Ad

header ads

କବିତା - ହୁଅ ସବୁ ଆଗୁସାର - ବି. ନିରୁପମା



ଜନ୍ମଦାତ୍ରୀ ଆଉ ଜନ୍ମଭୂମି ଭଳି
ସିଏ ବି ଗୋଟିଏ ମାଆ ,
ମାନବ କଲ୍ୟାଣେ ବିତେ ଯା' ଜୀବନ
ଗୋ-ମାତା ପରା ତା' ନାଆଁ ।

ନିଜ ଛୁଆ ପେଟ କାଟି ସେ ଦିଅଇ
ଆମରି ପାଇଁକି କ୍ଷୀର ,
ସେ କ୍ଷୀରକୁ ପିଇ ଶକ୍ତି ପାଉ ଆମେ
ନିରୋଗ ରହେ ଶରୀର ।

ଦହି,ଛେନା ଆଉ ସର ଲବଣୀ ତ
ଆମେ ସେ କ୍ଷୀରରୁ ପାଉ ,
ଗୋବରକୁ ତା'ର ବ୍ୟବହାର କରି
କେତେ ଶସ୍ୟ ଉପୁଜାଉ ।

ଜୀବାଣୁ ନାଶକ ଗୋମୂତ୍ର ,ଗୋବର
ବିଜ୍ଞାନ ଦେଇଛି ତଥ୍ୟ ,
ତେଣୁ କରି ତାହା ଶୋଧକ ଭାବରେ
ହେଉଅଛି ବ୍ୟବହୃତ ।

ଗୋବରରେ ତା'ର ଠାକୁର ଆସ୍ଥାନ
ପରା ଲିପାପୋଛା ହୁଏ ,
ଘର ଲିପା ହେଲେ ସେ ଗନ୍ଧକୁ ବାରି
ସାପ ଦୂରେ ଚାଲିଯାଏ ।

କେତେ ଅଉଷଧ ତିଆରି ହୁଅଇ
ଗୋବର ଓ ଗୋମୂତ୍ରରୁ ,
ଜାଳେଣି ଭାବରେ ବହୁ ଅଞ୍ଚଳରେ
ଘସି ବ୍ୟବହାର କରୁ ।

ଉନ୍ନତ ଉପାୟେ ବାୟୋଗ୍ୟାସ ଏବେ
ହେଲାଣି କେତେ ଆଦୃତ ,
ବହୁ ଭାବେ ସେ ତ ଆମ ଜୀବନକୁ
କରୁଅଛି ପ୍ରଭାବିତ ।

ପୁଅ ଥିଲେ ତା'ର ବଳଦ ହୋଇକି
ଆମରି ସେବାରେ ଲାଗେ ,
ଭାଇ ଭଳି ସିଏ ସବୁବେଳେ ଥାଏ
ପରା ଚାଷୀଭାଇ ସଙ୍ଗେ ।

ପ୍ରଦୂଷଣ ହୀନ ଯାନଟି ଶଗଡ଼
ବଳଦଟି ନିଏ ଟାଣି ,
ଆହୁରି ବି କେତେ ଭାବରେ ମଣିଷ
ଗାଈ ପାଖେ ରହେ ଋଣୀ ।

ମାଆ ପରି ସେ ତ ନିଃସ୍ୱାର୍ଥ ଭାବରେ
ଆମ ସେବା କରୁଥାଏ ,
ତା'ର ପ୍ରତିଦାନ ନ ଦେଇ କାହିଁକି
ମାନବ କୃତଘ୍ନ ହୁଏ !!

ତା' ଆଖିର ଲୁହ ବୁକୁଫଟା କୋହ
ଅନ୍ତର ଥରୁଛି ଦେଖି ,
ଜାଗିଉଠ ଆଜି ମାନବ ସମାଜ
ତା'ର କଲ୍ୟାଣ ପାଇଁକି ।

ଶ୍ରେଷ୍ଠ ଜୀଵ ହୋଇ ତା' ସୁରକ୍ଷା ପାଇଁ
କୁଣ୍ଠିତ ହେଉଛ କିଆଁ ,
ସବୁ ଦେଖି ଶୁଣି ନିରବ ରହୁଛ
କାନ୍ଦି ମରୁଅଛି 'ମାଆ' !!

କୃତଘ୍ନ ନ ହୋଇ ଏକଜୁଟ ହୋଇ
ହୁଅ ସବୁ ଆଗୁସାର ,
ତା'ର ସେବା ଆଉ ସମ୍ମାନ ପାଇଁକି
ମିଳିମିଶି କାମ କର ।

ତେବେ ସିନା ସିଏ ସୁରକ୍ଷିତ ହେବ
ଘୁଞ୍ଚିବ ତାହାର ଦୁଃଖ ,
କାଳ କାଳ ଲାଗି ଆମରି ଛୁଆର
ମେଣ୍ଟାଇ ପାରିବ ଭୋକ ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।

Post a Comment

0 Comments