Ad

header ads

କବିତା - ହେ ମହାମହୋପାଧ୍ୟାୟ - ନାରାୟଣ ଚନ୍ଦ୍ର ସେନାପତି

ହେ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ
ହରିଚନ୍ଦନ ମହାପାତ୍ର ସାମନ୍ତ
ଓଡିଶା ମାଟିର ଧ୍ରୁବତାରା ତୁମେ
ବିଜ୍ଞାନକୁ କରିଗଲ ଜୀବନ୍ତ।

ନୟାପଡା ଜିଲ୍ଲା ଖଣ୍ଡପଡ଼ା ଗଡେ
କୃଷ୍ଣ ପୌଷ ଅଷ୍ଟମୀରେ
ରାଜା ଶ୍ୟାମବନ୍ଧୁ ରାଣୀ ବିଷ୍ଣୁମଲ୍ଲୀ
ନାଚିଲେ ତୁମ ଜନ୍ମରେ।


ତୁଳସୀ ପରାୟେ ବାସି ମହକିଲ
ହସିଲା ଓଡ଼ିଆ ଭୂଇଁ
ଗୁରୁ ପିତା ମାତା ବିସ୍ମୟେ କହିଲେ
ଧନ୍ୟ ବୈଜ୍ଞାନିକ ତୁହି।

ନିଜର ଛାଇକୁ ମାପୁଥିଲ ଯେବେ
ଭାବିଲେ ସର୍ବେ ପାଗଳ
ଚିଲ ଶାଗୁଣାଙ୍କ ବେଗ ମାପିଲାରୁ
ଥଟ୍ଟା ମଜା ହେଲା ଖେଳ।

ଖାଲି ଆଖି  ଅଣୁବୀକ୍ଷଣ ଯନ୍ତ୍ରଟା
ବାଉଁଶ ନଳୀର ସାଥେ
ଦୁଇ ଖଣ୍ଡ କାଠି ମାପିଲା ଦୂରତା
ପୃଥିବୀରୁ ନଭ କେତେ ?


ପୁରାତନ ଜ୍ୟୋତିର୍ବିଜ୍ଞାନୀ ହେ ଦେବ
ଅନୁମାନ କରି କେନ୍ଦ୍ର
ଗ୍ରହ ନକ୍ଷତ୍ରଙ୍କ ଦୂରତା ମାପିଲ
ହସୁଥିଲା ଧରାକେନ୍ଦ୍ର।

ପର୍ଯ୍ୟବେକ୍ଷଣ ଓ ଗବେଷଣା ମନ୍ତ୍ରେ
ହିସାବକୁ କଲ ତନ୍ତ୍ର
ସିଦ୍ଧାନ୍ତ ଦର୍ପଣ ପୁସ୍ତକ ଖଞ୍ଜିଲ
ଦେବ ଭାଷା ବୁଦ୍ଧି ଯନ୍ତ୍ର।

ନିଦ ହଜାଇଲ ରାତି ଭୁଲିଗଲ
ଜ୍ୟୋତିର୍ବିଜ୍ଞାନୀ ଲକ୍ଷ୍ୟରେ
ପୁଣ୍ୟ ଭାରତୀୟ ସଂସ୍କୃତି କମ୍ପିଲା
ପଠାଣି ଉଚ୍ଚ ଡାକରେ।
ବିଜ୍ଞାନକୁ ଦେଇ କି ଉଦାହରଣ 
ତା ମଧ୍ୟେ ତୁମେ ତ ଶ୍ରେଷ୍ଠ
ଆଜି ଶୁଭ ଦିନେ  ଜଣାଉ ଶୁଭେଚ୍ଛା
ଘେନ ହେ ଆଚାର୍ଯ୍ୟ ଜ୍ୟେଷ୍ଠ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments