Ad

header ads

ପ୍ରବନ୍ଧ - ସାଧବ ପୁଅର ବୋଇତ କାହିଁ ? - ସୁବ୍ରତ କୁମାର ପୃଷ୍ଟି

(ଇତିହାସ କହେ, ଆମର ପୂର୍ବପୁରୁଷମାନେ ବୋଇତରେ ଧନସମ୍ପତ୍ତି ଭରି ଓଡ଼ିଶାକୁ ବୋହି ଆଣୁଥିଲେ; ହେଲେ ଆଜି - ଆମେ କୁନି କୁନି ବୋଇତ ଭସାଇ ଖୁସି ହେଉଥିବା ବେଳେ, ବିଦେଶୀଙ୍କ ବଡ଼ ବଡ଼ ଜାହାଜରେ ଆମର ଅକଳନ ସଂପଦକୁ ଶାଗମାଛ ମୂଲରେ ବିଦେଶକୁ ଚାଲାଣ ହେବାରେ ଲାଗିଛି । ଏହା କ'ଣ ଏକ ଦୂରଦୃଷ୍ଟି ଥିବା ଜାତିର ପରିଚୟ?)

 ବହୁ ଉତ୍ସାହ ଓ ଉଦ୍ଦୀପନା ଭିତରେ ବୋଇତବନ୍ଦାଣ ଉତ୍ସବ ପାଳନ କରାଯାଉଛି ଓଡ଼ିଶାର ପୁରପଲ୍ଲୀରେ । କାର୍ତ୍ତିକ ପୂର୍ଣ୍ଣମୀର ପାହାନ୍ତା ବେଳା ନଦୀ, ନାଳ ଆଦି ଯେଉଁଠି ବି ସାମାନ୍ୟ ଜଳ ରହିଛି, ସେଠି ଭାସି ଉଠୁଛି କଦଳୀ ପଟୁଆ, କାଗଜ, ସୋଲ ନିର୍ମିତ ଛୋଟ ଛୋଟ ବୋଇତ । ଆଉ ଏହି ବୋଇତର ସାମଗ୍ରୀ ହେଉଛି ପାନ, ଗୁଆ ସହିତ ଦୀପଟିଏ କିମ୍ବା ସଳିତା କାଠିଟିଏ । ଆ.କା.ମା ବଇ..ର ଶବ୍ଦରେ ନଦୀକୂଳ ପ୍ରକମ୍ପିତ ହୋଇ ଉଠୁଛି । ଏଥିସହିତ ଦେଖିବାକୁ ମିଳୁଛି ଚଉରାମୂଳେ ବାଲୁକାସ୍ଥାପନ ଓ ଘର ସାମ୍ନାରେ ମୁରୁଜଦ୍ୱାରା ଓଡ଼ିଆ କଳାନୈପୁଣ୍ୟର ପ୍ରଦର୍ଶନ ।

 ଯଦି ଆମେ ଏ ସଂପର୍କରେ କୌଣସି ଓଡ଼ିଆଙ୍କୁ ପଚାରିବା, ଉତ୍ତରରେ ସରଳ ଗାଉଁଲୀଟିଏ ଧାର୍ମିକ ଭାବନା ଓ ଶିକ୍ଷିତ ଓଡ଼ିଆଟିଏ ଅତୀତର ସ୍ମୃତି ରୋମନ୍ଥନ ବିଷୟରେ କହିପାରେ । ମାତ୍ର ଏହା ପଛରେ ଥିବା ତିକ୍ତ ମଧୁର ଇତିହାସ, ବର୍ତ୍ତମାନର ଅସହାୟତା ଆଉ ଭବିଷ୍ୟତର କାର୍ଯ୍ୟପନ୍ଥା ବିଷୟରେ ପଦେ କହିପାରିବେ ନାହିଁ । କାରଣ ଏହି ପରମ୍ପରା, ଏବେ ଅଶିକ୍ଷିତ ଗାଉଁଲୀ ଓଡ଼ିଆ ନିକଟରେ ଧର୍ମ ଓ ଶିକ୍ଷିତ ଓଡ଼ିଆ ନିକଟରେ ଇତିହାସ ଭାବେ ବଞ୍ଚି ରହିଛି । ତାହାକୁ ଆମ ଗାଉଁଲୀ ଲୋକ ନିଜ ଅଜ୍ଞତା ଭାବି ପ୍ରକାଶ କରୁ ନ ଥିବା ବେଳେ, ଶିକ୍ଷିତ ବ୍ୟକ୍ତିଟି ଇତିହାସର ଦର୍ପିତ କାହାଣୀ ଜାଣିସୁଦ୍ଧା କୁଣ୍ଠିତ । କାରଣ ଯାହା ଥାଉନା କାହିଁକି, ଏହାକୁ ପ୍ରକାଶ କରିବାରେ ଯେ ନିଜ ଭିତରେ ପ୍ରଚୁର ହୀନମନ୍ୟତା ଭରି ରହିଛି, ତାହା କେହି ଅସ୍ୱୀକାର କରିବେ ନାହିଁ ।

 ଅତୀତର ବିଶ୍ୱବାଣିଜ୍ୟ କ୍ଷେତ୍ରରେ ମଗଧର ନନ୍ଦବଂଶ ଶାସନ କାଳରୁ ପ୍ରାଧାନ୍ୟବିସ୍ତାର କରିଥିବା ଏକ ସମୃଦ୍ଧ ଜାତିର ବଂଶଧର ଭାବେ ଓଡ଼ିଆଗଣ ଆଜି କିଛି ନ କରିପାରିବାର ଭାବନା ଭିତରେ ଦାରିଦ୍ର୍ୟକୁ ଜାବୁଡ଼ି ଧରି ପୂର୍ବଜଙ୍କ ବିଶାଳ ବୋଇତ ବଳରେ ଏକ ସଂକେତ ଭାବେ କଦଳୀ ବାହୁଙ୍ଗା, ସୋଲ, କାଗଜର କ୍ଷୁଦ୍ର ପ୍ରତିକୃତି ମାଧ୍ୟମରେ ଅତୀତର ସ୍ମୃତିକୁ ବଞ୍ଚାଇ ରଖିଛନ୍ତି ଆଗାମୀ ପିଢ଼ିପାଇଁ । ଯେଉଁ ପିଢ଼ି ଏହି ନପୁଂସକତାର ବଳୟରୁ ଏ ଜାତିକୁ ମୁକ୍ତ କରି ପୁଣି ପ୍ରାଚୀନର ଐତିହ୍ୟ, ବିଭବକୁ ଫେରାଇ ଆଣିପାରିବ । ନିଜ ଉର୍ବର ମାଟିରେ ସୁନା ଫଳେଇ ଶସ୍ୟ ସମ୍ଭାର ସହିତ ମାଟି ତଳେ ଗଚ୍ଛିତ ଅମୂଲ୍ୟ ଖଣିଜ ଦ୍ରବ୍ୟକୁ ବିଭିନ୍ନ ବସ୍ତୁରେ ପରିଣତ କରି ବିଦେଶକୁ ରପ୍ତାନୀ କରିବ । ଆଉ ନେଇ ଆସିବ ଏ ମାଟିକୁ ସେ ଦେଶର ଅକଳନ ଧନସଂପତ୍ତି ।

ସତରେ କ’ଣ ଏହା ସମ୍ଭବ ହେବ?

 ଇତିହାସ କହେ-କଳିଙ୍ଗ ନାମରେ ପରିଚିତ ବର୍ତ୍ତମାନର ଓଡ଼ିଶା, ମଗଧ-ନନ୍ଦ ସାମ୍ରାଜ୍ୟ ବେଳକୁ ଏହାର ୩ଟି ପ୍ରଦେଶ-ପ୍ରାଚୀ କଳିଙ୍ଗ (ଗୋଦାବରୀ ନଦୀତଟରୁ ସୁବର୍ଣ୍ଣରେଖା ନଦୀତଟ ପର୍ଯ୍ୟନ୍ତ) ଗଙ୍ଗାରାଇଡ୍ କଳିଙ୍ଗ (ସୁବର୍ଣ୍ଣରେଖା ତଟରୁ ଗଙ୍ଗା ସାଗର ପର୍ଯ୍ୟନ୍ତ) ଓ ମଗ କଳିଙ୍ଗ (ଗଙ୍ଗାସାଗରଠାରୁ ଦକ୍ଷିଣପୂର୍ବ ଏସିଆ ଦ୍ୱୀପପୁଞ୍ଜ)ର ୭୦୦ ମାଇଲ ସମୁଦ୍ର ଉପକୂଳକୁ ନେଇ ବ୍ୟାପିଥିଲା କଳିଙ୍ଗ ସାଧବପୁଅର ଏକାଧିପତ୍ୟ ବାଣିଜ୍ୟିକ କ୍ଷେତ୍ର । ସେଇଥିପାଇଁ ଭାରତ ମହାସାଗରରୁ ଗଙ୍ଗାସାଗରକୁ ଛୁଇଁଥିବା ବିସ୍ତୃତ ସାମୁଦ୍ରିକ କ୍ଷେତ୍ରର ନାମ ଥିଲା କଳିଙ୍ଗସାଗର । ଏହି ସାଗରକୁ ସ୍ପର୍ଶ କରିଥିବା ଗୋଦାବରୀ, ଋଷିକୂଲ୍ୟା, ପ୍ରାଚୀ, ଚନ୍ଦ୍ରଭାଗା, ବ୍ରାହ୍ମଣୀ, ବୈତରଣୀ, ମହାନଦୀ, ସୁବର୍ଣ୍ଣରେଖା, ଦାମୋଦର, ରୂପନାରାୟଣ, ଗଙ୍ଗା ଆଦି ନଦୀଗୁଡ଼ିକ ଥିଲା ଗଭୀର ଓ ନୌକା ଯାତାୟତର ସୁଗମପଥ । ଏହି ବୃହତ ନଦୀ ସହ ସଂପୃକ୍ତ ଉପନଦୀ ଓ ଶାଖାନଦୀ କଳିଙ୍ଗର ସବୁ ଅଞ୍ଚଳରେ ବ୍ୟାପିଥିବାରୁ ଜଳପଥ ଗମନାଗମନର ମୁଖ୍ୟ ମାର୍ଗ ହୋଇଥିଲା । ତେଣୁ କଳିଙ୍ଗର କୌଣସି ଭାଗ ବିଚ୍ଛିନ୍ନ ନ ଥିଲା । ନ ଥିଲା ମଧ୍ୟ ଜାତିଭେଦର କୁତ୍ସିତ ରୀତି । ତନ୍ତୀ, ତେଲି, କୁମ୍ଭାର, କମାର, ଚମାର, କାଚରା, ପାଟରା, ବଣିଆ, ବଢ଼େଇ ଆଦି ବିଭିନ୍ନ ଜାତି ନିଜ କର୍ମକୁଶଳତାରେ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରି, ନିଜ ବୋଇତରେ ବେପାର ବଣିଜ କରି ବାହାରୁ ଥିଲେ ଦେଶ ବିଦେଶ । ବ୍ରାହ୍ମଣ୍ୟବାଦଠାରୁ ବହୁୂ ଦୂରରେ ଥିବା ଏହି ଭୂଖଣ୍ଡର ଅଧିବାସୀଗଣ ନିଜର କର୍ମକ୍ଷେତ୍ରରେ, ବ୍ୟବସାୟ ଜାତି, ଜାଗୃତି ଓ ପ୍ରଗତି ବାଣିଜ୍ୟରେ ତଥା ନିଜ ସ୍ୱାଭିମାନକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଯେପରି କାନ୍ଧକୁ କାନ୍ଧ ମିଳାଇ ଚଳୁଥିଲେ, ତାହା ତତ୍କାଳୀନ ଭାରତବର୍ଷର ଅନ୍ୟ ଶାସକ, ସାମନ୍ତ ତଥା ବ୍ରାହ୍ମଣ ଗୋଷ୍ଠୀଙ୍କ ଈର୍ଷାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲା ।

 ତେଣୁ କଳିଙ୍ଗ ଭୂଖଣ୍ଡ ଅନ୍ୟମାନଙ୍କପାଇଁ ହୋଇଯାଇଥିଲା ଅଛୁଆଁ । ଫଳରେ ଏଠାରେ ପ୍ରାଧାନ୍ୟ ବିସ୍ତାର କଲା ବୌଦ୍ଧ ଓ ଜୈନଧର୍ମ । ଉଭୟ ଧର୍ମର ବ୍ୟାପକ ପ୍ରସାର କଳିଙ୍ଗ ସାଧବପୁଅଙ୍କ ବାଣିଜ୍ୟକୁ ଆହୁରି ପ୍ରସାରିତ କଲା । ଆଉ ସେଇଥିପାଇଁ ଯୁଦ୍ଧ ଇତିହାସରେ ଦୁଇଟି ଭୟଙ୍କର ଯୁଦ୍ଧ-ମହାପଦ୍ମ ନନ୍ଦ ଓ ଅଶୋକଙ୍କଦ୍ୱାରା ସଂଗଠିତ ହୋଇ କଳିଙ୍ଗ ଆଧିପତ୍ୟକୁ ସଂକୁଚିତ କରିବାର ପ୍ରାଥମିକ ପ୍ରୟାସ ଆରମ୍ଭ କରାଗଲା । ମାତ୍ର ଏ ଯୁଦ୍ଧର କ୍ଷତକୁ ଖୁବ୍ ଶୀଘ୍ର ଭରିଦେଇ ଥିଲେ କଳିଙ୍ଗର ଶୂଦ୍ର ସାଧବଗୋଷ୍ଠୀ ନିଜର କର୍ତ୍ତବ୍ୟନିଷ୍ଠା, କଠୋର ପରିଶ୍ରମ ଓ ସୁଚତୁର ବୁଦ୍ଧିବଳରେ । ବୋଧହୁଏ ସେଇଥିପାଇଁ ତତ୍କାଳୀନ ବହୁ ଆଗତ ଦେଶୀ-ବିଦେଶୀଙ୍କ ଲେଖନୀରେ ସ୍ଥାନୀତ ହୋଇଥିଲା କଳିଙ୍ଗ ବେପାର ବଣିଜର ଜୀବନ୍ତ ପ୍ରତିଛବି ।

ଇତିହାସ ପୃଷ୍ଠାରେ କଳିଙ୍ଗର ପୋତ ଓ ପୋତାଶ୍ରୟ:

 କଳିଙ୍ଗ ବଣିକ ଗୋଷ୍ଠୀ ସମ୍ବନ୍ଧରେ ମିଳିଥିବା ବିସ୍ତୃତ ବିବରଣୀ ଅନୁସାରେ ତତ୍କାଳୀନ ଭାରତର ୯ଟି ସର୍ବବୃହତ୍ ବନ୍ଦର ମଧ୍ୟରୁ କେବଳ ଓଡ଼ିଶାରେ ୫ଟି ଥିଲା । ଏହି ୫ଟି ବନ୍ଦର ହେଲା- ତାମ୍ରଲିତି(ତାମଲୁକ), କୋଶମ୍ବ(ବାଲେଶ୍ୱର), କୋନ୍ନଗର(କୋଣାର୍କ), ପାଲୁର(ଚିଲିକା), ପିଥୁଣ୍ଡ(କଳିଙ୍ଗପଟନମ୍) । ଏହା ବ୍ୟତୀତ ଅନ୍ୟ ଲୋକପ୍ରିୟ ବନ୍ଦର ଗୁଡ଼ିକ ହେଲା- ଦୋସରନ୍(ବୈତରଣୀ ମୁହାଣ), ଆଦାମସ୍(ସୁବର୍ଣ୍ଣରେଖା ମୁହାଣ), ପକୁରା(ଗଞ୍ଜାମ), ନନ୍ନିଗେନ(ପୁରୀ), ଚେଳିତୋଳ(ତିର୍ତ୍ତୋଲ), କଣ୍ଟକ ସିଲାଇ(ଘଣ୍ଟଶୀଳା), ପିପିଲି(ବାଲେଶ୍ୱର), ଛାନୁଆ(ଚାନ୍ଦବାଲି), ମନନ୍ଦ (ମହାନଦୀ), ସମ୍ବଳକ (ସମ୍ବଲପୁର), ଦୋସରା(ବଲାଙ୍ଗୀର), ସୁକ୍ତିମତୀପୁର(ବଲାଙ୍ଗୀରର ସକମା), ଲଛନପୁର, ସାରଥ, ଧାମରା, ଚିଲିକା, ମାଣିକପାଟଣା ଇତ୍ୟାଦି ଆହୁରି ଅନେକ । ମେଘାସ୍ଥିନିସ୍ ବିବରଣୀ ଅନୁସାରେ କଳିଙ୍ଗ ଉପକୂଳର ଦୈର୍ଘ୍ୟ ଥିଲା ୭୦୦ ମାଇଲ । ଚିଲିକାର ପାଲୁର ବନ୍ଦରରେ ଥିବା କଳିଙ୍ଗର ବୃହତ୍ ବୋଇତରେ ବସି ଟଲେମି ମାଳୟଦ୍ୱୀପ ଯାଇଥିବା କଥା ସେ ନିଜେ ଉଲ୍ଲେଖ କରିଛନ୍ତି । ଚୀନ୍ ପରିବ୍ରାଜକ ଫାହିୟାନ (୪୧୫ଖ୍ରୀ.ଅ.) ୨୦୦ ଯାତ୍ରୀ ସହ ଓ ହୁଏନସାଂ (୬୧୫ଖ୍ରୀ.ଅ) ସ୍ୱ ସଂଗୃହୀତ ବିପୁଳ ସମ୍ଭାର ସହ କଳିଙ୍ଗର ବୃହତ୍ ବୋଇତରେ ଚୀନ୍ ପ୍ରତ୍ୟାବର୍ତ୍ତନ କରିଥିବା କଥା ମଧ୍ୟ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି ।

କଳିଙ୍ଗର ଗର୍ବ-ସାଧବପୁଅ:

 ସଂସ୍କୃତ ମହାଭାରତରୁ ଜଣାଯାଏ, କଳିଙ୍ଗର ଚେଦି ରାଜାଗଣ ବର୍ହିବାଣିଜ୍ୟରେ ପୁଞ୍ଜି ଖଟାଇ ବାଣିଜ୍ୟ କାରବାରକୁ ଉତ୍ସାହିତ କରୁଥିଲେ । ବଣିଜ କରୁଥିବା ବ୍ୟକ୍ତିମାନଙ୍କୁ ‘ସାର୍ଥ’ ଓ ଏହାର ମୁଖ୍ୟଙ୍କୁ ‘ସାର୍ଥବାହ’ କୁହାଯାଇଛି । ଏହି ‘ସାର୍ଥବାହ’ ଶବ୍ଦ ପରବର୍ତ୍ତୀ କାଳରେ ବଦଳି ସାଧବ ହୋଇଛି । ଏହି ସାଧବଗଣଙ୍କଦ୍ୱାରା ପୃଥିବୀ ପ୍ରସିଦ୍ଧ ସୂକ୍ଷ୍ମ ବସ୍ତ୍ର, କୋଶଳର କୋଶା ବସ୍ତ୍ର ଓ କପାବସ୍ତ୍ର, ହୀରାକୁଦର ସୁନା, ରୂପା, ହୀରା, ପଦ୍ମରାଗ, ସ୍ଫଟିକ, ରକ୍ତମଣି, ନୀଳମଣି, ପାନ୍ନା ସହିତ ବିଭିନ୍ନ ଧାତୁକର୍ମ, ତାରକସି କାମ ଏବଂ ମାଟିପାତ୍ର, ଲୁଣ, ଚାଉଳ ଆଦି ରପ୍ତାନୀ ହେଉଥିବା କଥା ଚାଣକ୍ୟଙ୍କ ‘ଅର୍ଥଶାସ୍ତ୍ର’ରୁ ଜଣାପଡ଼େ । ସେହିପରି ରଣପୁର ଓ ତିଗିରିଆର ତନ୍ତୀମାନଙ୍କ୍ୱାରା ପ୍ରସ୍ତୁତ ସୂକ୍ଷ୍ମବସ୍ତ୍ର ବାଉଁଶନଳୀ ମଧ୍ୟରେ ମୁଦ ଦେଇ ବିଦେଶକୁ ରପ୍ତାନୀ କରାଯାଉଥିଲା ବୋଲି ପ୍ରଥମ ଶତାବ୍ଦୀରେ ରଚିତ “ପେରିପ୍ଲସ ଅଫ୍ ଦି ଆରିଥ୍‌ରିଆନ୍ ସି” ପୁସ୍ତକରେ ଉଲ୍ଲେଖ କରାଯାଇଛି । ଏପରିକି ଗୁପ୍ତକାଳର କଳିଙ୍ଗ ବର୍ହିବାଣିଜ୍ୟ ବିକାଶକୁ ଲକ୍ଷ୍ୟ ରଖି କାଳିଦାସ ତାଙ୍କ ରଘୁବଂଶ କାବ୍ୟରେ କଳିଙ୍ଗ ରାଜାଙ୍କୁ ମହୋଦଧିପତି ବୋଲି ସମ୍ବୋଧନ କରିଛନ୍ତି । ପ୍ରାଚୀନ ବୌଦ୍ଧଧର୍ମ ଗ୍ରନ୍ଥ “ଆର୍ଯ୍ୟ ମଞ୍ଜୁଶ୍ରୀ ମୂଳକଳ୍ପ” ବର୍ଣ୍ଣନା ଅନୁସାରେ କଳିଙ୍ଗ ସାଗର ମଧ୍ୟରେ ଥିବା ସମସ୍ତ ଦ୍ୱୀପ କଳିଙ୍ଗ ଦେଶ ନାମରେ ପରିଚିତ ।

ଓଡ଼ିଶା ବାହାରେ ଓଡ଼ିଆଙ୍କ ପଦ ଚିହ୍ନ:

 ଏହିଭଳି ଖୋଜି ବସିଲେ ଇତିହାସ ପୃଷ୍ଠାରୁ ବହୁତ କଥା ବାହାରିବ । ସେହିଭଳି ମାଟି ଖୋଳିଲେ ବହୁଦେଶ ସହ ବାଣିଜ୍ୟ କାରବାରର ସ୍ମୃତିଚିହ୍ନ ମିଳିଯିବ । ପୁଣି ଏହି ସ୍ମୃତି ଓଡ଼ିଶା ବାହାରେ ମଧ୍ୟ ମିଳିଛି । ଉତ୍କଳୀୟଙ୍କଦ୍ୱାରା ସର୍ବପ୍ରଥମେ ଉପନିବେଶ ସ୍ଥାପନ କରାଯାଇଥିଲା ବ୍ରହ୍ମଦେଶ ବା ମିଆଁମାରରେ । ଏଠାରେ ଶୈବ ଓ ବୈଷ୍ଣବ ଉପାସନା ଆମରି ସାଧବ ପୁଅଦ୍ୱାରା ପ୍ରତିଷ୍ଠିତ । କାମ୍ବୋଡ଼ିଆର ହରିହର ଉପାସନା, ଭିଏତନାମର ପୁରୁଷୋତ୍ତମ ମନ୍ଦିର ଓ ଭଗବତୀ ମନ୍ଦିର ମଧ୍ୟ ଆମ ସାଧବ ପୁଅଦ୍ୱାରା ପ୍ରତଷ୍ଠିତ- ଯାହା ଏବେ ଓଡ଼ିଆତ୍ୱକୁ ବହନ କରିଛି । ଭିଏତନାମ, ବାଲି, ଜାଭା, ସୁମାତ୍ରା ଆଦି ଦ୍ୱୀପପୁଞ୍ଜରୁ ମିଳିଥିବା ପୁରାତନ ଅଭିଲେଖରେ ଓଡ଼ିଆ ଓ ସଂସ୍କୃତ ଲିପି ବ୍ୟବହୃତ ହୋଇଛି । ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କୁ ସ୍ତୁତି କରାଯାଉଥିବା ମନ୍ତ୍ର- “ଓଁ କ୍ଷମସ୍ୱ ମାଂ ଜଗନ୍ନାଥ ସର୍ବପାପ ନିରାକାରଂ । ସର୍ବକାର୍ଯ୍ୟ ଇଦମ୍ ଦେହି ପ୍ରଣମାମି ସୁରେଶ୍ୱରମ”କୁ ମଧ୍ୟ ଏର୍ପ୍ୟନ୍ତ ବାଲିଦ୍ୱୀପବାସୀ ଶିବ ଉପାସନାରେ ବ୍ୟବହାର କରୁଛନ୍ତି । ଓଡ଼ିଶାର ଗୋଟିପୁଅ ନାଚ ଭଳି ଏକ ଲୋକନୃତ୍ୟ ବାଲିଦ୍ୱୀପରେ ଏବେ ମଧ୍ୟ ପ୍ରଚଳିତ । ସେହି ପରି କଳିଙ୍ଗର ହିନ୍ଦୁ ରାଜା ସଞ୍ଜୟ ଜାଭାଦ୍ୱୀପରେ ୨୦ହଜାର ଓଡ଼ିଆ ପରିବାରକୁ ନେଇ ବସତି ସ୍ଥାପନ କରିଥିଲେ । (ଏସ୍ ରାଫେଲ୍‌ସ ହିଷ୍ଟ୍ରି ଅଫ୍ ଜାଭା, ଭଲ୍ୟୁମ-।।, ପୃଷ୍ଠା-୭୩) ଐତିହାସିକ ଏଲ୍‌ଫିନଷ୍ଟୋନଙ୍କ ମତରେ ଜାଭାର ସଭ୍ୟ ଆଧୁନିକ ଅଧିବାସୀ ହିଁ କଳିଙ୍ଗ ନିବାସୀ । ସେହିପରି ଓଡ଼ିଶାର ଶୈଳେନ୍ଦ୍ର ବଂଶୀୟ ରାଜା ସପ୍ତମ ଶତାବ୍ଦୀରେ ସୁମାତ୍ରା ଓ ବୋର୍ଣ୍ଣିଓରେ ଶୈଳେନ୍ଦ୍ର ବଂଶ ସ୍ଥାପନ କରିଥିଲେ । ଏହି କାଳରେ ଓଡ଼ିଆ ଗଙ୍ଗବଂଶୀୟ ଶାସକଙ୍କଦ୍ୱାରା ମାଳୟ ବା ମାଲୟେସିଆଠାରେ ଗଙ୍ଗବଂଶ ସ୍ଥାପନ କରାଯାଇଥିଲା । ଏବେ ମଧ୍ୟ ଏହି ଦ୍ୱୀପର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ଭଗବତୀ ।

