Ad

header ads

ଅନୁଭୂତି କଥା - ମୋବାଇଲ କାନ୍ଦୁଛି - ନାରାୟଣ ଚନ୍ଦ୍ର ସେନାପତି


ସେଦିନ ମୋବାଇଲ୍ ଷ୍ଟାଣ୍ଡରେ ଥିବା ମୋବାଇଲଟା ହଠାତ୍ ଗର୍ଜ୍ଜନ କଲା । ରୋଜି ମାଡାମ୍ ଚଟକିନା ଆଣି ରିସିଭ୍ କଲେ । କରୁଣ ସ୍ୱରରେ । ଶୁଭିଲା କାହାର ଦରଦୀ କଣ୍ଠର ଧ୍ୱନି, ଆଜ୍ଞା ନମସ୍କାର, ପ୍ରଣାମ ଆପଣଙ୍କ ଜମ୍ଭରା ମାଟିକୁ, ଭୁଲି ହେଉନାହିଁ ଆପଣମାନଙ୍କ ସ୍ନେହ ଆଉ ମମତାକୁ, ଭାବିଲା ବେଳକୁ ଛୁଟିଆସୁଛି ଅନ୍ତରରେ କୋହ ଓ କେଇଟୋପା ଲୁହ । ରୋଜି ମାଡାମ୍ ମଧ୍ୟ ସମ୍ଭାଳି ନ ପାରି କାନ୍ଦି ପକାଇ କହିଲେ, ଆଜ୍ଞା ଦେଉଛି ସାରଙ୍କୁ । ନାରାୟଣ ବାବୁ ସମ୍ଭାଷଣ ଜଣାଇଲେ । ପୁଣି ସେହି କରୁଣ କଣ୍ଠର କୋହଭରା କଥା କେଇପଦ।ଭାଇ ଭୁଲିହେଉନି ଆପଣମାନଙ୍କୁ । ଆପଣ ମାନେ ଥିଲେ ଆତ୍ମା । ଶରୀରରୁ ଆତ୍ମା ଚାଲିଗଲା ପରେ ଆଉ କ'ଣ ଥାଏ ।ଜମ୍ଭରା ଗାଁର ସମସ୍ତଙ୍କୁ ମୋର ପ୍ରଣାମ । ସେମାନଙ୍କ ସ୍ନେହ, ଶ୍ରଦ୍ଧା ଭୁଲିହେବନାହିଁ । ମୋର ବି ଅବସ୍ଥା ସେଇଆ ମୋ ପ୍ରାଣର ଭାଇ ଏ ଥିଲା ନାରାୟଣ ବାବୁଙ୍କ ଉତ୍ତର । ଆପଣ ଭାବୁଛନ୍ତି ମୁଁ ଭଲରେ ଅଛି ବୋଲି । ଆପଣମାନେ ଯାଇସାରିବା ପରେ ମୋତେ ଅନାଥ ପରି ଲାଗୁଛି, ଜମ୍ଭରା ଭୂଇଁ କାନ୍ଦୁଛି ଆଉ ହାତଭାଗିନୀ ଅନନ୍ୟାଟା ତା ଆତ୍ମୀୟଙ୍କ ବିଦାୟର ଝୁରି ଝୁରି ନିଃସଙ୍ଗ ହୋଇପଡିଛି । ଖାଲି ନାରାୟଣ ବାବୁ ନୁହଁ, ରୋଜିଙ୍କ ଆଖିରୁ ବି ଝରିପଡିଲା କେଇଟୋପା ଲୁହ । ବାରମ୍ବାର ମୋବାଇଲକୁ ଆସୁଥିବା କଲର ସେଇ ଗୋଟିଏ କାହାଣୀ, କ୍ରନ୍ଦନର ରୋଳ ଆଉ ନିଚ୍ଛକ ଭଲପାଇବାର କେଇପଦ ଆତ୍ମୀୟତାପୂର୍ଣ୍ଣ କଥା ।
ସତରେ ଅଭୁଲା ଅବିସ୍ମରଣୀୟ ଥିଲା ସେ ମୁହୂର୍ତ୍ତମାନର ମୁହୂର୍ମୁହୂ ମୁହୂର୍ତ୍ତକୁ । ରୋଜି ବିଶ୍ଳେଷଣ କରୁଛନ୍ତି ସେଇ ମୋବାଇଲରୁ ବାରମ୍ବାର ବାହାରୁଥିବା ସେହି କ୍ରନ୍ଦନକୁ।ନିଜକୁ ପରିତାପର ଅଗ୍ନିରେ ଦଗ୍ଧ କରୁଛନ୍ତି ସେ।କେବଳ ଭାବୁଛନ୍ତି ସତରେ ଏ ମୋବାଇଲର କ୍ରନ୍ଦନ ଏକ ଅଦ୍ଭୁତ ମାୟା ମୋହର କ୍ରନ୍ଦନ,ଯେଉଁ ଦିନ ସେ ବିରକ୍ତି ଓ ତାଚ୍ଛଲ୍ୟ କରି କହୁଥିଲେ " ଏଇ ନିଅ...ତୁମ ମୋବାଇଲ୍ କାନ୍ଦୁଛି"।କିନ୍ତୁ ସେ କ୍ରନ୍ଦନ ଓ ଏ କ୍ରନ୍ଦନ ଭିତରେ ଅନେକ ଫରକ....ଅନେକ ବୈଚିତ୍ରତା...ଅନେକ ଭାବ... ଆଉ ଅନେକ ପ୍ରଣୟର ବେଳାଭୂଇଁ...ଆଉ ଅନେକ ମଧୁରତାପୂର୍ଣ୍ଣ କାରୁଣ୍ୟ ସାତସ୍ୱର।ମନେ ପକାଇଲେ ସେଇଦିନଗୁଡିକୁ...ସେଇ ମୁହୂର୍ତ୍ତମାନଙ୍କୁ।ସତରେ କି ଜୀବନ୍ତ ତାତ୍ତ୍ଵିକ ଓ ଜୀବନ୍ତ ପ୍ରାଣସ୍ପନ୍ଦନ ଥିଲା ସେ ସମୟର।
   
ଏଇ କେତେମାସ ତଳର କଥା।ନାରାୟଣ ବାବୁଙ୍କ ପାଖକୁ ବାରମ୍ବାର କଲ୍ ଆସେ।ପ୍ରତ୍ୟେକ ସମୟରେ।କିନ୍ତୁ ବିରକ୍ତି ନ ହୋଇ ସେ ରିସିଭ୍ କରି ସମସ୍ତଙ୍କ ସହ ଆଦରରେ ଭାଵ ବିନିମୟ କରନ୍ତି।ଏମିତିକି ଖାଇବା ଓ ଶୋଇବା ସମୟରେ ମଧ୍ୟ।ଏମିତି ଅନେକ ଥର ଭାତ ବଢ଼ାହେବାପରେ ଅଧା ଘଣ୍ଟା କି ଘଣ୍ଟେ ପରେ ଶୁଖିଲା ଭାତକୁ ସେ ଆନନ୍ଦରେ ଖାଇଦିଅନ୍ତି।ଏସବୁ ଆଶ୍ଚର୍ଯ୍ୟ ଲାଗେ ରୋଜି ମାଡାମଙ୍କୁ।କାରଣ ନାରାୟଣ ବାବୁଙ୍କ ଗୋଟିଏ ଅଭିଯୋଗ ଓ ବାରଣ ସବୁବେଳେ ଥାଏ, ଭାତ ତରକାରୀ ଯଦି ଟିକେ ଥଣ୍ଡା ହୋଇଛି ତେବେ ରାଗ ପଞ୍ଚମ, ଯଦି ଖାଇବା ସମୟ ଟିକିଏ ଗଡି ଯାଇଛି ତେବେ ଦୁର୍ବାସା।କିନ୍ତୁ ଆଜିକାଲି ଏ ବ୍ୟତିକ୍ରମ କଣପାଇଁ ? ମଝିରେ ମଝିରେ ବିରକ୍ତି ହୋଇ କୁହନ୍ତି(ରୋଜି ମାଡାମ) ଏଇ ତୁମ ମୋବାଇଲ କାନ୍ଦିଲାଣି, ତୁମ ମୋବାଇଲ କାନ୍ଦୁଛି ତାକୁ ବୋଧକର କେତେ ଉପହାସ, ତାଚ୍ଛଲ୍ୟ, କେତେ କ'ଣ?ଦିନେ ଦିନେ କୁହନ୍ତି, ଦିନ ରାତି ସାହିତ୍ୟ, ପତ୍ରିକା, ମାନପତ୍ର..ହୋଇହୋଇ ତୁମ ମୁଣ୍ଡ କାମକରୁନାହିଁ । ୟୁ ଟ୍ୟୁବରୁ ଖୋଲି ମୋବାଇଲ ବ୍ୟବହାରର ଅପକାରୀତା ବି ଦେଖାନ୍ତି ସେ । ହେଲେ କୌଣସି ପ୍ରଭାବ ପଡେନି ନାରାୟଣ ବାବୁଙ୍କ ଉପରେ । ବେଳେବେଳେ ସାମାନ୍ୟ ଝଗଡା ବି ହୁଏ ଦୁହିଙ୍କ ଭିତରେ, ହେଲେ ସେସବୁକୁ ହସି ଉଡାଇଦିଅନ୍ତି ନାରାୟଣ ବାବୁ । କେବେକେବେ ବି ଫୋନ୍ ଧରି କୁହନ୍ତି ନିଅ, ତୁମ ଭାଇ କରିଛନ୍ତି, କେବେବି କୁହନ୍ତି ଏଇ ତୁମ ଭଉଣୀ କରିଛନ୍ତି ଫୋନ୍ । ବାପରେ ବାପ, ତୁମେ ତ ମହାଭାରତର ଶହେ ଭାଇ ଓ ସାବରମତୀ  ଆଶ୍ରମର ହଜାର ହଜାର ଭଉଣୀଠୁ ଟପେଇଦେଲ । ନାରାୟଣ ବାବୁ ମୃଦୁ ହସି କୁହନ୍ତି ଏମାନେ ମୋର ଆତ୍ମାର ଭାଇ ଆଉ ନିଜ ମା ଗର୍ଭରୁ ଜାତ ଭଉଣୀଙ୍କଠୁ ବି ନିଜର।ରୋଜି ମାଡାମ୍ ଉପରେ ଉପରେ ରାଗିଯାନ୍ତି ସିନା ଅନ୍ତରରେ ଏସବୁକୁ ଭଲ ପାଆନ୍ତି କାରଣ ସେ କେତେଥର ଅନ୍ୟଙ୍କୁ ଫୋନ୍ କରି କହିଲା ବେଳେ କି କଥାବାର୍ତ୍ତା ବେଳେ ଏସବୁକୁ ଭଲ ଅର୍ଥରେ ନେଇ ପ୍ରଶଂସା କରିଥିବାର ସେ ଶୁଣିଛନ୍ତି ।
  
ନଭେମ୍ବର ୨ତାରିଖ ରାତି, ରୋଜି ମାଡାମ ତାଙ୍କ ସାଥୀମାନଙ୍କ ସହ ନିଜ ବାସଭବନରେ ମୋବାଇଲ କାନ୍ଦିବା କଥା ବହୁତ ବିଶ୍ଲେଷଣ କଲେ।ସାଥୀମାନେ ପ୍ରକୃତରେ ଉପଲବ୍ଧି ବି କଲେ,ମଜା ବି କଲେ।ରାତି ପାହିଲା।ଇନ୍ଦ୍ରଭବନ ପରି ମଞ୍ଚ ଚାହିଁରହିଲା ତିରିଶ ଜିଲ୍ଲାର ଭାଇଭଉଣୀଙ୍କୁ।ପ୍ରଭାତ ଫେରି,ମନ୍ଦିରର ଶଙ୍ଖନାଦରୁ ଆରମ୍ଭ ହେଲା ଦିନଚାର୍ଯ୍ୟା।