Ad

header ads

କବିତା - ଆସିଅଛି ନାଶିବାର ବେଳ - ଅଧ୍ୟାପକ ପ୍ରଦୀପ କୁମାର ପ୍ରଧାନ

ମୁଁ ନାରୀ
ମୋର କାଳେ କେହି ନଥାନ୍ତି ବଇରୀ
ମୁଁ ଜନନୀ, ଭଗିନୀ, ଜାୟା
ମୁଁ ବୁଝି ପାରେନାହିଁ ଛଦ୍ମବେଶୀ
ମନୁଷ୍ୟ ମାନଙ୍କର ମାୟା ।।

ସେଇଥିପାଇଁ ତ ମୋ ନିଷ୍କପଟ ମମତା
କେଉଁ ଅନ୍ଧାରୀ ମୂଲକର
ଶୁନ୍ ଶାନ୍ ଇଲାକାରେ ହଜିଯାଏ,
ମୋ ଅତୁଟ ବନ୍ଧନର ଡୋରଟା
ଅଦିନ ବତାସରେ ଗୁଡ଼ିର ଖିଅ ପରି ଛିଣ୍ଡି ଯାଏ,
ଆଉ ମୋ ଅନାବିଳ ପ୍ରେମର ପୀୟୂଷ ରେ
ହଳା ହଳ ବିଷ ଚରିଯାଏ ।।

ଆବଦ୍ଧ ଚାରି କାନ୍ଥରେ ବନ୍ଦୀ ମୋ ଜୀବନ,
ସମାଜରେ ପ୍ରଚଳିତ ବିଧି ଓ ବିଧାନ
ସବୁ ଏକା ମୋ ପାଇଁ ହୁଏ ପ୍ରଣୟନ ।।

'ସର୍ଵଂ ସହା' ବୋଲି କାଳେ କାଳେ ନିଷ୍ପେସିତ
ପୀଡ଼ିତ, ପ୍ରତାରିତ ଅବା ଅବାଞ୍ଛିତ,
ଅଭୟଦାୟିନୀ ଆଜି ମୁଁ 'ନିର୍ଭୟା' ସାଜିଛି
'ଆସିଫା' ନାମରେ କେତେ ବିଳାପ କରୁଛି,
'କୁନ୍ଦୁଲି' ଗ୍ରାମରେ ମୋର ଚିତ୍କାର ଶୁଭୁଛି
'ପ୍ରିୟଙ୍କା' ବୋଲି ମୁଁ ମୁଠେ ପାଉଁଶ ହୋଇଛି ।।

ଅବଳା ବୋଲି ମୁଁ ଆଜି ସାଜିଛି ଦୂର୍ବଳା,
ଘରଠୁ ବାହାର ଯାଏ ମାଂସ ଲୋଭୀ ଶ୍ୱାନ ମାନେ
ଭିଣୀ ଭିଣୀ ଖାଉଛନ୍ତି ମାଂସ ପୁଳା ପୁଳା।।

ଆଉ ନୁହେଁ, ଶେଷ ହେଲା ସହିବାର ବେଳ
ଶେଷ କରିବାକୁ ହେବ ହିସାବ ର ଖେଳ,
ମୁଁ ଶକ୍ତି ସ୍ୱରୂପା, ଦୁର୍ଗା, କାତ୍ୟାୟନୀ
ମୁଁ ଛିନ୍ନମସ୍ତା, ସୃଷ୍ଟି ସଂହାର କାରିଣୀ
ଅବତରି ଆସିବାକୁ ହେବ ଖଡ୍ଗ ହସ୍ତେ
ସାଜି ପୁଣି ଥରେ ମହିଷା ମର୍ଦ୍ଦିନୀ।।


ରଚନା : ପ୍ରଦୀପ କୁମାର ପ୍ରଧାନ

ଠିକଣା : ପି.ଜି.ଟି., ଇଂରେଜୀ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର,  ଦୂରଭାଷ : ୮୭୬୩୬୨୯୨୮୨

Post a Comment

0 Comments