 କଳିଙ୍ଗ ରାଜବଂଶଜ ନିଶଙ୍କ ମଲ୍ଲ ଓ ସାହସ ମଲ୍ଲ ସିଂହଳର ରାଜା ହେବା ପରେ କଳିଙ୍ଗ ସଂସ୍କୃତରି ବିକାଶ ଚରମ ସୀମାରେ ପହଞ୍ଚିଥିଲା । ଜାଭା ଓ ବୋରୋବୁନ୍ଦୁର ମନ୍ଦିରରେ ସଂରକ୍ଷିତ ଏକ ବୋଇତ ଚିତ୍ର ଉତ୍କଳ ବୋଇତ ସହ ଅବିକଳ ସାମ୍ୟ ରଖୁଥିବା ବେଳେ, ସପ୍ତମ ଶତାବ୍ଦୀରେ ଭୁବନେଶ୍ୱରଠାରେ ନିର୍ମିତ ବୋଇତାଳ ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର ଗାତ୍ରରେ ଥିବା ବୋଇତ ଚିତ୍ରରେ ହାତୀ ସହ ମାହୁନ୍ତ, ଆହୁଲାଧାରୀ ନାବିକ ଓ ଶ୍ରୀମନ୍ଦିର ଭୋଗମଣ୍ଡପର ପ୍ରସ୍ତର ଗାତ୍ରରେ ଚିତ୍ରିତ ବୋଇତରେ ମୁଖ୍ୟ ଚାଳକଙ୍କ ଚିତ୍ର ଏବଂ କୋଣାର୍କ ମନ୍ଦିରଗାତ୍ରରେ କଳିଙ୍ଗ ସମ୍ରାଟଙ୍କୁ ଓଡ଼ିଆ ସାଧବପୁଅର ଜିରାଫ ଉପହାର ଚିତ୍ର ତତ୍କାଳୀନ ଓଡ଼ିଆ ସାଧବଙ୍କ ଆନ୍ତଃ ମହାଦେଶୀୟ ନୌବାଣିଜ୍ୟ ସ୍ମୃତିକୁ ବହନ କରି ରଖିଛି । କଳିଙ୍ଗର ସେହିସବୁ ଉପନିବେଶ କ୍ଷେତ୍ରରେ ବସବାସ କରୁଥିବା ଓଡ଼ିଆଗଣ ବର୍ତ୍ତମାନ ଯଦିଓ ନୂଆ ପରିଚୟ ନେଇ ଜୀବନ ନିର୍ବାହ କରୁଛନ୍ତି, ମାତ୍ର ସେମାନଙ୍କ ଅଗୋଚରରେ ପାଳନ କରିଆସୁଛନ୍ତି ଅତୀତ ଉତ୍କଳୀୟ ସଂସ୍କୃତି । ଏହି ସଂସ୍କୃତିକୁ ନେଇ ଯେଉଁ ବ୍ୟକ୍ତିଗଣ ଅନିସନ୍ଧିତ୍ସୁ ହୋଇ ଉଠୁଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ନିଜର ଆତ୍ମପରିଚୟ ଖୋଜି ଖୋଜି ଆସି ଓଡ଼ିଶାରେ ପହଞ୍ଚିଛନ୍ତି ଠିକ୍ ମରିସସ୍ ସରକାରଙ୍କ ମାନବସମ୍ବଳ ବିକାଶ ବିଭାଗର ସଚିବ ରାମରୁପ ଜୁଗରନ୍ନଟ (ଜଗନ୍ନାଥନ୍)ଙ୍କ ପରି । ତାଙ୍କ ଘରେ ଥିବା ଅରକାରୀ ଅଥଚ ଯତ୍ନରେ ସାଇତା କେତେକ କାଗଜବିଡ଼ାରୁ ନିଜ ଅତୀତର ବଂଶ ପରିଚୟ ଓଡ଼ିଶାର ଯାଜପୁର ଜାଣି ନିଜର ମୂଳନିବାସ ଖୋଜିବାରେ ପ୍ରୟାସୀ ଅଛନ୍ତି । ଦିନ ଆସିବ, ଓଡ଼ିଶା ଓ ଓଡ଼ିଆ ସମ୍ବନ୍ଧରେ ଜାଣି ନ ଥିବା ଅନେକ ପ୍ରବାସୀ ଓଡ଼ଆ । ନିଜର ମୂଳ ପରିଚୟ ଖୋଜି ଖୋଜି ନିଶ୍ଚୟ ଆସି ଏଠାରେ ପହଞ୍ଚିବେ ।

ଆ କା ମା ବଇର ସ୍ୱରୂପ:

 ଛୋଟ ବୋଇତଟି ପାଣିରେ ଭସାଇବା ବେଳେ ଓଡ଼ିଆଙ୍କ ପାଟିରୁ ବାହାରି ପଡୁଥିବା ଆ କା ମା ବଇ ଶବ୍ଦଟିର ଅର୍ଥ ଏପର୍ଯ୍ୟନ୍ତ ବହୁ ଓଡ଼ିଆ ଜାଣିନାହାନ୍ତି । କେତେକ ଏହାକୁ ହିନ୍ଦୁମାନଙ୍କର ଚାରିଟି ଧାର୍ମିକମାସ- ଆଷାଢ଼, କାର୍ତ୍ତିକ, ମାର୍ଗଶୀର, ବୈଶାଖ ବୋଲି କହୁଥିବା ବେଳେ ଆଉ କେତେକ ବିଜ୍ଞ ଏହି ଚାରିମାସର ଅନୁକୂଳ ମୌସୁମୀବାୟୁ ଯୋଗୁଁ ସାଧବପୁଅ ବଣିଜ କରିବାକୁ ବିଦେଶ ଯାଆନ୍ତି ବୋଲି କହିଥାନ୍ତି । ତେବେ ଦୁଇଟିଯାକ କଥା ସଂପୂର୍ଣ୍ଣ ମିଛ । ପ୍ରଥମ ତଥ୍ୟଟି ଓଡ଼ିଆ ସାଧବପୁଅକୁ ପଙ୍ଗୁ କରିଥିବା ତଥା ଧର୍ମଭୀରୁ ଓଡ଼ିଆଙ୍କ ମାନସପଟକୁ ସଂପୂର୍ଣ୍ଣ ଆଚ୍ଛାିଦିତ କରିଥିବା ବ୍ରାହ୍ମଣମାନଙ୍କର ନବ୍ୟ ବ୍ରାହ୍ମଣ୍ୟବାଦର ପ୍ରତିଷ୍ଠାପାଇଁ ଏହା ଏକ କୁତ୍ସିତ ପ୍ରୟାସ । ନଚେତ୍ ପରମ୍ପରା ମଧ୍ୟରେ ବଞ୍ଚି ରହିଥବା ଏହି ବାସ୍ତବ ସତ୍ୟକୁ ଧର୍ମସହିତ ସଂପୃକ୍ତ କରାଇ ନ ଥାନ୍ତେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶାର ଗାଁ’ଗହଳିରେ ପାଳନ କରାଯାଉଥିବା ବିଭିନ୍ନ ଓଷା, ବ୍ରତ, ଉପାସନା ଆଦିରେ ଭକ୍ତ ଓ ଭଗବାନଙ୍କ ମଧ୍ୟସ୍ଥି ବୋଲାଉଥିବା ବ୍ରାହ୍ମଣମାନଙ୍କର କୌଣସି ଭୂମିକା ନାହିଁ । ସ୍ୱାମୀ, ସନ୍ତାନ ତଥା ପରିବାରର ମଙ୍ଗଳ କାମନାପାଇଁ ଓଡ଼ିଆଘରର ବୋହୂଟିଏ ଯେଉଁ ଦୈବୀ ଉପାସନା ଓ ଆରାଧନା କରେ, ତାହା ନିଜସ୍ୱ ଶୈଳୀରେ ଓ ବିନା କୌଣସି ମନ୍ତ୍ରତନ୍ତ୍ରର ଉଚ୍ଚାରଣରେ । ବରଂ ପ୍ରାଚୀନ ଓଡ଼ିଆ ଚାରଣ କବିଙ୍କଦ୍ୱାରା ରଚିତ ଅତୀତ ଉକ୍ରଳର ଐତିହାସିକ କାହାଣୀକୁ କବିତା ମାଧ୍ୟମରେ ପାଠକରି ଶକ୍ତି ଉପାସନାରେ ନିଜକୁ ନିବିଷ୍ଟ କରିଥାଏ । ଓଡ଼ିଆ ନାରୀର ଓଷାବ୍ରତ ସହ ବେପାର ବଣିଜର ଇତିହାସ ପାଠ କରିବା ହିଁ ସୂଚାଇଥାଏ ଅତୀତ ଉକ୍ରଳର ନୌବାଣିଜ୍ୟ ପରମ୍ପରା । ତେଣୁ ଆ, କା, ମା, ବଇ, ଧାର୍ମିକ ମାସ ନୁହେଁ, ବରଂ ସାଧବପୁଅଦ୍ୱାରା ସୃଷ୍ଟି ଚାରିଟି ମୁଖ୍ୟ ଉପନିବେଶର ସଂକ୍ଷିପ୍ତ ନାମ ଆ- ଆନ୍ନମ(ଭିଏତନାମ), କା- କାମ୍ବଡ଼ିଆ, ମା- ମାଳୟ, ବଇ- ବାଲିଦୀପ । କାର୍ତ୍ତିକ ପୂର୍ଣ୍ଣମୀର ପାହାନ୍ତା ପ୍ରହରରେ ଏହି ଚାରିଟି ଶବ୍ଦ ଉଚ୍ଚାରଣ କରି ପାନଗୁଆ ସହ ଛୋଟିଆ ବୋଇତଟିଏ ଭସାଇ ଦେବାର ଅର୍ଥ ହେଲା, ବହୁବର୍ଷ ପୂର୍ବେ ଏହି ମାହେନ୍ଦ୍ର ବେଳାରେ ଓଡ଼ିଆ ଘରର ବୋହୂମାନେ ବନ୍ଦାପନା କରି ସାଧବପୁଅକୁ ବିଦାୟ ଦେଉଥିଲେ ବିଶେରେ ବେପାର ବଣିଜ କରିବାପାଇଁ । ସାଧବପୁଅର ମଙ୍ଗଳକାମନା କରିବା ଉଦ୍ଦେଶ୍ୟରେ ଘରର ପ୍ରୌଢ଼ାଗଣ ପୂର୍ଣ୍ଣମୀ ପୂର୍ବର ୫ ଦିନ ନିଷ୍ଠାପର ଭାବେ ବିଭିନ୍ନ ପୂଜାର୍ଚ୍ଚନାରେ ବ୍ୟସ୍ତ ରହୁଥିଲେ, ଯାହା ପଞ୍ଚୁକନାମରେ ଖ୍ୟାତ । ପାନଗୁଆ ହେଉଛି, ଶୁଭ ଓ ବନ୍ଧୁତାର ସୂଚକ । ଯାହା ଏବେ ମଧ୍ୟ ଓଡ଼ିଆ ପରମ୍ପରାରେ ପ୍ରଚଳିତ । ବ୍ରିଟିଶଙ୍କ ଭଳି କଳିଙ୍ଗବାସୀ ଉପନିବେଶକୁ ଶୋଷଣର କ୍ରୀଡ଼ାସ୍ଥଳୀ ଭାବେ ଗ୍ରହଣ କରି ନ ଥିଲେ । ବରଂ ଏକ ବନ୍ଧୁତାର ସଂପର୍କରେ ବାନ୍ଧି ଦେବାକୁ ଆଗଭର ହେଉଥିଲେ ।

