Ad

header ads

କବିତା - ସବୁକିଛି ସ୍ଵପ୍ନପରି - ନରେନ୍ଦ୍ର ପ୍ରସାଦ ବେହେରା

ଦେବର୍ଷି ନାରଦ   ପଚାରିଲେ ଦିନେ
       ପ୍ରଭୁଙ୍କ ମୁଖକୁ ଚାହିଁ
ଆପଣଙ୍କ ମାୟା   କାଠିକର ପାଠ
       ବୁଝି ମୁଁ ପାରିଲି ନାହିଁ  ।

ନାରଦଙ୍କ ପ୍ରଶ୍ନ   ଶୁଣିଣ ଶ୍ରୀକୃଷ୍ଣ
    ହସି ହସି ଯେ କହିଲେ
ଆଜନ୍ମରୁ ତୁମେ  ହେଲ ବ୍ରହ୍ମଚାରୀ
     ତୁମକୁ କେହି ଜାଣିଲେ  ।

ଏ ମାୟା ଭିତରେ   ପ୍ରବେଶ ପାଇଁକି
         ଆଗ୍ରହ କାହିଁକି ହେଲା
ଧୈର୍ଯ୍ୟ ଧର ଦିନେ   ଆପେ ଜାଣିଯିବ
     ବୀଣା ବଜାଇବା  ବାଲା। ।

ନାରଦଙ୍କୁ ସଙ୍ଗେ  ଘେନିଣ ଶ୍ରୀକୃଷ୍ଣ
     ବାହାରେ ବୁଲିଣ ଗଲେ
ବୁଲୁବୁଲୁ ଯାଇ  ନିଛାଟିଆ ସ୍ଥାନେ
        ଖରାବେଳେ ପହଞ୍ଚିଲେ  ।

ମୁଣ୍ଡଫଟା ଖରା      ସହି ନ ପାରିଣ
       ପ୍ରଭୁ ! ଗଛତଳେ ଗଲେ ବସି
ନାରଦଙ୍କୁ ଚାହିଁ   ଶ୍ରୀକୃଷ୍ଣ କହିଲେ
   ମୋର, ଶୋଷ ବଢିଗଲା ଆସି  ।

ଖୋଜି ଆଣ ଯାଇ   ପିଇବା ପାଣି ମୁଁ
        ବସିଛି ଏଠି କହିଲେ
ଦେବର୍ଷି ନାରଦ    କମଣ୍ଡଳୁ ଧରି
     ପିଇବା ପାଣି ଖୋଜିଲେ ।

କିଛି ଦୂର ଚାହିଁ    ନିରେଖି ଦେଖିଲେ
         ଘରଟିଏ  ଦିଶୁଅଛି
ସେ ସ୍ଥାନକୁ ଯାଇ   ପହଞ୍ଚି ଦେଖିଲେ
       କବାଟ ସବୁ ପଡିଛି  ।

ପାଣି ମୁନ୍ଦେ ପାଇଁ    କବାଟ ବାଡେଇ
       ଉଚ୍ଚ ସ୍ବରେ ଡାକ ଦେଲେ
ସୁନ୍ଦରୀ ଯୁବତୀ  ବେଗେ ବେଗେ ଆସି 
      କବାଟ ଧିରେ ଖୋଲିଲେ  ।

ଏକମାତ୍ର କନ୍ଯା    ପିତାମାତାଙ୍କର
        ସୁନ୍ଦରୀ ଯୁବତୀ ଥିଲା
ଦେଖି ଦେଲା କ୍ଷଣି   ନାରଦଙ୍କ ମନ
        ସେଇଟି ଅଟକି ଗଲା  ।

କନ୍ଯା ପାଇଁ ବର   ମିଳିଗଲା ଆଜି
       ମନରେ ଭାବିଲେ ପିତା
ଘର ଭିତରକୁ   କୋଳକରି ନେଇ 
      କହିଲେ ହେବେ ଜାମାତା  ।

ବିଭାଘର ହେଲା  କନ୍ଯାସଙ୍ଗେ ତା'ର
      ରହିଲା ଘର ଜୋଇଁଆ
ଧନ ସମ୍ପଦକୁ    ଭୋଗ କରିବାକୁ
      ତୁ ହେବୁ ଘର କୁଣିଆ  ।

ଭୋଗ ବିଳାସରେ  ରହିଲା ସେଠାରେ
      କିଛି ନ ପାରିଲା ଜାଣି
ପାଣି ପିଇବାକୁ    ପ୍ରଭୁ ବସିଛନ୍ତି
       ସେକଥା ଭୁଲି ଗଲାଣି  ।

ତିନୋଟି ପୁତ୍ରର   ଜନକ ହୋଇ ସେ
        ଆନନ୍ଦରେ କାଟେ ଦିନ
ସୁଖ ସଂଭୋଗର  କାଳାତିପାତରେ
       ନାଚୁଥାଏ ରାତିଦିନ  ।

