Ad

header ads

କବିତା - ମାହୋଲର ପ୍ରତିବିମ୍ବ - ପୀତବାସ ଦଳବେହେରା

ଏମିତି ଗଲାଣି    କେତେ ଯେ ବସନ୍ତ
         ଧରିତ୍ରୀ ମାଆକୁ ଛୁଇଁ
ଆସି ଫେରୁଥିବ   ବରଷକେ ଥରେ
       କେତେ ଯେ ସମ୍ଭାର ନେଇ  ।

ଆଜି ଉପସ୍ଥିତ   ବସୁମତୀ କୋଳେ
       ସେ ଋତୁ-ରାଜ ବସନ୍ତ
ସେ ବାରଣ ନେଇ   ବୃକ୍ଷ ଡାଳେ ବସି
       କୋଇଲି ଗାଉଛି ଗୀତ  ।

ମହୁଲ ଡାଳରେ   ହଳଦୀ ବସନ୍ତ
        ସୁଗମ ସଙ୍ଗୀତ ଗାଏ
ବାର ମାସୀ ପିକ    କାନନରେ ଭ୍ରମି
       ତା ରାଗିଣୀ ଶୁଣାଉ ଥାଏ  ।

ବନ ଉପବନେ   ତରୁଲତା ପିନ୍ଧି
         ନବ ପଲ୍ଲବ-ବସନ
ଧରଣୀ ରାଣୀଙ୍କ   ଅଙ୍ଗ ସଜାଡନ୍ତି
      କୁସୁମେ କରି ମଣ୍ଡନ  ।

ଋତୁ-ରାଜ ସାଥେ   ନେଇ ଆସି ଥାନ୍ତି
      ପାବନର ଦୋଳ ଯାତ
ସହଚର ହୋଲି   ରଙ୍ଗର ପରବେ
       ସର୍ବେ ହୋନ୍ତି ରଙ୍ଗାୟିତ  ।

ଖୁସିର ମାହୋଲେ   ବାଳ ଯୁବ ବୃଦ୍ଧ
        ହୋଇଥାନ୍ତି ଆତ୍ମହରା
କେହି ନ ଭାବନ୍ତି  ଦୁଃଖର ବୋଝରେ
       ଭାରାକ୍ରାନ୍ତ ବସୁନ୍ଧରା  ।

ହୋଲି ପର୍ଵ ଭଳି    ଖୁସି ଆମ ପାଇଁ
      ଅନେକ ତ ଧରା ଧାମରେ
(କିନ୍ତୁ)କିଛି ଦୁଃଖ ପାଇଁ  ଲୁହ ଝରେ ସଦା
       ଧରଣୀ ମା'ର ନେତ୍ରରେ  ।

ସମାଜେ ଚାଲିଛି   କେତେ ଅପ କର୍ମ
      ତେଣେ ରଖ ଟିକେ ଧ୍ଯାନ
ଚୋରି ଡକାୟତି   ନାରୀ ନିର୍ଯ୍ୟାତନା
       ନା ବାଳିକା ଦୁଷକର୍ମ  ।

ଯଉତୁକ ପାଇଁ  ବଧୂହତ୍ଯା କେତେ
    ସମାଜରେ ଘଟି ଯାଏ
ନିରୀହା ଝିଅଟି  ନରହନ୍ତା ଘରେ
     ବୋହୂ ହୋଇ ପ୍ରାଣ ଦିଏ  ।

ଯେତେ ଥାଉ ପଛେ  ଖୁସିର ମାହୋଲ
      ଅଧିକ ଏ ସବୁ  ଦୁଃଖ 
ଏହି ଦୁଃଖେ ପରା   ସଦା ଲୁହ ଭିଜା
        ଧରଣୀ ମାଆର ମୁଖ  ।

ଆବାହନ ଆଜି   କରେ ମୁଁ ତାହାଙ୍କୁ
       ଯିଏ ଭବିଷ୍ୟତ ରଥୀ
ସେହିମାନେ ଆଉ   କେହିତ ନୁହନ୍ତି
      ସେତ ସମାଜର ଯୁବ ପନ୍ତି  ।

ଏମିତିକା ଯେତେ   ଜଘନ୍ୟ କର୍ମକୁ
    ତୁମ୍ଭେ ନ କରିବ କେବେ
ନିବାରଣ କର    ସମାଜୁ ସେସଵୁ
       ଶପଥ ନେଇଣ ସର୍ଵେ  ।

ଯୁବ ଗୋଷ୍ଠୀ ସର୍ଵେ   ଯାଗ୍ରତ ହୋଇଲେ
         ସମାଜୁ କଳଙ୍କ ଯିବ 
ମାତୃଜାତି ଆମ   ଝିଅ ଭଉଣୀଙ୍କ
    ସମସ୍ତ ସୁରକ୍ଷା ହୋଇବ  ।

ଅନ୍ଯାୟ ଅନୀତି  ବିରୁଦ୍ଧେ ଲଢିବ
      ପଛ ଘୁଞ୍ଚାଟି ନ ଦେଵ
ଘୃଣ୍ୟ କର୍ମ ଯେତେ   ହଟିଲେ ଦେଶରୁ
        ସମାଜଟା ସୁସ୍ଥ ରହିବ  ।।

ପୀତବାସ ଦଳବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,
ଗ୍ରାମ/ପୋଷ୍ଟ-କାଟିଙ୍ଗିଆ, ଥାନା-ବ୍ରାହ୍ମଣିଗାଁ, ବ୍ଲକ-ଦାରିଙ୍ଗବାଡି, ଜିଲ୍ଲା-କନ୍ଧମାଳ, ଓଡିଶା, ପିନ୍-୭୬୨୦୨୧,
ମୋ-୯୪୩୮୦୩୪୫୩୦

Post a Comment

0 Comments