Ad

header ads

କବିତା - ଦୃଷ୍ଟି ଦୋଷ - ବିନୟ ମହାପାତ୍ର

ଏଇ ଦେଖ,
ମୁଁ ମୁଠା ଖୋଲି ଦେଲି,
କିଛି ନାହିଁ ନା' ?
ବନ୍ଦ ମୁଠାରେ ବି କିଛି ନଥିଲା !
ହେଲେ ମୁଠା ବନ୍ଦ କରିଦେଲେ,
ତୁମ ସନ୍ଦେହର ସିନ୍ଦୁକ ଖୋଲିଯାଏ,
କେଜାଣି କାହିଁକି ଏମିତି ହୁଏ ?
କିଛି ଢାଙ୍କିକି ରଖିଲେ
ଦେଖିବା ଲୋକର ନଜର
ତା ଉପରେ କାହିଁକି ଲାଖି ରହିଯାଏ ?
ଦେଖନ୍ତିନି ଟିକେ,
କି ସଂପତ୍ତି ଲୁଚାଇ ରଖିଚି
ତା କାଞ୍ଚୁଲି ଭିତରେ ?

ଏଠି ଢାଙ୍କିଦେଲେ ସନ୍ଦେହ ବଢିଯାଏ,
କୌତୁହଳି ମନ
ଆବିଷ୍କାରୀ ହେବାକୁ ଚେଷ୍ଟା କରେ,
ଖୋଲା ରଖିଦେଲେ ନଜର ଲାଖିରହେ,
ଗୋପ ବଜାରରେ ରାଧାର ଚରିତ୍ରରେ
କଳଙ୍କ ଲାଗିଯାଏ ।
ଏଇଠି ଶାର୍ଗୁଣାର ଦୃଷ୍ଟି
ଶବ ନୁହେଁ କଞ୍ଚା ମାଂସ ଖାଏ,
କୁକୁରର ଦୋଷ ନୁହେଁ,
ଦୋଷ ତାର,
ନଢାଙ୍କି ରଖିଥିଲା ଯିଏ !

ଦୁନିଆରେ ବହୁତ କିଛି ତ ଦିଶୁଚି,
ମାଆର ଉଲଗ୍ନ ସ୍ତନରୁ
ଦୁଧ ତ ପିଇଥିବ କେବେ,
ନିଜ ଭଗ୍ନିକୁ କିମ୍ବା କନ୍ୟାକୁ
କଣ କେବେ ବି ଦେଖିନି
ତାର ସଦ୍ୟସ୍ନାତା ଅର୍ଦ୍ଧନଗ୍ନ ଶରୀରେ ?
ତେବେ ବି କଣ ଶଇତାନ ଜାଗି ଯାଏ ?
ତାର ଆତ୍ମାର ଗଳା କାଟି ଦିଏ ??
କାହିଁକି ଦିଶେନା ମାତା,
କନ୍ୟା କିମ୍ବା ଭଗ୍ନିର ଚେହେରା
ଅନ୍ୟ ନାରୀ ଦେହେ ?

ବ୍ୟଧିଗ୍ରସ୍ତ ନିର୍ଲଜ ପୁରୁୁଷ ସେ
ବିକୃତ ମନ, ଆତ୍ମା ତାର ସମ୍ବେଦନହୀନ
ପୁରୁଷ ସେ କାପୁରୁଷ
ନିଚ୍ଚ ପଶୁ ଠାରୁ ହୀନ ।


ରଚନା : ବିନୟ ମହାପାତ୍ର

ଠିକଣା : ଭୂବନେଶ୍ୱର,  ଦୂରଭାଷ :

Post a Comment

0 Comments