ଡ଼ାକବାଜି ଯନ୍ତ୍ରର ଆବାହନରେ ଆକର୍ଷି ଆସିଲେ ଭାଇ ଭଉଣୀମାନେ।ଗ୍ରାମବାସୀଙ୍କର ପ୍ରେମବୋଳା ମଧୁସ୍ପର୍ଶ ଆତିଥ୍ୟତାରେ ଭୁଲିଗଲେ ସେମାନେ ନିଜ ଘରଦ୍ୱାର।ମଞ୍ଚରେ ସଂକୀର୍ତ୍ତନରେ ପ୍ରକମ୍ପିତ ହେଲା ଗଗନ।ସୁଲଳିତ ଭଜନରେ ପୁରିଉଠିଲା ମଞ୍ଚ।ଆଧ୍ୟାତ୍ମିକ ବାତାବରଣ ଆକର୍ଷିତ କଲା ଆଗନ୍ତୁକଙ୍କୁ । ମନ୍ଦିର ଦର୍ଶନ, ବନ୍ଧୁମିଳନ ଓ ସାମୟିକ ଜଳପାନ ପରେ ରୁଣ୍ଡିଭୁତ ହେଲେ କଳା-ସାହିତ୍ୟ-ସଂସ୍କୃତି-ଶିକ୍ଷା ଓ ସମାଜସେବା ପ୍ରେମୀ ଅଣତିରିଶ ଜିଲ୍ଲାର ଭାଇଭଉଣୀ।ଦେବାଦେବୀଙ୍କ ମନ୍ତ୍ର ଧ୍ୱନିରେ ଦେବା ଦେବୀଙ୍କ ଆସ୍ଥାନ ହସିଉଠିଲା।ବ୍ୟଙ୍ଗରଶ୍ମୀ,କଳ୍ପନାଙ୍କ କଳ୍ପସ୍ବର ଓ ମାଳତୀ ମଣୀଙ୍କ ମଣିକାଞ୍ଚନ ବୋଳା ମଧୁସ୍ପର୍ଶ ଓ ପଦ୍ମଲୋଚନଙ୍କ ଅନ୍ତସ୍ୱରରେ ଝଙ୍କୃତ ହେଲା କବିତା,ସଂଗୀତ,ସଂଳାପର କଣ୍ଠସ୍ୱର।ଏସବୁକୁ ନିରୀକ୍ଷଣ କରୁଥାନ୍ତି ରୋଜିମାଡାମ୍ ଲୋକାରଣ୍ୟ ଭିତରେ ।
  
ଦ୍ୱିତୀୟ ଅଧିବେଶନର ଆରମ୍ବ ହେଲା ବନ୍ଦେ ଉତ୍କଳ ଜନନୀ ମଧୁର ଧ୍ୱନିରେ । ଦେଶାତ୍ମବୋଧକର ଭାବନାରେ ସଭିଏଁ ମସଗୁଲ୍ ।ନାରାୟଣ ବାବୁଙ୍କ ଗାଁ ପ୍ରୀତି, ଗୁରୁଭକ୍ତି, ଗୁରୁଜନଙ୍କୁ ସମ୍ମାନବୋଧପୂର୍ଣ୍ଣ ସମ୍ଭାଷଣ, ଅତିଥିମାନଙ୍କୁ ଦେଵତାର ଆସନ,ଆଗନ୍ତୁକଙ୍କୁ ମହାମାନ୍ୟ ସଭିଙ୍କ ମନରେ ଆର୍ଯ୍ୟ ସଭ୍ୟତାର ଛାପ ପକାଇଥିଲା । ବିଶେଷ ଆକର୍ଷଣ ଥିଲା ସୁଦୂର କୋରାପୁଟ, କଳାହାଣ୍ଡି ଓ ଅନ୍ୟାନ୍ୟ ଦୂରବର୍ତ୍ତୀ ଜିଲ୍ଲାର ଭାଇଭଉଣୀଙ୍କ ସହଯୋଗ । ଅତିଥି ମାନଙ୍କର ଭଲପାଇବା ଓ ପ୍ରତିଭାଧାରୀଙ୍କ ଉତ୍କଣ୍ଠା।ଗ୍ରାମବାସୀଙ୍କ ସଭିଙ୍କୁ ଆଦରତା ବେଶ୍ ହୃଦୟସ୍ପର୍ଶୀ ଥିଲା।