Ad

header ads

କ୍ଷୁଦ୍ରଗଳ୍ପ - କାହିଁକି ଏମିତି ହେଉଛି - ପ୍ରଣତି ମହାପାତ୍ର

ଅନେକ ଲୋକ ରୁଣ୍ଡ ହୋଇଥାନ୍ତି ରାସ୍ତା ମଝିରେ । ବହୁତ ଜୋରରେ ହୋ ହାଲ୍ଲା ବି ଶୁଭୁଥାଏ । ଗହଳି ଭିତରୁ ଯାହା କିଛି ଶୁଭୁଥିଲା ସବୁ ଅସ୍ପଷ୍ଟ । ରାସ୍ତା ଆର ପଟରେ ଛିଣ୍ଡା ଲୋଚାକୋଚା ଲୁଗାପିନ୍ଧି, ହାତରେ ରସ କଂସାଟିଏ ଧରି ନଇଁ ନଇଁ ବୁଢୀଟିଏ ଯାଉଥିଲା । ବୋଧହୁଏ ଭିକାରୁଣୀ ଟିଏ । କାହିଁକି କେଜାଣି ବୁଢ଼ୀ ଟି ଭିଡ଼ ହୋଇଥିବା ଜାଗାକୁ ଆସିଲା । କଣ ହୋଇଛି ବୋଲି ୟାକୁ ତାକୁ ପଚାରିଲା । ହେଲେ ଗହଳି ଭିତରୁ ତାକୁ କଣ ଶୁଭିଲା କେଜାଣି, ସେ ଭିଡ଼ ଠେଲି ଭିତରକୁ ଗଲା । ବୁଢୀର ବ୍ୟବହାର ଏମିତି ଥିଲା ଯେ, ଆଉ ସେଠାରେ ରୁଣ୍ଡ ହୋଇଥିବା ଲୋକଙ୍କ ଆଖିରେ ଲୁହ ଜକେଇ ଆସିଲା। ସେଠାରେ ପଡି ଚିତ୍କାର ଛାଡୁଥିବା ଲୋକଟିକୁ ବୁଢ଼ୀ ନିଜ ସାତସିଆଁ ଲୁଗା କାନିରେ ଝାଡିଝୁଡି ଦେଲା । ମୁହଁ ହାତ ପୋଛି ପକେଇଲା।ନିଜ କାନ୍ଧରେ ଥିବା ଚିରା ବ୍ୟାଗରୁ ପାଣି ବୋତଲଟିଏ ବାହାର କରି କିଛି ପାଣି ପିଆଉ ପିଆଉ ଦେହ ହାତ ଆଉଁସି ଦେଉଥାଏ।ଆଉ କାନ୍ଦି କାନ୍ଦି କହୁଥାଏ ମୋ ଧନକୁ ଏମିତି କିଏ କଲା।ମୋ ଛୁଆ ର ଗୋଡ ହାତ ଛିଡିଲା କେମିତି । ଳେ ପଡିଥିବା ବୁଢୀର ଧନ ,ଶିଶୁ କି ଯୁବକ ନୁହେଁ।ଜଣେ ପ୍ରାପ୍ତ ବୟସ୍କ ୫୫ବର୍ଷୀୟ ବୃଦ୍ଧ।

ମଦ୍ୟପାନ କରି ରାସ୍ତାରେ ଯାଉଥିବା ସମୟରେ କୌଣସି ଗାଡ଼ି ବାଲା ବାଡେଇଛି।ହାତଗୋଡ଼ ଖଣ୍ଡିଆ ଖାବରା ହୋଇଯାଇଛି।ଦେଖଣାହାରୀ ସମସ୍ତେ ଦେଖୁଥାନ୍ତି ସତ ,ହେଲେ କେହି କିଛି କରୁ ନ ଥାନ୍ତି।ବୁଢ଼ୀ ତା ଧନକୁ ସେଇଠି ଛାଡିଦେଇ ସେଠାରୁ ବାହାରି ଆସିଲା।ତୁ ଏଇଠି ଥା ଧନ,ମୁଁ ଆସୁଛି ।ଗହଳି ଭିତରୁ ବାହାରି ବୁଢ଼ୀ ରାସ୍ତା କଡରେ ଥିବା ଗୋଟିଏ ଗଛରୁ କିଛି ପତ୍ର ଛିଣ୍ଡେଇ ହାତରେ ଦଳି ଦଳି ବଡ଼ ବଡ଼ ପାହୁଣ୍ଡ ପକେଇ ନଇଁ ନଇଁ ଆସିଲା। ଆହତ ବ୍ୟକ୍ତି ପାଖରେ ବସି ଡାକ୍ତର ବଇଦ ଭଳି ସେ ପତ୍ରର ରସ  ସବୁ କ୍ଷତ ସ୍ଥାନରେ ଲଗେଇ ଦେଲା। ପୁଅର ମୁଣ୍ଡକୁ ନିଜ କୋଳରେ ଥୋଇ ଦେହ ହାତ ଆଉଁସି ଦେଲା। ଦେଖଣାହାରୀ ଭିତରୁ ଜଣେ ଆଉ ସହି ନପାରି ପଚାରିଲେ- ମାଉସୀ ,ଏ କିଏ କି? ମାଉସୀ- ଏ ପରା ମୋ ପୁଅ ରମା। ଦେଖ କି ଦୁର୍ବୁଧି ତାର । ଦିନରାତି ମଦକୁ ପଖାଳ କରି ପିଇ ପିଇ ଘରଦ୍ୱାର ଉଜାଡି ଦେଲାଣି।

