Ad

header ads

କବିତା - ସାଉଁଟା ସ୍ୱପ୍ନର 'ପରୀଟିଏ' - ବି. ନିରୁପମା



ସାଉଁଟା ସ୍ୱପ୍ନର 'ପରୀଟିଏ' ତୁ ଲୋ
ସଜ ଗୋଲାପର କଢ଼ି ,
ମହକରେ ତୋର ମହାକାଇ ଦେଉ
ହସର ପାଖୁଡ଼ା ଝାଡ଼ି ।

ଖିଲି ଖିଲି ତୋର ହସ ଧାରେ ଅଛି
କେତେ ଭବିଷ୍ୟତ ଆଶା ,
ରାଗ,ରୁଷା ସାଥେ ଚୁଲୁବୁଲି ଠାଣି 
କଅଁଳ ଓଠର ଭାଷା ।

କେତେବେଳେ ତୋର ବାଲ୍ୟ ଚପଳତା 
ମନକୁ ମଜାଇ ଦିଏ ,
ଆଉ କେବେ ପୁଣି ତୁ ଅଝଟ ହେଲେ
ମନ ବିଚଳିତ ହୁଏ ।

ଖଣ୍ଡି ଖଣ୍ଡି ତୋର ଦରୋଟି କଣ୍ଠର
ଭାଷା ଶୁଣି ହସେ ପ୍ରାଣ ,
ତୁ ଝୁଣ୍ଟି ପଡ଼ିଲେ ଭାରି ବାଧା ଲାଗେ
ପକାଇ କହୁଛି ରାଣ ।

ତୋର ମିଠା ହସ କଅଁଳ ପରଶ
ପାଇ ଘୁଞ୍ଚେ ଅବସାଦ ,
ତୁ ଅଟୁ ଲୋ ଏକ ଜୀବନ୍ତ କଣ୍ଢେଇ
ସରଗର ସୁନାଚାନ୍ଦ ।

ତୋ ବିହୁନେ ଘର ନିଶବଦ ଲାଗେ
ଖାଆଁ ଖାଆଁ ମାଡ଼ିପଡ଼େ ,
ଘର ଅଗଣାର ତୁଳସୀଟି ତୁ ଲୋ
ଏଇ ମନ ତୋତେ ଲୋଡ଼େ ।

ଆଜି ସିନା ତୁହି କୁନି ହୋଇ ଅଛୁ
କାଲିକି ହୋଇବୁ ବଡ଼ ,
ଦେଖିବୁ ଦୁନିଆ ଭଲ ମନ୍ଦ ରୀତି
ସହିବୁ ବିପଦ ଝଡ଼ ।

ବହୁ ଆପଦକୁ ସାମନା କରିକି
ଉଧୁରି ପାରିବୁ ଯେବେ ,
ସାରା ଦୁନିଆରେ ପରିଚିତା ହେବୁ
ତୁହି ତେଜୋମୟୀ ଭାବେ ।

ତଥାପି ତୋ ଲାଗି ଦେଖିଅଛି ଯେତେ
ସୁନେଲି ସପନ ମୁହିଁ ,
ଏବେଠୁ ପ୍ରଯତ୍ନ କରିବି ଲୋ ହସି
ସେ ସବୁ ସାକାର ପାଇଁ ।

କୃପା କଲେ ସେହି ଜଗତରନାଥ
ସବୁ ବାଧା ଘୁଞ୍ଚିଯିବ ,
ଆଗକୁ ଯେତେକ-ଚଲାପଥ ତୋର
ସବୁ କୁସୁମିତ ହେବ ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।

Post a Comment

0 Comments