Ad

header ads

କବିତା - କବି - ଭଜରାମ ସେଠୀ


କବି ଭ୍ରମୁଥିଲେ ଭାବ କୁଞ୍ଜେ କୁଞ୍ଜେ
ଶବ୍ଦ ଜଳ ବର୍ଷା ହୁଏ,
ଝରି ପଡ଼ୁଥାଏ କଳ୍ପନା ଝରଣା
ନାଦାତୁରେ ଗୀତ ଗାଏ ।୧।

ଭଅଁର ପରିକା ବିହରେ ଶବ୍ଦରେ
ସଙ୍ଗ ଲଭେ ଶବ୍ଦାଙ୍ଗିନୀ,
କେଉଁ ଶବ୍ଦ ପୁଷ୍ପେ ଦେବେ ସେ ଚୁମ୍ବନ
ହସିବ ସେ କାବ୍ୟାରାଣୀ ।୨।

କେବେ ସେ ମାଆର ସ୍ନେହ ଶ୍ରଦ୍ଧା ଦେଇ
ପଣତେ ପୋଛଇ ଲୁହ,
କେବେ ସେ ଅନ୍ତର ବେଦନା ବୁଝିଣ
ଲିଭାଏ ଛାତିର କୋହ ।୩।

କେବେ ସେ ପ୍ରିୟାର ପ୍ରେମିକ ସାଜିଣ
ଲେଖନୀରେ ଦିଏ ପ୍ରୀତି,
ଅକୁହା ସେ ସ୍ପର୍ଶ ସ୍ମୃତି ମିଠା ଭାଷା
ହୃଦୟ ଖୋଜଇ ନିତି ।୪।

କେବେ ପ୍ରିୟ ହୋଇ ପ୍ରେମିକା ଖୋଜୁଛି
ଝରଣା କୂଳରେ ବସି,
ପ୍ରକୃତି ତନୁକୁ ଉପମା ଦିଅଇ
ଉପଭୋଗ କରେ ହସି ।୫।

କେବେ ଭକ୍ତ ପଣେ ଚକ୍ଷୁ ଲୁହ ଝାରେ
ପ୍ରଭୁପାଦ ଖୋଜି ଖୋଜି,
କେବେ ଧୂଳି ହୋଇ ଭକ୍ତ ପାଦେ ଲାଗେ
ଭକ୍ତ ଆତ୍ମା ଖୋଜେ ହେଜି ।୬।

କରୁଣ ତନୁ ତା' ତରୁଣ ଛୁଇଁଛି
ବାର୍ଦ୍ଧକ୍ୟ ହୋଇନି କେବେ,
ଭଳି ଭଳି ରଙ୍ଗ ରଙ୍ଗୀନ୍ ମୁରୁଜେ
ଶବ୍ଦରେ ଚିତ୍ରିତ ଭବେ ।୭।

କବି'ର ହୃଦୟ ପୁଣ୍ୟ ଗଙ୍ଗାଜଳ
ତୃଷ୍ଣା ନିବାରଣ କରେ,
କବି'ର ବଚନ ଭାବର ଚନ୍ଦନ
ହୃଦୟେ ଅମୃତ ଝରେ ।୮।

ଦାମ୍ଭିକ ପଣରେ ଲେଖିଦିଏ ପଦ
ବୀର କରେ ଅସ୍ତ୍ର ତ୍ଯାଗ,
ବିରସ ନ ହୋଇ ସରସ କୋମଳ
ହୃଦେ ଶବ୍ଦ ସିନ୍ଧୁ ଯୋଗ ।୯।

ଅସ୍ତ୍ର ନାହିଁ ଯା'ର ଯୁଦ୍ଧେ ଅଗ୍ରସର
ମରଣ ମଞ୍ଚାଳେ ପାଦ,
ଶତୃ ଖଡ୍ଗ ତେଜି ମଧୁର କହଇ
ମନୁ ଦୂରେ ହିଂସା ଶବ୍ଦ ।୧୦।

ଜନମ ଲଭିଛି ମରଣ ତା' ନାହିଁ
ସାହିତ୍ୟ ପୃଷ୍ଠାକୁ ଦେଖ,
ହସି ହସି କହେ ବୀର ପରି ସିଏ
ହେ ଜାତି ମୁଣ୍ଡକୁ ଟେକ ।୧୧।


ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଗଞ୍ଜାମ,   ଦୂରଭାଷ : 9566876504

Post a Comment

0 Comments