଆକାରରେ  ପ୍ରକାଶିତ  ନା'  ନାହିଁ ,  ତାହା  କାଳଜୟୀ  ନା  କାଳାଶ୍ରୟୀ..???  ଭଗ୍ନାବଶେଷ  କୋଣାର୍କକୁ  ନେଇ ପୂର୍ବଜ  ଶିଳ୍ପନୈପୂଣ୍ୟ  କାରିଗରମାନଙ୍କ  କୀର୍ତ୍ତି  ପ୍ରଶଂସା  କରାଯାଏ ,  କିନ୍ତୁ  ତା'ଉପରେ  ପ୍ରାସ୍ତର  ଲେପନ  କରୁଥିବା  ବ୍ୟକ୍ତି  ବିଶେଷକୁ  ନୁହେଁ  ।  ଏଭଳି  ଦ୍ବାରା  ଗୋଟାଏ  ବିରାଟ  ପ୍ରତିଭା  ପ୍ରତି  ଅମର୍ଯ୍ୟାଦା ,  ଅସମ୍ମାନ  ହେବ ।  ସମୟ  କ୍ରମେ  ବିରାଟ   ପ୍ରତିଭା  ଭୂଲୁଣ୍ଠିତ  ହେବ  !  ଜନେ  ହସିବେ ,  ଏହିତହୁଁ  ଫଳ..!!

            ଇଂରେଜ  ଶାସନ  ସମୟରେ  କବିବର  ରାଧାନାଥଙ୍କ  ଦରବାର  କାବ୍ୟ  ପ୍ରସଙ୍ଗ  ମନେ  ପକାନ୍ତୁ  ।  ହୁଏତ  ଏହାକୁ  ଏକ  ବ୍ୟଙ୍ଗାତ୍ମକ  ରଚନା  କହିଦେଲେ  ହେବନାହିଁ  ।  ସମସାମୟିକ  ସମାଜର  ଏକ  ସାର୍ଥକ  ସୃଷ୍ଟି  ।  ୧୮୯୪  ସାଲ  ଅଗଷ୍ଟ  ମାସ  ୨୯ରିଖ  ବୁଧବାର  ଦୁଇଟା  ସମୟରେ  ବାରବାଟୀ  କିଲ୍ଲାରେ  ଇଂରେଜ  ମାନଙ୍କ  ପକ୍ଷରୁ  ଏକ  ଦରବାରର  ଆୟୋଜନ  ହୋଇଥିଲା  ।  ଏହି  ଦରବାରରେ   ଜ୍ୟୋତିର୍ବିଦ୍  ସାମନ୍ତ  ଚନ୍ଦ୍ରଶେଖରଙ୍କୁ    ମହାମହୋପାଧ୍ୟାୟ  ଓ   କାଉପୁର  ଜମିଦାର ଙ୍କୁ  ରାୟବାହାଦୁର  ଉପାଧି  ଦେବାର  ବ୍ୟବସ୍ଥା  ଥିଲା  ।  ଏହି  ଦରବାରରେ  କଟକରେ  ଥିବା  ଓ  କଟକ  ନିକଟବର୍ତ୍ତୀ  କେତେକ  ରାଜା  ,  ଜମିଦାର  ଓ   ସରକାରୀ   ଉଚ୍ଚ   କର୍ମଚାରୀଙ୍କୁ  ନିମନ୍ତ୍ରଣ  କରାଯାଇଥିଲା  ।  ରାଜାମାନଙ୍କ  ମଧ୍ୟରୁ  ଦର୍ପଣି ,  ବଳରାମ  ପୁରର  ରାଜାମାନେ ,  ତାଳଚେର,  ବଡମ୍ବା ,  କନିକା  ଓ  ମଧୁପୁରର  ନାବାଳକ  ରିଜା  ସମୂହ  ଉପସ୍ଥିତ  ଥିଲେ  ।  ବଙ୍ଗଳାରୁ  ସରକାରୀ  ଆଦେଶାନୁଯାୟୀ  ଓଡ଼ିଶାର  କମିଶନର  ସାହେବ  ଉପାଧି  ପ୍ରଦାନ  କରିବାକୁ  ଉପସ୍ଥିତ  ଥିଲେ  ।  