Ad

header ads

କବିତା - ମୁକ୍ତି ପିତା - ଭଜରାମ ସେଠୀ

ଭୂମିପୁତ୍ର ତୁମେ ମହାନ ଧାର୍ମିକ
ଲଙ୍ଗଳ ମୁନରେ ସତ୍ୟ,
ମୁଣ୍ଡ ଫଟା ଖରା ଶୁଖେ ତନୁ ଶିରା
ତୁମ କର୍ମେ ଶାନ୍ତି ମତ୍ଯ ।

ଜୀବନ ପ୍ରଦୀପ ଫସଲ ହିଁ ଶିଖା
ତୁମେ ଜାତି ପ୍ରାଣେ ଶିକ୍ଷା,
ଅନ୍ନ ଦିଏ ବର୍ଣ୍ଣ ଏକଥାକୁ ହେଜ
ତୁମେ ମାଗ ନାହିଁ ଭିକ୍ଷା ।

ଦୁର୍ନୀତି ଶୋଷଣ ସହିବ କାହିଁକି
ଆତ୍ମାହତ୍ୟା ତେଜ ଦିବ୍ୟ,
ବାବୁ -ହାକିମଙ୍କୁ ପଚାର ଶବଦ
ମୂଢ଼ କି ନ ଖାଏ ଖାଦ୍ୟ ।

ହେ କୃଷକ ଦେବ ଜଗତ ଈଶ୍ବର
ତୁମେ ହିଁ ପରମ ଦାତା,
ଅନ୍ନ ଦିଅ ତୁଣ୍ଡେ ଉଦର ବ୍ରହ୍ମାଣ୍ଡେ
ତୁମେ ପ୍ରାଣ ମୁକ୍ତି ପିତା ।

ତୁମେ ହିଁ ପ୍ରକୃତ ଜନନୀ'ର ଡାକ
ଶୁଣିଅଛ ଦିବ୍ୟ କର୍ଣ୍ଣେ,
ସଇନିକ ପରି ଲଙ୍ଗଳ ମୁନରେ
ଯୁଦ୍ଧ କର ଶସ୍ଯ ବନେ ।

ଜନନୀ'ର ସିତ ପଣତେ ମସ୍ତକ
ପଗଡିରେ ସୁଶୋଭିତ,
ତୁମ ଭାତୃ ମୁଖେ ଅନ୍ନ ପରଶି ଯେ
ଲଭିଲ ଆନନ୍ଦ ଚିତ ।

ଶିକ୍ଷକ ଉଦରେ ଶିକ୍ଷା ଭରିଦେଲ
ଦେଇ ତା'ଙ୍କୁ ମାଆଶିକ୍ଷା,
ମାଟି ମାଆ କୋଳେ ସ୍ବର୍ଣ୍ଣ ଆଙ୍କିଦେଲ
ଲଙ୍ଗଳ ମୁନ ହିଁ ରକ୍ଷା ।

ହେ ଲଙ୍ଗଳ ଧାରୀ ବଳଦକୁ ଧରି
ବିଜେ ଫସଲ ନଗରେ,
କନକକଟକେ କୃଷକ ମଣିମା
ଅନ୍ନଦାତା ମରତରେ ।


ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ,   ଦୂରଭାଷ : 9566876504

Post a Comment

0 Comments