Ad

header ads

କବିତା - କାହିଁକି କନ୍ଦେଇ ଦେଇ ଚାଲିଗଲ ? - ନାରାୟଣ ଚନ୍ଦ୍ର ସେନାପତି


ହେ ସ୍ମୃତି....
ସେଦିନ ସେ ଶୀତୁଆ ରାତିରେ
ଚୁଆ ଚନ୍ଦନ ଦେଇ
ଵଂଦେଇ ବନ୍ଦେଇ ତୁମକୁ ମୋ ହୃଦୟକୁ ଆଣିଥିଲି ନା !
ହେଲେ ଅଢେ଼ଇ ଦିନ ସମ୍ପର୍କରେ ଛନ୍ଦେଇ..
ଶେଷରେ କନ୍ଦେଇ ଦେଇ ଚାଲିଗଲ କେମିତି ଯେ ?

ଜାଣିଛ....???
ତୁମକୁ ମୁଁ ମୋ ଜୀବନଠୁ ବହୁତ ଭଲ ପାଉଥିଲି,
କରିଥିଲି ହୃଦୟର ମହାରାଣୀ,
ହେଲେ ମୋ ଦାନର ପ୍ରତିଦାନ କ'ଣ
ପେନ୍ଥାଏ ଛଳନା ?
ମୋ ଆଶାର ପ୍ରତ୍ୟାଶା କ'ଣ ପୁଞ୍ଜାଏ ପ୍ରତାରଣା ?
କାହିଁକି ଲେଖିଲ କଳଙ୍କିତ ଇତିହାସ ?
କାହିଁକି ଦଗ୍ଧ କଲ 
ନିଷ୍କପଟ ହୃଦୟର ସ୍ଵଚ୍ଛ ସ୍ନିଗ୍ଧ ସରଳ ପୃଷ୍ଠାଟିକୁ ??

ତୁମେ ଥିଲ ସୁଖ ଦୁଃଖ ହସ ଲୁହର ମିଶ୍ରଣ,
ଜୀବନର ଦୋଛକି ରାସ୍ତାରେ ଭେଟ ହେଲା ଯେବେ
କିଏ ମନ ଖୋଲି ଦେଲା ଶ୍ରଦ୍ଧା  ସମ୍ମାନର ଗୁଞ୍ଜନ,
କିଏ ବା ଦରଜା ବନ୍ଦ କରି ଫିଙ୍ଗି,  ଦେଲା ପୁଳା ପୁଳା ଅଭିମାନ ଆଉ ଅପମାନ,
ଶତ୍ରୁ ମିତ୍ର ହୋଇଗଲା,
ଆଉ ମିତ୍ରଟା......?
ଅସହିଷ୍ଣୁ ହୋଇ ନିନ୍ଦା ପ୍ରଚାରକ ପାଲଟିଗଲା,
କାହିଁକି ଏ ଅବତଳ ଉତ୍ତଳର ନୃତ୍ୟରେ
ସମତଳ ଦର୍ପଣର ସତ୍ତା ହରେଇଦେଲ ?

ଅଭିନେତା, ଖଳନାୟକର ବିବିଧ ଭୂମିକା
ତୁମ ଭିତରେ ବାୟାବସା ବାନ୍ଧିଥିଲା,
କିଏ ମୁହଁରେ ହରି ହରି ହରିଓଁ କହି
ଅଣ୍ଟିରୁ ଛୁରୀ ଆଣି ତଣ୍ଟି କାଟିଲା ତ,
ଶତ୍ରୁ ମିତ୍ରର ଲୁଚକାଳି ଟା
ବାସ୍ତବର ଭୂଗୋଳ ପୃଷ୍ଠାକୁ ବଦଳାଇଦେଲା,
ଅନନ୍ୟ ଅନୁଭୂତି ସବୁ ଜଳରୁ ଫଳକୁ ଅଲଗା କରିଦେଲା,
ପର୍ଯ୍ୟବେକ୍ଷଣର ଫର୍ଦ୍ଦଟା
ଜ୍ୟାମିତିର ଉପପାଦ୍ୟର ସିଦ୍ଧାନ୍ତ ଭରିଦେଲା,
ଗର୍ବ ଅହଂକାରର ପାହାଡ଼ ଉପରେ ତାଣ୍ଡବ କରି
ଆତ୍ମୀୟତାକୁ କାହିଁକି ଏମିତି ଜାଳି ଦେଲ ଯେ ??

ହେ ସ୍ମୃତି.....
ଆବର୍ତ୍ତନ ପରିକ୍ରମଣର ପାନ୍ଥଶାଳା ଥିଲ ତୁମେ,
ହେଲେ ଛଳ, ଭାବ, ଭାଷାର ସରାଗରେ ଆକର୍ଷି,
ଅଟ୍ଟାହାସ୍ୟ କରି,
ଅଧାବାଟରେ ଛାଡିଦେଲ କେମିତି ଯେ ?
ପ୍ରତିଭା ପ୍ରତିବନ୍ଧକର କୁଳ ବଦଳାଇଲ,
ଆଖିର କଜଳ ଦାଗ 
ସିନ୍ଧୁପରି ମୋ ଅଶ୍ରୁ ଝରାଇଦେଲ,
ଝାପସା ରଶ୍ମୀ ହୋଇ ନିରୂପମାରୁ ଉପମା ଚୋରାଇନେଲ,
ପ୍ରେମ ପ୍ରଣୟର ଆଶ୍ୱାସନା ଦେଇ
ବ୍ୟଭିଚାରିଣୀ ସ୍ୱାର୍ଥପର ସାଜି
କାହିଁକି କନ୍ଦେଇ କନ୍ଦେଇ ଚାଲିଗଲ ???

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments