Ad

header ads

କ୍ଷୁଦ୍ରଗଳ୍ପ - ବିଶ୍ଵ ନିୟନ୍ତାଙ୍କୁ ପତ୍ର - ନିବେଦିତା ମହାପାତ୍ର

ହେ ବିଶ୍ବ ନିୟନ୍ତା,
ମୋ ହୃଦୟର ଗଭୀରତମ ପ୍ରଦେଶରୁ ଆପଣଙ୍କୁ ପ୍ରଣିପାତ ଜଣାଉଛି।ଏ ସୁନ୍ଦର ସୃଷ୍ଟିର ରଚନା କରି,ମାନବଙ୍କୁ ଶ୍ରେଷ୍ଠ ସ୍ଥାନ ଦେଇ ଆପଣ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି।ଆପଣ ସଂସାରରେ ମାନବକୁ ଦିବ୍ୟଜ୍ଞାନର ଅଧିକାରୀ କରାଇଛନ୍ତି ଏବଂ ତା' ମାଧ୍ୟମରେ ଅନେକ ସୃଜନାତ୍ମକ କାର୍ଯ୍ୟକୁ ସଫଳ ରୂପାୟନ କରିବାକୁ ଚେଷ୍ଟା କରିଛନ୍ତି।କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜି ମନୁଷ୍ୟ ନିଜ ଇଚ୍ଛାରେ ସମସ୍ତ କାର୍ଯ୍ୟ କରୁଛି।କଳିଯୁଗର କରାଳତାରେ ଆଜି ସେ ନିଜର ମାନବିକତା ଓ ବିବେକ ପଣିଆକୁ ହରାଇ ଦେଇଛି।ସତ୍ୟ,ତ୍ରେତୟା,ଦ୍ବାପର ଆଦି ଯୁଗରେ ମନୁଷ୍ୟ ମଧ୍ୟରେ ଦେବତ୍ବର ପରିପ୍ରକାଶ ହେଉଥିଲା।ନୀତି,ନିୟମ,ଯଜ୍ଞ,ଧର୍ମକର୍ମ,ଆସନ,ପ୍ରାଣାୟାମ,ପୂଜା ଆଦି ଦ୍ବାରା ସେ ନିଜର ଷଡରିପୁକୁ ଦମନ କରି ଏକ ନୀତିମୟ ଜୀବନ ଯାପନ କରୁଥିଲା। ନାରୀ,ଯିଏ ସୃଷ୍ଟିକୁ ନିଜ ଗର୍ଭରେ ଧାରଣ କରି ଦଶ ମାସର ଗର୍ଭ ଯନ୍ତ୍ରଣା ସହି ନୂଆ ଜୀବନର ଆଲୋକ ଦେଖାଇଥାଏ ତାକୁ ସଂସାରରେ ସର୍ବୋତ୍ତମ ସ୍ଥାନ ଦିଆଯାଇଥିଲା।ତା'ର ସମ୍ମାନ ସମଗ୍ର ଜାତି ପାଇଁ ସବୁଠାରୁ ମୂଲ୍ୟବାନ ଥିଲା।କିନ୍ତୁ ଆଜିର ଉଗ୍ର ଆଧୁନିକତାର ବଶୀଭୂତ ଏହି ମାନବ ନାରୀକୁ ଏକ ଉପଭୋଗ୍ୟ ବସ୍ତୁ ବୋଲି ଭାବି ନେଇଛି।ସଂସାରର ସୌନ୍ଦର୍ଯ୍ୟକୁ ଦେଖାଇଥିବା ନାରୀର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ସେ ତା'କୁ ନିଜ କାମନା ବାସନାର ନିଆଁରେ ଦଗ୍ଧ କରୁଛି।ନିଜ ଶରୀରର କାମାଗ୍ନିକୁ ଶାନ୍ତ କରିବା ପାଇଁ ସେ ବିବେକ ଶୂନ୍ୟ ଭାବେ ଛୋଟ ଶିଶୁ କଳିକା ଠାରୁ ବୟସାଧ୍ୟିକ ନାରୀକୁ ମଧ୍ୟ ରମଣ କରିବାକୁ କୁଣ୍ଠାବୋଧ କରୁନାହିଁ।ସ୍ଥାନ,କାଳର ବିଚାର ନ କରି କ୍ରୁରତାର ସହ ସେ ନାରୀ ମାନଙ୍କୁ ନିଜ ବାସନାର ଶିକାର କରି ପରିଶେଷରେ ସେମାନଙ୍କୁ ଜଘନ୍ୟ ଭାବେ ହତ୍ୟା କରୁଛି ।