ଆଜିକୁ ଆଠ ବର୍ଷ ହେଲା ଏଇ ମଦ ନିଶାରେ ମୋତେ ବାଡେଇ ବାଡେଇ ଘରୁ ତଡି ଦେଲା।ୟା ଦୁଆରେ ତା ଦୁଆରେ ଭୋକ ଉପାସରେ ମୋ ବେଳ ଯାଉଛି ସିନା।ହେଲେ ଏ ପୁଅବୋହୁ କେବେ ଖୋଜନ୍ତି ନାହିଁ ମୋତେ।ଭଲରେ ରହନ୍ତେ ଭଲା।ଦିନରାତି ପୁଅବୋହୁ ମାଡଗୋଳ।କିଛି କାମଧନ୍ଦା ନ କରି ପେଟେ ମଦ ପିଇ  ରାସ୍ତାରେ ପଡୁଛି।ଏ ସରକାର ତ ଦୁଇଟଙ୍କିଆ ଚାଉଳ, ବାର୍ଦ୍ଧକ୍ୟ ଭତ୍ତା, କିରୋସିନି ଗହମ ଦେଇ ଆଉ ଗାଁ ଗାଁରେ ମଦ ଦୋକାନ ଖୋଲି ସମସ୍ତଙ୍କୁ କର୍ମକୋଢିଆ କରି ମଦୁଆ କରିଦେଲାଣି। ଏ ମଦ ନିଶାରେ କିଏ ତା ଝିଅ ବୋହୁଙ୍କ ର ଇଜ୍ଜତ ନିଲାମ କଲାଣି ତ,କିଏ  ଝିଅ ବୋହୁଙ୍କ ଇଜ୍ଜତ ନେଲାଣି।ଆଉ କିଏ ପୁଣି ଗର୍ଭଧାରିଣୀ ମାଆକୁ ରାଜରାସ୍ତାକୁ ପଠେଇ ଦେଲାଣି।ଭାଗ୍ୟକୁ ଆଦରି ଏ ବୁଢ଼ୀ ବୟସରେ  ଆଖିଲୁହ ପିଇ ଭିକ ମାଗି  ପର ପିଣ୍ଢାରେ ପଡୁଛି।ତଥାପି ଏ ପୁଅକୁ ଗାଳି ଦେଇନି କେବେ । ସେ ଏମିତି ନ ଥିଲା।ଏଇ ମଦ ପିଇବା ଦିନରୁ ଏମିତି ହୋଇଗଲା। ମାଉସୀ ,ତାଙ୍କ ଦେହରେ ଯେଉଁ ପତ୍ର ଗୁଡା ଲଗେଇଲ ,କଣ ପାଇଁ। ସେ ଖଣ୍ଡିଆ ଖାବରା ଗୁଡା ଭଲ ହେବା ପାଇଁ।ଏମିତି ଛୁଆ ବେଳେ ଖେଳି କେତେ ଖଣ୍ଡିଆ ହୁଏ ତାର।ଏହି ପତ୍ର ଲଗେଇ ଦେଲେ ସବୁ ଭଲ ହୋଇଯାଏ।ଆଉ ସବୁଠାରୁ ବଡ଼ କଥା ହେଲା,ଏମିତି ଛିଡିମିଡି ଗଲେ ଏ ପତ୍ର ଯିଏ ଲଗେଇ ଦେବାକୁ କହେ,ଭେ ଖାଲି କାନ୍ଦି କାନ୍ଦି କହୁଥାଏ ନାହିଁ, ତୁମେ କେହି ଲଗେଇ ଦେଲେ ମୋର ଭଲ ହେବନି।ମୋ ମାଆ ମୋ ଦେହରେ ଲଗେଇ ଲେ ଭଲ ହେବ।ତୁମେମାନେ ଯାଅ,ମୋ ମାଆ ଲଗେଇ ଦେବ,ଖୋଇଦେବ,ମୋର ସବୁ କିଛି ମୋ ମାଆ କରିବ। ଏଇଗୁଡା ଲଗେଇ ଦେଲେ ବି ତା ଖଣ୍ଡିଆ ଭଲ ହୋଇଯିବ। ହେଇରେ ଛୁଆ,ମୋ ପୁଅଟିକୁ କେହି ଟିକେ ନେଇ ଘରେ ଛାଡି ଦିଅ।ସେ ଚାଲି ପାରୁନାହିଁ।କେତେବେଳେ କଣ ଖାଇଥିବ, ଭୋକ ହେବଣି ମୋ ଛୁଆ ଟାକୁ।ବୋହୁଟା ତେଣେ ଖୋଜୁଥିବ।ଏ ଶୀତ ରେ ଏ ପିଲାଟା ଥରୁଛି,ରହ।ମୋତେ ଜଣେ ବାବୁ ଭଲ ଚାଦର ଟିଏ ଦେଇଥିଲେ। ବୁଢ଼ୀ ନିଜ ବ୍ୟାଗରୁ ଖଣ୍ଡିଏ ଚାଦର ବାହାର କରି ତା ପୁଅକୁ ଘୋଡେ଼ଇ ଦେଲା।ଲାଜ,ଅପମାନ ଓ କୃତକର୍ମର ଫଳ ପାଇଁ ପୁଅର ଆଖିରୁ ଲୁହ ବହିଯାଉଥାଏ ସିନା କିଛି କହିପାରୁ ନ ଥାଏ।

