Ad

header ads

ପ୍ରବନ୍ଧ - ଭାଷାସୃଷ୍ଟିର ଇତିହାସ - ଗିରିଜା ଶଙ୍କର ରାୟ

ମନୁଷ୍ୟମାନେ ଆଦିମ ପଶୁ ଅବସ୍ଥାରୁ ନିଜକୁ ଉନ୍ନତ କରିବା ନିମନ୍ତେ ଯେଉଁ ଉପାୟମାନ ଉଦ୍ଭାବନ କରିଅଛନ୍ତି ସେମାନଙ୍କ ମଧ୍ୟରେ ଭାଷାର ବ୍ୟବହାର ଗୋଟିଏ । ଭାଷାର ପ୍ରୟୋଗ ଦ୍ୱାରା ମନୁଷ୍ୟମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସହଜସାଧ୍ୟ ହୋଇଅଛି, ଚିନ୍ତାର ଧାରା ସୁନିଶ୍ଚିତ ଓ ସୁବ୍ୟକ୍ତ ହୋଇ ପାରିଅଛି ଓ ପ୍ରତ୍ୟେକ ମନୁଷ୍ୟ ତାହାର ନିଜର ବୁଦ୍ଧିବୃତ୍ତି ଦ୍ୱାରା ଯାହା ଉଦ୍ଭାବନ କରୁଅଛି ତାହା ସୁସ୍ପଷ୍ଟ ଓ ଚିରସ୍ଥାୟୀଭାବରେ ଜଗତ୍ ସମ୍ମୁଖରେ ଉପସ୍ଥାପିତ କରିବାର ସୁଯୋଗ ଲାଭ କରୁଅଛି । ଏହିପରି ପ୍ରକାଶ ଦ୍ୱାରା ଓ ପ୍ରକାଶିତ ଭାବବସ୍ତୁମାନଙ୍କର ସମାଲୋଚନା ଦ୍ୱାରା ଜ୍ଞାନର ଉତ୍ତରୋତ୍ତର ଅଭିବୃଦ୍ଧି ସାଧିତ ହେଉଅଛି । ପ୍ରତ୍ୟେକ ମୁହୃର୍ତ୍ତରେ ଆମ୍ଭେମାନେ ଭାଷାର ଉପଯୋଗିତା ଓ ଉପକାରିତା ଅନୁଭବ କରୁଁ । କିନ୍ତୁ ପ୍ରଚଳିତ ଭାଷାର ସ୍ୱରୂପ ଓ ଉତ୍ପତ୍ତି ସମ୍ବନ୍ଧରେ ଆମ୍ଭେମାନେ ବିଶେଷ କିଛି ଜାଣୁ ନାହିଁ । ବରଂ ଭାଷାର ବ୍ୟବହାର ଏତେ ସୁପ୍ରଚଳିତ ଯେ ଭାଷା-ଜ୍ଞାନହୀନ ମନୁଷ୍ୟସମାଜର କଳ୍ପନା କରିବା ମଧ୍ୟ ଆମ୍ଭମାନଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇଥାଏ । ପଶୁମାନେ କେତେକ ଭାବ ପ୍ରକାଶିତ କରିପାରନ୍ତି, କୁକୁର ଭୟ ପ୍ରକାଶ କରିବା ନିମନ୍ତେ ନିଜର ଲାଞ୍ଜକୁ ଯାକିଦିଏ, ଗାଈ ନିଜ ବାଛୁରୀର ସାନ୍ନିଧ୍ୟ କାମନାକୁ ପ୍ରକାଶ କରିବା ନିମନ୍ତେ ରଡ଼ି ଛାଡ଼େ, ବାଘ କ୍ରୋଧର ଅଭିବ୍ୟକ୍ତି ନିମନ୍ତେ ଭୟାବହ ଗର୍ଜନ କରେ । ବାସ୍ତବରେ ଏଗୁଡ଼ିକ ଭାଷା, କାରଣ ନାନାପ୍ରକାର ବିଶେଷଧ୍ୱନି ବା ଅଙ୍ଗପ୍ରତ୍ୟଙ୍ଗର ବିଶେଷ ସଞ୍ଚାଳନ ଦ୍ୱାରା ବିଶେଷ ପ୍ରକାରର ମାନସିକ ଭାବ ଏସବୁରେ ପ୍ରକାଶିତ ହେଉଅଛି । ଏକ ସମୟରେ ମନୁଷ୍ୟମାନେ ମଧ୍ୟ ଏହି ପ୍ରକାର ଧ୍ୱନି ବା ଅଙ୍ଗପ୍ରତ୍ୟଙ୍ଗର ସଞ୍ଚାଳନ ମାତ୍ର ଦ୍ୱାରା ନିଜର ମନୋଭାବ ପ୍ରକାଶ କରିବାକୁ ଅକ୍ଷମ ଥିଲେ ଓ ପଶୁମାନଙ୍କ ପରି କେବଳ ମୂକଭାବରେ ଜୀବନ ଯାତ୍ରା ନିର୍ବାହ କରିପାରୁଥିଲେ । କ୍ରମଶଃ ନିଜର ବୁଦ୍ଧିବୃତ୍ତି ପରିଚାଳନ ଦ୍ୱାରା ମନୁଷ୍ୟମାନେ ଭାଷାର ସୃଷ୍ଟି କଲେ ଏବଂ ମାନସିକ ଆବେଗମାନଙ୍କୁ ସୁନ୍ଦର ଭାବରେ ପ୍ରକାଶ କରିବାକୁ କ୍ଷମ ହେଲେ । ତାହାପରେ ନିଜ ନିଜର ଚିନ୍ତାମାନଙ୍କୁ ଲିପିବଦ୍ଧ କରିବାର ଚେଷ୍ଟା ହେଲା । କ୍ରମଶଃ ସେମାନେ ଦୂରସ୍ଥିତ ବ୍ୟକ୍ତିମାନଙ୍କ ନିକଟକୁ ସମ୍ବାଦ ପ୍ରେରଣ କରିପାରିଲେ ଓ ନାନା ରୂପରେ ଧ୍ୱନି, ଲିପି ଓ ଅର୍ଥର ସାମଞ୍ଜସ୍ୟ ବିଧାନ କରି ସଙ୍ଘବଦ୍ଧ ଭାବରେ ଉନ୍ନତି ମାର୍ଗରେ ଗତି କରିବାର କ୍ଷମତା ଅର୍ଜନ କଲେ । ଭାଷାର ସୃଷ୍ଟି କରିବାପାଇଁ ସେମାନଙ୍କୁ ନାନପ୍ରକାର ବାଧା ବିଘ୍ନ ଅତିକ୍ରମ କରିବାକୁ ହୋଇଅଛି, ନାନା କୌଶଳ ଅବଲମ୍ବନ କରିବାକୁ ପଡ଼ିଅଛି, ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଅଛି । ଏହିପରି ଅନେକ ଯୁଗର ସାଧନାରେ, ସହସ୍ର ସହସ୍ର ବର୍ଷବ୍ୟାପୀ ପ୍ରଚେଷ୍ଟାର ଫଳସ୍ୱରୂପ ବର୍ତ୍ତମାନ ଜଗତରେ ନାନା ଭାଷା ପ୍ରଚଳିତ ହୋଇଅଛି । ବର୍ତ୍ତମାନ ଯାହା ଅତି ସ୍ୱାଭାବିକ ମନେ ହେଉଅଛି ଯାହା ଆୟତ୍ତ କରିବାକୁ ମାନବ ଶିଶୁକୁ ବର୍ଷେ ଦୁଇ ବର୍ଷ ଲାଗୁଅଛି, ଯାହାର ବ୍ୟବହାର ଆଜି ଅତି ସାଧାରଣ ବୋଲି ମନେ ହେଉଅଛି ତାହାର ଉଦ୍ଭାବନା ଓ ବିକାଶର ଇତିହାସ ଅତ୍ୟନ୍ତ ବିଚିତ୍ର ଓ ଏହି ବିଚିତ୍ର ଇତିହାସର କିୟଦଂଶ ହୃଦୟଙ୍ଗମ କରିବାହିଁ ଭାଷାତତ୍ତ୍ୱ ଆଲୋଚନାର ଉଦ୍ଦେଶ୍ୟ ।

