Ad

header ads

କବିତା କଲ୍ଲୋଳିନୀ - ଜଗତେ କେବଳ - କବିସୂର୍ଯ୍ୟ ବଳଦେବ ରଥ

(ରାଗ - ଆଷାଢ଼ଶୁକ୍ଳ)

ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ । ଘୋଷା ।
ଜଟିଳ କରି ସ୍କନ୍ଧ ରୋମରାଜି
ଶିଖରୀ ଦରୀରେ ମରୁଁ ଗରଜି,
କୁଟିଳ କରି ଭ୍ରୂକୁଟିକୁ ଚାହୁଁ
ସରମା କଣ୍ଠୀରବ ହେବ କାହୁଁ । ୧ ।
ଅଲକତ ଦ୍ରବ ନୟନେ ବୋଳି
ରସାଳ ଗହଳ ଶାଖାରେ ଖେଳି,
କବଳ କରୁଁ ତା କଳି କଳାପ
କାକ କି କରିବ ପଞ୍ଚମାଳାପ ? । ୨ ।
ବରଜୀବ-ରସେ ଦେଇ ମାନସ
ବରଜି ବରଷେ ଅମେଧ୍ୟ ଗ୍ରାସ,
ଦେହେ ମନ୍ଦାକିନୀରଜ ଲଗାଇ
ଗ୍ରାମ ଶୂକରୀ କି ହୋଇବ ଗାଈ ? । ୩ ।
ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ
ନିଜ ତୁଣ୍ଡେ ମଣ୍ଡି ଖଣ୍ଡ-ମୃଣାଳ,
ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ
ତେବେ ସେ ମରାଳୀ ବୋଲାଇବ କି ? । ୪ ।
ରଞ୍ଜି ନାୟକ ରଙ୍ଗେ ଚୋପଦାର
ଖଞ୍ଜିଲେ ହେଲେ ଚାବୁକ ସବାର,
ଖିଲାଇଲେ ହେଲେ ନାନା ମସଲା
ତୁରଙ୍ଗ ହୁଏ କି ରାସଭ ପିଲା । ୫ ।
ବଦରିକା ବନେ ନିତ୍ୟ ନିବାସ
କରି ଆଚରି ବ୍ରତ ଉପବାସ,
ପ୍ରଯତ୍ନ କଲେ ହେଁ ନାନା ପ୍ରକାର
ଖଦ୍ୟୋତ ହୋଇବ କି ପ୍ରଭାକର ? । ୬ ।
ଯାହାକୁ ଯାହା କରିଛି ଦଇବ
ତହୁଁ ନି କି ସେ ଅନ୍ୟଥା ହୋଇବ,
ଘେନିଲେ ହେଲେ ଯତ୍ନେ କୋଟି ପୁଟ
ପିତ୍ତଳୁଟି କେହି ହେବ ପୁରଟ । ୭ ।
ଦେବ ଉପବନେ ହୋଇ ଜନିତା
ସୁବାସ-ମଦରୁ ଜବସ ଲତା,
ତୁଳସୀ ତୁଲେ ହେଲେ ମିଶାମିଶି
ତାହାକୁ ଯେବେ ବୋଲିବା ତୁଳସୀ । ୮ ।
ସମଜଇ ନାହିଁ ସ୍ୱଜାତି ଭାଷା
କହିଲେ ଯେ ହୁଅଇ ଲୋକହସା,
ଜଡ଼ ମୁଁ ବୋଲି ନ ଜନ୍ମି ନିର୍ବେଦ
ଷଡ଼ଦର୍ଶୀ ତୁଲେ କଲେ ବିବାଦ । ୯ ।
ଦେହରେ ବାଜିଲେ ପର ନିଃଶ୍ୱାସ
ସମ୍ଭାଳିବାକୁ ନ ଥାଇ ବିଶ୍ୱାସ,
ନିର୍ଲଜ୍ଜ ଅଭିମାନେ ଡେରି ଛାତି
ହାତୀ ଲଢ଼ାଇକି ବାନ୍ଧିଲେ କାତି । ୧୦ ।