ଉକ୍ତ  ଦରବାରରେ  ଗୋବିନ୍ଦ  ବଲ୍ଲଭ  ରା୍ୟ  ଉପସ୍ଥିତ  ରହି  ଉପାଧି  ଗ୍ରହଣ  କରିଥିବା  ବେଳେ  ସାମନ୍ତ  ଚନ୍ଦ୍ରଶେଖର  ଅନୁପସ୍ଥିତ  ଥିଲେ  ।  କାବ୍ୟରେ   ରାଧାନାଥ  ତାଙ୍କର  ଭଗିନୀପତି  ଗୋବିନ୍ଦ  ବଲ୍ଲଭ  ରାୟଙ୍କ  ନାମୋଲ୍ଲେଖ  କରିନଥିଲେ  ହେଁ  ତାଙ୍କୁ  କେନ୍ଦ୍ର  କରି  ଏଭଳି  ଏକ  ବ୍ୟାଙ୍ଗୋକ୍ତି  ପୂର୍ଣ୍ଣ  କାବ୍ୟ  ସର୍ଜନା  ଯାହା  ସାଂପ୍ରତିକ  ମାନପତ୍ର  ଉପାଧି  ଜଡିତ  ସାହିତ୍ୟିକ  ମାନଙ୍କ  ଲାଳସାକୁ  ଉପହାସ  କରେ  ।

                କବିବର  ରାଧାନାଥଙ୍କ  କାବ୍ୟ  ଦରବାର  ବାରବାଟୀ  ଦୁର୍ଗ  ପ୍ରାଙ୍ଗଣରେ  ଅନୁଷ୍ଠିତ  ହୋଇଥିବାରୁ  ଏବେ   ଭଗ୍ନସ୍ତୁପ  ପାଲଟି  ଯାଇଥିବା  ବାରବାଟୀ  ଦୁର୍ଗର  ଗାଥା   ବର୍ଣ୍ଣନା  କରାଯାଇଛି  ।  ଅତୀତରେ  ଉତ୍କଳର  ରାଜଧାନୀ  କଟକ  ଥିଲା  ।  ବାରବାଟୀରେ  ରାଜଧାନୀର  ନବତଳ  ପ୍ରାସାଦ  ନିର୍ମିତ  ଥିଲା  ।  ଅତୀତରେ  ଉତ୍କଳର  ଗଜପତି  ପୁରୁଷୋତ୍ତମ  ଦେବ  ସୁଦୂର  କାଞ୍ଚି  ଅଭିଯାନ  ବେଳେ  ସୈନ୍ୟବାହିନୀର  ବୀରବାଦ୍ୟର  ପ୍ରତିଧ୍ବନି  ବାରବାଟୀ  ଦୁର୍ଗର  ପ୍ରାଚୀରରୁ  ପ୍ରକାଶ  ପାଉଥିଲା  ।  ଉତ୍କଳ  ତାର  ସ୍ୱାଧିନତା  ହରାଇ  ଇଂରେଜ  ଶାସନର  ଅଧିନତା  ସ୍ୱୀକାର  କରିଥିଲା  ।  ଇଂରେଜ  ସରକାର  ବାରବାଟୀ  ଦୁର୍ଗପ୍ରାଙ୍ଗଣରେ  ଦରବାର  ପାଇଁ  ଉପଯୁକ୍ତ  ମନେ  କରିଥିଲେ  ।  ଅତୀତର  ଐଶ୍ୱର୍ଯ୍ୟ  କେବଳ  ଆଜି  ସ୍ୱପ୍ନ  ବସ୍ତୁ  ।  ଜୀର୍ଣ୍ଣ ଶୀର୍ଣ୍ଣ  ଦୁର୍ଗ  ଆଜିର  ନବ୍ୟସଭ୍ୟ  ଉତ୍କଳୟୀମାନଙ୍କ  ପାଇଁ  କିମ୍ବଦନ୍ତୀ  ପାଲଟିଯାଇଛି  ।  କୁହାଯାଏ   ସାମୟିକ ,  ବ୍ୟକ୍ତିଗତ  ତଥା  ଜାତୀୟ  ଦୋଷ  ଦୁର୍ବଳତାକୁ  ଖୋଲାଖୋଲି  ଭାବରେ  ହାସ୍ୟରସ  ମାଧ୍ୟମରେ  ପ୍ରକାଶ  କରିବା  ହେଉଛି  ବ୍ୟଙ୍ଗ  ।  ଆଶା  କରାଯାଏ  ଉନ୍ନତ  ବ୍ୟଙ୍ଗ  ମାଧ୍ୟମରେ  ସାମାଜିକ  ଆଚାର  ବ୍ୟବହାର  ଓ  ଚଳଣିର  ଦୁର୍ବଳତା   ତଥା  ନୈତିକ  ତ୍ରୁଟିଗୁଡିକ  ସଂଶୋଧିତ  ହୋଇପାରେ  ।   