 ବୈଶାଖରୁ କାର୍ତ୍ତିର୍କମାସ ପର୍ଯ୍ୟନ୍ତ ଶୂଦ୍ର ଶିଳ୍ପୀକୂଳର ସାଧବଗଣ ରପ୍ତାନୀ ଉଦ୍ଦେଶ୍ୟରେ ବିଭିନ୍ନ ବସ୍ତୁ ନିର୍ମାଣ ଓ ସଂଗ୍ରହ ଅଭିଯାନ ଶେଷ କରି କାର୍ତ୍ତିକ ଅମାବାସ୍ୟା ବା ଆଲୋକର ପର୍ବ ଦୀପାବଳୀ ଦିନ ଲକ୍ଷ୍ମୀପୂଜା ପାଳନ କରିଥା’ନ୍ତି । ପରଦିନ ପ୍ରାତଃକାଳରୁ ସାଧବାଣୀଦ୍ୱାରା ବୋଇତ ବନ୍ଦାପନା ପରେ ସଂଗୃହୀତ ଜିନିଷପତ୍ର ଲଦା ହୁଏ କାର୍ତ୍ତିକପୂର୍ଣ୍ଣମୀ ପର୍ଯ୍ୟନ୍ତ । ଏହି ସମୟରେ ଉତ୍ତରା ଅନୁକୂଳ ପବନ ଅର୍ଥାତ୍ ଅକ୍ଟୋବର-ନଭେମ୍ବର ମାସରେ ଉତ୍ତରା ପବନ ପ୍ରବାହିତ ହେବାରୁ ଓ ଝଡ଼ବର୍ଷାର ଆଶଙ୍କା ନ ଥିବାରୁ, କଳିଙ୍ଗ ଉପକୂଳରୁ ଓଡ଼ିଆ ସାଧବଗଣ ନିଜର ପଣ୍ୟସମ୍ଭାରଯୁକ୍ତ ବିଶାଳ ବୋଇତମାଳା ନୀଳାମ୍ବୁ ସାଗର ବକ୍ଷରେ ମେଲାଇ ପୂର୍ବ ଦ୍ୱୀପପୁଞ୍ଜକୁ ନେଇ ଯାଉଥିଲେ । କାର୍ତ୍ତିକଠାରୁ ଚୈତ୍ର ପର୍ଯ୍ୟନ୍ତ ସେଠାରେ ବାଣିଜ୍ୟ କାରବାର କରି ଦକ୍ଷିଣାପବନ ବୋହିବା ଆରମ୍ଭ ହେବା ମାତ୍ରେ, ବୈଶାଖ ମାସ ପୂର୍ବରୁ ଓଡ଼ିଶାର ପୋତାଶ୍ରୟଗୁଡ଼ିକୁ ଫେରିଆସୁଥିଲେ । ଦୀର୍ଘଦିନର ବିଚ୍ଛେଦ ପରେ ସାଧବ ପରିବାରରେ ଏହି ଅପୂର୍ବ ମିଳନକୁ ମହାଆଡ଼ମ୍ବର ସହିତ ପାଳନ କରାଯାଉଥିଲା ବୈଶାଖର ପ୍ରଥମ ଦିନ ପଣାସଂକ୍ରାନ୍ତି ଭାବରେ ।  ଆଜି ଆମେ ବୈଶାଖ ମାସର ପ୍ରଥମ ଦିନରେ ପଣା ପିଉଛୁ, ଜଳଦାନ ଦେଉଛୁ, କାର୍ତ୍ତିକ ମାସରେ ଡଙ୍ଗା ଭସାଉଛୁ, ମାତ୍ର ପୂର୍ବ ଗୌରବର ସେହି ବାଣିଜ୍ୟିକ ପରମ୍ପରାକୁ ସଂପୂର୍ଣ୍ଣ ରୂପେ ପାଶୋରି ପକାଇଛୁ ।

ବୋଇତ ବିଲୁପ୍ତ ହେଲା କିପରି ?

