Ad

header ads

କବିତା - ଏହି ମୋର ଅଳି - ପ୍ରଣତି ମହାପାତ୍ର


ଏତେ ଜାଡ଼ରେ ହାତ
            କୋଲ ମାରିନେଉଛି,
କୁହୁଡ଼ି ରେ ଆଖିକୁ କିଛି
               ଦେଖାଯାଉ ନାହିଁ,
ଶୀତରେ ଦାନ୍ତକୁ
         ଦାନ୍ତ ବାଡେଇ ହେଉଛି।
ସମସ୍ତେ ଗରମ କମ୍ବଳ
          ଭିତରେ ଥିବାବେଳେ
ବଡିଭୋରୁ ସେ ବିରିଚାଉଳ
               ବାଟି ପିଠାକଲାଣି।
ହେଲେ ଜମା ଶୀତ କରୁନି ଜଣକୁ।
କେବଳ ମୋ ପାଇଁ।
                  ସେ ମୋ ...

ଭୋକର ଦାଉ ତ ଜୀବ
       ମାତ୍ରକେ ଥାଏ,
ସେ ଖାଦ୍ୟ ରୂଚିକର ହେଉ
       ବା ନ ହେଉ,
ଯେତେ ଅଭାବ ଥିଲେ ବି
           ଶରୀର ଖୋଜେ ଖାଦ୍ୟ,
ହେଲେ ମୋତେ ଦେଖିଦେଲେ
      ତାକୁ ଜମା ଭୋକ ଲାଗେନା
ସବୁ ଖାଦ୍ୟ ବଳେଇ ବଳେଇ
        ମୋତେ ଖୋଇଦିଏ।
ସଂସାର ଯାକର ଚିନ୍ତା
           ସବୁ ତା ମୁଣ୍ଡରେ
ସମସ୍ତଙ୍କ ମନଜାଣି, ଖାଇବାକୁ, ପିନ୍ଧିବାକୁ
          ସବୁକିଛି କରିସାରି,
          କେବେ ଥକି ପଡି ନ ଥାଏ ।
ରାତି ରାତି ଚାହିଁ ରହିଥାଏ ମୋ ମୁହଁକୁ।
କେତେବେଳେ
       ଝାଡାପରିସ୍ରା କରିଦେଲେ
            ଆଗ୍ରହରେ ସଫା କରେ।
ପିଠି ଥାପୁଡାଇ ସିନା ମୋତେ
         ଗୀତ ଗାଇ ଶୋଇଦିଏ।
ହେଲେ ତା ଆଖିକୁ
        କେବେ ନିଦ ଆସେନା।
              ସେ ମୋ...

ସାତସିଆଁ ଲୁଗା ଖୁବ୍ ଖୁସିରେ ପିନ୍ଧିଦିଏ,
ନା ଅଳିକରେ,
        ନା ଅଭିଯୋଗ,
 ଫେରିବାଲା ପାଖରେ
ସାଇପଡିଶା ବୋହୁମାନେ ଲୁଗା
     କିଣୁଥିବା ବେଳେ
କିଛି ଭଲ ଦିଶୁନାହିଁର
          କଥା କହି ଚାଲିଆସେ
ମୋ ପାଇଁ ପ୍ୟାଣ୍ଟ ସାର୍ଟ ଖଣ୍ଡେ ଧରି।
         ସେ ମୋ...

ଅଭାବ କଣ ଜାଣିବାକୁ ଦିଏନାହିଁ
ଚାଉଳ କି ପରିବା ନଥିଲେ
କେମିତି କଣ କରି ,
ସାଇପଡିଶା ରୁ ବିକଳ ହୋଇ
ମାଗିଆଣେ ତା ଲୁଗାକାନିରେ,
ଘରପାଖ ଡୋବରୁ ଗଣ୍ଠି କଳମ
ଟୁଙ୍କି ଆଣେ ବଡ଼ ଶରଧାରେ ।
ସାହି ଗଡିଆରୁ ମାଛ ଧରାହେଲେ
ଜାଲୁଆ ବଡ଼ମାଛ ଖାଳେଇରେ
ପୁରେଇବା ବେଳେ
ଛୋଟ ମାଛ ଗୁଡା ନେଇଆସେ ।
ପଖାଳ ଭାତ, ଶାଗଭଜା, ମାଛଭାଜି,
ପେଟ ଖରାପ ର ବାହାନା କରି,
ବଳେଇ ବଳେଇ ଖୁଆଇ ଦିଏ ମୋତେ।
ସେ ମୋ ...

ଅଦ୍ଭୁତ ତା ଢଙ୍ଗ, ବିଚିତ୍ର ତା
            ଭାବଭଙ୍ଗୀ ବେଳେବେଳେ,
କଥା ଛଳରେ ଧୃବ, ପ୍ରହଲ୍ଲାଦ, ଅଭିମନ୍ୟୁ
  ବାଜିରାଉତ, ଧର୍ମପଦ,
            ଭଗତ ସିଂ, ସାଲବେଗ
ତ ପୁଣି ଧୋ ରେ ବାୟା, ଆ ଜହ୍ନମାମୁଁ,
ଅଭିଜ୍ଞ ଚିକିତ୍ସକ ତ ବିଦ୍ଵାନ ପଣ୍ଡିତ ।
ଅଳି ଅଝଟ କଲେ ମୁଢି ଖଇ ମୁଆଁ
କି ବାଦାମ, ରାଶି ଲଡୁ ଟିଏ ଧରେଇ ଦେଇ
ତାଳପତ୍ରରେ ଘଣ୍ଟା
          ମୁଦି କାନଫୁଲ ନାକଫୁଲ
                      ପିନ୍ଧେଇ ଦିଏ।
ଆଉ ଫୁଲଖଡିରେ ଆଙ୍କିଦିଏ ଚକାଆଖିଆ
      ଦାରୁବ୍ରହ୍ମ ର ଅବର୍ଣ୍ଣନୀୟ ଚିତ୍ର।
               କେବଳ ମୋ ପାଇଁ।
                      ସେ ମୋ ...

ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର

Post a Comment

0 Comments