ଗ୍ରୀକ୍  ସାହିତ୍ୟରେ  ହୋମର  ଓ  ଅରିଷ୍ଟୋଫେନସ୍  ପ୍ରଭୃତି  ପ୍ରଥମ  ବଳିଷ୍ଠ  ବ୍ୟଙ୍ଗ  ସାହିତ୍ୟିକମାନେ  ଦୃଷ୍ଟିକୁ  ଆସନ୍ତି  ।  ବାଇବେଲ୍ ରେ  ମଧ୍ୟ  ବ୍ୟଙ୍ଗର  ସୂଚନା  ରହିଛି  ।  ଅଷ୍ଟାଦଶ  ଶତାବ୍ଦୀରେ  ଷ୍ଟିଲ ,  ଆଡିସନ ,  ଗୋଲଡସ୍ମିଥ୍  ପ୍ରଭୃତି   ଖ୍ୟାତନାମା  ସାହିତ୍ୟିକ  ପତ୍ରପତ୍ରିକାରେ  ବ୍ୟଙ୍ଗ  ସାହିତ୍ୟକୁ  ପରିପୁଷ୍ଟ  କରିଥିଲେ  ।  ପରବର୍ତ୍ତୀ  ଇଂରେଜୀ  ବ୍ୟଙ୍ଗ  ସାହିତ୍ୟରେ   ଡ୍ରାଇଡେନ , ସୁଇଫ୍ଟ  ଓ  ପୋପ  ଆସିଥିବା  ବେଳେ  ପରବର୍ତ୍ତୀ  ସମୟରେ   ବର୍ଣ୍ଣସ୍ ,  ବାଇରନ୍  ଓ  ସାମୁଏଲ  ବଟ୍ଲଲର  ଏ  କ୍ଷେତ୍ରରେ  ଗୁରୁତ୍ୱପୂର୍ଣ୍ଣ  ଭୂମିକା  ନେଇଥିଲେ ।  ଓଡିଆ  ସାହିତ୍ୟରେ  ବ୍ୟଙ୍ଗ  ଥିଲେ  ମଧ୍ୟ  ଇଂରାଜୀ  ସାଟ୍ୟାର (satire) ଯେଉଁ  ଅର୍ଥରେ  ବ୍ୟବହୃତ  ତାହା  ରାଧାନାଥଙ୍କ  ପୂର୍ବରୁ  ଆରମ୍ଭ   ହୋଇନାହିଁ  ।   ରାଧାନାଥଙ୍କ  ଏହା  ନିଜସ୍ୱ  ଓ  ମୌଳିକ  ।  ଓଡିଆ  ସାହିତ୍ୟରେ  ରାଧାନାଥ  ଯୁଗ  ଏକ  ସଂଘର୍ଷର  ଯୁଗ  ।  ବିଦେଶୀ  ଚାକଚକ୍ୟର  ମୋହରେ  ଦେଶବାସୀ  ନିଜତ୍ବ  ଭୁଲି  ବସିଥିବା  ବେଳେ  ରାଧାନାଥ  ଦୃଷ୍ଟିରେ - "  ଉପାଧି ଜଡିତ ଉପାଧି ଜଡିତ  /  ଉପାଧିରେ  ଆଜ  କରିବେ  ଭୂଷିତ /  ପଦଟିଏ  ତେବେ  କର୍ଣ୍ଣରସାୟନ/ ପଦ  ଅନୁରୂପେ  ବସନ  ଭୂଷଣ/ ଜଙ୍ଗ-ସକ୍ଷ୍ୟ  କ୍ଷୟଶୀଳ  ତଲବାର /  ପୋଷାକ  ଚୁଟିଆ  ମୂଷାର  ଆହୁର/ ମୋତିମାଳ  ଅସ୍ଥି  ବିକର  କେବଳ/ ଜଳକା  ନୟନେ  ଦିଶେ  ଯା  ଉଜ୍ଜ୍ୱଳ/ ଶିର  ପେଞ୍ଚ  ଯାହା  କିଛି ଦିନ ଅନ୍ତେ / ତଳରେ  କରକା  ପ୍ରାଣ  କାଳଦନ୍ତେ/ ପଦାର୍ଥ-ସଂପର୍କ-ଶୂନ୍ୟ-ନୂଆପଦ/ ସଙ୍ଗେ  ମିଳିବ  ଏ  ନୂଆ  ପରିଚ୍ଛଦ ।"