ମନୁଷ୍ୟ ବହୁ ସହସ୍ର ବର୍ଷ ପୂର୍ବେ ପଶୁମାନଙ୍କ ପରି ଜୀବନ ଯାତ୍ରା ନିର୍ବାହ କରୁଥିଲା ଏବଂ ପଶୁମାନଙ୍କ ପରି କେବଳ ଅଙ୍ଗସଞ୍ଚାଳନ ଓ ବିଶେଷ ଧ୍ୱନିଦ୍ୱାରା ନିଜର ଆବେଗ ପ୍ରକାଶ କରିପାରୁଥିଲା । ବର୍ତ୍ତମାନ ମଧ୍ୟ ମନୁଷ୍ୟମାନେ ଦୁଃଖରେ କ୍ରନ୍ଦନ କରନ୍ତି, ଆନନ୍ଦରେ ହାସ୍ୟ କରନ୍ତି, କ୍ରୋଧରେ ଗର୍ଜନ କରନ୍ତି, କଷ୍ଟରେ ଗଁ ଗଁ କରନ୍ତି ଓ ନାନା ଆବେଗ ପ୍ରକାଶ କରିବା ନିମନ୍ତେ ନାନାପ୍ରକାର ଚିତ୍କାର କରନ୍ତି । ବର୍ତ୍ତମାନ ଭାଷାର ବ୍ୟବହାର ସୁପ୍ରଚଳିତ ହୋଇଥିଲେ ମଧ୍ୟ କ୍ଷୁଧା ବା କ୍ରୋଧର ଅନୁଭୂତି ବା ହର୍ଷ ଆଦି ଆବେଗ ପ୍ରକାଶ କରିବା ନିମନ୍ତେ ମନୁଷ୍ୟମାନେ ନାନା ପ୍ରକାରେ ଅଙ୍ଗସଞ୍ଚାଳନ କରିଥାନ୍ତି ଓ ପ୍ରଶ୍ନ ସୂଚାଇବା ନିମନ୍ତେ ଗଳାର ସ୍ୱରର ବିଶେଷ ପ୍ରକାରେ ବିକୃତି ସାଧନ କରିଥାନ୍ତି । ବର୍ତ୍ତମାନ ମଧ୍ୟ ଭାଷା ନାନା ପ୍ରକାର ସ୍ୱରର ବିକାର, ନାନା ପ୍ରକାର ଅଙ୍ଗସଞ୍ଚାଳନ, ନାନା ପ୍ରକାର ମାତ୍ରା ଚିହ୍ନ ଦ୍ୱାରା ପୁଷ୍ଟ ହେଉଅଛି । ଏ ସବୁର ବ୍ୟବହାର ଆଦିମ ଯୁଗରୁ ମଧ୍ୟ ଚାଲି ଆସୁଅଛି ।

