Ad

header ads

କବିତା - କାହାକୁ ଡାକିବି ଭାଇ - ନରେନ୍ଦ୍ର ପ୍ରସାଦ ବେହେରା


ଉତ୍ଥାନ ପତନ    ଜୀବନ ତ ଏହି
       ଭାବି ପାରୁନାହିଁ କେହି
ଆଜି ଅଛି ପୁଣି    କାଲିକି ନ ଥିବ
      ଦେଉଛି ତୁମକୁ କହି  ।

ତଥାପି ମଣିଷ    କରୁଅଛି ଗର୍ବ
       ଅଢେଇ ଦିନକ ପାଇଁ
ବାଟ ସରିଗଲେ   ବାଟୋଇଟି ଭାବେ
        ହେଲିଣି ମୁଁ ଧଇଁସଇଁ  ।

ହାଟ ସରିଗଲେ    ହାଟୁଆ ଫେରଇ 
       କେତେ ଗପସପ ହୋଇ
ସରିଯିବ ଦିନେ    ହାଟତ ଆମ୍ଭର
       ନ ଡାକିବେ କେହି ଭାଇ  ।

ହାଟ କରିବାକୁ    ଆସିଥିଲେ ଦିନେ
       ଉଲଗ୍ନ ହୋଇ ମହୀକୁ
ହାଟ ପରିବର୍ତ୍ତେ     ନାଟ କରି କରି
       ଚାଲିଯିବା ମଶାଣିକୁ  ।

ଜନ୍ମ ବେଳେ ଶେଯ   ମାଆ କୋଳ ଥିଲା
        ଆନନ୍ଦରେ ନାଚୁଥିଲେ
ମଲାବେଳେ କେହି    ସାଙ୍ଗରେ ଯିବାକୁ
        ସମସ୍ତେ ତ ଭୁଲିଗଲେ  ।

ଧନୀରୁ ଗରୀବ     ଗରୀବକୁ ଧନୀ
        ସାଜିଲେ ଏହି ମହୀରେ
ପରକୁ ଆପଣା     ଆପଣାକୁ ପର
       ସ୍ଥାନିତ କଲେ ହୃଦରେ  ।

ଦିନ ପରେ ରାତି     ରାତିପରେ ଦିନ
       ଲାଗିଛି ସଦା ମହୀରେ
ଆଜି ଯିଏ ରାଜା    କାଲିକି  ଫକୀର
      ଯାହା ଲେଖିଛି ବିଧିରେ  ।

ସରସ ସୁନ୍ଦର     ଜୀବନକୁ ଆମ୍ଭେ
        କରୁ କେତେ ହୀନିମାନ
ସାମାନ୍ୟ ଟିକିଏ    ସ୍ବାର୍ଥ ପାଇଁ ଆଜି
       ଭୁଲି ଯାଉଛୁ ସମ୍ମାନ  ।

ନିଜ ହାତ ଗଢା     ସମ୍ପର୍କକୁ କେବେ 
       ଇଚ୍ଛାରେ ଭାଙ୍ଗି ଦିଅନା
ଜୋର କରି କେବେ    କାହାରି ସହିତ
       ସମ୍ପର୍କ କେଵେ ଯୋଡନା  ।

ଯୋଡିଲେ ସମ୍ପର୍କ    ହୋଇବ ଅମନ
        ବାଧିବ ଜାଣ ଆତ୍ମାକୁ
ଫଟା ହାଣ୍ଡି କେବେ   ହେବନି ସହାୟ
       ଯେତେ ମାଠିଲେ ତାହାକୁ  ।

ବହିଯାଏ ପାଣି      ତଳକୁ ତଳକୁ
        ସାଗରେ ମିଶିବା ପାଇଁ
ତଳପାଣି କେବେ    ଉର୍ଦ୍ଧ୍ଵକୁ ଯାଏନା
      ଯାହା ଲେଖିଛି ଗୋସାଇଁ  ।

ତଥାପି ଆମେରେ    କରୁଅଛେ ଗର୍ବ
        ପ୍ରିୟାପ୍ରୀତି ଭୁଲିଯାଇ
ଉତ୍ଥାନ ପତନ     ଜୀବନତ ଏହି 
       କାହାକୁ ଡାକିବି ଭାଇ  ।।

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା,ବାଲେଶ୍ଵର, ମୋ-୯୮୫୩୧୪୨୫୧୦

Post a Comment

0 Comments