ସୁଖ ପରେ ଦୁଃଖ  ଦୁଃଖ ପରେ ସୁଖ 
       ଅନିବାର୍ଯ୍ଯ ଏ ସମାଜେ
ମଣିଷ ଜୀବନେ    ସବୁଦିନ ପାଇଁ
     ରହିନାହିଁ  କେବେ ତେଜେ ।

ବର୍ଷା ଋତୁ ହେଲା  ମେଘ ବରଷିଲା
        ପ୍ରବଳ ବନ୍ଯା ଆସିଲା 
ଗୋରୁଗାଈ ପୁଣି   ଘରଦ୍ବାର ସବୁ
        ଭାସିବା ଆରମ୍ଭ କଲା  ।

ନାରଦଙ୍କ ଘରେ   ପାଣିଯେ ପଶିଲା
        ମନରେ ଘାରିଲା ଚିନ୍ତା
ପିଲା ଛୁଆ ଘର   ରକ୍ଷା କରିବାକୁ
        ବଢିଲା ତା'ଙ୍କ ଦୁଶ୍ଚିନ୍ତା  ।

ଏକାଳେ ଭାବିଲେ  ପିଲା ଛୁଆ ଧରି
       ନିରାପଦ ସ୍ଥାନେ ଯିବି
ସଂସାର ମୋହର  ରକ୍ଷା ପାଇଯିବ
        ଆନନ୍ଦରେ ନାଚୁ ଥିବି  ।

ଚାହୁଁ ଚାହୁଁ ପୁତ୍ର  ଭାସିଗଲେ ଜଳେ
        ପାରିଲେନି ରକ୍ଷା କରି
ପତ୍ନୀଙ୍କୁ ଜାବୁଡି   ଧରିଣ କହିଲେ
       ଚାଲଯିବା ହୋଇ ପାରି  ।

ପତ୍ନୀଙ୍କ ସହିତ   ପିଲା ଛୁଆ ଭାସି
       ହୋଇଣ ଗଲେ ଅଦୃଶ୍ୟ
କର୍ମକୁ ନିନ୍ଦନ୍ତି  ଦୁଃଖରେ ବସିକି
      ଦେଖିଲି ଆଜିକି ଦୃଶ୍ୟ  !!

ମନର ଯନ୍ତ୍ରଣା   ବଢିଯାଇ ଥାଏ
     ଲୋତକ ଧାର ଵୁହାଇ
ମୁମୂର୍ଷୁ ଭାବରେ   ପଡି ରହିଥାଏ
        ପରିବାରକୁ ହରାଇ  ।

ଏ ସମୟେ କାନେ   ବାଜିଲା ପ୍ରଭୁଙ୍କ 
         ସୁମଧୁର କଣ୍ଠସ୍ବର
ପାଣି ପିଇବାକୁ      ହୁଏ ମୁଁ ଅସ୍ଥିର
   ନାରଦ ! କାହିଁକି କରିଲୁ ପର  ।

ଶ୍ରୀକୃଷ୍ଣଙ୍କ ସ୍ବର  ଶୁଣିଣ ନାରଦ
         ଚମକି ଉଠିବସିଲେ
ବନ୍ଯା ଦୃଶ୍ୟ ଆଉ   ନଥିଲା ଆଗରେ
         କୁଆଡେ ଗଲା ଭାବିଲେ  ।

ଚିତ୍କାର କରିଣ    ଉଠିଲେ  ନାରଦ
       ଆଜି ମୁଁ କଅଣ କଲି
ଏତେଦିନ ଯାଏ    ସ୍ବପ୍ନ ଦେଖୁଥିଲି
     ସତ୍ଯକୁ ଯାଇଣ ଭୁଲି  ।

ଅପୂର୍ବ ଏ ମାୟା   ପ୍ରଭୁ  ଆପଣଙ୍କ
       ଜାଣିବାକୁ ବାକି ଥିଲା
ମାୟାର ଦେବତା   ମାୟାଧର ତୁମେ
   ମୋର ! ହୃଦୟେ ଚେତା ପଶିଲା ।

ନାରଦଙ୍କ କଥା    ଶୁଣିଣ ଶ୍ରୀକୃଷ୍ଣ 
        ମୁରୁକି ହସି କହିଲେ
ମାୟାର ସ୍ବରୂପ   ଜାଣିଲ ତ ଏବେ
        ଆଖି ଆଗେ ଭାସି ଗଲେ  ।

ମାୟାବଦ୍ଧ ଜୀବ    ପାଉଥାଏ କଷ୍ଟ
        ବୁଝାଇ କହିଲେ ହରି
ଜଗତରେ ଯାହା   ଦେଖୁ ଅଛ ତୁମେ
         ସବୁକିଛି ସ୍ବପ୍ନପରି  ।

ହାତଯୋଡି  କହି    ଉଠିଲେ ନାରଦ
     ପ୍ରଭୁ ! ଆପଣଙ୍କୁ ନମସ୍କାର
ଆପଣଙ୍କ ମାୟା    ଅତି କଷ୍ଟକର
       ଜାଣିଲି ପ୍ରଭୁ ଏଥର  ।

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦

Post a Comment

0 Comments