ଅତିଥି, ପ୍ରତିଯୋଗୀତାର ବିଜେତା,ବୈଜ୍ଞାନିକ,ସାହିତ୍ୟିକ,ସମାଜସେବୀ,କଳାକାରମାନଙ୍କୁ ସମ୍ବର୍ଦ୍ଧିତ ବେଳେ ଅପୂର୍ବ ପୁଲକ ଜାଗରିତ ହେଉଥିଲା । ଏସବୁ ଉପଲବ୍ଧି କରି ରୋଜି ମାଡାମ ମନେ ପକାଉଥାନ୍ତି ସେହି ଫୋନ୍ କାନ୍ଦଣାକୁ।ଧୀରେ ଧୀରେ ମନର ବିଦ୍ୱେଷ ଅପସରି ଯାଉଥାଏ ।
   
ଚାଲିଲା ତୃତୀୟ ଅଧିବେଶନ । ଆବିର୍ଭାବ ହେଲେ ସିନେ ତାରକା ଓ ନିର୍ଦ୍ଦେଶକ।ସଂଳାପ ଓ ନୃତ୍ୟର ତାଳେ ତାଳେ ଝୁମିଗଲେ ଗ୍ରାମବାସୀ ଓ ଅତିଥି ଓ ପ୍ରତିଭାଧାରୀ । ଆଚମ୍ବିତ ହେଲେ ସର୍ବେ । ଆସିଲା ବିଦାୟର ବେଳା । ପ୍ରେମର ମଧୁଛୁଆଁରେ ଛୁଟି ଆସିଥିବା ଭାଇଭଉଣୀମାନେ ଦୁଃଖରେ ମ୍ରିୟମାଣ ହୋଇ ଚାଲିଯାଉଥିଲେ ସେ ସ୍ଥାନରୁ । ସତେ ଯେମିତି ଜମ୍ଭରା ମାଟି କହୁଥିଲା, ରହିଯାଅରେ ପିଲେ, ମୋତେ ଛାଡ଼ି ଯାଅନା । ଅନନ୍ୟା ମଞ୍ଚ ସତେ ଯେମିତି କହୁଥିଲା, ଯାଅନାରେ... ମୋତେ ଶ୍ରୀହୀନ କରି । ନିୟମରେ ବନ୍ଧା ବନ୍ଧନମାନେ ଆଖିରୁ ଲୁହ ଗଡାଇ ମେଲାଣି ମାଗି ଯାଉଥାନ୍ତି । ଆସୁଛି ଭାଇ କହିଲା ବେଳେ ଉଭୟଙ୍କ କୋହ କିଛି ଅକୁହା କଥା କହୁଥାଏ ନୀରବରେ । ଅପୂର୍ବ ସେ ଭାଇ ଭାଇ, ଭାଇ ଭଉଣୀର ସମ୍ପର୍କ । ଏସବୁ ଉପଲବ୍ଧି କରୁଥାନ୍ତି ରୋଜି ମାଡାମ୍ । ଚାହିଁଥାନ୍ତି ନାରାୟଣ ବାବୁଙ୍କ ମୁହଁକୁ । ଆତ୍ମୀୟ ମାନେ ଗଲାବେଳେ ତାଙ୍କ ହୃଦୟ କେମିତି କାନ୍ଦୁଥିଲା । ବୁଝିପାରୁଥିଲେ ଏ ସମ୍ପର୍କର ଗଭୀରତା କେତେ । ନିବିଡ଼ତା କାହାକୁ କୁହାଯାଏ । ଭାଇ ଭଉଣୀର ପ୍ରକୃତ ସମ୍ପର୍କ କଣ । ଏସବୁ ଭିତରେ ନାରାୟଣ ବାବୁ ଧରାଇଦେଇଥିଲେ ନିଜ ମୋବାଇଲଟି ରୋଜି ମାଡାମଙ୍କୁ । ସନ୍ଧ୍ୟା