Ad

header ads

କବିତା - କହିଲେ କହୁ - ନରେନ୍ଦ୍ର ପ୍ରସାଦ ବେହେରା

ତୁହି ଏକା ମୋର  ଅନ୍ତରଙ୍ଗ ବନ୍ଧୁ
         ରହିଲୁ ଅନେକ ଦୂରେ
କେମିତି ଦେଖିବି  ତୋତେରେ କାଳିଆ
         ଆଖିଖୋଲି ଦେଏ ଥରେ  ।

ବଡ଼ ଦଗାଦିଆ    ତୁ ଜଗା କାଳିଆ
         କରୁଛୁ କାହିଁକି ପର
ମୁଁ ଅଟେ ଅଭାଗା     ହୀନ କପାଳିଆ
         ନାହିଁ ମୋର ଘରଦ୍ବାର  ।

ଶ୍ରୀମନ୍ଦିର ତୋର     ଅଟଇ ସୁନ୍ଦର
        ଜଗତେ ବଡ଼ ଠାକୁର
ମହିମାକୁ ତୋର       ବଖାଣିବ କିଏ
        ମୁଁ ଅଟେ ସାମାନ୍ୟ ନର  ।

ବରଷକେ ଥରେ  ତୋ ରଥ ଯାତରେ
        କରୁନାହୁଁ ମୋତେ ଠିଆ
ତୋପରି ନାଟୁଆ     ଜଗତରେ ନାହିଁ
        ଜାଣିଛି ସାରା ଦୁନିଆଁ  ।

ନିଜକୁ ଭାବୁଛୁ     ବଡ଼ ଅହଙ୍କାରୀ
         ଗର୍ବକୁ କରି ନିଜର
ଡାକି ଡାକି ମୋର     କଣ୍ଠ ଶୁଖି ଯାଏ
         କଲୁନି ଥରେ ଆଦର  ।

ମରାମତି ପରେ     ମନ୍ଦିର ତୋହର
         ଦିଶୁଅଛି ନୂଆ ନୂଆ
ମୋ ଭଙ୍ଗା କୁଡିଆ     ଭାଗ୍ଯ କେଉଁ ଦିନ
         ଫେରିବ କହ କାଳିଆ  ।

ଦେଉ ନାହୁଁ ଖଣ୍ଡେ   ଇନ୍ଦିରା ଆବାସ
        ରହିଛି ମୁଁ ଭଙ୍ଗା ଘରେ
ଦେଖି ଯାଆ ମୋର  କୁଡିଆକୁ ଥରେ
       ଥରୁଛି ଶୀତ କାକରେ  ।

ତେଲିଆ ମୁଣ୍ଡରେ    ତେଲ ଦେଉଅଛୁ
           ଗରିବକୁ କରି ପର
ହାତରେ ନ ମାରି   ଭାତରେ ମାରୁଛୁ
          ଦେଖୁଛି ସାରା ସଂସାର  ।

(କେତେ)ନାରୀ ମାନଙ୍କୁ ତୁ  ଦେଲୁ ଅଧିକାର
         ଘରର ମୁଖିଆ କରି
ସେହି ନାରୀ ଆଜି  ଦୁନିଆଁ ଦାଣ୍ଡରେ
         ସ୍ବାମୀକୁ ଭାବେ ବଇରୀ  ।

ପାଇଲିନି ଟିକେ  ତୋଠାରୁ ସୁଖ ମୁଁ
        ହୁଏ ଖାଲି ହନ୍ତସନ୍ତ
କେଉଁ ଦିନ ମୋର  ଫେଡିବୁ ଦୁଃଖକୁ 
        କହି ଦେଏ ଆଦି ଅନ୍ତ  ।

ମନର ବେଦନା    ମନରେ ମାରୁଛି
       କେବଳ ତୋତେରେ ଚାହିଁ
ବୁଝି ଦିଅ ଦୁଃଖ     ଯାଉ ଦୂର ହୋଇ
          କାହାକୁ କହିବି ନାହିଁ  ।

ନବୁଝିଲେ ଦୁଃଖ     ହୋଇବି ବିମୁଖ
          ଆଖିରୁ ଝରାଇ ଲହୁ
ମନ ଇଚ୍ଛା ଯେତେ  ଗାଳିଦେବି ତୋତେ
          ଦୁନିଆଁ କହିଲେ କହୁ  ।।

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦

Post a Comment

0 Comments