Ad

header ads

କବିତା - ଦେଖା ହେଲେ ଥରେ - ପ୍ରଣତି ମହାପାତ୍ର

କେତେ ରାଗ ମାନ ଅଭିମାନ କରି
ଥିଲି କାଳିଆ ତୋ ପରେ,
ମନଭରି କେତେ ଗାଳିଦେବି ଭାବେ
ଦେଖା ହୋଇ ଗଲେ ଥରେ।
କି ମାୟା କରି ତୁ ତୋ ଡୋରି ଲଗେଇ
ତୋ ପାଶେ ଆଣିଲୁ ଭିଡ଼ି,
ତୋ ଚକାନୟନେ ମୋ ନୟନ ମିଶି
ସବୁ ରାଗ ଗଲା ଉଡି।
ରାଗରେ ହେଉ ବା କେମିତି ହେଉ ମୁଁ
କଳ୍ପବଟ ଗଲି ଭୁଲି,
କଳ୍ପବଟ ତଳେ ବସି ମୁଁ ଭାବଇ
କଳ୍ପବଟ ନ ଦେଖିଲି।
ଶୂନ୍ୟଦେହି ତୁହି ପୁଣି ଦେହ ଧରି
ବୁଲାଇଲୁ ଶ୍ରୀମନ୍ଦିର,
ଆଗତ ଭବିଷ୍ୟ ବଖାଣିଲୁ ବସି
କଲୁ ପବିତ୍ର ଏ ଦେହ ମୋର।
ଅବଢ଼ା ଖୋଇଲୁ ଟଙ୍କତୋରାଣି
ପିଆଇଲୁ ମହାନନ୍ଦେ,
ମିଠା ମିଠା କଥା କହି ଭୁଲାଇଣ
ଭରିଦେଲୁ ପ୍ରେମ ହୃଦେ।
ଏବେବି ଭାବେରେ ମୋ ଚକାଆଖିଆ
ସବୁ ଯଦି ତୋ ଭିଆଣ,
କିଆଁ ରାଗ ହିଂସା ବାଦ ବିବାଦରେ
ଜନମନ ଭଣଭଣ।
ଯେମିତି ଅମୃତ ବାରିଧି ସିଞ୍ଚି ତୁ
କଲୁ ମନ ମୋର ଶାନ୍ତ,
ବିଞ୍ଚିଦେ ଧରାରେ ତୋ କରୁଣା ବାରି
ଘୁଞ୍ଚୁ ବାତାବରଣ ଅଶାନ୍ତ।

ପ୍ରଣତି ମହାପାତ୍ର
ବାଲେଶ୍ଵର

Post a Comment

0 Comments