କରମରେ ତ ହୋଇଅଛି ଲେଖା
କରମର୍ଦ୍ଦକ ଯୋଗ୍ୟ ତୋର ଶିଖା,
ହରମଉଳିଯୋଗ୍ୟ ଚମ୍ପକକୁ
ଭରମରେ ବୃଥା ପଡ଼ି ଯା ଟାକୁ । ୧୧ ।
ଚାରୁଚନ୍ଦ୍ରୋଦୟ ମଶାଲ ପାଖେ
ବହ୍ନି ଜାଳିବ ଯେବେ ଦିଶା ମୁଖେ,
ଧାତା ତ କରିନାହିଁ ତା ନିକାଶ
କି ରୂପେ ହେବ ସେପରି ପ୍ରକାଶ । ୧୨ ।
ବୋଳିହୋଇ ଭୂତି ଧରି ପରଶୁ
ବଳୀବର୍ଦ୍ଦବର ଚରମେ ବସୁ,
ଗଉରୀ-ପ୍ରାଣନାଥ ଅନୁଭାବ
ଠଉରି ପାରିବ ନାହିଁ ତ ଲବ । ୧୩ ।
ସର ପର୍ପଟି ଯାହାକୁ ମିଳଇ
ସେ ସୁଖେ ତା ଭୋଜନେ ପ୍ରବଳଇ,
ସଢ଼ାଇବାକୁ ତା ବଡ଼ାଇ ବସି
ଦୁର୍ମତି ଯେବେ ଚୋବାଇବ ଘଷି । ୧୪ ।
ଚିର ତପବଳୁ କେଉଁ ପୁରୁଷ
ସମ୍ପାଦି ଯୋଗ୍ୟ ଗୁଣ ପଉରୁଷ,
କରିଷେ ସଞ୍ଚରିବା ନ ସହିବ
କରୀଷକଟେ ଯେବେ ଆରୋହିତ । ୧୫ ।
ଗଙ୍ଗାର ପ୍ରବାହେ ଅଳପେ ବୁଡ଼ି
ଅଙ୍ଗାର ନିକି ନିଜ ବର୍ଣ୍ଣ ଛାଡ଼ି,
ବଳାହିତ ରତ୍ନ ପରି ଦିଶିବ
ବାଳା ପୟୋଧର ହାରେ ମିଶିବ । ୧୬।
ସତରବୟସୀ ସତତ ମନ
କରଇ ଯାହାକୁ ଅନୁଗମନ,
ଛବି-ଶୂନ୍ୟ; ଷଣ୍ଡ ବୃଦ୍ଧ ତା ତୁଲେ
ଅବିବେକବଶୁ ବିବାଦୀ ହେଲେ । ୧୭ ।
ଗୁଞ୍ଜର କେଉଁ ପୁଣ୍ୟବଳୁ ସିନା
ସଙ୍ଗକୁ ଅଙ୍ଗୀକାର କଲା ସିନା,
ହୋଇଲି ତ ବୋଲି କନକ ତୁଲ୍ୟ
ଲୋଡ଼ିବ ଯେବେ ତାହା ତୁଲ୍ୟ ମୂଲ୍ୟ । ୧୮ ।
ଗଜପତି କୁମ୍ଭସ୍ଥଳ ବିଦାରି
ସଜ ପଲକ ଭୁଞ୍ଜିବାରୁ ହରି,
ଦୃଷ୍ଟି ନ ଦେଲା ବୋଲି ଅନ୍ୟ ଶବେ
ଜମ୍ବୁକେ ଯଶସ୍ୱୀ ବୋଲିବା ଯେବେ । ୧୯ ।
ମାନୋଦ୍ଧାରଣ ଶରଣପଞ୍ଜର
ବଘେଲ ବାଦଶା ନୃପକୁଞ୍ଜର,
ରାଜା ଜଗଦ୍ଦେବ ହରିଚନ୍ଦନ
ଲଙ୍ଘିଲେ ତାକୁ ନ କରି ଚନ୍ଦନ । ୨୦ ।
ତାଙ୍କ ସୁଧର୍ମା ତୁଲ୍ୟ ସଭା କବି
ଭଣିଲେ ରାୟଗୁରୁ କବିରବ,
ଶ୍ରବଣ-ସର୍ବାବୟବୀ ମାନବ
ସହସ୍ରାକ୍ଷ ସାମ୍ୟ ଯେବେ ଲୋଡ଼ିବ,
ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ । ୨୧ ।

ପରବର୍ତ୍ତୀ କବିତା ପଢନ୍ତୁ

Post a Comment

0 Comments