           ଇଂରେଜ  ସରକାରଙ୍କ  ଦ୍ଵାରା  ପ୍ରଦତ୍ତ  ଉପାଧିର  ଗ୍ରହଣ   କରୁଥିବା  ଉଭୟ  ପଠାଣି  ସାମନ୍ତ  ଓ  ରାୟବାହାଦୁରଙ୍କ   ଏତାଦୃଶ  କାର୍ଯ୍ୟ  ପାଇଁ  ରାଧାନାଥଙ୍କୁ  ବ୍ୟଥିତ  କରିଥିଲା  ।  ତତ୍କାଳୀନ  ଇଂରେଜ  ସରକାରଙ୍କ  ଠାରୁ  ସାମାନ୍ୟ  ଉପାଧି  ପାଇବା  ପାଇଁ  କିଭଳି  ବ୍ୟାକୁଳ  ତାହାର  ଚମତ୍କାର  ବର୍ଣ୍ଣନା  ଦେଇଛନ୍ତି  ।  ଏପରିକି  ତତ୍କାଳୀନ  ସରକାରୀ  କର୍ମଚାରୀମାନେ  ଇଂରେଜ  ସରକାରଙ୍କୁ  ଖୋଷାମୋଦ  କରି   ଉପାଧି  ହାତେଇ  ନେବାର  ବ୍ୟଗ୍ରତା  ସଂପର୍କରେ  ସୂଚେଇ  ଦେଇଛନ୍ତି  ।  ଗଡଜାତର  ରାଜାମାନେ  ନିଜର  ସ୍ୱାଭିମାନ  ଓ  ନିଜତ୍ବକୁ  ବିସର୍ଜନ  ଦେଇ  ଇଂରେଜ  ସରକାରଙ୍କୁ  ସାଧ୍ୟ  ଅନୁସାରେ  ସନ୍ତୁଷ୍ଟ  କରି  ଉପାଧି  ପାଇବାକୁ  ଯଥେଷ୍ଟ  ଚେଷ୍ଟିତ  କରିଥିଲେ  ।  ଏପରିକି  ଅନେକ  ଜମିଦାର  ବା  ଗଡଜାତ-ରାଜା  ଇଂରେଜ  ସରକାର  ଠାରୁ   ଅଳୀକ  ବାସନାର  ଜଡିତ  ଉପାଧି  ପାଇବା  ପାଇଁ   ଅଯଥାରେ  ଅମାପ  ଧନସମ୍ପଦ  ବ୍ୟୟ  କରିବାକୁ  ଯେଭଳି  ପଛାଉନଥିଲେ ,  ସେଭଳି  ଆଜିର   କେତେକ   (ଅ)ସାହିତ୍ୟିକମାନେ  ଖଣ୍ତିଏ  ମାନପତ୍ର  ପାଇଁ  ତତ୍ପର  ହେବାର  ଦେଖାଯାଉଛି  ।  " ଉପାଧି-ଲାଳସା-ରୂପୀ  ମହାବ୍ୟାଧି / ହୋଇଛି  ସାତ୍ତ୍ଵିକ  ଧରମର  ବାଦୀ /  ଅସାର  ଝଟକ  ହୋଇଅଛି  ସାର / ଭଣ୍ଡତାର  ବଢିଯାଉଛି  ପ୍ରସାର ।"

              କବିବର  ରାଧାନାଥ  ମାନବ ସମାଜକୁ  ଉପଦେଶ  ଦେବାକୁ  ଯାଇ  ଦର୍ଶାଇ ଥିଲେ " ଅଳ୍ପ ଦିନ  ସ୍ଥିତି  ପାଇଁ  ଭବଚଟି/ ଏଥିଲାଗି  କିମ୍ପା  ଏତେ କଟାକଟି  (?)/ ମଣ  ସିନା  ଆପଣକୁ  ବଡ  କରି / ମାତ୍ର  କଥା-ବୃକ୍ଷବେହେ  ମଶା  ପରି /  ××× " ବୃଥା  କରି  କିମ୍ପା  ସଂପଦେ  ବିଶ୍ୱାସ (?)/ ବିଜୁଳି  ପ୍ରାୟ  ଯା  ବିଭାର  ବିକାଶ / ସୁଖ ଝଟକେ  ଯେ  ଚକ୍ଷୁ  ଚମକାଇ / ଦୁଃଖ  ବଜେ  ପରେ  କରେ  ଧରାଶାୟୀ ।"  