Ad

header ads

କବିତା - କେହ୍ନେ ଛନ୍ତି ରଘୁରାଣ ! - ବି. ନିରୁପମା



ତୁମ ଠାରୁ ଏହି ମୁଦ୍ରିକାକୁ ଦେଖି
ତୋଷ ହେଲା ମୋର ପ୍ରାଣ ,
ମୋ ବିଚ୍ଛେଦ ପୀଡ଼ା ଭୋଗୀ କରି କେହ୍ନେ
ରହିଛନ୍ତି ରଘୁରାଣ !!

ଲକ୍ଷ୍ମଣ ଭାଇଙ୍କ ବାରତାଟି କୁହ
କୁଶଳରେ ଛନ୍ତି କିବା ,
ତାଙ୍କରି ବାରଣ ନ ମାନି ହେ ହନୁ
ଏତେ ସରି ହେଲି ଅବା !!

ପ୍ରଭୁଙ୍କ ଦୁଃଖରେ ଦୁଃଖୀ ହୋଇ ମୁହିଁ
ସୁଖେ ହେବି ବୋଲି ସୁଖୀ ,
ବନବାସ ପାଇଁ ସଙ୍ଗେ ଆସିଲି ଯେ
ବିପତ୍ତି ଆଣିଲି ଡାକି ।

ସୁନାର ହରିଣୀ ସେ କାହୁଁ ସମ୍ଭବ
ଅଳି କଲି ଦିଅ ଆଣି ,
ମନ ତୋଷିବାକୁ ଧରିବାକୁ ଗଲେ
ସହାସ୍ୟେ କୋଦଣ୍ଡ ପାଣି ।

ମୁଁ କାହୁଁ ବୁଝିବି ଦଇତର ମାୟା
ବିପତ୍ତି ପଡ଼ିଲା ଭାଳି ,
କଟୁକଥା କହି ଲକ୍ଷ୍ମଣ ଭାଇଙ୍କୁ
ବନ ମଧ୍ୟେ ପଠାଇଲି ।

ଟାଣି ଯାଇଥିଲେ ତିନିଗାର ସିଏ
ଲଙ୍ଘିବାକୁ ଥିଲା ମନା ,
ସାଧୁ ଜଣେ ଭିକ୍ଷା ମାଗୁଛନ୍ତି ବୋଲି
ଡେଇଁ ମୁଁ ଆସିଲି ସିନା ।

ଜାଣି ନ ଥିଲି ସେ ଛଦ୍ମବେଶ ଧରି
ଆସିଥିଲା ଲଙ୍କା ପତି ,
ଅପହରି ମୋତେ ରଖିଅଛି ଏଠି
ଦେଖାଉଛି ନାନା ଭୀତି ।

ଶ୍ରୀରାମଙ୍କୁ ମୋର ବାରତା କହିବ
ରହିଅଛି ତାଙ୍କୁ ଧ୍ୟାୟୀ ,
ଦର୍ପିଷ୍ଠର ଦର୍ପ ଚୂର୍ଣ୍ଣ କରି ପ୍ରଭୁ
ଏ ସ୍ଥାନରୁ ଯିବେ ନେଇ ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।

Post a Comment

0 Comments