ଭାଷାର ବ୍ୟବହାର ମନୁଷ୍ୟର ସହଜାତ ଅନୁକରଣ ପ୍ରବୃତ୍ତିର ପରିଣତି ମାତ୍ର । ମାନବଶିଶୁ ଯଦି ଅନୂକରଣ କରିବାକୁ ପ୍ରୟାସ ନ କରନ୍ତା ତେବେ ସେ କଦାପି ଭାଷାଶିକ୍ଷା କରିପାରନ୍ତା ନାହିଁ । ଆଦିମ ଯୁଗରେ ମନୂଷ୍ୟ ଯଦି ଚିତ୍ରାଙ୍କନ ଦ୍ୱାରା ରୂପର ଓ ଶବ୍ଦ ପ୍ରୟୋଗ ଦ୍ୱାରା ଧ୍ୱନିର ଅନୂକରଣ କରିବାକୁ ପ୍ରଯତ୍ନ ନ କରିଥାନ୍ତା ତେବେ ମଧ୍ୟ ଭାଷାର ସୃଷ୍ଟି ଅସମ୍ଭବ ହୋଇପଡ଼ନ୍ତା । ଆମ୍ଭେମାନେ ବର୍ତ୍ତମାନ ଭାଷା କହିଲେ ଯାହା ବୁଝୁଁ ତାହାର ଦୁଇଗୋଟି ବିଶିଷ୍ଟ ବିଭାଗ ଅଛି । ଗୋଟିଏ ଲିଖିତ ରୂପ ଓ ଅନ୍ୟଟି ଉଚ୍ଚାରିତ ଶବ୍ଦ । ଆମ୍ଭେମାନେ କେତେକ ଧ୍ୱନିସମାବେଶକୁ ଉଚ୍ଚାରିତ କରୁଁ ଓ କେତେକ ବିଶିଷ୍ଟ ରେଖାଚିତ୍ର ଦ୍ୱାରା ଉକ୍ତ ଧ୍ୱନିମାନଙ୍କୁ ଲିଖିତରୂପରେ ପ୍ରକାଶିତ କରୁଁ । ଆଦିମ ଯୁଗରେ ମନୁଷ୍ୟ ନିଜର ପାରିପାର୍ଶ୍ୱିକ ଆବେଷ୍ଟନୀ ମଧ୍ୟରେ ଯେଉଁସବୁ ପଦାର୍ଥ ଦେଖୁଥିଲା ଏବଂ ନିଜର ଅଙ୍ଗପ୍ରତ୍ୟଙ୍ଗ, ନିଜର ଗୃହପାଳିତ ପଶୁବର୍ଗ, ସୂର୍ଯ୍ୟ, ଚନ୍ଦ୍ର, ନଦୀ, ପର୍ବତ ପ୍ରଭୃତି ପ୍ରାକୃତିକ ଦୃଶ୍ୟାବଳୀ ପ୍ରଭୃତି ଯେଉଁ ପଦାର୍ଥମାନଙ୍କ ସହିତ ତାହାର ଅହରହ ପରିଚୟ ଘଟୁଥିଲା, ସେସମସ୍ତଙ୍କୁ ସେ ନିତ୍ୟ ଅଙ୍କିତ କରିବାକୁ ସଚେଷ୍ଟ ହେଉଥିଲା ଓ ଏହି ଅଙ୍କନର ପରିଣତିସ୍ୱରୂପ ବର୍ତ୍ତମାନ ଲିପିମାନଙ୍କର ଉଦ୍ଭବ ହୋଇଅଛି । ଏହିପରି ପ୍ରଜ୍ୱଳିତ ଅଗ୍ନି, ପ୍ରବାହମାନ ନଦୀ, ଗତିବେଗମୂଖର ବାୟୂ, ପତ୍ରରାଜିର ମର୍ମରଧ୍ୱନି, ଅସ୍ତ୍ରଶସ୍ତ୍ରର ଝଣତ୍କାର, ପ୍ରସ୍ତରମାନଙ୍କର ଘର୍ଷଣ ପ୍ରଭୃତି ଯେଉଁ ଧ୍ୱନିମାନଙ୍କ ସହିତ ତାହାର ଦୈନନ୍ଦିନ ପରିଚୟ ଘଟିଥିଲା ସେମାନଙ୍କର ଅନୁକରଣରୁ ବର୍ତ୍ତମାନ ଧ୍ୱନିମୟ ଶବ୍ଦରାଶି ଉତ୍ପନ୍ନ ହେବା ମଧ୍ୟ ସମ୍ଭବପର । ଆଦିମ ଯୁଗରେ କିପରିଭାବରେ ଭାଷାର ସୃଷ୍ଟି ହେଲା, ପ୍ରଥମରେ କିପରିଭାବରେ ଭାଷାଗତ ଶବ୍ଦମାନଙ୍କର ସାଙ୍କେତିକ ରୂପ, ଧ୍ୱନି ବା ଅର୍ଥ ନିୟନ୍ତ୍ରିତ ହେଲା, ଭାଷାର ବ୍ୟବହାର କିପରିଭାବରେ ଆରବ୍ଧ ହେଲା ଓ କିପରିଭାବରେ ପ୍ରସାର ଲାଭ କରି ବର୍ତ୍ତମାନ ଅବସ୍ଥାରେ ଉପନୀତ ହେଲା ସେ ବିଷୟରେ ଆମ୍ଭମାନଙ୍କର ଜ୍ଞାନ ବାସ୍ତବରେ ସୀମାବଦ୍ଧ ହେଲେହେଁ ମନୁଷ୍ୟର ଅନୂକରଣ ପ୍ରବୃତ୍ତିରୁ କାଳକ୍ରମେ ଭାଷାର ଉଦ୍ଭବ ଓ ବିକାଶ ଘଟିଥିବା ସମ୍ଭବ । କିନ୍ତୁ ଏହି ଆଦିମ ଯୁଗରେ ଅନୂସୃତ ପଦ୍ଧତି ଓ ଭାଷାର କ୍ରମବିକାଶ ବିଷୟରେ ଆମ୍ଭମାନଙ୍କର ଜ୍ଞାନ ଏତେ ସୀମାବଦ୍ଧ ଯେ କେତେକ ଅନିଶ୍ଚିତ ଅନୂମାନ ଭିନ୍ନ ଆଦିମ ଯୁଗର ଭାଷା ବିଷୟରେ କୌଣସି ସୁସ୍ପଷ୍ଟ ଧାରଣା କରିବା ଅସମ୍ଭବ ।