ବଡ ଆଶ୍ଚର୍ଯ୍ୟର ବିଷୟ ଆଶ୍ବିନ ମାସରେ ନାରୀକୁ ଦୁର୍ଗା ମା'କହି ପୂଜା କରୁଥିବା ପୁରୁଷ ତା'ଆଖପାଖରେ ରହୁଥିବା ନାରୀକୁ ମା',ଭଉଣୀ,କି ଝିଅ ବୋଲି ବିଚାର କରେ ନାହିଁ।କାମ ଲାଳସାରେ ଅନ୍ଧ ହୋଇଥିବା ମଣିଷ ତା'ସମ୍ମୁଖରେ ଦେଖୁଥିବା ସ୍ତ୍ରୀକୁ କେବଳ ଉପଭୋଗ କରିବାକୁ ଚାହେଁ । ହେ ବିଶ୍ବପିତା,ତୁମର ଏ ସୁନ୍ଦର ସୃଷ୍ଟି ଯାହା ପାଇଁ ଗତିଶୀଳ ହେଉଛି ସେହି ନାରୀ ଜାତି ଆଜି ଖୁବ୍ ଅସହାୟ ହେଇ ପଡିଛି।ଖୁବ୍ ଯତ୍ନରେ ନାରୀକୁ ତୁମେ କୋମଳାଙ୍ଗୀ କରି ଗଢିଛି;ହେଲେ ତା'ମନରେ ଦେଇଥିବା ଅଦମ୍ୟ ଧୈର୍ଯ୍ୟ ଓ ସାହାସ ପାଇଁ ସେ ସହଜରେ ଅନ୍ୟର ମନ ଜିଣି ଅସମ୍ଭବକୁ ସମ୍ଭବ କରିପାରେ।କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ କୌଣସି ବି ପରିବାର ଏମିତି କି ନାରୀଟିଏ ମଧ୍ୟ ନିଜ ଗର୍ଭରେ କନ୍ୟା ଭ୍ରୁଣଟିଏ ସ୍ଥାନ ଦେବାକୁ ଇଚ୍ଛା ପ୍ରକାଶ କରୁନାହିଁ।ପୁତ୍ରମୋହ ର କୁଝଟିକାରେ ଭ୍ରମୁଥିବା ସମଗ୍ର ମନୁଷ୍ୟ ଜାତି ନିଜ ବଂଶ ରକ୍ଷା ପାଇଁ କେବଳ ମାତ୍ର ପୁତ୍ର ସନ୍ତାନର କାମନା କରୁଛି।କିନ୍ତୁ ସେ ଭୁଲି ଯାଉଛି ଯେ ସେହି ପୁତ୍ର ସନ୍ତାନକୁ ଭୂମିଷ୍ଠ କରିବା ପାଇଁ ଆବଶ୍ୟକ ଗର୍ଭଟି ଗୋଟିଏ ନାରୀର ହିଁ ହୋଇଥାଏ।