ଏଥିରୁ  ସଂସାରର  ସୁଖ  ବିଷୟରେ  କବିଙ୍କର  ମତବାଦ  ସୂକ୍ଷ୍ମ ଦୃଷ୍ଟିରେ  ବିଚାର  କଲେ  ଅତି  ସ୍ପଷ୍ଟ  ହୋଇଯାଏ ।   ଜଗତର  ଜଞ୍ଜାଳରେ  ଲିପ୍ତ  ରହି  ଉପାଧି  ବା  ଏ  ପଦମର୍ଯ୍ୟାଦା   ପାଇଁ  ବ୍ୟଗ୍ର   ଅସାହିତ୍ୟିକ  ଯୋଗାଡ  କରୁଥିବା  ମାନପତ୍ର  ମୂଲ୍ୟ  କ୍ଷଣିକ,  ମୂଲ୍ୟହୀନ  ।  ଅଳୀକ  ମାୟାରେ  ଜଣେ  ଭୃକ୍ତଭୋଗୀ  ମନୁଷ୍ୟର  ସତ୍  ଧର୍ମ ,  ସତ୍  କର୍ମର  ଫଳ  ତାକୁ  ଅମରତ୍ୱ  ଦେଇଥାଏ ,  ଅଳିକ  ଉପାଧି  ଜଡିତ ଏ' ମାନପତ୍ର  ନୁହେଁ,  ଏଥିପାଇଁ  ଦର୍ଶାଇଛନ୍ତି -  " ଜନ୍ମ ଫଳେ  ଭବେ  ବଡ଼ପଣ  ପାଇ /  ଧର୍ମ  ଫଳେ  ତାକୁ  କର  ଚିରସ୍ଥାୟୀ / ଧର୍ମ  ଏକ  ପୋତ  ଗଢ଼ିଛନ୍ତି  ବିଧି / ତରିବାକୁ  ଏହି  ସଂସାର  ବାରିଧି  ।"  ଯେଉଁ  ରାଜସଭାରେ  ଜ୍ଞାନୀ  ପଣ୍ଡିତମାନେ  ଵସି  ବିଧାନ  ନିର୍ଦ୍ଦେଶ  ସେହି  ରାଜସଭାରେ  ଆଧୁନିକ  କାଳରେ  ଧୂର୍ତ୍ତ ,  ଶଠ ,  ପ୍ରବଞ୍ଚକମାନେ  ଆସନ  ପାତି  ବସିଥିବା  ହାସ୍ୟାସ୍ପଦ  ।   ଜଗତରେ  କୀର୍ତ୍ତି  ହିଁ  ମନୁଷ୍ୟକୁ  ଅମର  କରେ,  ଯେଭଳି  - "  ଗୋଦାବରୀ  ଠାରୁ  ଗଙ୍ଗାଯାଏ  ବ୍ୟାପି / କୀର୍ତ୍ତିମାଳା  ଯାର  ବିରାଜେ  ଅଦ୍ୟାପି / ଏକାମ୍ରେ , କୋଣାର୍କେ  ଯା  କୀର୍ତ୍ତି  ଭାସ୍ୱର / ଯୋଗ୍ୟପୁତ୍ର  ତୁମ୍ଭେ  ସେହି  ଉତ୍କଳର / ×××  ' ସିଦ୍ଧାନ୍ତ  ଦର୍ପଣ '  ହେବ  ନାହିଁ  ଲୟ / ନର  ଦେହେ  ଥିବ  ଯାବତ  ହୃଦୟ ।"

                   ରାଧାନାଥଙ୍କ  ଦରବାର  ଏକ  ପ୍ରତ୍ୟକ୍ଷ  ବ୍ୟଙ୍ଗକାବ୍ୟ  ।  ଇଂରେଜୀ  ସାହିତ୍ୟିକ  ଜନାଥନ୍  ସୁଇଫ୍ଟ  ଯେଭଳି  ବ୍ୟକ୍ତିଗତ  ଓ  ସାମାଜିକ  ଜୀବନର  ତୀବ୍ର  ସମାଲୋଚନା  କରିଥିଲେ  ଓ  ରାଜନୈତିକ ବିଷୟବସ୍ତୁ  ଗ୍ରହଣ  କରି  ସେ  " ଗଲିଭତ୍ସ  ଟ୍ରାଭଲସ୍ "  ରଚନା  କରିଥିଲେ  ଠିକ୍  ସୁଇଫ୍ଟଙ୍କ  ପ୍ରଭାବରେ  ପ୍ରଭାବିତ  ହୋଇ  ସେ  ଦରବାର  କାବ୍ୟ  ସର୍ଜନା  କରିଥିଲେ ।  ରାଜା, ଜମିଦାର ,  ସରକାରୀ  ଶାସନ  କଳକୁ  କଟୁ  ସମାଲୋଚନା  କରିବା  ସହ  ଏଜାତିର  ଲକ୍ଷ୍ୟ  ନେଇ  ସମଗ୍ର  ମାନବ  ଜୀବନ  ପ୍ରତି  ଗଭୀର  ସମବେଦନା  ଜଣାଇବା  ସହ  ଚେତାବନୀ  ଦେଇଛନ୍ତି  ।  ଉପାଧି  ଜଡ଼ିତ  ମାନପତ୍ର (ଅର୍ଥ ଦେଇ କ୍ରୟ)  ପାଊଥିବା  (ଅ)ସାହିତ୍ୟକମାନେ  ହୃଦୟତାର  ସହ  ବିଚାର  କରନ୍ତୁ  ।  ଥରେ ମାତ୍ର  କବିର  ରାଧାନାଥଙ୍କ  ଦରବାର  କାବ୍ୟ  ପଠନ  କରନ୍ତୁ  ଓ  ବିଚାର  କରନ୍ତୁ  ଆଜି  କବିବର  ଉପାଧି  ଦେଉଥିବା  ଓ  ପାଉଥିବା  ଆତ୍ମଘୋଷିତ  ନିଜକୁ  ସୁ(ଅ)ସାହିତ୍ୟିକ  ବୋଲାଥିବା  କେତେ  ତୁଳନୀୟ  ।  ଏ  ଆତ୍ମଘୋଷିତ  ସାହିତ୍ୟିକମାନେ  ଯେତିକି  ବିଶ୍ୱବିଦ୍ୟାଳୟର  କୃତିତ୍ବର  ପ୍ରମାଣ  ପତ୍ର  ପାଇ  ଜୀବିକାର୍ଜନ  ପାଇଁ  ଖୁସି  ହୋଇ  ନଥିବେ  ବରଂ  ଅଧିକ  କୃତକୃତ  ହୁଅନ୍ତି  କୌଣସି  ଅନାମଧ୍ୟେୟ  ବିକ୍ରିକରା  ଶସ୍ତା  ମାନପତ୍ର  ଖଣ୍ତିକ  ପାଇ ,  ଯାହା  ନିରର୍ଥକ  ଓ  କାଳାଶ୍ରୟୀ  ।  ଯେଉଁଠି  ରାଧାନାଥଙ୍କ  ଭଳି  କାଳଜୟୀ  ଦରବାର  କାବ୍ୟ  ଥିବ  ସେଠି  ମାନପତ୍ର  ବା  ଉପାଧି  ଅପେକ୍ଷା  ସ୍ରଷ୍ଟା  ସ୍ୱତଃ  କାଳଜୟୀ   ।  ସାଂପ୍ରତିକ  ଓଡିଆ  ସାହିତ୍ୟର  ଏହାହିଁ  ଭାଗ୍ୟ  କହିଲେ  ଅତ୍ୟୁକ୍ତି  ହେବ  ନାହିଁ ..!!!

              ● ଓଡିଆ  ଭାଷା  ଓ  ସାହିତ୍ୟ  ବିଭାଗୀୟ  ମୁଖ୍ୟ
                  ମହାନଦୀବିହାର  ମହିଳା  ସ୍ନାତକ  ମହାବିଦ୍ୟାଳୟ ,  କଟକ -୪
                  ଦୂରଭାଷ : ୯୦୪୦  ୧୫୧୪୭୫
                  Email: Laxmansahoo9040@gmail.com



ରଚନା : ଡକ୍ଟର ଲକ୍ଷ୍ମଣ ସାହୁ

ଠିକଣା : ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, ,କଟକ-୪ ଦୂରଭାଷ :

Post a Comment

0 Comments