ସମୟ,ଠିକ୍ ଏହି ସମୟରେ ବି ଆସିଥିଲା ଫୋନ୍ କଲ୍ । ଆଉ ରୋଜି ମାଡାମଙ୍କ ମନରେ ନ ଥିଲା ରାଗ, ଅଭିମାନ କି ବିରକ୍ତି । ତାଙ୍କ ମନ ଭିତରୁ ମୋବାଇଲ କାନ୍ଦଣା ଭୁତଟା ଅପସରି ଯାଇଥିଲା । ସ୍ୱିଚ ଅନ୍ କଲେ ସେ । ହଠାତ୍ ଏକ କରୁଣ ସ୍ୱର ଭାସି ଆସିଲା ଜଣେ ଭଉଣୀଙ୍କର, ଆପଣ ଖାଇଲେଣି ନା ଭାଇ, ବହୁତ ଦୁର୍ବଳ ଲାଗୁଥିଲେ, ସକାଳୁ ବି କିଛି ଖାଇ ନଥିଲେ । ଦେହର ଯତ୍ନ ନେବେ ଭାଇ । ଜମ୍ଭରା ଅନନ୍ୟା ମଞ୍ଚ କି ଆପଣମାନଙ୍କୁ ଛାଡି ଆସିବାକୁ ଆଦୌ ଇଚ୍ଛା ନ ଥିଲା । ନାରାୟଣ ବାବୁ ଅଭିମାନରେ କାନ୍ଦି କାନ୍ଦି ରୋଜି ମାଡାମଙ୍କୁ ମୋବାଇଲ ଦେଇ କହିଲେ, ନିଅ ସ୍ୱିଚ ଅଫ୍ କରିଦିଅ, ନ ହେଲେ ସେ ବହୁତ କାନ୍ଦିବ ।ରୋଜି ମାଡାମଙ୍କର ଆଖିରୁ ଦୁଇଧାର ଲୁହ ଗଡ଼ିଗଲା, ସେ କହିଲେ ନାଁ, ମୋବାଇଲ ଯେତେ କାନ୍ଦିବ କାନ୍ଦୁ । ଦୁହିଙ୍କ ଆଖିରେ ଲୋତକର ଧାର । ଏସବୁ ଦେଖି ସହିପାରିଲେ ନାହିଁ ହରି ଆଉ ବିଷ୍ଣ୍ଣୁ । ଆଖିର ଲୁହକୁ ପୋଛି ସାନ୍ତ୍ୱନା ଦେଇଥିଲେ । ସଂଗେ ସଂଗେ ରକ୍ତର ସମ୍ପର୍କ ପରି ଆଉ ଗୋଟିଏ ଫୋନ୍ କଲ୍ ଆସିଲା । ସେ ଆଉ ଅନ୍ୟ କାହାର ନ ଥିଲା, ଥିଲା ଇଷ୍ଟପ୍ରାଣ ଦୁର୍ବାଭାଇଙ୍କର । କାନ୍ଦ ଭିତରେ ପାଟିରୁ ଫିଟୁନଥିଲା କଥା । ନାରାୟଣ ଖାଇଲଣି ନା ? ବ୍ୟସ୍ତତା ଭିତରେ ମୁଁ ସିନା ଚାଲିଆସିଲି ହେଲେ ମୋ ଆତ୍ମା ତୁମମାନଙ୍କ ପାଖରେ ।ସମସ୍ତେ ସ୍ତବ୍ଧ । ସେହିଦିନଠାରୁ ମୋବାଇଲ ଆଜିଯାଏ ବି କାନ୍ଦୁଛି, ତାକୁ ବନ୍ଦ କରିବାକୁ କାହାର ହାତ ଯାଉନାହିଁ ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

Post a Comment

0 Comments