Ad

header ads

କବିତା - ଶିଶୁ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ସଜ ସରସୀଜ କଅଁଳ ମୁହଁ ରେ
ରକ୍ତ କରବୀ ର ଓଷ୍ଠ
ମୁକ୍ତା କ୍ଷୁଦ୍ର ଦନ୍ତପକ୍ତି ତା ସୁନ୍ଦର
ଅସଜଡା ଚୁର୍ଣ୍ଣ କେଶ ।।

ଖିଲି ଖିଲି ହସ ଦରୋଟି ଭାଷାରେ
ହୃଦୟ ଉଠଇ ପୁରି
ସେ ଭାଷାରେ ତାର ଅନେକ କାହାଣୀ
ଆଶା କିବା ଅସୁମାରୀ ।।

ଆଖିରେ ସତେକି ଆଖିଏ ସପନ
ଜୀବନର ଚଲାପଥ
କେତେ ଯେ ଦୁରୁହ, ଶିଶୁ କି ଜାଣିବ ତା
ଅନାହତ ଭବିଷ୍ୟତ ।।

ଉଦାର, ନୀରିହ,ନିଷ୍ପାପ,ମୁଦ୍ରାରେ
ଶିଶୁର ସେ ଅବତାର
ଲବଣୀ ପିତୁଳା କୋମଳ କଳିକା
ଦିଏ ଆନନ୍ଦ ଅପାର ।।

ଠୁକୁ ଠୁକୁ ଚାଲି ପଡିଉଠି ବାଲି
ଧୂଳିରେ ଧୂଳିଆ ବାବା
ଶିଶୁ ଜଟାଧାରୀ ଈଶ୍ଵରୀୟ ବେଶେ
ଆକର୍ଷିତ କରେ ଅବା ।।

ଅଭୟ ମୂରତି ତାର ପ୍ରତିମୂର୍ତ୍ତି
ଛଳନା ବିହୀନ କାୟା
ଆକର୍ଷିତ କରେ ସବୁରି ମନକୁ
ନାହିଁ କ୍ରୋଧ, ହିଂସା,ମାୟା ।।

ତା କ୍ରନ୍ଦନ ଧ୍ଵନୀ ସହିତ ନିହିତ
ଅନେକ ଆତ୍ମ ବିଶ୍ଵାସ
କା କରୁଣା କର ପ୍ରସରି ଆସିବ
କରିବାବୁ କୋଳାଗ୍ରତ ।।

ମମତାର ଏକ ଅପରୂପ ରୂପ
ସତେ ଅବା ଚିତ୍ରକର
ଚିତ୍ରୀତ କରିଛି ଶିଶୁ ଦିଶେ ତେଣୁ
ଈଶ୍ଵର ଙ୍କ ଅବତାର ।।



ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା ଦୂରଭାଷ :

Post a Comment

0 Comments