Ad

header ads

କବିତା - କବିତା - ଦୁଇ - ଭଜରାମ ସେଠୀ

ବକୁଳ କାନନେ ହରଷ ବଦନେ
ଘୁଙ୍ଗୁର ପୟରେ ଯୋଖି,
କୋଇଲିର ତାନେ ସୁଢ଼ଳ ନୟନେ
ନାଚୁଥାଅ ଦିବ୍ଯା ସଖୀ ।
ପାହାଡ଼ ପବନେ ସବୁଜିମା ବନେ
ଏମିତି ଗୋ ହସି ଦିଅ ,
ଯେମିତି କବି'ର ଚିତ୍ତ ହଜିଯିବ
ତୁମେ ତ ଧରା ନ ଦିଅ !
ଭାବନା କଳ୍ପନା ତୁମ ପାଇଁ ସିନା
ଆକାଶ ପରଦା ହଟେ,
ମେଘ ଶବାରୀରେ ବସି ଝୁଲୁଥାଅ
କବି କଲମରେ ରଚେ ।
ଉପମା ଉପଧା ଅଳଙ୍କାର ପିନ୍ଧା
ଶୁଭ୍ରହାସୀ ଦଳପୁଷ୍ପୀ,
କରଣ କାରକ ଶବଦ ସଂଯୋଗୀ
ଦିବ୍ଯାଙ୍ଗନା କଳାକେଶୀ ।
ବିଶେଷ, ବିଶେଷ୍ଯ , ବିଶ୍ଳେଷଣ ଲିପି
ସ୍ବରବର୍ଣ୍ଣେ ଶବ୍ଦବନ୍ଯା,
ପୁରୁଷ, ନାରୀର ଚିହ୍ନଟ କରିଛ
ବ୍ୟାକରଣେ ଦକ୍ଷାକନ୍ଯା ।
କେବେ ଗୋ ପ୍ରଳୟା ବକ୍ତ୍ରାସବ ପ୍ରିୟା
ଚଞ୍ଚଳଚିତ୍ତା ବର୍ଣ୍ଣିତା,
କେବେ ଗୋ ବନିତା କବି ହୃଦେ ପ୍ରିୟା
ଶଷପେ ଦୂବେ ଶୋଭିତା ।
ଆସ ପ୍ରିୟ ସହୀ ହଜିଯିବା କାହିଁ
ନୀଳନଭ କୋଳେ ଯାଇ,
ମେଘ ରାଗିଣୀରେ ଆହାରୀ ନାଦରେ
ବୀଣାସ୍ବରେ ଗୀତ ଗାଇ ।
 

ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ,   ଦୂରଭାଷ : 9566876504

Post a Comment

0 Comments