Ad

header ads

କବିତା - ପ୍ରେମ - କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଭ୍ରମର ଯେମିତି
ପାଶୋରି ପାରେ ନା ହସ ହସ ସଜ ଫୁଲକୁ;
ମନା କରି "ପାରେ-
ନାହିଁ" ତା ପିଆକୁ ଓଠୁ ମଧୁ ପିଇବାକୁ ।।
ଶିହରିତେ କଳି
କୋମଳାଙ୍ଗୀ ଖୋଜେ ଅଭୁଲା ଭ୍ରମର ଦଂଶନ;
ପ୍ରେମ ପୁଲକରେ
ପୁଲକିତ ହୋଇ ସୁଖେ ସହେ ତାର ଦହନ ।।

ଗୁଣୁ ଗୁଣୁ ବୀଣା
ଗୁଞ୍ଜରିତ କରି ଭ୍ରମର ଯେବେଳେ ଆସଇ;
ଫୁଲ କୁଆରୀ ତା
କୁଆଁରୀ ମନକୁ ନିର୍ବିଘ୍ନେ ସମର୍ପି ଦିଅଇ ।।
ଏ ଯୈ।ବନ ମଧୂ
ନିଅ ଶୋଷି ବନ୍ଧୁ ଅତିବ ବିହ୍ଵଳେ କହଇ;
ଅନୁଢା କୁଆଁରୀ
ପ୍ରେମ ମୋଦେ ନିଜେ ନିଜକୁ ଦିଅଇ ହଜାଇ ।।

ପ୍ରେମ ତ ବୁଝେନା
ଗୋରା,କଳା ରଙ୍ଗ ପ୍ରେମ ଖୋଜେ ଖାଲିମନ;
ଜାତୀ,ଧର୍ମ,ଭାଷା
ଉଚ,ନୀଚ ଭାବ ବୁଝେନାହିଁ ଅନ୍ଧ ପ୍ରେମ ।।
ପ୍ରେମ ଏକ "ନୈସ-
ର୍ଗିକ"ବିଭୁଦତ୍ତ ଜୀବନର ଦିବ୍ୟ‌ ପ୍ରକ୍ରିୟା;
ପ୍ରେମ ଅଟେଏକ
ଅଭେଦ୍ୟ ଦୁର୍ଗରେ ସାଇତା ଅଜବ ମାୟା ।।

ପ୍ରେମ ପାଇଁ "ତାଜ-
ମହଲ" ମିନାର ପ୍ରେମମୟ ଏକ ଚିତ୍ର;
ପ୍ରେମ ପାଇଁ "ମିରା-
ବାଈ" ପାଗଳିନୀ ବିଭୁପଦେ ସମର୍ପିତ ।।
ପ୍ରେମ ଆନନ୍ଦର
ଅନ୍ତର୍ମୁଖୀ ସ୍ଵର ସେ ଏକ ଅପଢା ଭାଷା;
ଭାଷା ପୀୟୂଷ ର
ପବିତ୍ର ନିର୍ଝର ପିଆସୀ ମନର ଆଶା ।।

ପ୍ରେମର ଦେବତା
କାମ ଫୁଲଶର କରନ୍ତି ଯେବେ ପ୍ରହାର;
ଯୋଗେଶ୍ଵର ଯୋଗ
ଭଙ୍ଗ ହୋଇଯାଏ ଅପାର ଶକତି ତାର ।।
ପ୍ରେମ ଚିରନ୍ତନ
ଚିର ଶାଶ୍ଵତ ସତ୍ୟ,ଶିବ ଆଉ ସୁନ୍ଦର;
ସବୁ ଠାରେ ସ୍ଥିତ
କରେ ପରାହତ ରଖେନି ବଡେଇ କାହାର ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା,  ଦୂରଭାଷ :

Post a Comment

0 Comments