ଭାଷାତତ୍ତ୍ୱ ଅନୂଶୀଳନ କରିବାକୁ ହେଲେ ସେହି କାରଣରୁ ଆମ୍ଭେମାନେ ବର୍ତ୍ତମାନ ବ୍ୟବହୃତ ଭାଷାମାନଙ୍କର ବିଶ୍ଳେଷଣଦ୍ୱାରା କ୍ରମଶଃ ଅତୀତର ଯଥାଯଥ ଚିତ୍ର ପାଇବା ପାଇଁ ସଚେଷ୍ଟ ହେଉଁ । ବର୍ତ୍ତମାନ ବ୍ୟବହୃତ ଭାଷାମାନଙ୍କର ବିଭିନ୍ନତା, ସେମାନଙ୍କର ଧ୍ୱନି ଓ ରୂପଗତ ପାର୍ଥକ୍ୟ ପ୍ରଭୃତି ଆଲୋଚନା କରି ଧୀରେ ଧୀରେ ଅତୀତ ଆଡ଼କୁ ଅଗ୍ରସର ହେଲେ ଆମ୍ଭେମାନେ ନାନାପ୍ରକାର ତଥ୍ୟ ନିର୍ଣ୍ଣୟ କରି ପାରୁ ଓ ଏହି ତଥ୍ୟମାନଙ୍କୁ ବିଚାର କରି ଆମ୍ଭେମାନେ ଭାଷାର ଇତିହାସ ଓ କ୍ରମ ବିକାଶ ବିଷୟରେ ନିର୍ଭରଯୋଗ୍ୟ ବିବରଣମାନ ସଂଗ୍ରହ କରିପାରୁ । ଏହିପରି ବିଶ୍ଳେଷଣ ଦ୍ୱାରା ଭାଷାତତ୍ତ୍ୱ ବୈଜ୍ଞାନିକ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇ ପାରିଅଛି, ଏବଂ ଆମ୍ଭେମାନେ ନିଶ୍ଚିତ ଓ ସୁସମ୍ବନ୍ଧଭାବରେ ଭାଷାର ସ୍ୱରୂପ ଓ କ୍ରମ ବିକାଶ ବିଷୟରେ ଧାରଣା ଲାଭ କରିବାକୁ ସମର୍ଥ ହୋଇଅଛୁଁ ଓ ଭାଷାତତ୍ତ୍ୱ ବିଷୟରେ ଅନିଶ୍ଚିତ ଅନୁମାନର ଅବକାଶ ଅନେକ କ୍ଷେତ୍ରରେ ତିରୋହିତ ହୋଇ ଭାଷାର ବିକାଶ ଓ ବିକାର ବିଷୟରେ ସୁସ୍ପଷ୍ଟ ଓ ସୁନିଶ୍ଚିତ ନିୟମମାନ ଆବିଷ୍କୃତ ହୋଇ ପାରିଅଛି । ବର୍ତ୍ତମାନ ଭାଷାତତ୍ତ୍ୱ ଆଲୋଚନା କଲେ ଏହି ନିୟମମାନଙ୍କ ସହିତ ପରିଚିତ ହେବାକୁ ହେବ ଓ ଭାଷାର ବୈଜ୍ଞାନିକ କ୍ରମବିକାଶ ବିଷୟରେ ଅବହିତ ହେବାକୁ ହେବ । ଏହାଦ୍ୱାରା ବ୍ୟବହୃତ ଭାଷାର ବ୍ୟବହାରକ୍ରମ ବିଷୟରେ ସୁସମ୍ବନ୍ଧ ଜ୍ଞାନଲାଭ ମଧ୍ୟ କରାଯାଇପାରିବ ।

