Ad

header ads

କବିତା - ଭଲ ମଣିଷ - ସିଦ୍ଧେଶ୍ଵର ତ୍ରିପାଠୀ

ମୋ'ର ବି ଇଚ୍ଛା ହୁଏ
ଭଲ ମଣିଷ ହେବାକୁ
ମାଛିକୁ ମ ନକହିବାକୁ
କାୟ ମନ ବାକ୍ୟରେ
ନଦେବାକୁ କାହାକୁ ଆଘାତ ।

ନମସ୍କାର ଠୁ ମୁଣ୍ଡିଆ
ଶୁଭ ସକାଳ ଅପରାହ୍ନ ସନ୍ଧ୍ୟା ରାତି
ଆପଣ ତମେ ତୁ ରେ ମିଠାପଣ ଭରି
ବାଣ୍ଟିଦେବାକୁ ଏ ସମାଜର
ସବୁ ବ୍ୟକ୍ତିଙ୍କ ଆଗରେ
ଯାହାକୁ ଯେଉଁ ପରି ଲୋଡ଼ା ।

ସଭିଙ୍କ ସୁଖରେ ସୁଖୀ
ଆଉ ଦୁଃଖରେ ଦୁଃଖୀ ହୋଇ
ସମାଜ ସହିତ ତାଳ ଦେଇ
ଅହରହ ଚାଲିବାକୁ ।

ଧର୍ଯ୍ୟ ସହନ ଶୀଳ
ଆଉ ତ୍ୟାଗର ପ୍ରତୀକ ହୋଇ
ସବୁବେଳେ ମିଠାହସ ହସିବାକୁ ।

ହେଲେ ଏ ସମାଜ
ମୋ ମିଠା ହସକୁ ସହିପାରେନି
ହସ ପଛର କାରଣ ଖୋଜେ
ଇର୍ଷାରେ ଜଳେ
ଅନେକ କଟୁ କଥା କୁହେ
ସମ୍ମାନ ବଦଳରେ ମୋତେ ମିଳେ
ବାରବାର ତିରସ୍କାର ।

ଜବାବ ନଦେଇ ନୀରବ ରହିଲେ
ଫୁଟାଣି ନମାରି ସତକଥା କହିଲେ
ଆଜ୍ଞା ଆପଣ ରେ ଦିନ ବିତାଇଲେ
ବିନମ୍ରତାର ବଚନ କହିଲେ

ଏ ସମାଜ ଆଗରେ ମୋର ଗୋଟେ
ନୂଆ ପରିଚୟ ସୃଷ୍ଟି ହୁଏ
ମୁଁ ଗୋଟେ ସରଳ
ନିରୋଳା ବୋକା ଟିଏ ।

ଆଉ ତା' ପରେ ଅନେକ ଲୋକ
ମୋ ମୁଣ୍ଡ ଉପରକୁ ଚଢିଯାଆନ୍ତି
ମୋ କଥାଗୁଡ଼ାକ
ତାଙ୍କୁ ଅଲଣା ଲାଗେ
ପ୍ରତି କଥାରେ ମୋର ମଜାକ ଉଡାନ୍ତି
କ୍ଷଣେ କ୍ଷଣେ ମିଳେ ମୋତେ
ଅପମାନ ଆଉ କଟୁକ୍ତି ।

ମୁଁ ଅଣନିଶ୍ୱାସୀ ହୋଇ ପଡେ
ଆଉ ସବୁ ବୁଝିଯାଏ
ଭଲ ମଣିଷ ହୋଇ ବଞ୍ଚିବା
ଏ ସମାଜରେ ସମ୍ଭବ ନୁହେଁ
ଯେମିତି ସୁନାରେ ଖାଦ ମିଶିଲେ
ଅଳଙ୍କାର ଆଉ ଭାଙ୍ଗେନି
ଗଛ ଟିକେ ବଙ୍କା ହେଲେ
ସେ ଆଗେ ହଣା ହୁଏନି
ଆଙ୍ଗୁଠି ବଙ୍କା ନକଲେ
ଘିଅ କାଢି ହୁଏନି ।

ମୋତେବି କିଛି ଦିନ
ଏ ସମାଜରେ ବଞ୍ଚିବାର ଅଛି
ତେଣୁ ମୁଁ ଆଉ
ଖାଣ୍ଟି ଭଲ ମଣିଷ ହୋଇ ପାରିବିନି
ଟିକେ ଭଲ ଟିକେ ଭେଲ ହୋଇ
ବଞ୍ଚିବି ମୁଁ ସମ୍ମାନ ର ସହ
ହଉ ପଛେ କିଛି ଦିନ ପାଇଁ ।


ରଚନା : ସିଦ୍ଧେଶ୍ବର ତ୍ରିପାଠୀ

ଠିକଣା : କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା,  ଦୂରଭାଷ : 8018646704

Post a Comment

0 Comments