ତୁମର ଧର୍ମ ହେବ ବାପା।ଏ ଛୁଆ ଟାକୁ ତା ଘରେ ଟିକେ ଛାଡ଼ି ଦେଇ ଆସ।କିଛି ଲୋକ ଟେକାଟେକି କରି ଗୋଟିଏ ଅଟୋରେ ବସେଇ ତା ଘରକୁ ନେଇଗଲେ।ବୁଢ଼ୀ ଖାଲି କାନ୍ଦୁଣୁ ମାନ୍ଦୁଣୁ ହୋଇ କହୁଥାଏ, ଏ ନିଆଁ ମଦ ଆଜି କେତେ ସଧବାର ସିନ୍ଦୁର ନେଉଛି ତ,କେତେ ମାଆକୋଳ ଶୂନ୍ୟ କରିଦେଉଛି।ଏ ଧର୍ମର  ରାଇଜେ ଏ ହିଂସାକାଣ୍ଡ ଘଟୁଛି କାହା ପାଇଁ।ବିଲରେ ବିଲୁଆ ଡେଉଁଛନ୍ତି କାହିଁକି?ଜିନିଷ ପତ୍ର ର ଆକାଶଛୁଆଁ ଦାମ୍ ପାଇଁ ଦାୟୀ କିଏ?ଆଜି ସାଧାରଣ ବର୍ଗର ଲୋକଟିଏ ପନିପରିବା ଟିଏ ଖାଇ ପାରୁନି କାହିଁକି?ପାଠଶାଠ ପଢି ବେକାରୀ ସମସ୍ୟା ବଢି ବଢି ଚାଲୁଛି କାହିଁକି?ଧର୍ମର ରାଜରାସ୍ତାରେ ଲକ୍ଷ୍ମୀ ସ୍ଵରୁପା ନାରୀମାନଙ୍କର ଗଣ ବଳାତ୍କାର ର ତାଲିକା ବଢିବଢି ଚାଲିଛି କାହିଁକି?କାହିଁକି ସମସ୍ତେ ନୀରବ ଦର୍ଶକ ଆଜି।ଶିକ୍ଷିତ ପିଲାମାନେ ଚୋର,ଗୁଣ୍ଡା ବଦମାସ ହେଉଛନ୍ତି ? ଏସବୁ କାହିଁକି ର ଉତ୍ତର କିଏ ଦେବ ? କାହାର କାହା ଭିତରେ ସଦଭାବ ନାହିଁ କାହିଁକି?

ପ୍ରଣତି ମହାପାତ୍ର
ବାଲେଶ୍ଵର

Post a Comment

0 Comments