ବର୍ତ୍ତମାନ ମନୁଷ୍ୟ-ସମାଜରେ ଯେତେ ଭାଷା ବ୍ୟବହୃତ ହୁଏ ସେମାନଙ୍କୁ ଆଲୋଚନା କଲେ ଆମ୍ଭେମାନେ ଦେଖୁଁ ଯେ ସେମାନେ ପରସ୍ପରଠାରୁ ନାନାପ୍ରକାରେ ବିଭିନ୍ନ । ଦେଶ ଭେଦରେ ଭାଷା ମଧ୍ୟ ଭିନ୍ନ । ଓଡ଼ିଶାରେ ଯେଉଁ ଭାଷା ପ୍ରଚଳିତ ବଙ୍ଗଳାଭାଷା ତାହାଠାରୁ ଭିନ୍ନ, ତେଲୁଗୁ ବା ଇଂରାଜୀଭାଷା ତାହାଠାରୁ ବିଶେଷଭାବରେ ପୃଥକ୍ । ପୁଣି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟ ଏକପ୍ରକାର ଭାଷା ପ୍ରଚଳିତ ନୁହେଁ, ଓଡ଼ିଶାର ବିଭିନ୍ନ ଲୋକ ଠିକ୍ ଏକାପରି ଭାଷା ବ୍ୟବହାର କରନ୍ତି ନାହିଁ କିମ୍ବା ପ୍ରାୟ ଏକଶତ ବା ଦୁଇଶତବର୍ଷ ପୂର୍ବେ ଓଡ଼ିଶାରେ ଯେଉଁ ଭାଷା ବ୍ୟବହୃତ ହେଉଥିଲା ତାହା ସର୍ବତୋଭାବେ ବର୍ତ୍ତମାନ ବ୍ୟବହୃତ ଭାଷା ସହିତ ଏକ ନୁହେଁ । କାଳ ଭେଦରେ, ଦେଶ ଭେଦରେ, ପ୍ରଦେଶ ଭେଦରେ, ଲୋକ ଭେଦରେ ଭାଷାର ବିଭିନ୍ନତା ପ୍ରଥମରେ ଆମ୍ଭମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ ଓ ଏହି ପାର୍ଥକ୍ୟ ଏତେ ସୂଦୂରପ୍ରସାରୀ ଯେ ବିଭିନ୍ନ ଭାଷା ମଧ୍ୟରେ ଯେ କୌଣସି ଐକ୍ୟ ବା ସାମଞ୍ଜସ୍ୟ ଅଛି ତାହା ସ୍ୱତଃ ଆମ୍ଭମାନଙ୍କର ଦୃଷ୍ଟିପଥାରୂଢ଼ ହୁଏ ନାହିଁ । ନାନା ଭାଷାରେ ବ୍ୟବହୃତ ନାନା ଶବ୍ଦ, ବାକ୍ୟ ବିନ୍ୟାସ ରୀତି, ଭାବଦ୍ୟୋତନାର ବିଭିନ୍ନ ପଦ୍ଧତି ଦେଖି ଆମ୍ଭେମାନେ ବିସ୍ମିତ ଓ ହତବୁଦ୍ଧି ହୋଇପଡୁଁ ।

(ଉକ୍ତ ପ୍ରବନ୍ଧଟି ଶ୍ରୀ ଗିରିଜା ଶଙ୍କର ରାୟଙ୍କ ରଚିତ "ସରଳ ଭାଷାତତ୍ତ୍ଵ" ପୁସ୍ତକର ଅଂଶବିଶେଷ ଅଟେ)

ଗିରିଜା ଶଙ୍କର ରାୟ
ପୂର୍ବତନ ଅଧ୍ୟାପକ, ରେଭେନ୍ସା ମହାବିଦ୍ୟାଳୟ, କଟକ

Post a Comment

0 Comments