 ଆଧୁନିକ ଓଡ଼ିଆ ସାହିତ୍ୟର ସ୍ରଷ୍ଟା ବ୍ୟାସକବି ଫକୀରମୋହନଙ୍କ ବାଲ୍ୟକାଳ ବୋଇତର ପାଲ ସିଲେଇ ତଦାରଖରେ କଟିଥିଲା । ତାଙ୍କ ରଚିତ କେତୋଟି ଗଳ୍ପରେ ମଧ୍ୟ ସେ ସମୟର ନୌବାଣିଜ୍ୟ ଘଟଣା ବର୍ଣ୍ଣିତ । ୧୬୬୪ରେ ବଙ୍ଗ ଶାସକ ସାଇସ୍ଥା ଖାଁ ବାର୍ଷିକ ଟିକସ ବାବଦରେ ବାଲେଶ୍ୱରର ପିପିଲି ବନ୍ଦରରୁ ୪/୬ଶହ ଟନ୍ ବିଶିଷ୍ଟ ଦୁଇଟି ବୋଇତ ନେବା ଉକ୍ରଳୀୟ ସମୃଦ୍ଧ ନୌବାଣିଜ୍ୟକୁ ସୂଚିତ କରିଥାଏ । ଏଥିସହିତ ହଣ୍ଟର, ଷ୍ଟର୍ଲିଂ, ବିମ୍‌ସ ଆଦି ଅନେକ ଇଂରାଜୀ ଅଫିସରଙ୍କ ଆଲେଖ୍ୟ, ତଥା ଇଂରେଜ ଦସ୍ତାବିଜରୁ ଜଣାପଡ଼େ ଯେ, ଓଡ଼ିଶାରେ ସାମୁଦ୍ରିକ ବାଣିଜ୍ୟ ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ବଞ୍ଚିଥିଲା । ତେବେ ୧୮୫୩ ମସିହାରେ ଇଂରେଜଦ୍ୱାରା ପ୍ରଣୀତ ଆଇନ୍ ଓ ବିପୁଳ କର ନିର୍ଦ୍ଧାରଣ ଉତ୍କଳୀୟ ବୋଇତ ନିର୍ମାଣ କଳାକୁ ହ୍ରାସ ଘଟାଇବା ସହ ନୂତନ ଯନ୍ତ୍ରଚାଳିତ ଜାହାଜର ବ୍ୟାପକ ପ୍ରଚଳନ ଓ ବଙ୍ଗୋପସାଗରରେ ଓଲନ୍ଦାଜ, ପର୍ତ୍ତୁଗୀଜ, ଜଳଦସ୍ୟୁଙ୍କ ବାରମ୍ବାର ଆକ୍ରମଣରେ ସାଧବପୁଅର ବୋଇତ ସବୁଦିନପାଇଁ ଉଭେଇଗଲା ସାଗରବକ୍ଷରୁ । ଆଉ ସେହିିଦିନଠାରୁ ଓଡ଼ିଶାକୁ ମାଡ଼ିଆସିଲା ଚିରଦାରିଦ୍ର୍ୟ । ହସ୍ତକଳା ଓ କୁଟୀରଶିଳ୍ପରେ ପ୍ରବୀଣ କଳିଙ୍ଗ ଶୂଦ୍ରଶିଳ୍ପୀ ଜାତିର ହାତ ବନ୍ଦ ହୋଇଗଲା । ଉତ୍ପାଦିତ ବସ୍ତୁ ବିକ୍ରୟ ହୋଇପାରିଲ। ନାହିଁ । ଏହାପରେ ବଙ୍ଗାଳୀଙ୍କ ଚକ୍ର।ନ୍ତରେ ହୋଇଥିବା ନଅଙ୍କ ଦୁର୍ଭିକ୍ଷ ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ବିପର୍ଯ୍ୟସ୍ତ ଓଡ଼ିଶାର ଏକମାତ୍ର ଜୀବିକା କୃଷି ବ୍ୟବସ୍ଥା ସ୍ଥାଣୁ ହେବାରୁ ଓଡ଼ିଆ ଜାତି ନିଜର ସ୍ୱାଭିମାନ ହରାଇ ଅନ୍ୟର ହାତ ଟେକାକୁ ଅନାଇ ବସିଲା ।

ବର୍ତ୍ତମାନର ସାଧବପୁଅ, ପୋତ ଓ ପୋତାଶ୍ରୟ:

 ସାଧବପୁଅର ବଂଶଧର ଭାବେ ପରିଚିତ ଓଡ଼ିଆ ଯୁବସମାଜ ଆଜି ଦିଗହରା । ଜାତି ଭିତ୍ତିରେ ଭାଗ ଭାଗ ହୋଇ ନିଜ କୌଳିକ ବୃତ୍ତିରୁ ନିବୃତ । ଶିକ୍ଷାର ବ୍ୟବସାୟୀକରଣ ଯୋଗୁଁ ଗରିବ ଓଡ଼ିଆ ଉଚ୍ଚଶିକ୍ଷା/ପ୍ରାୟୋଗିକ ଶିକ୍ଷାପ୍ରାପ୍ତିଠାରୁ ମଧ୍ୟ ବହୁ ଦୂରରେ । ଧର୍ମାନ୍ଧତା, ରାଜନୈତିକ କୁଚକ୍ର, ମାରୱାଡ଼ି, ବିହାରୀ, ବଙ୍ଗାଳୀଙ୍କ ଅର୍ଥନୈତିକ ଓ ସାମାଜିକ ଶୋଷଣକୁ ବୁଝି ନ ପାରି ଏମାନଙ୍କ ଜାଲରେ ଫସି ଯାଉଛନ୍ତି ସରଳ ଓଡ଼ିଆଗଣ - ନିଜର ସାମାନ୍ୟ ସ୍ୱାର୍ଥ ବିନିମୟରେ । ଫଳରେ ଗୋଟିଏ ଜାତିର ବିକାଶପାଇଁ ଯୁବସମାଜର ସକ୍ରିୟ ଭୂମିକା ଥିବାବେଳେ, ଆମ ଯୁବସମାଜ ଆମପାଇଁ ବୁମେରାଂ ହୋଇଯାଇଛି । ସେଥିପାଇଁ “ଖସିଗଲା ଗୋଡ଼ ତଳକୁ ତଳକୁ” ଭଳି ଓଡ଼ିଶାର ଗତି ଓ ପ୍ରଗତି ନିମ୍ନଗାମୀ ହେଉଛି । ତଥାପି ଓଡ଼ିଶାର ବାଣିଜ୍ୟ ବ୍ୟବସାୟ ଯେଉଁ କେତେଜଣଙ୍କ କାନ୍ଧରେ ପଡିଛି, ସେମାନେ ଶୁଖୁଆ, ଚିଙ୍ଗୁଡ଼ି, ମାଛ କିମ୍ବା ଓଡ଼ିଶାର ଭୁଗର୍ଭରେ ଲୁକ୍କାୟିତ ଅମୂଲ୍ୟ ଖଣିଜ ଦ୍ରବ୍ୟକୁ ଖୋଳି ଚୋରାରେ ଶାଗମାଛ ଦରରେ ବିଦେଶୀ ବେପାରୀଙ୍କୁ ବିକ୍ରି କରିବାରେ ବ୍ୟସ୍ତ । ଏଥିପାଇଁ ସ୍ୱାଧୀନତା ପରେ ଓଡ଼ିଶାରେ ନିର୍ମିତ ହୋଇଥିବା ବହୁ ଆକାଂକ୍ଷିତ ଏକମାତ୍ର ବୃହତ୍ ବନ୍ଦର ପାରାଦ୍ୱୀପ ବହୁତ ସହଯୋଗ କରୁଛି । ତଥାପି ଏହି ବେପାରୀଙ୍କ ସ୍ୱାର୍ଥ ଲିପ୍ସା ପୂରଣ ହୋଇ ନ ପାରିବାରୁ ଗୋପାଳପୁର ଓ ଧାମରାଠାରେ ଆଉ ଦୁଇଟି ସବୁଦିନିଆ ବନ୍ଦର ସ୍ଥାପନ କରାଯାଉଛି ।

 ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗୁଜୁରାଟ ଭଳି ରାଜ୍ୟରେ କୃଷି ଓ ଖଣିଜ ଦ୍ରବ୍ୟ ପ୍ରଚୁର ପରିମାଣରେ ନ ଥିବା ବେଳେ କେବଳ ବାଣିଜ୍ୟକୁ ଆଧାର କରି ଭାରତର ଶ୍ରେଷ୍ଠ ବିକଶିତ ରାଜ୍ୟରେ ପରିଣତ ହୋଇଛି । ଗୁଜୁରାଟବାସୀଙ୍କ ସ୍ୱାର୍ଥକୁ ଲକ୍ଷ୍ୟ କରି ଅନୁକୁଳ ଭିତ୍ତିଭୂମି ନ ଥିଲେ ମଧ୍ୟ କେନ୍ଦ୍ର ସରକାର ୨୩ଟି ବନ୍ଦର ସ୍ଥାପନ କରି ବର୍ହିବାଣିଜ୍ୟକୁ ଉତ୍ସାହିତ କରୁଛନ୍ତି । ମାତ୍ର ବାଣିଜ୍ୟପ୍ରିୟ ଓଡ଼ିଆ ଜାତିର ସ୍ଥବିରତା ଓ ପଖାଳଖିଆ ନୀତି ଯୋଗୁଁ ବର୍ତ୍ତମାନର ଦୀର୍ଘ ୪ଶହ ମାଇଲ ସାମୁଦ୍ରିକ ବେଳାଭୂମିରେ ଅତିକମ୍ରେ ୩୦ଟି ବନ୍ଦର ସ୍ଥାପିତ ହେବା ଭିତ୍ତିଭୂମି ଥିବାବେଳେ, ରାଜ୍ୟ ସରକାର ମାତ୍ର ୧୧ଟି ସ୍ଥାନ ଚିହ୍ନଟ କରିଛନ୍ତି ବନ୍ଦର ନିର୍ମାଣପାଇଁ । ଏହି ବନ୍ଦରଦ୍ୱାରା ଉକ୍ରଳୀୟ କଳାନୈପୁଣ୍ୟ ବା ଶିଳ୍ପଚାତୁରୀ ନୁହଁ କିମ୍ବା ଆଧୁନିକ ଟେକ୍ନୋଲୋଜି ନୁହଁ, ବରଂ ଓଡ଼ିଶାର ସେହି ଦୁର୍ମୂଲ୍ୟ ଖଣିଜସଂପଦା କିମ୍ବା ଏହି ଖଣିଜଦ୍ରବ୍ୟକୁ ସୁବିଧାରେ ନେବାପାଇଁ ବିଭିନ୍ନ କାରଖାନାରେ ପ୍ରକ୍ରିୟାକରଣ କରି ରପ୍ତାନୀ ହେବାରେ ବ୍ୟବହାର କରାଯିବ । ଏହାଦ୍ୱାରା ଓଡ଼ିଶାବାସୀଙ୍କ ଦାରିଦ୍ର୍ୟ କମିବ ନାହିଁ, ବରଂ ଓଡ଼ିଶାବାସୀଙ୍କ ଧନରେ ଧନୀ ହୋଇଯିବେ ବିଦେଶୀ ବଣିକଗୋଷ୍ଠୀ । ଏପରିକି, ଦିନ ଆସିବ ଆମେ ଭସାଉଥିବା କୁନି କୁନି ବୋଇତ ଚୀନ, ଜାପାନ, ମାଳୟରେ ତିଆରି ହୋଇ ଆମ ରାଜ୍ୟରେ ବିକ୍ରି କରି ସେ ଦେଶର ବଣିକପୁଅମାନେ ଧନୀ ହୋଇଯିବେ । ଆମେ କେବଳ ଭକୁଆ ହୋଇ ଚାହିଁ ରହିଥିବା, ନଚେତ୍ ଏହି କାଗଜ ବୋଇତ ଶସ୍ତାରେ ମିଳୁଛି ବୋଲି ଖୁସିରେ ଗୋଟେଇ ନେବା । ଆମେ କ’ଣ ଏହାର ପରିବର୍ତ୍ତନ ଆଶା କରିବା ନାହିଁ ? ଆମେ କ’ଣ ଅତୀତର ଗୌରବ ଗାରିମାକୁ ଜୀବନ୍ତ କରିପାରିବା ନାହିଁ? ଆମେ କ’ଣ ଏମିତି ଦୁଃଖ, ଦୈନ୍ୟ ଓ ପରସ୍ପର କଳି ଝଗଡ଼ା ଭିତରେ ମୂଲ୍ୟବାନ ଜୀବନଟାକୁ ହରାଇ ଦେବା ? ଆମକୁ ଶୋଷଣ ଓ କଷଣରେ ଜଡ଼ କରେଇଥିବା ପରାଙ୍ଗପୁଷ୍ଟକୁ ଓଡ଼ିଶା ମାଟିରୁ ହଟାଇ ନୂଆ ଓଡ଼ିଶା ଗଢ଼ିପାରିବା ନାହିଁ ?

(ବିଷୟଟି "ଜାତି, ଜାଗୃତି ଓ ପ୍ରଗତି" ପ୍ରବନ୍ଧ ସଂକଳନରେ ଶତାକ୍ଷ ଦ୍ଵାରା ପୂର୍ବ ପ୍ରକାଶିତ)

ସୁବ୍ରତ କୁମାର ପୃଷ‌୍ଟି
ବରିଷ‌୍ଠ ଗବେଷକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,
ଉତ୍କଳ ବିଶ୍ୱବିଦ୍ୟାଳ‌ୟ, ବାଣୀବିହାର, ଭୁବନେଶ୍ୱର

Post a Comment

0 Comments