ଏ ଧରାଧାମରେ ପୁରୁଷ ଦ୍ବାରା ସଂପାଦିତ ସମସ୍ତ କାର୍ଯ୍ୟରେ ନାରୀର ସମ ସହଭାଗିତା ଥାଏ।ପୁରାଣ ବର୍ଣ୍ଣିତ ଅଧ୍ୟାୟକୁ ଉନ୍ମୋଚନ କଲେ ଦୃଷ୍ଟାନ୍ତ ସ୍ବରୂପ ଦେଖିବାକୁ ମିଳେ ତ୍ରେତୟାରେ ସ୍ବୟଂ ପ୍ରଭୁ ରାମଚନ୍ଦ୍ର ଅଶ୍ବମେଧ ଯଜ୍ଞର ପୂର୍ତ୍ତି ପାଇଁ ସୀତାଙ୍କର ଆବଶ୍ୟକତାକୁ ଅନୁଭବ କରି ସ୍ବର୍ଣ୍ଣମୟୀ ସୀତା ପ୍ରତିମା ନିର୍ମାଣ କରି ଯଜ୍ଞ କାର୍ଯ୍ୟ କରିଥିଲେ।ନାରୀ ବିନା ପୁରୁଷର ଅସ୍ତିତ୍ବକୁ କଳନା କରାଯାଇ ନ ପାରେ।ତଥାପି ପୁରୁଷ ପ୍ରଧାନ ଏ ସମାଜରେ ନାରୀକୁ ଅବଳା ଦୁର୍ବଳା କହି ତା'କୁ ହୀନ ବୋଲି ଗଣନା କରାଯାଉଛି।ନାରୀ ପୁରୁଷ ସହ ସବୁ କାର୍ଯ୍ୟରେ ସମକକ୍ଷ ହେଇ ପାରିଥିଲେ ମଧ୍ୟ ବେଳେବେଳେ ପୁରୁଷର କାମାଗ୍ନିରେ ସେ ନିଜକୁ ଦଗ୍ଧ କରି ସମାଜରେ ଉପହାସିତ ହେଉଛି। ହେ ପରମପିତା,ନାରୀ ସୁରକ୍ଷା ଆଜି ସବୁଠାରୁ ବଡ ପ୍ରଶ୍ନବାଚୀ ହେଇଯାଇଛି।ସୃଷ୍ଟି କାରିଣୀ ଆଜି ନିଜେ ଧ୍ବଂସ ପଥର ପଥିକ ସାଜିଛି।ଯୁଗେ ଯୁଗେ ତୁମେ ଅଧର୍ମର ବିନାଶ କରିବା ପାଇଁ ଅବତାର ଗ୍ରହଣ କରିଥାଅ ବୋଲି ଗାଥା ରହିଛି।ନାରୀର ଲଜ୍ଜା ନିବାରଣ ପାଇଁ ସେଦିନ କୁରୁସଭାରେ ରାଜଜେମା ଦୌପଦୀଙ୍କୁ କୋଟି ବସ୍ତ୍ର ଦାନ ଦେବାର ମଧ୍ୟ ଲୋକମୁଖରେ ଆଜି ବି ପ୍ରଚାରିତ ହେଉଛି।ତେବେ କୁହନ୍ତୁ ବର୍ତ୍ତମାନ ସମାଜରେ ପ୍ରତିଦିନ କେତେ ଦୌପଦୀ କ୍ରୁର ଦୁଃଶାସନର ଚକ୍ରାନ୍ତ ଜାଲରେ ଛନ୍ଦି ହେଇ ନିଜ ଜୀବନର ବଳିଦାନ ଦେଇ ଚାଲିଛନ୍ତି।ତାଙ୍କ ପାଇଁ ଆପଣ କଣ ବିଚାର କରିବେ।ପୁଣି ଥରେ ଆଉ ଏକ ମହାଭାରତର ସର୍ଜନା କରି ପାପୀଙ୍କୁ ଦଣ୍ତ ବିଧାନ କରିବେ ନା ଯାଦବ ବଂଶର ଧ୍ବଂସ ସାଧକ ସାଜିବା ପରି ଏ ସୃଷ୍ଟିରୁ ନାରୀ ଜାତିର ବିଲୟ ଘଟାଇବେ?ଉତ୍ତର ଅପେକ୍ଷାରେ ମହାବାହୁ।ଆପଣ ଯାହା ବି ବିଚାର କରିବେ ତାହା ନିଶ୍ଚୟ ଏ ବିଶ୍ବ ପାଇଁ ମଙ୍ଗଳକାରୀ ହେଇଥିବ॥
॥ ଇତି ॥
ଆପଣଙ୍କର ଶରଣାର୍ଥୀ ଏକ ହୀନ ଭକ୍ତ
 

ରଚନା : ନିବେଦିତା ମହାପାତ୍ର

ଠିକଣା : ମୁକୁନ୍ଦ ମିଶ୍ର ନଗର, ପୁରୀ,  ଦୂରଭାଷ : ୭୯୭୮୩୪୭୩୪୬

Post a Comment

0 Comments