Ad

header ads

କବିତା - କରିବନି ଅଭିମାନ - ସରିତା ମହାନ୍ତି

ଅଳପ ଦିନର ସଳପ  କାହାଣୀ
      ଅନ୍ତ ତାର ନ ହୋଇଲା
ସୁଖର ଦୁଃଖର ସେ ବାର୍ତ୍ତା ଆଳାପ
       ସମାପ୍ତ କିଏ କରିଲା ।

ସମ୍ପର୍କର ଯେଉଁ ସେତୁ ବାନ୍ଧି ଥିଲ
      ଛିନ୍ନ କଲ ଚିର ଦିନ
ଛାଡ଼ି ଦେଇ ଗଲ ସ୍ନେହ ପ୍ରେମ ପୁଣି
      ମିଠା ମିଠା କିଛି ଚିହ୍ନ ।

ତୁମରି ବାସରେ ମହକିବା ପାଇଁ
     ଆଶାର ବସା ବାନ୍ଧିଲି
ଆଶା ମୋ ତୁଟିଲା ବସା ମୋ ଭାଙ୍ଗିଲା
      ସ୍ଥାନ ଚ୍ୟୁତ ମୁଁ ହୋଇଲି ।

ଜୀବନର ମୋହ ଛିନ୍ନ କରି ଦେଇ
    ସଂସାରୁ ବିଦାୟ ନେଲ
ବୃକ୍ଷ ତ ରୋପିଲ ଫଳ ବି ଫଳିଲା
     ସ୍ଵାଦ ତାର ନ ଚାଖିଲ ।

ସଂସାର କର୍ତ୍ତବ୍ୟ ଯା ପରେ ଲଦିଲ
     ଲାଗେ ତାକୁ ଅସମ୍ଭାଳ
ପରୋକ୍ଷରେ ଅବା ରହିଥାଇ ପୁଣି
      ଦାୟିତ୍ୱ ଆସି ସମ୍ଭାଳ ।

ତୁମ ସ୍ଵପ୍ନ ରାଜି ମୋ ହାତେ ସମର୍ପି
      ସ୍ଵପ୍ନ ଅଧୁରା ରଖିଲ
ସବୁ ଥାଇ ଆଜି ଲାଗେ ଏକା ଏକା
      ଏମିତି କାହିଁ ରୁଷିଲ ।

ପୂର୍ଣ୍ଣ ପରିବାର କ୍ଷୁଣ୍ଣ ତ ହୋଇଲା
     ଅଶୁଭ କରି ରଖିଲ
ଯାହା ପାଇଁ ଦିନେ ହେଉଥିଲି ଶୁଭ
      ସାଥେ ସବୁ ନେଇଗଲ ।

ବିଭାଘର ହେଉ ଅବା ବ୍ରତଘର
    ନ ଲୋଡ଼ିବେ ଦିନେ କେହି
ହାତେ ଶଙ୍ଖା ନାହିଁ ନୁହେଁ ସୀମନ୍ତିନୀ
      ରହିଛି ଅଲୋଡା ହୋଇ ।

କେମିତି ନୀରବ ଏହା ଦେଖିଅଛ
     ବସି ଭାବୁଅଛି ମୁହିଁ
ଆର ଜନମକୁ କଥା ଦିଅ ସାଥୀ
    ଏମିତି କରିବ ନାହିଁ ।

କଥା ଦିଆ ନିଆ ଏମିତି ହୋଇବ
     କରିବନି ଅଭିମାନ
ମୋ ଶଂଖା ସିନ୍ଦୂର ମୋ ସହିତ ପୁଣି
    ଯାଉଥିବ ଶମଶାନ ।


ସରିତା ମହାନ୍ତି, ଶିକ୍ଷୟିତ୍ରୀ
ବାଲିଆପାଳ, ବାଲେଶ୍ବର, ମୋ-୮୦୯୩୫୯୦୦୮୬

Post a Comment

0 Comments